ପାକିସ୍ତାନୀ ଏଜେଣ୍ଟକୁ ଦେଉଥିଲା ତଥ୍ୟ ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରା ଗିରଫ

ପାକିସ୍ତାନୀ ଏଜେଣ୍ଟକୁ ଦେଉଥିଲା ତଥ୍ୟ ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରା ଗିରଫ

 ନୂଆଦିଲ୍ଲୀ:  ୟୁଟୁ୍ୟବର ଭାବେ ବେଶ୍ ନାଁ କମାଇଥିଲେ ଜ୍ୟୋତି ମାଲହୋତ୍ରା  । ହେଲେ ପାକିସ୍ତାନୀ ଏଜେଣ୍ଟକୁ ତଥ୍ୟ ଦେଉଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି  । ଦେଶଦ୍ରୋହୀ ମାମଲାରେ ତାଙ୍କୁ ଗିରଫ କରାଯାଇଥିବାବେଳେ ସାରା ଦେଶରେ ତାଙ୍କୁ ଛି’ଛାକର କରାଯାଉଛି । ଅପରପକ୍ଷରେ ଗତବର୍ଷ ସେପ୍ଟେମ୍ବର ଶେଷ ସପ୍ତାହରେ ସେ ପୁରୀ ଆସିଥିଲେ  । ତାଙ୍କ ଇନଷ୍ଟାଗ୍ରାମ୍ ଫଟୋରୁ ଏହା ସ୍ପଷ୍ଟ ହୋଇଛି  । 
ସମ୍ପ୍ରତି ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଘନୀଭୂତ ହୋଇଛି  । ଫଳରେ ପାକ ହାଇକମିଶନରେ କାର୍ଯ୍ୟରତ ବହୁ ଅଧିକାରୀଙ୍କ ଉପରେ ଭାରତର ଗୁଇନ୍ଦା ସଂସ୍ଥା ନଜର ରଖିଥିଲା  । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜ୍ୟୋତି ପାକ୍ ଏଜେଣ୍ଟଙ୍କୁ ସାହାଯ୍ୟ କରୁଥିବା ନେଇ ପ୍ରମାଣ ମିଳିଛି  ।  ତଦନ୍ତକାରୀ ସଂସ୍ଥା ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୨୦୨୩ରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲେ ଜ୍ୟୋତି  । ପାକିସ୍ତାନ ହାଇକମିଶନ ଏଜେଣ୍ଟଙ୍କ ଜରିଆରେ ସେ ଭିସା ପାଇଥିବା ଜଣାପଡ଼ିଛି  । ପାକିସ୍ତାନ ଗସ୍ତ ବେଳେ ଏହସାନ ଉର ରହିମ୍, ଓରଫ ଦାନିଶଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା  । ନୂଆଦିଲ୍ଳୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରେ ଦାନିଶ୍ କାର୍ଯ୍ୟ କରୁଥିଲେ  । ଏହାପରେ ଦାନିଶଙ୍କ ସହ ଜ୍ୟୋତିଙ୍କର ସମ୍ପର୍କ ଘନିଷ୍ଠ ହୋଇଥିଲା  । ପାକିସ୍ତାନରେ ସେ ଗୁଇନ୍ଦା ସଂସ୍ଥାରେ କାମ କରୁଥିବା ନେଇ ଜ୍ୟୋତିଙ୍କୁ କହିଥିଲେ  । ଗତ ମେ’ ୧୩ରେ ଗୁଇନ୍ଦାଗିରି ଅଭିଯୋଗରେ ଏହସାନଙ୍କୁ ଭାରତ ବହିଷ୍କାର କରିବା ସହ ଦେଶ ଛାଡ଼ିବାକୁ ନିଦେ୍ର୍ଦଶ ଦେଇଥିଲା  । ସେପଟେ ପାକିସ୍ତାନରୁ ଫେରିବା ପରେ ଜ୍ୟୋତି ନିୟମିତ ଭାବେ ହ୍ୱାଟସଆପ, ଟେଲିଗ୍ରାମ ଓ ସ୍ନାପ ଚାଟ୍ ଜରିଆରେ ଏହସାନଙ୍କ ସହ ସମ୍ପର୍କରେ ରହିଥିଲା  । କାଳେ କିଏ ଜାଣିଦେବ, ସେଥିପାଇଁ ସେ ଏହସାନ ବା ଦାନିଶ ନଲେଖି ଜାଟ୍ ରାନ୍ଧୱା ନାମରେ ତାଙ୍କ ନାମ ସେଭ୍ ରଖିଥଲେ  । ପାକିସ୍ତାନକୁ ସେ ଭାରତ ସମ୍ପର୍କରେ ଅନେକ ସମ୍ବେଦନଶୀଳ ତଥ୍ୟ ଦେଉଥିବା ତଦନ୍ତକାରୀ ଦଳ ଜାଣିବାକୁ ପାଇଛନ୍ତି  । ପାକିସ୍ତାନକୁ ଜ୍ୟୋତି ତିନି ଥର ଯାଇଥିବା ନେଇ ପ୍ରମାଣ ମିଳିଛି  । ସେହିପରି ଅନ୍ୟ ଜଣେ ପାକ୍ ଏଜେଣ୍ଟଙ୍କ ସହ ଜ୍ୟୋତିଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା  । ଯାହାଙ୍କ ସହ ସେ ବାଲି, ଇଣ୍ଡୋନେସିଆ ବି ଯାଇଥିଲା  । ହରିୟାଣା ଓ ପଞ୍ଜାବରେ ଥିବା ଗୁଇନ୍ଦା ନେଟୱାର୍କରେ ଜ୍ୟୋତି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନେଇ ତଥ୍ୟ ପ୍ରମାଣ ମିଳିଛି  । ହରିୟାଣାର ଜ୍ୟୋତି ମାଲହୋତ୍ରା, ଉଭୟ ୟୁଟୁ୍ୟବ ଓ ଇନଷ୍ଟାଗ୍ରାମରେ ଲୋକପ୍ରିୟତା ଅର୍ଜନ କରିଛି  । ତା’ର ଟ୍ରାଭେଲ ୱିଥ ଜୋ ୟୁଟୁ୍ୟବ ଚ୍ୟାନେଲର ୩ ଲକ୍ଷ ୭୭ ହଜାର ଫଲୋଅରସ ଅଛନ୍ତି  । ସେହିପରି ଇନଷ୍ଟାରେ ବି ୧ ଲକ୍ଷ ୩୨ ହଜାର ଫଲୋଅରସ ଅଛନ୍ତି  ।  ପାକିସ୍ତାନ ଯାଇ ସେ ପାକକୁ ପ୍ରଶଂସା କରୁଥିବା ଭିଡ଼ିଓ ବି ଛାଡ଼ିଥିଲା  । ଏସବୁ ଭିତରେ ସେ ଗତବର୍ଷ ସେପ୍ଟେମ୍ବର ଶେଷ ସପ୍ତାହରେ ପୁରୀ ଆସିଥିଲା  । ପୁରୀ ଶ୍ରୀମନ୍ଦିର ଉପରେ ସେ ଭିଡ଼ିଓ କରିବା ସହ ପୁରୀ ସମୁଦ୍ରକୂଳରେ ବି ଫଟୋସୁଟ୍ କରିଥିଲେ  । ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ଏବେ ପୁରୀରେ ସେ କେଉଁ ହୋଟେଲରେ ରହୁଥିଲା, ତାକୁ କିଏ ଭେଟୁଥିଲେ, କ’ଣ କରୁଥିଲା ଆଦି ନେଇ ବି ତଦନ୍ତ ହେଉଥିବା ଜାଣିବାକୁ ମିଳିଛି  ।