ପ୍ରଫେସର ଡ.କେଶବ ଚନ୍ଦ୍ର
ଉଭୟ ବିଜ୍ଞାନ ଓ କଳାରେ ସର୍ବୋଚ୍ଚ ଉପାଧି ପାଇଥିବା ପ୍ରଥମ ଓଡ଼ିଆ ଡାକ୍ତର ହେଉଛନ୍ତି ପ୍ରଫେସର ଡକ୍ଟର କେଶବ ଚନ୍ଦ୍ର ସାହୁ । ସେ ମଧ୍ୟ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଥମ ବିଭାଗୀୟ ମୁଖ୍ୟ । ୧୯୪୪ରେ ପାଟନା ମେଡ଼ିକାଲ କଲେଜରୁ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଫେସର ସାହୁ ପ୍ରଥମେ ରାଣୀହାଟ ହାଇ ସ୍କୁଲରେ ଫିଜିଓଲୋଜି ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୪୬ରେ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ । ଫେରିବା ପରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ସହକାରୀ ଚିକିତ୍ସକ ଭାବେ ଯୋଗଦେଇଥିଲେ । ସେ ଥିଲେ ଶିକ୍ଷା ଓ ସାହିତ୍ୟପ୍ରେମୀ ଡାକ୍ତର । ଅବସର ସମୟରେ କବିତା, ବୈଜ୍ଞାନିକ ପ୍ରବନ୍ଧ, ଧର୍ମ ସମ୍ବନ୍ଧୀୟ ନିବନ୍ଧ ଆଦି ଲେଖୁଥିଲେ । ସେ ମୋଟ ଚଉରାଳିଶ ଖଣ୍ଡ ପୁସ୍ତକ ଲେଖିଯାଇଛନ୍ତି । ତାଙ୍କର ୩୧୬ଟି ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ । ସ୍ୱନାମଧନ୍ୟ ଡାକ୍ତର ଭାବେ ପ୍ରଫେସର ସାହୁ ବହୁ ଅର୍ଥ ଉପାର୍ଜନ କରିଥିଲେ ଏବଂ ସେସବୁ ଉଚିତ କାର୍ଯ୍ୟରେ ବିନିଯୋଗ କରିଥିଲେ । ଶିକ୍ଷାର ପ୍ରସାର ପାଇଁ ସେ କଟକରେ ଏକ ମହିଳା ମହାବିଦ୍ୟାଳୟ, ଚୌଦ୍ୱାରରେ ଏକ ବିଦ୍ୟାଳୟ ଏବଂ ଉରାଳିରେ କଳା ଓ ସଂସ୍କୃତି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିବା ଜଣାଯାଏ । ତାଙ୍କ ଦାନରେ ପ୍ରତିବର୍ଷ କୁଷ୍ଠରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଚିକିତ୍ସକଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଡ.କେଶବ ଚନ୍ଦ୍ର ସାହୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଉଛି । ୧୯୧୭ ମସିହାରେ କେନ୍ଦ୍ରାପଡ଼ା ଅନ୍ତର୍ଗତ କୁମୁଡ଼ା ଜୟପୁର ଗ୍ରାମରେ ସେ ଜନ୍ମ ହୋଇଥିଲେ ।
ଡ.ଅରୁନ୍ଧତୀ ଦେବୀ,ମୋ: ୯୯୩୭୧୭୨୮୧୦