ଦିବ୍ୟ କୃପା ଓ ପାର୍ଥôବ ଯନ୍ତ୍ରଣା 


କିଶୋର କୁମାର ଜେନା  : ଜୀବନ ହେଉଛି ଈଶ୍ୱରଙ୍କର ବ୍ୟକ୍ତରୂପ । ଜୀବନ ଆନନ୍ଦ । ଜୀବନ ହେଉଛି ଆତ୍ମାନନ୍ଦର ପ୍ଲାବନ । ଜୀବନ ହେଉଛି ଏକ ଚେତନାର ସ୍ରୋତ । ଜୀବନର ପ୍ରତିଟି ଅଣୁ ସ୍ପନ୍ଦନଶୀଳ । ସକଳ ବସ୍ତୁରେ ଜୀବନ ବିଦ୍ୟମାନ । ନିର୍ଜୀବ ବୋଲି କୌଣସି ବସ୍ତୁ ହିଁ ନାହିଁ । ଖଣ୍ଡିଏ ପଥର ବି ଜୀବନ ରହିଛି । ବସ୍ତୁମାତ୍ରେ ଯେ ଜୀବନର ସ୍ପନ୍ଦନ ପୂର୍ଣ୍ଣ, ତାହା ଅତ୍ୟାଧୁନିକ ବୈଜ୍ଞାନିକମାନେ ସଂପୂର୍ଣ୍ଣ ରୂପେ ପ୍ରମାଣ କରିସାରିଛନ୍ତି । 
ଜୀବନ ଅଛି ତ ଯନ୍ତ୍ରଣା ନିଶ୍ଚିନ୍ତ ରହିବ । ତେବେ କିପରି ଯନ୍ତ୍ରଣାର କ୍ଷତ କମ ହେବ ଏ ନେଇ ଅନେକ ଆମେ ଧର୍ମଶାସ୍ତ୍ର ଅଧ୍ୟୟନ କରିଥାଉ । ଜୀବନ ଯନ୍ତ୍ରଣା ପ୍ରସଙ୍ଗରେ ଏକ ଛୋଟିଆ କଥାଟି ଏଠାରେ ଉପସ୍ଥାପନ କରୁଛି । ଜଣେ ଅସୁଖୀ ଯୁବକ ଦିନେ ଜଣେ ଜ୍ଞାନୀ ବ୍ୟକ୍ତିଙ୍କୁ ଭେଟି ନିଜର ଦୁଃଖ ଜଣାଇଲେ  । କ'ଣ କଲେ ଦୁଃଖ-ଯନ୍ତ୍ରଣା ଦୂର ହେବ ପଚାରିଲେ  । ଜ୍ଞାନୀ ଗୋଟିଏ ଗ୍ଲାସ୍ ପାଣିରେ ମୁଠାଏ ଲୁଣ ମିଶାଇ, ତାଙ୍କୁ ପିଇବାକୁ ଦେଲେ  । ଯୁବକ ଭାବିଲେ ପରୀକ୍ଷା କରାଯାଉଛି, ସେ ପିଇଦେଲେ  । ଲୁଣପାଣିତକ ଢ଼ୋକିବା ପାଇଁ ତାଙ୍କୁ ବେଶ୍ କଷ୍ଟ କରିବାକୁ ପଡ଼ିଲା  । ଜ୍ଞାନୀ ପଚାରିଲେ, କେମିତି ଲାଗିଲା  । ଅତି ଖରାପ ଲାଗିଲା ବୋଲି ଯୁବକ ଉତ୍ତର ଦେଲେ  । ତହୁଁ ଜ୍ଞାନୀ ବ୍ୟକ୍ତି, ତାଙ୍କୁ ନିକଟରେ ଥିବା ଏକ ମଧୁର ଜଳ ହ୍ରଦ ପାଖକୁ ନେଇଗଲେ  । ପାଖରେ ରଖିଥିଲେ ମୁଠାଏ ଲୁଣ  । ଲୁଣ ମୁଠାକ ହ୍ରଦ ଭିତରକୁ ଫୋପାଡ଼ି ଦେଇ ହ୍ରଦ, ହ୍ରଦ ପାଣିରୁ ମୁନେ୍ଦ ପିଇବା ପାଇଁ ଯୁବକଙ୍କୁ କହିଲେ  । ଯୁବକ ପାଣି ପିଇଲେ କିଛି କଷ୍ଟ ହେଲାନାହିଁ  । ବିଚଳିତ ଦୁଃଖୀ ଯୁବକଙ୍କୁ ଜ୍ଞାନୀ କହିଲେ, ପାର୍ଥିବ ଯନ୍ତ୍ରଣା ମୁଠାଏ ଲୁଣ ପରି  । ଯନ୍ତ୍ରଣା ଅଧିକ ନୁହେଁ କି କମ୍ ନୁହେଁ  । ସବୁବେଳେ ସମାନ  । ତେବେ ଯନ୍ତ୍ରଣାରେ ଅନୁଭବ ନିର୍ଭର କରୁଛି, ଆମେ ତାକୁ କେଉଁଠି ରଖିଛେ, ତା ଉପରେ  । ଗ୍ଲାସ ପରି ନ ହୋଇ ହ୍ରଦ ପରି ନିଜକୁ ବିସ୍ତାରିତ କର  । ଯନ୍ତ୍ରଣା ଅନୁଭୂତ ହେବନାହିଁ  । ନିଜକୁ ଯେତେ ଅଧିକ ବିସ୍ତାରିତ କରିବ ବା ଅନ୍ୟ କାର୍ଯ୍ୟରେ ଯେତେ ଅଧିକ ନିୟୋଜିତ ହେବ, ଯନ୍ତ୍ରଣା ସେତିକି କମ୍ ଅନୁଭୂତ ହେବ  । 
ଆମେ ପ୍ରତ୍ୟେକେ ହେଉଛୁ ଜଣେ ତୀର୍ଥଯାତ୍ରୀ । ଆମେ ଚାଲିଯିବା ପାଇଁ ଆସିଥାଉଁ । ଈଶ୍ୱର ହିଁ ଆମର ଲକ୍ଷ୍ୟସ୍ଥଳ । ଆମେ ଯେଉଁ ଉତ୍ତରାଧିକାରୀ ହରାଇବସିଛୁ, ଯେଉଁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସମ୍ପତ୍ତି ବିଷୟ ଆମେ ପାଶୋରି ଯାଇଛୁ, ସେହି ଅଧିକାର, ସେହି ସମ୍ପତ୍ତି ଅନ୍ୱେଷଣ କରିବା ହିଁ ଆମର କାର୍ଯ୍ୟ । ଭଗବାନ ଶ୍ରୀ ସତ୍ୟସାଇ ବାବା ତାଙ୍କ ଦିବ୍ୟ ସମ୍ଭାଷଣରେ ମାର୍ଗ ନିଦେ୍ର୍ଦଶ କରିଛନ୍ତି - "ଈଶ୍ୱରଙ୍କ ସହିତ ଆମର ଅଭିନ୍ନତ୍ୱ ରହିଛି - ଏ ବିଷୟରେ ଏକ ସଚେତନ ଉପଲବ୍ଧି ଜାଗ୍ରତ କରାଇବା ହିଁ ଜୀବନର ପ୍ରଧାନ ମୌଳିକ ଲକ୍ଷ୍ୟ । ଏଥିରୁ ପୃଥକ ହୋଇଗଲେ ଜୀବନର କୌଣସି ଅର୍ଥ ରହେନାହିଁ । ଜୀବନ ଯେତେବେଳେ ପୂର୍ଣ୍ଣ ବା ସାମୂହିକ ହୋଇଯାଏ, ଯେତେବେଳେ ଜୀବାତ୍ମା ପରମାତ୍ମାରେ ମିଳିତ ହୋଇଯାଏ, ସେତେବେଳେ ଜୀବନ ସାର୍ଥକ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଯାଏ ।
' ଆମେ ଯେଉଁଠାରୁ ଆସିଥାଉ, ସେଠାକୁ ଫେରିଯିବା; ଏହା ହିଁ ଜୀବନର ପ୍ରକୃତ ଲକ୍ଷ୍ୟ । ନଦୀ ଯେପରି ତାର ଜଳର ଅନ୍ତିମ ଉତ୍ପତ୍ତିସ୍ଥଳ ସାଗର ସହିତ ସଂଯୁକ୍ତ ହେବାକୁ ଅବିଶ୍ରାନ୍ତ ଗତିରେ ଧାବମାନ; ଅଗ୍ନି ଯେପରି ଅସ୍ଥିର ଶିଖା ବିସ୍ତାର କରି ତାର ମୌଳିକ ତତ୍ତ୍ୱରେ ବିମିଶ୍ରତ ହୋଇଯିବାକୁ ପ୍ରଜ୍ଜ୍ୱଳିତ, ଆମକୁ ସେହିପରି ସେହି ପରମକାରଣଙ୍କର କୃପା ଲାଭ କରିବା ପାଇଁ, ତାଙ୍କରି ସହିତ ମିଳିତ ହୋଇଯିବା ପାଇଁ ଏହି ଧରାପୃଷ୍ଠରେ ଅବିଶ୍ରାନ୍ତଭାବରେ ଉଦ୍ୟମଶୀଳ ହେବାକୁ ପଡ଼ିଥାଏ ।  ସାଧୁତା ହିଁ ଜୀବନର ନୀତି ହେଉ । ସାଧୁଜୀବନ ଧ୍ୟେୟ ହେଉ । ଧର୍ମମାର୍ଗରୁ ବିଚୁ୍ୟତ ହୁଅନ୍ତୁ ନାହିଁ । ଭଗବାନ ଶ୍ରୀ ସତ୍ୟସାଇ ବାବା ତାଙ୍କ ଦିବ୍ୟସମ୍ଭାଷଣରେ ଆମ୍ଭମାନଙ୍କୁ ମାର୍ଗଦର୍ଶନ କରି କହିଛନ୍ତି - "ସଦଗୁଣବିହୀନ ଜୀବନ ମନୁଷ୍ୟ ଜୀବନ ହୋଇ ନପାରେ । 
ନିଃସ୍ୱାର୍ଥପର ସେବାରେ ହିଁ ଜୀବନର ସ୍ୱାଦ ଓ ସରସତା ନିହତ । ବିଶ୍ୱପ୍ରେମ ହିଁ ଜୀବନର ଜୀବିକା ।' ଆପଣ ଯଦି ସମଗ୍ର ମାନବଜାତିର ସେବାରେ ଆତ୍ମନିଯୋଗ କରି ନ ଦିଅନ୍ତି, ଯଦି ସମଗ୍ର ମାନବ ଜାତିକୁ ପ୍ରେମ କରିବାକୁ  ଶିଖନ୍ତି, ତେବେ ଜୀବନର ପୂର୍ଣ୍ଣତା ଲାଭ କରିପାରିବେ ନାହିଁ, ବଞ୍ଚôବାର ପୂର୍ଣ୍ଣ ତାତ୍ପର୍ଯ୍ୟ ଉପଲବ୍ଧି କରିପାରିବେ ନାହିଁ । ଜନସେବା ଓ ଭଗବତ ଭକ୍ତିରେ ହିଁ ପ୍ରକୃତ ଜୀବନର ରହସ୍ୟ ନିହିତ । ଅପରକୁ ସାହାଯ୍ୟ କରିବା ଲାଗି ଜୀବନ ଧାରଣ କରନ୍ତୁ । ସେହିପରି ଜୀବନ ଯାପନ କଲେ ହିଁ ଆପଣଙ୍କ ଭିତରେ ଦିବ୍ୟଶକ୍ତିର ସ୍ରୋତ ସଞ୍ଜୀବନୀ ଶକ୍ତି ହୋଇ ପ୍ରବାହିତ ହେବ । ଜୀବନକୁ ନିତ୍ୟାନନ୍ଦମୟ କରିଦିଅନ୍ତୁ । ସତ୍ୟରୁ ଆନନ୍ଦ ଲାଭ କରନ୍ତୁ । ତପଃରୁ ଆନନ୍ଦ ଲାଭ କରନ୍ତୁ । ପ୍ରତ୍ୟେକଟି ଦିନକୁ ଜୀବନର ଅନ୍ତିମ ଦିବସ ବୋଲି ଗ୍ରହଣ କରି ଦିନର ପ୍ରତିଟି ମୁହୂର୍ତ୍ତ ପ୍ରାର୍ଥନା, ଧ୍ୟାନ ଓ ସେବାରେ ନିୟୋଜିତ କରନ୍ତୁ । ଆପଣଙ୍କ ଜୀବନ ଭଗବତ ପଦାରବିନ୍ଦରେ ଏକ ନିୟତ-ଉତ୍ସର୍ଗରେ ପରିଣତ ହୋଇଯାଉ । ଜୀବନ ପ୍ରସଙ୍ଗରେ ଆଲୋଚନା ରଖିବାବେଳେ ବ୍ୟାସକବି ଫକୀରମୋହନଙ୍କ କାଳଜୟୀ ଓ ସ୍ମରଣୀୟ ଧାଡିଟି ମନେପଡ଼ୁଛି - "ମାନବ ଜୀବନ ଭାସେ ଦୁଃଖ ସମୁଦ୍ରରେ, ଜନମ କାଳରେ ଦୁଃଖ, ଦୁଃଖ ଶୈଶବରେ, ଯୌବନରେ ଅଛି ଦୁଃଖ ବାର୍ଦ୍ଧକ୍ୟେ, ମରଣେ । ମହାଦୁଃଖଚକ୍ରେ ଆବର୍ତ୍ତିତ ଲୋକଗଲେ ।'
ମୋ: ୭୩୨୫୯୦୪୯୨୭