ବିଶୁଦ୍ଧ ପାନୀୟ ଜଳ ସଂକଟ
ସ୍ୱାଧୀନ ହେବାର ଦୀର୍ଘ ସାତଟି ଦଶନ୍ଧି ପୂରିଯାଇଥିବା ସତ୍ତ୍ୱେ ଏବେ ବି ପାନୀୟ ଜଳ ଏବଂ କ୍ଷେତକୁ ଜଳସେଚନ ମୁଖ୍ୟ ସଂକଟ ଭାବେ ରହିଛି । ସହରଠାରୁ ଆରମ୍ଭ କରି ଗାଁ ଗହଳି ଏବଂ ବସ୍ତି ଅଂଚଳରେ ଜନସାଧାରଣଙ୍କୁ ପାନୀୟ ତଥା ବିଶୁଦ୍ଧ ଜଳଯୋଗାଣ ଦେବା ଲାଗି ସରକାର ନୂଆ ଯୋଜନାମାନ କରୁଥିବା ସତ୍ତ୍ୱେ ଏହି ସମସ୍ୟାର ସମାଧାନ କରିପାରି ନାହିଁ । ଏପରିକି ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇଦେବା ପାଇଁ ହଜାର ହଜାର କୋଟି ଟଙ୍କାର ଯୋଜନା କରାଯାଇଛିି । ଏପରିକି ଓଡିଶା ସରକାର ପୁରୀ ସହର ସମେତ କେତେକ ସହରରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛନ୍ତି, ଯାହାକି ଦେଶରେ ପ୍ରଥମ ବୋଲି କୁହାଯାଏ । ଏହା ସତ୍ତ୍ୱେ ଖରାଦିନେ ଉକôଟ ପାନୀୟ ଜଳାଭାବ ଏବଂ ବର୍ଷା ଦିନରେ ଦୂଷିତ ବା ପ୍ରଦୂଷିତ ଜଳ ଦେଶରେ ମୁଖ୍ୟ ସଂକଟ ଭାବେ ଏବେ ବି ଉଭା ହୋଇଛି । ଦୂଷିତ ଜଳ ପିଇ ବାର୍ଷିକ ହଜାର ହଜାର ଲୋକ ମୃତୁ୍ୟବରଣ କରୁଥିବା ବେଳେ ସ୍ୱାସ୍ଥ୍ୟଗତ ସଂକଟକୁ ଘନୀଭୂତ କରୁଛି । ଦୂଷିତ ଜଳ ପିଇ ମୃତୁ୍ୟବରଣ କରିବା ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଛି । ଆମ ରାଜ୍ୟର ରାୟଗଡା ଜିଲ୍ଲା ସମେତ ପାହାଡିଆ ଦୁର୍ଗମ ଅଂଚଳରେ ଦୂଷିତ ଜଳ ପିଇ ମୃତୁ୍ୟ ଘଟଣା ନୂଆ ନୁହେଁ । ବର୍ଷ ବର୍ଷ ଧରି ଏହି ସଂକଟ ଲାଗି ରହିଛି । ହଇଜା, ଝାଡାବାନ୍ତି, ପେଟ ରୋଗ, ଜୀବନ ନେଉଛି । ଏପରିକି ପାଇପ ଜଳ ମଧ୍ୟ ଦୂଷିତ ମୁକ୍ତ ନୁହେଁ । କେଉଁଠି ପାଇପ ଫାଟି ଜଳ ନର୍ଦ୍ଦମାରେ ମିଶୁଛି ତ କେଉଁଠି ନର୍ଦ୍ଦମାଜଳ, ସିଧା ପାଇପରେ ପ୍ରବେଶ କରୁଛି । ମରାମତି, ରକ୍ଷଣାବେକ୍ଷଣ ଏବଂ ତଦାରଖ ଅଭାବ ପାଇପ ଜଳ ପାନୀୟ ଉପଯୋଗୀ ନୁହେଁ ବୋଲି ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାଯାଇଛି । ପାଇପ ଯୋଗେ ପାନୀୟ ଜଳଯୋଗାଣ ଜଳ ବିଶୁଦ୍ଧତାକୁ ଏ ଯାବତ ସୁନିଶ୍ଚିତ କରିପାରିନଥିବା ଅନୁଧ୍ୟାନ ରିପୋର୍ଟ କହେ । ଅନ୍ୟପକ୍ଷରେ ପାହାଡିଆ, ଦୁର୍ଗମ ଅଂଚଳରେ ଖରାଦିନେ ଗାଡିଆ, ପୋଖରୀ, ଝରଣା ଲୋକଙ୍କ ପାନୀୟ ଜଳର ଉସô ପାଲଟିଛି । ପୋଖରୀ, ଗାଡିଆ, ଝରଣା ପାଣିକୁ ଲୋକେ ସିଧାସଳଖ ପାନୀୟ ଭାବେ ବ୍ୟବହାର କରୁଛନ୍ତି । ତେବେ ପାନୀୟ ଜଳକ୍ଷେତ୍ରରେ ଆଉ ଏକ ମୁଖ୍ୟ ସମସ୍ୟା ହେଉଛି ଭୂତଳ ଜଳସ୍ତର ହ୍ରାସ । ଏକ ଅନୁଧ୍ୟାନ ରିପୋର୍ଟରେ କୁହାଯାଇଛି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଭୂତଳ ଜଳସ୍ତର ୨ମିଟର ହ୍ରାସ ପାଇସାରିଲାଣି । ଯାହାର ପରିଣତି ସ୍ୱରୁପ ନଳକୂପର ଜଳ ବାହାରୁନାହିଁ । ଯେଉଁ ଜଳ ଦୀର୍ଘ କସରତ ପରେ ଆସୁଛି, ତାହା ବ୍ୟବହାର ଉପଯୋଗୀ ହୁଏ ନାହିଁ । ଏହା ନିଃସନେ୍ଦହ ଯେ, ଭାରତ ପରି ଏକ ଗ୍ରୀଷ୍ମ ମଣ୍ଡଳୀୟ ଦେଶରେ ଜନସାଧାରଣଙ୍କୁ ବିଶୁଦ୍ଧ ତଥା ନିରାପଦ ପାନୀୟ ଜଳଯୋଗାଣ ଏବେ ବି ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଭାବେ ରହିଛି । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଦେଶର ୨୫ଟି ରାଜ୍ୟର ୨୩୦ଟି ଜିଲ୍ଲାରେ ଭୂତଳ ଜଳରେ ଆର୍ସେନିକ ଠାବ ହୋଇଛି । ସେହିପରି ୨୭ଟି ଜିଲ୍ଲାର ୪୬୯ଟି ଜିଲ୍ଲାରେ ଫ୍ଲୋରାଇଡ ରହିଥିବା କୁହାଯାଏ । ଯାହା ପାନୀୟ ଜଳ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ଏହି ମିଶ୍ରିତ ଜଳ ପାନ କରି ଜନସାଧାରଣ ଦାନ୍ତ, କିଡନୀ ରୋଗରେ ପୀଡିତ ହେଉଛନ୍ତି । ସେହିପରି ଏଭଳି ଅସ୍ୱାସ୍ଥ୍ୟକର ଜଳ ବ୍ୟବହାର ବିଶ୍ୱରେ ୧ ମିଲିଅନ ଲୋକଙ୍କ ଡାଇରିଆରେ ମୃତୁ୍ୟର କାରଣ ହେଉଛି । ଜଳ ହିଁ ଜୀବନ । ଜଳ ବିନା ସୃଷ୍ଟି କ୍ଷଣେ ମାତ୍ର ତିଷ୍ଠି ପାରିବ ନାହିଁ । ଜଳ ଜୀବନ ରଖେ, ଏବେ କିନ୍ତୁ ଦୂଷିତ ଜଳ ଜୀବନ ନେଉଛି । ବିଶୁଦ୍ଧ ପାନୀୟ ଜଳଯୋଗାଣ ଏବେ କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱର ରାଷ୍ଟ୍ରଗୁଡିକର ସରକାରମାନଙ୍କ ପାଇଁ ସବୁଠୁ ବଡ ଆହ୍ୱାନ ଭାବେ ଉଭା ହୋଇଛି । ଉଲ୍ଲେଖ କରାଯାଇପାରେ ଯେ, ୨୦୨୨ରେ ମିଳିତ ଜାତିସଂଘର ସାଧାରଣ ପରିଷଦ ଜଳ ଓ ପରିମଳକୁ ମାନବିକ ଅଧିକାର ଭାବେ ସ୍ୱୀକୃତି ଦେଇଥିଲା । ପାଇପ ଯୋଗେ ବିଶୁଦ୍ଧ ନିରାପଦ ଜଳଯୋଗାଣକୁ ରାଷ୍ଟ୍ର ସୁନିଶ୍ଚିତ କରିବା ଜରୁରି ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୯୪୩୭୯୯୪୩୭୯