ନିଜେ ଯେ କାରଣ ମୂଳ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ବହୁ ପ୍ରସଙ୍ଗରେ ଆମେ ନିଜେ ହିଁ କେମିତି କାରଣର ମୂଳ ସେନେଇ କିଛି ମାର୍ମିକ ଅନୁଶୀଳନର କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଯେତେବେଳେ ମାଳିଟିଏ ଚାରା ଗଛରେ ପାଣି ଦିଏ, ସେ ସେହି ଚାରାଟିକୁ ଧରିପାରେ ନାହିଁ କି ସମୟ ପୂର୍ବରୁ ତାକୁ ବଢ଼ାଇପାରେ ନାହିଁ । କାରଣ ବୃଦ୍ଧି ହେବା ସମୟ ଉପରେ ନିର୍ଭର କରିଥାଏ । ଏଥିପାଇଁ ସମୟର ଆବଶ୍ୟକତା ରହିଥାଏ । ନିର୍ଦ୍ଦିଷ୍ଟ କେତେଦିନ, କେତେ ମାସର ସମୟ ପରେ ଚାରାଟି ବଡ ହେଲେ ଫୁଲଫଳ ଧରିଥାଏ । ଏହି ଚାରାର ଉଦାହରଣ ଆମ ଜୀବନର ପ୍ରତିଟି କ୍ଷେତ୍ରରେ ଲାଗୁ ବୋଲି ବୁଝନ୍ତୁ । କାରଣ ଆଜିର ଦିନରେ ଆମେ କୌଣସି ବି କାର୍ଯ୍ୟରେ ଅପେକ୍ଷା ବା ସମୟ ଦେବାକୁ ଚାହୁଁନାହୁଁ । ଯେଉଁଥି ପାଇଁ ସବୁଥିରେ ବିଫଳତାର ସ୍ୱାଦ ଚାଖିବାକୁ ପଡୁଛି । ଏଇଠୁ ଆରମ୍ଭ ଅଶାନ୍ତି । ତା'ପରର ସ୍ଥିତି ଆପଣମାନେ ବୁଝିପାରୁଥିବେ ।
ସମସ୍ୟାର ମୂଳରେ ଅଛି ଆମର କର୍ତ୍ତୃତ୍ୱ । କିନ୍ତୁ ଆମେ ଏହାର ଉପଲବ୍ଧି କରିପାରୁନାହୁଁ । ନିଜ ଦ୍ୱାରା କରାଯାଇଥିବା କର୍ମ ପାଇଁ ଶେଷରେ ଅନ୍ୟ ଉପରେ ଦୋଷ ଦେଇଥାଉ, ନତୁବା ନିଜ କପାଳକୁ ହିଁ ନିନ୍ଦିଥାଉ । ଗୋଟିଏ ଛୋଟ ବର ମଞ୍ଜିରେ ଏକ ବୃହଦ୍ ସୃଷ୍ଟିର ସଂରଚନା ନିହତ ଥାଏ । ଅଥଚ ଏହା ସେତେବେଳେ ନିଜ ସ୍ୱରୂପକୁ ପରିପ୍ରକାଶ କରେ, ଯେତେବେଳେ ମଞ୍ଜିଟି ଏକ ଉର୍ବର ଜମିରେ ଅଙ୍କୁରୋଦ୍ଗମ ହେବାର ସମୟ ଉପନୀତ ହୋଇଥାଏ । ଅର୍ଥାତ୍ ସମୟ କାହାର ଅଧିନରେ ନଥାଏ; ବରଂ ଆମେ ସମସ୍ତେ ସମୟର ଅଧୀନରେ ହିଁ ସର୍ବଦା ରହିଥାଉ ।
ହେଲେ ଅହଙ୍କାରବଶତଃ ଆମେ ନିଜକୁ ସମୟଠୁ ଉଦ୍ଧ୍ୱର୍ରେ ବୋଲି ବିବେଚନା କରୁ ଏବଂ ପରବର୍ତ୍ତୀ ସମୟରେ ପଶ୍ଚାତାପ କରିଥାଉ । ଜୀବନ ଜୀଇଁବାର ରାସ୍ତା କିପରି ହେବ, ତାହା ଆମ ଉପରେ ନିର୍ଭର କରିଥାଏ । ପ୍ରଥମତଃ ଜୀବନକୁ ନେଇ ଆମର ବିଚାର କ'ଣ ରହିଛି ତଥା ରହିଥିବା ବିଚାର ପ୍ରକୃତି ଅନୁକୂଳ ତଥା ବାସ୍ତବଧର୍ମୀ କି ତାହାର ବିଶ୍ଳେଷଣ କରିବାକୁ ହେବ । କାରଣ ପ୍ରକୃତି ବିରୋଧରେ ଯାଇ ଆମେ ନିଜର ସତ୍ତାକୁ ଅକ୍ଷୁର୍ଣ୍ଣ ରଖିପାରିବା ନାହିଁ । ପ୍ରତିଟି ଜୀବ କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।