ଅଶୋକାଷ୍ଟମୀ
ପୁଷ୍ପମିତ୍ର ମହାପାତ୍ର : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପରି ଚୈତ୍ର ମାସରେ ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଚୈତ୍ର ମାସ ଶୁକ୍ଳ ଅଷ୍ଟମୀ ଦିନ ଯାତ୍ରାକୁ ଅଶୋକାଷ୍ଟମୀ କୁହାଯାଏ । ଏହି ଦିନ ଯାତ୍ରାର ରଥକୁ ରୁକୁଣା ରଥ କୁହାଯାଏ । ଏହି ସମୟରେ ଦେବୀ ଦୁର୍ଗାଙ୍କ ବାସନ୍ତୀ ଦୁର୍ଗା ପୂଜା ଚାଲିଥାଏ ଆଉ ଅଶୋକାଷ୍ଟମୀ ପରଦିନକୁ ରାମ ନବମୀ କୁହାଯାଏ । ରାମନବମୀ ପୂର୍ବଦିନ ଅଶୋକ ନାମ ଯୁକ୍ତ ଥିବାରୁ ରାମାୟଣରେ ବର୍ଣ୍ଣିତ ଅଶୋକ ବନ ସାଧାରଣତଃ ସ୍ମରଣକୁ ଆସିଥାଏ । ପ୍ରାଚୀନ ଭେଷଜ ଶାସ୍ତ୍ରରୁ ଜଣାଯାଏ ଅଶୋକ ବୃକ୍ଷ ହେଉଛି ଦୈନନ୍ଦିନ ଚିକିତ୍ସା ବିଶେଷକରି ସ୍ତ୍ରୀଲୋକମାନଙ୍କ ପାଇଁ ଉପକାରୀ । ସେହିପରି ରୁକ୍ମଣା ରଥର ନାମକରଣ ପଛରେ ରହିଛି ଶ୍ରୀକୃଷ୍ଣଙ୍କ ପତ୍ନୀ ରୁକ୍ମିଣୀଙ୍କ ନାମାନୁଯାୟୀ ଏହା ନାମିତ ହୋଇଛି ଯାହାକି ବୈଷ୍ଣବ ଯୁଗରୁ ଚଳି ଆସିଛି । ତେବେ ଏହି ରଥ ପ୍ରକୃତରେ ଅଶୋକଙ୍କ ସମୟରୁ ହିଁ ଆରମ୍ଭ ହୋଇଛି । ଲିଙ୍ଗରାଜ ମନ୍ଦିର ଠାରୁ ରଥ ଯେଉଁ ପର୍ଯ୍ୟନ୍ତ ଆସେ ସେ ସ୍ଥାନଟିର ନାମ ବିଜୟ ପଡ଼ିଆ । ସମସ୍ତଙ୍କ ଧାରଣା ତ୍ରିପୁରାସୁରକୁ ବଧ କରି ଶିବ ରଥାରୋହଣ କରିଥିବା ହେତୁ ଏହି ରଥରେ ଶିବ ବିଜୟ କରନ୍ତି ଏବଂ ସେହି ରଥର ସାରଥୀ ବ୍ରହ୍ମା ହୋଇଥିବାରୁ ରୁକୁଣା ରଥର ସାରଥୀ ବ୍ରହ୍ମା କୁହାଯାଏ । ଅଶୋକ ବର୍ତ୍ତମାନର ଓଡ଼ିଆ ତଥା ତକ୍ରାଳୀନ କଳିଙ୍ଗ ଜୟ କରିବାକୁ ଆସି ଯାହା କରିଥିଲେ ତାହା ଅଶୋକଙ୍କ ତ୍ରୟୋଦଶ ଶିଳାନୁଶାସନରୁ ଜଣାପଡ଼େ । ସେ ଚଣ୍ଡାଶୋକରୁ ତାଙ୍କ ହୃଦୟ ବିଚଳିତ ହୋଇ ଧର୍ମାଶୋକରେ ପରିଣତ ହୋଇଥିଲା । ଭାରତୀୟ ସଂସ୍କୃତିରେ ଚୈତ୍ରମାସ ଈଶ୍ୱର ଉପାସନା ନିମିତ୍ତ ପ୍ରସିଦ୍ଧ ଲାଭ କରିଆସିଛି । ବୈଦିକ ଯୁଗରେ ଅଶ୍ୱମେଧ ଯଜ୍ଞାନୁଷ୍ଠାନ ଚୈତ୍ରମାସର ଚିତ୍ରା ନକ୍ଷତ୍ରେ ଅନୁଷ୍ଠିତ ହେଉଥିଲା । ସେହିପରି ରୁକୁଣା ରଥର ଦିଅଁମାନେ ରଥରୁ ଉତ୍ତୁରି ଯେଉଁ ମନ୍ଦିରରେ ରହନ୍ତି ତାହା ରାମେଶ୍ୱର ମନ୍ଦିର ନାମରେ ପ୍ରସିଦ୍ଧ । ରାମେଶ୍ୱର ମନ୍ଦିରର କେତେ ଗଜ ପୂର୍ବ ଦକ୍ଷିଣକୁ ଲକ୍ଷ୍ମଣେଶ୍ୱର, ଭରତେଶ୍ୱର ଓ ଶତ୍ରୁଘ୍ନେଶ୍ୱର ମନ୍ଦିର । ଏମାନଙ୍କ ମଧ୍ୟରେ ରାଜରାସ୍ତାର ଦୁଇ ପାଶ୍ୱର୍ରେ ଲବେଶ୍ୱର ଓ କୁଶେଶ୍ୱର ମନ୍ଦିର ମଧ୍ୟ ଅଛି । ଭୁବନେଶ୍ୱରର ଏଗୁଡ଼ିକ ସର୍ବ ପୁରାତନ ମନ୍ଦିର ବୋଲି କୁହାଯାଏ ।
ଓଡ଼ିଶାର ବିଭିନ୍ନ ରଥଯାତ୍ରା ଭିତରେ ଭୁବନେଶ୍ୱରର ଅଶୋକାଷ୍ଟମୀ ରଥଯାତ୍ରା ବେଶ୍ ପ୍ରସିଦ୍ଧ । କୁହାଯାଏ ପୁରୀର ବଡ଼ ଠାକୁରଙ୍କ ରଥଯାତ୍ରା, କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ରଥଯାତ୍ରା ପରେ ଭୁବନେଶ୍ୱରର ଏହି ରୁକୁଣା ରଥର ଯାତ୍ରା ଅତ୍ୟନ୍ତ ଆଡ଼ମ୍ବର ଓ ଦର୍ଶନୀୟ । ସମ୍ପ୍ରତି ମନ୍ଦିର ପରିଚାଳନା ବୋର୍ଡ଼ ବିଭିନ୍ନ ସମୟ ନିର୍ଘଣ୍ଟ ଭିତରେ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରଶଂସିତ ହେଉଛନ୍ତି । ଅଶୋକାଷ୍ଟମୀ ଦିନ କେବଳ ଭୁବନେଶ୍ୱରକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଶିବଙ୍କର ଉତ୍ସବ ହୁଏନାହିଁ । ଏବଂ ଏହି ଦିନ ତ୍ରିପୁରାଶୁର ମଧ୍ୟ ବଧ ହୋଇନଥିଲା । ତାହା ହୋଇଥିଲେ ସର୍ବତ୍ର ଶିବ ବା ମହାଦେବଙ୍କ ପୀଠରେ ଏ ଉତ୍ସବ ପାଳିତ ହୋଇଥାନ୍ତା । ସେହିପରି କୌତୁହଳପୂର୍ଣ୍ଣ କଥା ହେଉଛି ରଥର ନାମ ରୁକୁଣା ରଥ ହୋଇଥିବାରୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ରଥରେ ବସାଇ ପଳାଇ ଆସିଥିବା କଥା ସ୍ୱତଃ ମନରେ ଆସିପାରେ । ମାତ୍ର ଏଠାରେ ଏଇ ପ୍ରଶ୍ନ ଅବାନ୍ତର । କାରଣ ରୁକ୍ମିଣୀ ଶିଶୁପାଳଙ୍କୁ ବିବାହ କରିବାର ସ୍ଥିର ହୋଇଥିଲା । ଐତିହାସିକଙ୍କ ତଥ୍ୟ ଅନୁଯାୟୀ ଭୁବନେଶ୍ୱର ଶିଶୁପାଳର ନିଜ ଭୂମି । ଶିଶୁପାଳ ପକ୍ଷରେ ଏହା ଅସମ୍ମାନ ସୂଚକ ଅବସ୍ଥା । ତାହାରି ରାଜଧାନୀରେ ଏଭଳି ଅସମ୍ମାନ ସୂଚକ ବ୍ୟବସ୍ଥା କିଏ କରିବ? କେହି କେହି ଐତିହାସିକ କୁହାନ୍ତି ଯେ ଏହି ଯାତ୍ରା ସମ୍ରାଟ ଅଶୋକଙ୍କ ବିଜୟ ଚିହ୍ନ କଳିଙ୍ଗ ସ୍ୱରୂପ ସେ ଯେଉଁ ବିଜୟ ରଥଯାତ୍ରା ପ୍ରବର୍ତ୍ତନ କରିଯାଇଥିଲେ ତାହା ହିଁ ବର୍ତ୍ତମାନର ରୁକୁଣା ରଥ ।
ମୋ : ୯୪୩୭୨୨୫୬୮୯