ଚାଷୀଙ୍କୁ ୪କୋଟି ଧାନବିକା ଟଙ୍କା ତୁରନ୍ତ ଦିଆଯାଉ

 ଭୁବନେଶ୍ୱର : ମୋହନ ସରକାର ବ୍ୟବସ୍ଥିତ ଢଙ୍ଗରେ ଚାଷୀଙ୍କ ଠାରୁ ଧାନକ୍ରୟ କରି ସେମାନଙ୍କର ସମସ୍ତ ବଳକା ଧାନ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ତାହା ସଂପୂର୍ଣ୍ଣ ପ୍ରତାରଣାରେ ପରିଣତ ହୋଇଛି । ଯାହାର ନିଛକ ନମୂନା ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକ୍ର ୩୪୪ ଚାଷୀ ସେମାନଙ୍କର ଉତ୍ପାଦିତ ଖରିଫ ଚାଷର ପ୍ରାୟ ୧୫ ହଜାର କ୍ୱିଣ୍ଟାଲ ଧାନ ବିକି ୪ କୋଟିର ଊଦ୍ଧ୍ୱର୍ ଟଙ୍କା ପାଇବାରେ ଅବହେଳାର ସମ୍ମୁଖୀନ ହୋଇଛନ୍ତି । ଚାଷୀମାନେ ଦୀର୍ଘ ୪ମାସ ହେଲା ପ୍ରଶାସନ ନିକଟରେ ଦାବିକରି ନିରାଶ ହେବା ପରେ ଏବେ ଭୁବନେଶ୍ୱରରେ ଅହୋରାତ୍ର ରାଜରାସ୍ତାରେ ତିନିଦିନ ହେଲା ଧାରଣା ଦେଇଛନ୍ତି । ଏଥିପ୍ରତି ସରକାରଙ୍କର ଭୃକ୍ଷେପ ନାହିଁ କେବଳ ବିଜେପି ସରକାରର ଏକବର୍ଷ ପୂର୍ତ୍ତିପୂରଣ ଅବସରରେ ମିଛ ଛବିର ସଫଳତା ବାଣ୍ଟିବାରେ ବ୍ୟସ୍ତ । ଏହା ଚାଷୀଙ୍କ ପ୍ରତି ଉପହାସ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ ଓ ନବରଙ୍ଗପୁର ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସନରାଜ ଗଣ୍ଡ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ସରକାର ଓ ପ୍ରଶାସନ ଚାଷୀଙ୍କ ପ୍ରତି ଯେପରିଭାବେ ଅବହେଳା କରିଛନ୍ତି ଏହାକୁ କୌଣସି କ୍ଷେତ୍ରରେ ବରଦାସ୍ତ କରାଯିବ ନାହିଁ । ଧାରଣରତ ଚାଷୀମାନଙ୍କ ସମସ୍ୟା ସମାଧାନ ସହ ୪ କୋଟିରୁ ଉଦ୍ଧ୍ୱର୍ ବକେୟା ଟଙ୍କା ତୁରନ୍ତ ପ୍ରଦାନ କରିବାକୁ କିଷାନ କଂଗ୍ରେସ ଦାବି କରିଛି ।