ଚନ୍ଦ୍ରଶେଖରପୁରରେ ହେବ ଓଡ଼ିଶା ମଣ୍ଡପ
ଭୁବନେଶ୍ୱର : ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ ନିର୍ମାଣର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଓଡ଼ିଶା ମଣ୍ଡପ ନାଁରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି । ଏଥିରେ ୧୦ ହଜାର ଲୋକ ବସି ପାରିଲା ଭଳି ବ୍ୟବସ୍ଥା ସମେତ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଥିଲାଗି ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ୍ ଓ ଡିଜାଇନ୍ ପ୍ରସ୍ତୁତ ହୋଇଛି ଏବଂ ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ନୂଆକରି ଲୋକସେବା ଭବନ ଏବଂ ବିଧାନସଭା ନିର୍ମାଣ ସମେତ ଓଡ଼ିଶା ବାତ୍ୟା ପ୍ରବଣ ରାଜ୍ୟ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି । ତେଣୁ ନୂଆ ପ୍ରକଳ୍ପକୁ ସଠିକ୍ ସମୟରେ ସାରିବାକୁ ସରକାର ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।