ସମ୍ବିତଙ୍କ ବାସଭବନ ଘେରିଲା ଯୁବ କଂଗ୍ରେସ
ଭୁବନେଶ୍ୱର : ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଦେଶପ୍ରୀତି, ସାଧୁତା ଏବଂ ଦେଶପ୍ରତି ତାଙ୍କର ଦାୟିତ୍ୱବୋଧ ଉପରେ ଅଙ୍ଗୁଳି ପ୍ରଦର୍ଶନ କରି ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ସାସଂଦ ସମ୍ବିତ ପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ କର୍ମୀମାନେ ଏକ ବିଶାଳ ରାଲିରେ ସମ୍ବିତ ପାତ୍ରଙ୍କ ଘର ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରାୟ ୨ଘଣ୍ଟା କାଳ ତାଙ୍କ ବାସଭବନ ଘେରିଥିଲେ ।
ସମ୍ବିତ ପାତ୍ର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । ତେଣୁ ତାଙ୍କୁ ପାଗଳଙ୍କ ଚିକିତ୍ସା ପାଇଁ ଥିବା ଡାକ୍ତରଖାନାରେ ଭର୍ତ୍ତି କରିବାପାଇଁ ଘଟଣାସ୍ଥଳକୁ ଏକ ଆମ୍ବୁଲାନ୍ସ ଏବଂ ଷ୍ଟ୍ରେଚର ବିକ୍ଷୋଭସ୍ଥଳକୁ ନିଆଯାଇଥିଲା । ସେଠାରେ ପ୍ରତିକାତ୍ମକ ଭାବେ ଜଣେ ବ୍ୟକ୍ତିଙ୍କୁ ସମ୍ବିତ ପାତ୍ର ସଜାଇ ତାଙ୍କୁ ଷ୍ଟ୍ରେଚର ଯୋଗେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ଅଭିନବ ପ୍ରତିବାଦ କରିଥିଲେ । ଯୁବ କଂଗ୍ରେସ ସଭାପତି ରଣଜିତ କହିଥିଲେ ଯେ ସାସଂଦ ସମ୍ବିତଙ୍କ ନିୟନ୍ତ୍ରଣରେ ତାଙ୍କ ଜିଭ ନାହିଁ । ସମ୍ବିତ ପାତ୍ର ଚୀନ ଓ ପାକିସ୍ଥାନରୁ ଅର୍ଥ ଆଣି ରାହୁଲ ଗାନ୍ଧୀ ଭାରତରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ଯେଉଁ ଆପେକ୍ଷ କରିଛନ୍ତି ତାହା ଦୁର୍ଭାଗ୍ୟଜନକ । ସମ୍ବିତ ପାତ୍ର ତାଙ୍କ ବକ୍ତବ୍ୟରେ ଜଗନ୍ନାଥ ମୋଦିଙ୍କ ଭକ୍ତ ବୋଲି କହି ବିଶ୍ୱବାସୀଙ୍କ ନିକଟରେ ପୂର୍ବରୁ ନିନ୍ଦିତ ହୋଇଛନ୍ତି । ତେଣୁ ମିଥ୍ୟା କଥା କହି ଜନସାଧାରଣଙ୍କୁ ସମ୍ବିତ ବିଭ୍ରାନ୍ତ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଆଜିର କାର୍ଯ୍ୟକ୍ରମରେ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ସନ୍ତୋଷ ଜେନା, ସୁଦିପ ସାମଲ, ନିହାର ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁଲଫାମ, ଜାଭେଦ ଅକତରଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।