ସାବିତ୍ରୀ ବ୍ରତ

ଇତିଶ୍ରୀ ଅଲିଭା ଦିପ୍ତିମୟୀ ରାଉତ : ଜ୍ୟେଷ୍ଠମାସ ଅମାବାସ୍ୟା ଦିନ ଓଡ଼ିଶାର ଘରେ ଘରେ ସାବିତ୍ରୀ ବ୍ରତ ପାଳନ ହୋଇଥାଏ । ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ନୈବେଦ୍ୟ ସମର୍ପଣ କରି ଦେବୀ ସାବିିତ୍ରୀ, ଯମଦେବତା ଓ ସତ୍ୟବାନଙ୍କୁ ପୂଜା କରି ସ୍ତୁତିଗାନ କରିଥାନ୍ତି - "ଓଁ ଦେବାସୁର ମନୁଷ୍ୟାଣାଂ ପୂଜନୀୟା ବିଧାନତଃ, ପତିବ୍ରତେ ମହାଭାଗେ ବନ୍ଦିତେ ଚ ଶୁଚିସ୍ମିତେ, ଅବୈଧବ୍ୟ ସୌଭାଗ୍ୟଂ ଦେହିତ୍ୱଂମମ ସୁବ୍ରତେ, ପୁତ୍ର ପୌତ୍ରଂଚ ମୋକ୍ଷଞ୍ଚ ଦେହି ଦେବୀ ନମୋସ୍ତୁତେ' । ବ୍ରତଚାରିଣୀମାନେ ପୂଜା ସାରି ଦେବୀଙ୍କୁ ପାଞ୍ଚଥର ପୁଷ୍ପାଞ୍ଜଳି ପ୍ରଦାନ କରି ଘିଅ ଦୀପରେ ବନ୍ଦନା ଗାନ କରିଥାନ୍ତି । ଯମ ଦେବତାଙ୍କୁ ପୂଜା କରି ଗାନ କରିଥାନ୍ତି - "ଓଁ ଯମାୟ ପାଶହସ୍ତାୟ ମହିଷ ବାହନାୟଚ, ସର୍ବଜୀବାପହରାୟ ନମୋ ବୈବସ୍ୱତାୟଚ । "ତ୍ୱତ୍ ପ୍ରସାଦା ଜଗନ୍ନାଥ ଦୀର୍ଘୟୁସ୍ତେ ମେ ପତି' ଉଚ୍ଚାରଣ କରି ପ୍ରଣାମ କରନ୍ତି । ଶେଷରେ ସତ୍ୟବନ୍ତ ଗୁଣଶୀଳ ରାଜପୁତ୍ର ସତ୍ୟବାନକୁ ଧୂପ, ଦୀପ, ପୁଷ୍ପ ଚନ୍ଦନ ଦେଇ ସ୍ତୁତି କରନ୍ତି । "ଓଁ ସତ୍ୟବ୍ରତଂ ରାଜପୁତ୍ରଂ ରାଜଲକ୍ଷଣ ସଂଯୁତଂ, ପୂର୍ଣ୍ଣ ଚନ୍ଦ୍ରାନନଂ ଗୌରଂ ସର୍ବାଭରଣ ଭୂଷିତଂ' । ପୂଜା କର୍ମ ପରେ ସାବିତ୍ରୀ, ଯମରାଜା, ସତ୍ୟବାନକୁ ଯଥାଶକ୍ତି ଘୃତାହୁତି ପ୍ରଦାନ କରି କଥା ଶୁଣନ୍ତି ।
ପୁରୋହିତ କର୍ମକାଣ୍ଡର ଚତୁର୍ଥଭାଗରେ ଲେଖାରହିଛି ଯେ ଏହି ବ୍ରତର ପ୍ରଧାନ ଦେବୀ ହେଉଛନ୍ତି ସାବିତ୍ରୀ । ଯମରାଜ ଓ ସତ୍ୟବାନଙ୍କୁ ମଧ୍ୟ ପୂଜା କରାଯାଏ । ସାବିତ୍ରୀ ହେଉଛନ୍ତି ଅଶ୍ୱପତି ରାଜାଙ୍କ କନ୍ୟା ଓ ସତ୍ୟବାନଙ୍କ ପତ୍ନୀ ସତୀ ସାବିତ୍ରୀ । ପୌରାଣିକ କାହାଣୀ ଅନୁଯାୟୀ ସ୍ୱାମୀ ସତ୍ୟବାନଙ୍କ ଆୟୁଷ ଶେଷ ହେବାକୁ ମାତ୍ର ତିନିଦିନ ବାକି ରହିଛି ବୋଲି ଜାଣି ସାବିତ୍ରୀ ତି୍ରରାତ୍ର ବ୍ରତ ପାଳନ କରି ତିନିଦିନ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରିଥିଲେ । ମହାଭାରତର ତଥ୍ୟ ଅନୁଯାୟୀ ମାର୍କଣ୍ଡେୟ ମୁନି ଧର୍ମରାଜ ଯୁଧିଷ୍ଠିରଙ୍କୁ ଏ ବ୍ରତର ନିୟମ ଓ କାହାଣୀ କହିଥିଲେ । ସାବିତ୍ରୀ ବ୍ରତ ହେଉଛି ପତିଭକ୍ତିର ସର୍ବଶ୍ରେଷ୍ଠ ସାଧନାର ତପସ୍ୟାର କାହାଣୀ । ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ପ୍ରାଣ ନେବା ସମୟରେ ଜମରାଜଙ୍କ ଠାରୁ ନିଜ ବୁଦ୍ଧି ଓ ସତୀତ୍ୱ ବଳରେ ନିଜର ପତିଙ୍କ ପ୍ରାଣ ଫେରି ପାଇଥିଲେ କେବଳ ସେତିକି ନୁହେଁ ଯମରାଜଙ୍କ ଠାରୁ ଆଶୀର୍ବାଦ ପାଇଥିଲେ । ସାବିତ୍ରୀ ବ୍ରତର ଲୋକାଚାର ଅନୁଯାୟୀ ନାରୀମାନେ ଶାଶୂ ଶ୍ୱଶୁର ପ୍ରଭୃତି ଗୁରୁଜନ ମାନଙ୍କୁ ନୂତନ ବସ୍ତ୍ର ଓ ସୁଭୋଜନ ଦ୍ୱାରା ସନ୍ତୁଷ୍ଟ କରି ନିଜର ଦେବାତ ରୂପକ ପତିଙ୍କୁ ପୂଜା କରିଥାନ୍ତି । ସ୍ୱାମୀ ହିଁ ସ୍ତ୍ରୀର ଜୀବନ ସର୍ବସ୍ୱ । ସ୍ୱାମୀ ସେବା କରିବା ନାରୀର ଶ୍ରେଷ୍ଠ ଧର୍ମ । ସ୍ୱାମୀ ଓ ସ୍ତ୍ରୀ ଏକ ମନ ହୋଇ ଚଳିଲେ ଗୃହରେ ସର୍ବଦା ଶାନ୍ତି ବିରାଜିତ ହୋଇ ସମସ୍ତ ପ୍ରଗତି ହୋଇଥାଏ । ତେଣୁ ନାରୀ ଜାତିକୁ ବହୁପୁରାଣରେ ଶାସ୍ତ୍ର ମାନଙ୍କରେ ପତି ପୂଜାର ମହତ୍ତ୍ୱ ବୁଝାଯାଇଛି । ଲକ୍ଷ୍ମୀପୁରାଣ ଅନୁଯାୟୀ - "ପତି ସେବା ବିନା ନାହିଁ ନାରୀଙ୍କ ଗତି, ପତି ପ୍ରାଣା ନାରୀ କରେ ଦେବଲୋକେ ଗତି । ଯେଉଁ ନାରୀ ସ୍ୱାମୀକୁ ଦେବତା ସମ ମଣି ସେବା କରି ତୋଷୁଥାଏ ତାର ମତ୍ତି ଚିହ୍ନି ।' ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ପ୍ରକୃତି ପୁରୁଷ ରୂପେ ଶକ୍ତି - କର୍ମ ରୂପେ - ଆଖ୍ୟାୟିତ । ପତିବ୍ରତା ପ୍ରସଙ୍ଗରେ ସତୀ ଅନସୂୟା, ସୀତା ଓ ସାବିତ୍ରୀ ହେଉଛନ୍ତି ଜ୍ୱଳନ୍ତ ଆଦର୍ଶର ମୂର୍ତ୍ତି । ସ୍ତ୍ରୀ ଜାତି ଏହି ମହାନ ଆଦର୍ଶରେ ଅନୁପ୍ରାଣିତ ହେଲେ ନିଜେ ସୁଖୀ ହେବା ସହ ପରିବାରରେ ସୁଖ ଓ ଶାନ୍ତି ବିରାଜିତ ହେବ । ଏହା ସହିତ ସ୍ୱାମୀ ମଧ୍ୟ ଦୀର୍ଘ ନିରାମୟ ଜୀବନ ପାଇ ପାରିବେ । ସାବିତ୍ରୀ ବ୍ରତ ନିଷ୍ଠାର ସହିତ ପାଳନ କଲେ ପ୍ରତ୍ୟେକ ନାରୀ ପତିପ୍ରାଣା ଓ ପତିସୁହାଗିନୀ ହେବାକୁ ଈଶ୍ୱରଙ୍କ ପାଦତଳେ ଭକ୍ତିମନରେ ପ୍ରଣତି ବାଢ଼ିଥାନ୍ତି । ସାବିତ୍ରୀ ବ୍ରତରେ ତିନିଗୋଟି ମୁଖ୍ୟ କଥା ହେଉଛି ଯେ ସତୀ ସାବିତ୍ରୀ ତାଙ୍କ ସତୀତ୍ୱ ଓ ବୁଦ୍ଧିମତ୍ତା ଦ୍ୱାରା ଦିନେ ଅଶ୍ୱପତିଙ୍କ କନ୍ୟା ଭାବେ ଜନ୍ମ ଗ୍ରହଣ କରି ସ୍ୱାମୀଙ୍କ ଜୀବନ ସ୍ୱୟଂ ଯମରାଜଙ୍କ ଠାରୁ ଫେରାଇ ଆଣିବାକୁ ସମର୍ଥ ହୋଇଥିଲେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଶେଷ କଥାଟି ହେଉଛି ଏହି ବ୍ରତରେ ଜଗତର ସ୍ରଷ୍ଟା ଓ ଆଦର୍ଶ ଦମ୍ପତ୍ତ୍ି ଲକ୍ଷ୍ମୀନାରାୟଣଙ୍କ ଆଶୀର୍ବାଦ ମିଳିଥାଏ । ଓଡ଼ିଆ ଜନଜୀବନରେ ସାବିତ୍ରୀ ବ୍ରତର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ମୋ: ୯୪୩୭୨୨୫୬୮୯