ଅତୃପ୍ତ ଓ ଆତ୍ମକଷ୍ଟ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ଅତୃପ୍ତରୁ କେମିତି ଆତ୍ମକଷ୍ଟ ଜାତ ହୁଏ ଏବଂ ତାର କାରଣ ଓ ପ୍ରଶମନ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ଜୀବନ ଦୁର୍ଲଭ । କାରଣ ଏହି ଦୁର୍ଲଭ ଜୀବନରେ ମଣିଷ ପରି ଆଉ କେହି କିଛି କରିପାରିବ ନାହିଁ । ମଣିଷର ବିଚାରଶକ୍ତି, ବୋଧଶକ୍ତି, ପ୍ରେମ, ଦୟା, କରୁଣା, ସହନଶୀଳତା, ଧୈର୍ଯ୍ୟ ଆଦି ମହନୀୟ ଗୁଣ ଗୁଡ଼ିକ ଊଣାଅଧିକେ ରହିଛି । 
ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ । ଏହାକୁ ପ୍ରଥମେ ବୁଝି ନେବାକୁ ହେବ । ସମସ୍ତଙ୍କୁ ସମାନ ସୁବିଧା କି ସମାନ ସାଧନ ମଧ୍ୟ ମିଳେ ନାହିଁ । ହେଲେ ମଣିଷ ବର୍ତ୍ତମାନ ପରିସ୍ଥିତିରେ ଯେପରି ଅଛି ତାହା ଠାରୁ ଆଉ ଟିକିଏ ଭଲ ହେବା ଦିଗରେ ସର୍ବଦା ଅଗ୍ରସର ହେବା ଉଚିତ୍ । ଯାହା ବର୍ତ୍ତମାନ ଅଛି ତାହାକୁ ଭଲ ପାଇବା ଭିତର ଦେଇ ଆଗକୁ ବଢ଼ିବାର ଅଛି । ଜୀବନରେ ମାନେ ହିଁ ବୃଦ୍ଧି ପାଇବା । ଜୀବନ ନୁହେଁ କେବଳ ବିତେଇବାର ବା କାଟିବାର; ବରଂ ଜୀବନ ହେଉଛି ବଢ଼ିବାର । କିଛି ନପାଇଲେ ଅତୃପ୍ତ ହେବା, କଷ୍ଟ ପାଇବା ପଛରେ ରହିଥିବା କାରଣଟି ଜାଣିବାକୁ ଚେଷ୍ଟା କରିବା ଉଚିତ୍ । ଅତୃପ୍ତ ହେବା ମାନେ ଆମ କରିବାରେ କେଉଁଠିନା କେଉଁଠି ତ୍ରୁଟି ରହିଯାଇଛି ବୁଝି ନେବାକୁ ହେବ । ଯେପରି କରି ଯାହା ପାଇବା ଉଚିତ୍ ଯଦି ସେପରି ନକରି ତାହା ପାଇବାକୁ ଚେଷ୍ଟା କରିବା ତାହା କିଁ ସମ୍ଭବ ହୋଇପାରିବ? 
ଆମକୁ ମନେ ରଖିବାକୁ ହେବ ଯେ ଏ ଜଗତଟା ହେଉଛି କର୍ମଜଗତ । ସାର୍ଥକ କର୍ମ ଭିତର ଦେଇ ବର୍ତ୍ତମାନ ସ୍ଥିତିରୁ ମୁକୁଳିବାର ସବୁତକ ସାମର୍ଥ୍ୟ ମଣିଷ ଭିତରେ ଅର୍ନ୍ତନିହିତ ରହିଛି । ଏହାକୁ ଗଜେଇ ଉଠାଇବାକୁ ହେଲେ ନିଜର ଜୀବନକୁ ସୁନିୟନ୍ତ୍ରିତ କରି ତୋଳିବାକୁ ହେବ । କଣ କରିଲେ କଣ ପାଇବାକୁ ହେବ ତାହା ଭଲ ଭାବରେ ବୁଝି ନେବାକୁ ହେବ, ନିଜକୁ ମାଲୁମ୍ ହେବାକୁ ହେବ ।  ଜୀବନ ଅତୀତରେ ନାହିଁ କି ଭବିଷ୍ୟତରେ ନାହିଁ । ବର୍ତ୍ତମାନ ହିଁ ଜୀବନ । ଏହାକୁ ମନଭରି ଆନନ୍ଦ ଉପଭୋଗ କରି ଚାଲିଲେ ଜୀବନ ଜୀବନୀୟ ହୋଇଉଠିବ । ଏତକ ଯୋଉ ଦିନ ଆମେ ବୁଝିଯିବା ସେବେଠୁ ଆଉ ମନ, ମସ୍ତିଷ୍କ ଦୁଃଖ ଶୋକରେ ମି୍ରୟମାଣ ହେବ ନାହିଁ । ଭୌତିକ ପଦାର୍ଥ ମଣିଷକୁ ବାସ୍ତବ ସୁଖ ଦେଇପାରେ ନାହିଁ । ଜୀବନରେ ବର୍ତ୍ତମାନ ଯାହା ଅଛି ତାକୁ ଭଲ ପାଇବାର ଶିଖନ୍ତୁ । ଅତୃପ୍ତ ହେବା ଠାରୁ ଆତ୍ମକଷ୍ଟ ଆଉ କିଛି ନାହିଁ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।