ହସିନା ବିରୋଧୀଙ୍କୁ ଟିକସ ଛାଡ଼


ଢାକା :  ବାଂଲାଦେଶର ଅନ୍ତରୀଣ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି  । ହସିନା ବିରୋଧୀ ଯୋଦ୍ଧାଙ୍କୁ ‘ଟ୍ୟାକ୍ସ ଫ୍ରି’ ବା ଟିକସ ମୁକ୍ତ ମାନ୍ୟତା ପ୍ରଦାନ କରାଯାଇଛି  । ୧୯୭୧ ଯୁଦ୍ଧ ସମୟରେ ମୁକ୍ତି ଯୋଦ୍ଧାମାନଙ୍କୁ ବାଂଲାଦେଶ ସରକାର ଏଭଳି ମାନ୍ୟତା ଦେଇଥିଲେ  । ଅର୍ଥମନ୍ତ୍ରୀ ସାଲେହୁଦ୍ଦିନ୍ ଅହମ୍ମଦ ଆଜି ପ୍ରଥମ ବଜେଟ୍ ଉପସ୍ଥାପନ ସମୟରେ ଏହି ଘୋଷଣା କରିଛନ୍ତି  । ହସିନା ବିରୋଧୀ ଅଭିଯାନରେ ହଜାର ହଜାର ଲୋକ ସାମିଲ୍ ହୋଇଥିବାବେଳେ ୧୫ ଶହ ମୃତୁ୍ୟବରଣ କରିଛନ୍ତି  । ବଜେଟ୍ରେ ବ୍ୟକ୍ତିଗତ ଆୟକର ପାଇଁ ଏକ ସ୍ୱତନ୍ତ୍ର ବର୍ଗ ‘ଜୁଲାଇ ୱାରିୟର’ ସୃଷ୍ଟି କରାଯାଇଛି  । ୨୦୨୬-୨୭ ଆର୍ଥିକ ବର୍ଷରୁ ଦୁଇ ବର୍ଷ ନିମନ୍ତେ ୫ ଲକ୍ଷ ୨୫ ହଜାର ଟାକା ଆୟ କ୍ଷେତ୍ରରେ ଟିକସ ରିହାତି ପ୍ରଦାନ କରାଯିବ  । ୧୪୦୧ ଜଣଙ୍କୁ ୟୁନୁସ ସରକାର ‘ଜୁଲାଇ ୱାରିୟର’ ଭାବେ ମାନ୍ୟତା ଦେଇଛନ୍ତି  ।
ସୂଚନାଯୋଗ୍ୟଯେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ପ୍ରଥମେ ଏକ ବଡ଼ ଧରଣର ଛାତ୍ର ଆନେ୍ଦାଳନ ହୋଇଥିଲା । ପରେ ଏହି ଆନେ୍ଦାଳନକୁ ବିରୋଧୀ ଦଳ ଓ ଅନ୍ୟ ସଂଗଠନଗୁଡ଼ିକ ସମର୍ଥନ କରିଥିଲେ  । ଆନେ୍ଦାଳନକୁ ଦବାଇବା ପାଇଁ ହସିନା ସରକାର ସେତେବେଳେ ସେନା ଓ ପୁଲିସ୍ ବଳ ସହ ନିଜର କର୍ମୀମାନଙ୍କୁ ଲଗାଇ ଦେଇଥିଲେ  । କିନ୍ତୁ ଆନେ୍ଦାଳନ ଦବିବା ପରିବର୍ତ୍ତେ ବଢ଼ି ଚାଲିଥିଲା । ଶେଷରେ ହସିନା ବିତାଡ଼ିତ ହେବା ସହ ଦେଶାନ୍ତର ହେବାକୁ ବାଧ୍ୟ ହୋଇଥିଲେ  ।