ଭଦ୍ରକକୁ ୨୭୫ କୋଟି ଭେଟି

ଭଦ୍ରକରୁ ଜ୍ଞାନ ପ୍ରକାଶ ପାଣି  : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  । ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  ।
ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଖୁବ ଶୀଘ୍ର ଏହି ଜିଲ୍ଲାରେ ହେବ  । ଏହା ସହିତ ଆଓସିଏଲ ପକ୍ଷରୁ ଭଦ୍ରକରେ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଳେକ୍ସ ଓ ଏମସିପିଆଇ ପକ୍ଷରୁ ଏକ ଏଚଏମଏଲଏସ ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  । ଏହାସହିତ ଭଦ୍ରକରେ ଥିବା ସମସ୍ତ ଶହୀଦ ପୀଠମାନଙ୍କର ସୌନ୍ଦର୍ଯ୍ୟକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେଯେ, ଆମ ସରକାର କ୍ଷମତାକୁ ଆସିବା ପରେ ବିପ୍ଲବୀ ମାଟି ଭଦ୍ରକରେ ଆଜିବିକାଶର ଗତି ତ୍ୱରାନ୍ୱିତ ହୋଇଛି  । ଯେଉଁ ପ୍ରତିଶ୍ରୁତି ଦେଇ ଆମେ ଲୋକଙ୍କ ସାହାଯ୍ୟ ଓ ସମର୍ଥନ ଲୋଡିଥିଲୁ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମେ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ  । ଏହି ଭାବନାକୁ ମନରେ ରଖି ଗତ ପ୍ରାୟ ଏକବର୍ଷ ହେଲା ଆମ ସରକାର ଜନତାଙ୍କ ସେବାରେ ଉସôର୍ଗୀକୃତ ଭାବେ କାର୍ଯ୍ୟରତ । ଏହି ୧୨ ମାସରେ ସରକାରଙ୍କ ସଫଳତାର ଫର୍ଦ୍ଦ ବହୁତ ଲମ୍ବା  । ଏହାର ହିସାବ ଆମେ ଆସନ୍ତା ୧୨ ତାରିଖରେ ଜନତା ଜନାର୍ଦ୍ଦନଙ୍କୁ ଦେବୁ ।    ବିରୋଧୀ ଦଳ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଣାତ୍ମକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଯେ କୌଣସି ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । ବିଶ୍ୱସ୍ତରୀୟ ସେବା ନାଁରେ ୨୪ ବର୍ଷର ଶାସନ କେବଳ ରଙ୍ଗମାରିବା ଏବଂ ନିଜର ବାଜା ବଜାଇବାରେ ଚାଲିଗଲା  । କିନ୍ତୁ, ପ୍ରକୃତ ବିକାଶ ଏବେ ଆରମ୍ଭ ହୋଇଛି  । ଆଗାମୀ କିଛି ବର୍ଷରେ ଓଡିଶାରେ ପ୍ରାଥମିକ ଶିକ୍ଷାର ଦଶା ଓ ଦିଶା ସଂପୂର୍ଣ୍ଣଭାବେ ବଦଳିବାକୁ ଯାଉଛି  । ୫ଟିର ରଙ୍ଗମରା ଶିକ୍ଷା ନୁହେଁ, ବାସ୍ତବ ଅର୍ଥରେ ଓଡିଶାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ଆମ ସରକାର ଉକôର୍ଷ ଓଡ଼ିଶାର ମାତ୍ର ୧୨୦ ଦିନରେ ୮୦ ହଜାର କୋଟିରୁ ବି ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି  । ଏହାବ୍ୟତୀତ ଗତ ୨୨ ତାରିଖରେ ୧ ଲକ୍ଷ ୬୫ ହଜାର କୋଟି ଟଙ୍କାର ୧୦ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି  । ଓଡିଶାରେ ଏବେ ଯେଉଁ ଶିଳ୍ପ ବିପ୍ଲବ ଆରମ୍ଭ ହେବାକୁ ଯାଉଛି, ସେଥିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭଦ୍ରକ ଜିଲ୍ଲା ପାଇଁ ମଧ୍ୟ ରହିଛି । ଏହି ଦୁଇଟି ପ୍ରକଳ୍ପ ଭଦ୍ରକ ଟେକ୍ସଟାଇଲ ପାର୍କରେ ପ୍ରତିଷ୍ଠା କରାଯିବ । ଆଇଓସିଏଲ ପକ୍ଷରୁ ଭଦ୍ରକରେ ୪,୩୭୭ କୋଟି ଟଙ୍କା ବିନିଯୋଗ କରି ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଳେକ୍ସ ପ୍ରତିଷ୍ଠା କରାଯିବ  । ଏହାଦ୍ୱାରା ପ୍ରାୟ ୪୩୦୦ ଲୋକଙ୍କୁ ନିଯୁକ୍ତି ମିଳିବ  । ଏହା ସହିତ ୨୨୨୩ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଏମସିପିଆଇ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟ ଭଦ୍ରକରେ ଗୋଟିଏ ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରିବ । ଏହାଦ୍ୱାରା ୧୧୫୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଥିଲେ ।   ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ହେଉଛି ଆମର ପ୍ରାଥମିକତା  । ଆଜି ଜିଲ୍ଲା ପାଇଁ ୨୭୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଜନକଲ୍ୟାଣକାରୀ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା  । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସହିତ ଏଥିରେ ରାସ୍ତା, କ୍ରୀଡା ଭିତ୍ତିଭୂମି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଲାଇବ୍ରେରୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ ପାର୍କ ନିର୍ମାଣ ପ୍ରକଳ୍ପ ରହିଛି । ଭଦ୍ରକ ଜିଲ୍ଲାବାସୀଙ୍କ ସେବାରେ ଏ ସବୁ ପ୍ରକଳ୍ପଗୁଡିକ ଉଦ୍ଦିଷ୍ଟ ।   କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେଯେ, ଭଦ୍ରକ ମାଟି ବୀରତ୍ୱର ମାଟି । ଲୋକଙ୍କ ବିଶ୍ୱାସ ଓ ଭରସାକୁ ବଜାୟ ରଖି ଆମ ସରକାର ଗୋଟିଏ ବର୍ଷ ଭିତରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ଏବଂ କରୁଛନ୍ତି, ତାହା ଲୋକଙ୍କ ସରକାରଙ୍କ ପ୍ରତିବଦ୍ଧତା ସୂଚାଉଛି  । ଏହି ଉନ୍ନତିମୂଳକ ପ୍ରକଳ୍ପ ଭଦ୍ରକବାସୀଙ୍କ ଦୃଢ଼ ସମର୍ଥନର ପ୍ରତିଫଳନ  । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନୁ୍ୟ ସେଠୀ, ବାସୁଦେବପୁର ବିଧାୟକ ଅଶୋକ ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଧନ୍ୟବାଦ ଦେଇଥିଲେ ।