ଗିରଫ ହେଲେ ଧିମାନ ଚକମା

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ଧଳାହାତୀ । ୨୦୨୧ ବ୍ୟାଚ୍ ଆଇଏଏସ ତଥା ଧର୍ମଗଡ଼ ଉପଜିଲ୍ଲାପାଳ ଧିମାନ ଚକମାଙ୍କୁ ଭିଜିଲାନ୍ସ ଧରିଛି । କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ ତାଙ୍କୁ ଭିଜିଲାନ୍ସ ଧରିବାରେ ସଫଳ ହୋଇଛି । ତାଙ୍କ ଘର ଖାନତଲାସି କରାଯାଉଛି । ରିପୋର୍ଟ ଲେଖା ହେବାବେଳକୁ ତାଙ୍କ ଘରୁ ୪୭ ଲକ୍ଷ ଟଙ୍କାର କ୍ୟାସ୍ ବାହାରିଛି । କ୍ରସର ମାଲିକଙ୍କ ଠାରୁ ସେ ୨୦ ଲକ୍ଷ ଟଙ୍କା ମାଗୁଥିବାବେଳେ ପ୍ରଥମ କିସ୍ତି ବାବଦରେ ୧୦ ଲକ୍ଷ ଟଙ୍କା ନେବାକୁ ଆଜି କଥା ଛିଣ୍ଡିଥିଲା । ଏନେଇ କ୍ରସର ମାଲିକ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଭିଜିଲାନ୍ସ ଛକି ବସିଥିବା ନେଇ ଉପଜିଲ୍ଲାପାଳ ଜାଣିପାରିନଥିଲେ । କ୍ରସର ମାଲିକ ଠାରୁ ସେ ନେଇଥିବା ୨୬ଟି ଟଙ୍କା ବଣ୍ଡଲ ତାଙ୍କ ଡ୍ରରେ ରଖିଥିଲେ । ତାଙ୍କ ହାତ ଧୋଇବା ପରେ କେମିକାଲ ବାହାରିବାର ପ୍ରମାଣ ମିଳିଥିଲା । ସେହିପରି ପରେ ତାଙ୍କ ସରକାରୀ ଘର ଖାନତଲାସୀ କରିବା ବେଳେ ଆଉ ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଏନେଇ ମାମଲା ରୁଜୁ କରି ତଦନ୍ତ କରିଛି । ଜଣେ ଆଇଏଏସ ଧରା ପଡ଼ିଥିବାରୁ ବରିଷ୍ଠ ଭିଜିଲାନ୍ସ ଅଫିସରମାନେ ତଦନ୍ତ ଆରମ୍ଭ କରିଦେଇଛନ୍ତି । ଅନେକ ସ୍ଥାନରେ ଚଢ଼ାଉ ମଧ୍ୟ କରାଯିବ ।