ଅକ୍ଷୟ ତୃତୀୟା ପର୍ବ ଓ ଆମ କୃଷି

ଅକ୍ଷୟ ତୃତୀୟା ପର୍ବ ଓ ଆମ କୃଷି

ଇଂ. ଅଭୟ ସୂତାର : ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ  । ଏହା କୃଷକଙ୍କ ପାଇଁ ବର୍ଷର ପ୍ରଥମ ଓ ପ୍ରଧାନ ପର୍ବ  । ଆର୍ଯ୍ୟମାନେ ଭାରତରେ ବସତି ସ୍ଥାପନ କରି କୃଷି ଓ ପଶୁପାଳନ ଜରିଆରେ ଜୀବନ ନିର୍ବାହ କରୁଥିବାବେଳେ, ଏ ଗୁଡ଼ିକର ବିଭିନ୍ନ କାର୍ଯ୍ୟ (କ୍ଷେତ ପ୍ରସ୍ତୁତି, ମଞ୍ଜି ବୁଣା, ଫସଲ ସୁରକ୍ଷା, ଫସଲ ଉତ୍ପାଦନ ପାଇଁ ବୃଷ୍ଟି ଓ ପଶୁ ସମ୍ପଦର ସୁରକ୍ଷା ଇତ୍ୟାଦି) ପାଇଁ ସେମାନେ ପୂଜା-ଆରାଧନା ଓ ଯଜ୍ଞ ଦ୍ୱାରା ଦେବଦେବୀଙ୍କୁ ସନ୍ତୁଷ୍ଟ କରୁଥିଲେ ।  ଏହି ପରମ୍ପରା ଅନୁସାରେ , ବୈଶାଖ ଶୁକ୍ଳ ତୃତୀୟା ତିଥିରେ କ୍ଷେତରେ ବୀଜ ବପନ କରି କୃଷକମାନେ ସେମାନଙ୍କର ବୀଜ (ମଞ୍ଜି) ଅକ୍ଷୟ ରହି (କ୍ଷୟ ବା ନଷ୍ଟ ନ ହୋଇ) ପ୍ରଚୁର ଶସ୍ୟ ଉତ୍ପାଦନ ହେବା ନିମିତ୍ତ କାମନା କରି ବସୁମାତାଙ୍କୁ ପୂଜା ଆରାଧନା କରନ୍ତି  । ତେଣୁ ପର୍ବର ନାମ ଅକ୍ଷୟ ତୃତୀୟା ରଖା ଯାଇଛି  । ଏଥିପାଇଁ ବେଦରେ ଉଲ୍ଲେଖ ଅଛି - 
 “ବସୁଧେ ହେମ ଗର୍ଭାସି  ବହୁ ଶସ୍ୟ ଫଳପ୍ରଦେ,
     ବସୁପୂଜ୍ୟେ ନମସ୍ତୁଭ୍ୟଂ ବସୁପୂର୍ଣ୍ଣା ସ୍ତୁମେ କୃଷିଃ 
 ରୋପୟିଷ୍ୟାମି ଧାନ୍ୟାନାଂ  ବୃକ୍ଷାଦି ଜାନି ପ୍ରାକୃଷିଃ,
     ସ୍ୱସ୍ଥାଭ ବନ୍ତୁ କୃଷକାଃ  ଧନ୍ୟ ଧାନ୍ୟ ସମୃଦ୍ଧିଭିଃ  ।”
ଅର୍ଥାତ୍, ହେ ସ୍ୱର୍ଣ୍ଣଗର୍ଭା ବସୁଧା ! ତୁମେ ଶସ୍ୟ-ଫଳ ପ୍ରଦାନକାରିଣୀ, ତୁମେ ମୋର ପୂଜ୍ୟ । ତେଣୁ ତୁମକୁ ନମସ୍କାର କରୁଅଛି । ବର୍ଷା ଋତୁରେ ଭଲ ହେବା ପାଇଁ ଧାନ ପ୍ରଭୃତି ଶସ୍ୟର ବୀଜ ବିପନ ଓ ବୃକ୍ଷାଦି ରୋପଣ କରୁଛି  । ମୋର କୃଷିକ୍ଷେତ ଶସ୍ୟରେ ପରିପୂର୍ଣ୍ଣ ହେଉ  । କୃଷକମାନେ ସୁଖସ୍ୱାଚ୍ଛନ୍ଦରେ ରହି ଧନଧାନ୍ୟରେ ସମୃଦ୍ଧି ଲାଭ କରନ୍ତୁ  । 
ଆଦିବାସୀମାନେ ଦ୍ରାବିଡ଼ ସଭ୍ୟତାର ପରଂମ୍ପରା ଅନୁସାରେ ଅକ୍ଷୟ ତୃତୀୟା ତିଥିରେ ମଞ୍ଜି ବୁଣା ଆରମ୍ଭ କରନ୍ତି  । ଧାନ ଚାଷ ପ୍ରଥମେ ସେହିମାନେ ଆରମ୍ଭ କରିଥିବାରୁ, ପ୍ରଥମ ଧାନ ବିହନ ବୁଣିବା ଦିନ ସେମାନେ ବସୁମାତା ଓ ଗ୍ରାମ ଦେବତାଙ୍କୁ କୁକୁଡ଼ା ବଳି ଦେଇ ପ୍ରାର୍ଥନା କରନ୍ତି  । ଆମେ ଏବେ ଶସ୍ୟ ବୁଣା ଆରମ୍ଭ କରୁଛୁ  । ହେ  ମା’ ! ଆମେ ଯେପରି ଭଲ ଫସଲ ପାଉ, ଗୃହପାଳିତ ପଶୁଙ୍କ ଉନ୍ନତି ହେଉ , ଆମ ରୋଗ ଦୂର ହେଉ ଓ ଆମକୁ ବନ୍ୟଜନ୍ତୁଙ୍କ ଆକ୍ରମଣରୁ ରକ୍ଷା ମିଳୁ, ଏତିକି ଗୁହାରି ରଖିବୁ  ।  ଆମ କୃଷକ ପରିବାରରେ ପୁରୁଷାନୁକ୍ରମିକ  ଅନୁକୂଳ (ପ୍ରଥମ  ବିହନ ବୁଣା) ସବୁ ବର୍ଷ ଗୋଟିଏ କିଆରିରେ କରାଯାଏ, ଏହାକୁ ଅଖି ମୁଠି କିଆରୀ କୁହାଯାଏ  । କୃଷକ ଏହି କିଆରିକୁ ସହଜରେ ବିକ୍ରି କରନ୍ତି ନାହିଁ  । ବାଧ୍ୟ ହୋଇ ଯେତେବେଳେ ବିକ୍ରି କରନ୍ତି, ସେତେବେଳେ ତାଙ୍କର ସର୍ବସ୍ୱ ଚାଲିଗଲା ବୋଲି ବିଚାର କରନ୍ତି  ।  ଅକ୍ଷୟ ତୃତୀୟା ଦିନ କୃଷକ ନିତ୍ୟ କର୍ମ ସାରି ସଫା ବା ନୂଆ ଲୁଗା ପିନ୍ଧି (ପୂର୍ବ ଦିନଠାରୁ କୃଷକ ଗୃହିଣୀ ଚିତା ଲେଖିଥିବା ଟୋକେଇ) ଗଉଣୀରେ ଧଳା ଧାନ ବିହନ ପୁରାନ୍ତି ଓ ଏହାକୁ ମୁଣ୍ଡରେ ମୁଣ୍ଡାଇ ହାତରେ କୋଡ଼ି ଧରି ବିଲକୁ ଶୁଭ ଅନୁକୂଳ କରି ବାହାରିଯାନ୍ତି  । ପଛେ ପଛେ କୃଷକ ଗୃହିଣୀ ଓ ତାଙ୍କ ପିଲାମାନେ ଭୋଗ, ପୂଜା ସାମଗ୍ରୀ ଇତ୍ୟାଦି ଧରି ଯାଆନ୍ତି   । ବିଲର ପୂର୍ବ କୋଣରେ ମାଟି ହାଣି, ଗୁଣ୍ଡ କରି ସେଠାରେ ପାଣି ଛିଞ୍ଚି ବସୁମାତାଙ୍କ ଉଦେ୍ଦଶ୍ୟରେ ଭୋଗ ଲଗାନ୍ତି ଓ କୃଷକ ଗୃହିଣୀ ହୁଳହୁଳି ପକାଇ ବନ୍ଦାପନା କରନ୍ତି  । ତା’ ପରେ କୃଷକ ତିନି ମୁଠା ବିହନ ବୁଣି ତା’ ଉପରେ ହାତ ମାରି ମାଟିି ଘୋଡ଼ାଇ ଦିଅନ୍ତି  । ଘରକୁ ଫେରି ନିଜ ତଥା ସାଇ ପଡ଼ିଶାର ପିଲାଙ୍କୁ ଭୋଗ ବାଣ୍ଟନ୍ତି ଓ ବାଡ଼ି ବଗିଚାରେ ପନିପରିବା ମଞ୍ଜି ଲଗାନ୍ତି । ସେଦିନ କୃଷକ ପରିବାରରେ କ୍ଷୀରି, ଖେଚୁଡ଼ି ରନ୍ଧା ହୋଇ ସମସ୍ତେ ଆନନ୍ଦରେ ଖାଆନ୍ତି  । ଆଦିବାସୀ କୃଷକ ପରିବାରରେ, ମୁରବି ସକାଳୁ ହଳ ଲଙ୍ଗଳକୁ ଧୋଇ ପୂଜା କରିବା ପରେ ବିଲକୁ ଯାଇ ବସୁମାତାଙ୍କୁ ପୂଜା କରି ବିହନ ବୁଣନ୍ତି  । ସକାଳେ ପରିବାରରେ ଅନ୍ୟ ଖାଦ୍ୟ ସହ କ୍ଷୀରି ଓ ରାତିରେ ଅନ୍ୟ ଖାଦ୍ୟ ସହ ପିଠା ତିଆରି କରି ଖାଆନ୍ତି  । 
ଏବେ ସ୍ୱାଧୀନତାର ୭୦ ବର୍ଷରେ ଅବସ୍ଥା ଆହୁରି ଖରାପ ହୋଇଛି,ଏହାର କାରଣ ଆମେ ସମସ୍ତେ ଜାଣିଛୁ ଓ ଖୋଦ୍ ସରକାର ମଧ୍ୟ ଜାଣିଛନ୍ତି  । ଏହି ପରିସ୍ଥିତିରେ ଆମର କୃଷି ପର୍ବ ପାଳନର ପରମ୍ପରା ରକ୍ଷା ହୋଇ ପାରିବ ତ ? ତେଣୁ ଅକ୍ଷୟ ତୃତୀୟା ଦିବସରେ ସଭା ସମିତି କରି କୃଷକଙ୍କ ଉପକାର ପାଇଁ କଥାରେ କହିଲେ ବିଶେଷ  ଲାଭ ହେବ ନାହିଁ , ସେମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ ହେବା ଆଜିର ଅନୁଚିନ୍ତା  । 
ସଦସ୍ୟ,ଓଡ଼ିଶା ସାହିତ୍ୟ ଏକାଡ଼େମୀ,ଭଦ୍ରକ
ମୋ.-୯୪୩୭୩୭୬୯୬୭