ଉତ୍ତରାୟଣ ପର୍ବରେ ଅଘଟଣ ; ଗୁଡ଼ିସୂତା ଲାଗି ୬ମୃତ, ୧ଠଠରୁ ଉଦ୍ଧ୍ୱର୍ ଆହତ

ଉତ୍ତରାୟଣ ପର୍ବରେ ଅଘଟଣ ; ଗୁଡ଼ିସୂତା ଲାଗି ୬ମୃତ, ୧ଠଠରୁ ଉଦ୍ଧ୍ୱର୍ ଆହତ

ଗାନ୍ଧିନଗର: ୬ ଜୀବନ ନେଇଗଲା ଚାଇନିଜ୍ ମାଞ୍ଜା ସୂତା । ଏହାସହ ୧୦୦ରୁ ଊଦ୍ଧ୍ୱର୍ ଲୋକଙ୍କ  ବେକ, ମୁହଁ କଟି ଯାଇ ଗୁରୁତର ହୋଇଛନ୍ତି । କାହାର ଗାଲ କଟିଯାଇଛି ତ ଆଉ କାହାର ବେକରେ ଗଭୀର କ୍ଷତ ହୋଇଛି ତ ଆଉ କାହା ଜିଭରେ ଗଭୀର ଆଘାତ ଲାଗିଛି । ଗୁଡ଼ିରେ ବ୍ୟବହୃତ କାଚଗୁଣ୍ଡଯୁକ୍ତ ଚାଇନିଜ୍ ମାଞ୍ଜାସୂତା  ଯୋଗୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ମକର ସଂକ୍ରାନ୍ତୀ ଉପଲକ୍ଷେ ଗୁଜରାଟରେ ଦୁଇଦିନ ଧରି ଚାଲିଥିବା ଉତ୍ତରାୟଣ ପର୍ବରେ ଏଭଳି ମାମଲା ସାମ୍ନାକୁ ଆସିଛି । ସ୍ଥିତି ଏଭଳି ଭୟଙ୍କର ହୋଇଥିଲା ଯେ, ସେହିଦିନ ମଧ୍ୟରାତ୍ରି ସୁଦ୍ଧା ୧୦୮ ଆମ୍ବୁଲାନ୍ସ ସେବା କର୍ତ୍ତୃପକ୍ଷଙ୍କୁ ୪୨୫୬ରୁ ଅଧିକ କଲ୍ ଆସିଥିଲା । ଗୁଜରାଟର ରାଜକୋଟ, ସୁରେନ୍ଦ୍ର ନଗର, ହାଲୋଲ, କାଦି, ମେହସାନ ଜିଲ୍ଲାର ବିଭିନ୍ନସ୍ଥାନରେ ବେକ ମୁହଁ କଟିଯାଇ ୬ ଜୀବନ ହାନି ହୋଇଛି । ରାଜକୋଟରେ ଜଣେ ବାଇକ ଆରୋହୀ ଦ୍ରୁତ ଗତିରେ ଆସୁଥିବାବେଳେ ଅଜାଣତରେ ଗୁଡ଼ିସୂତା ତାଙ୍କ ବେକରେ ଲାଗି ବେକ କଟି ଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ହୋଇଛି । ସେହିପରି ସୁରେନ୍ଦ୍ର ନଗରର ଓଡୁ ଗାଁରେ ଇଶ୍ୱରଭାଇ ଠାକୁର ନାମକ ଜଣେ ବ୍ୟକ୍ତି ସମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ହାଲୋଲ ସ୍ଥିତ ରାହୋତଲାବ ଗାଁରେ କୁନାଲ ନାମକ ଜଣେ ୫ ବର୍ଷୀୟ ଶିଶୁର ମୃତୁ୍ୟ ହୋଇଛି । ସେ ତା ବାପାଙ୍କ ସହ ବାଇକ୍ରେ ଯାଉଥିବା ବେଳେ ତା ବେକରେ ଗୁଡ଼ି ସୂତା ଲାଗି ବେକ କଟି ଯାଇଥିଲା । ଫଳରେ ତା’ର ମୃତୁ୍ୟ ହୋଇଥିଲା । ସେହିପରି କାଦିର କସ୍ବା ଅଞ୍ଚଳରେ ଜଣେ ମହିଳା ଛାତ ଉପର ଦେଇଯାଇଥିବା ଖୋଲା ବିଦୁ୍ୟତ ତାରରୁ ଗୁଡ଼ି ସୂତା କାଢ଼ୁଥିବା ବେଳେ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ଏହି ସମୟରେ ତାଙ୍କ ଭାଇ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦୁ୍ୟତ ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା ।
ଅପରପକ୍ଷେ ମେହସାନ ଜିଲ୍ଲା ବାଦବର ଗାଁରେ ୩୫ ବର୍ଷୀୟ ମନ୍ସାଜୀ ଠାକୁର ଉତ୍ତରାୟନ ପର୍ବ ଅବସରରେ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଗୁଡ଼ି ସୂତା ପ୍ରଭାବରେ ତାଙ୍କ ବେକ କଟି ଯାଇଥିଲା । ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ହୋଇଛି । ସେହିପରି ଏହି ଗୁଡ଼ି ସୂତାରେ କେବଳ ବ୍ୟକ୍ତି ବିଶେଷ ନୁହନ୍ତି ପଶୁପକ୍ଷୀମାନେ ମଧ୍ୟ ପ୍ରାଣ ହରାଇଛନ୍ତି । ଗୁଡ଼ି ସୂତାରେ ୭୫୮ ପଶୁ ଏବଂ ୬୪୪ଟି ପକ୍ଷୀ ପ୍ରଭାବିତ ହୋଇଛନ୍ତି ।  ଉତ୍ତରାୟନ ଉପଲକ୍ଷେ ୧୪ ଓ ୧୫ ତାରିଖରେ ଗୁଡ଼ିଉଡ଼ା ଉତ୍ସବ ଯୋଗୁ ବିଭିନ୍ନ ମେଡିକାଲ୍ରେ ଏହିଭଳି ୪୯୦୦ରୁ ଅଧିକ ମାମଲା ଦେଖିବାକୁ ମିଳିଛି ।