ଅନ୍ୟର ସୁଖରେ ଅସହିଷ୍ଣୁ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ଅନ୍ୟର ସୁଖରେ ଯେଉଁମାନେ ଅସହିଷ୍ଣୁ ହୋଇପଡ଼ନ୍ତି ସେମାନଙ୍କ ଜୀବନର ଚିତ୍ର ଓ ଚରିତ୍ର ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ନୀତିବାଣୀରେ ସବୁବେଳେ କୁହାଯାଏ ପରୋପକାରାୟ ସ୍ୱର୍ଗାୟ ବୋଲିକି । ଏଭଳି କହିବାର ଉଦେ୍ଦଶ୍ୟ ହେଲା ଯିଏ ପରର ଉପକାର କରେ ସିଏ ସୁଖଶାନ୍ତିରେ ସାମାଜିକ ଜୀବନରେ ଚଳିପାରେ । ହେଲେ ଏଭଳି କିଛି ଲୋକ ଅଛନ୍ତି ଯିଏକି ଅନ୍ୟମାନଙ୍କର କୌଣସି ପ୍ରକାରର ଉନ୍ନତି କିମ୍ବା ମଙ୍ଗଳ ଦେଖିପାରନ୍ତି ନାହିଁ । ଅନ୍ୟ ଅର୍ଥରେ କହିବାକୁ ଗଲେ ଏ ପ୍ରକାରର ଲୋକମାନେ ସବୁବେଳେ ନିନ୍ଦୁକ ଶ୍ରେଣୀର । ଦେଖା ହେଲେ ମୁହଁରେ ମିଠା କଥା କୁହନ୍ତି । ପଛରେ ପୁଣି ଗାଳି ଦିଅନ୍ତି । ଏଭଳି ଲୋକମାନେ ବାହାରକୁ ଯାହା ଦେଖାଯାନ୍ତି, ପ୍ରକୃତରେ ସେୟା ନୁହଁନ୍ତି । ଏମାନଙ୍କ ଜୀବନରେ ସୁଖଶାନ୍ତି ଆଦି କିଛି ନଥାଏ । ଏଥିପାଇଁ ଅନ୍ୟ ଜଣେ ଭଲରେ ରହିଲେ ଏହା ସେମାନଙ୍କର ସହ୍ୟ ହୁଏ ନାହିଁ । ଏମାନେ ସବୁବେଳେ ଅନ୍ୟ ସହ ନିଜକୁ ତୁଳନା କରନ୍ତି । ନିଜ ସ୍ଥିତିଠୁ ଆଉ ଯଦି କେହି ଟିକେ ଭଲରେ ଥାଏ ତାହା ହେଲେ ସେମାନେ କୁତ୍ସାରଟନା କରନ୍ତି । ଏମାନେ ଜୀବନରେ କେବେ କାହାରିକୁ କିଛି ଦିଅନ୍ତି ନାହିଁ । କେବଳ ଅନ୍ୟ ଠାରୁ ନେବା ମନୋବୃତ୍ତିରେ ସେମାନେ ସବୁବେଳେ ଥାଆନ୍ତି । ଏମାନଙ୍କର ଭଲ ମନ୍ଦରେ ଅନ୍ୟ କେହି ମଧ୍ୟ ସାଥି ଦିଅନ୍ତି ନାହିଁ । ଏମାନଙ୍କ ବିପଦ ସମୟରେ ଲୋକେ ଏମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ନାହିଁ । କାରଣ ଏ ପ୍ରକାରର ଲୋକମାନେ କେବେ କାହାରିକୁ ସାହାଯ୍ୟ କରିନଥାନ୍ତି । ଅନ୍ୟର ଖୁସିରେ ଏମାନେ ଖୁସି ହୋଇପାରନ୍ତି ନାହିଁ; ବରଂ ଅନ୍ୟର ଦୁଃଖରେ ସେମାନେ ଖୁସି ହୁଅନ୍ତି । ଏ ପ୍ରକାରର ଲୋକମାନେ ସେମାନଙ୍କ ବ୍ୟବହାରରୁ ଅତି ସହଜରେ ଚିହ୍ନା ମଧ୍ୟ ପଡ଼ିଯାଆନ୍ତି । ଏମାନଙ୍କ ସଂସ୍ପର୍ଶରେ ଥରେ ଆସିଥିବା ଲୋକ ଆଉ ଦ୍ୱିତୀୟଥର ଏମାନଙ୍କ ସହ ମିଶିବାକୁ ଚାହାନ୍ତି ନାହିଁ । ଏ ପ୍ରକାରର ପ୍ରକୃତି ପାଇଁ ଏମାନେ ଭବିଷ୍ୟତରେ ଅନେକ ଦୁଃଖ ପାଆନ୍ତି । ସମାଜ ଭିତରେ ଚଳିବା ଭଳି ଲକ୍ଷଣ ଏବଂ ଗୁଣ ଏମାନଙ୍କର ନଥାଏ । କେବଳ ନିଜର ସ୍ୱାର୍ଥଟି ପୂରଣ ହେଲେ ଏମାନଙ୍କର ସବୁକିଛି ହୋଇଗଲା ବୋଲି ଭାବନ୍ତି । ନିଜ ସ୍ୱାର୍ଥର ପ୍ରସଙ୍ଗ ଆସିଲେ ସାମାନ୍ୟ ଟିକିଏ ବି ସହିବାକୁ ପ୍ରସ୍ତୁତ ନଥାନ୍ତି । ଅସହିଷ୍ଣୁତା ଗୁଣ ଥିବା ବ୍ୟକ୍ତି ଭବିଷ୍ୟତରେ କେବେ ବି ଶାନ୍ତିରେ ରହିପାରେ ନାହିଁ । ପରର ଖୁସି ଯିଏ ଦେଖି ପାରେନି, ଜାଣନ୍ତୁ ତା ଜୀବନରେ ଟିକିଏ ହେଲେ ଖୁସି ନାହିଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।