ଅନୁଶୋଚନା କେଣେ ପାଇଁ?

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଏବଂ ଅନୁଭବ କରିବା ଜୀବନରେ ଆମେ ଯେଉଁ ଅନୁଶୋଚନା କରୁଛେ, ତାହା କେଣେ କରୁଛେ-ସେନେଇ କିଛି ନିଚ୍ଛକ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । 
ଜୀବନର ସବୁ ପରିସ୍ଥିତିରେ ନିର୍ବିକାର ରହିବା ହେଉଛି ସ୍ଥିତପ୍ରଜ୍ଞର ଲକ୍ଷଣ । ସ୍ଥିତପ୍ରଜ୍ଞ ହେବା ଏତେ ସହଜ କଥା ନୁହେଁ । ବିଜୟରେ ଉଲ୍ଲସିତ ନହେବା ଆଉ ପରାଜୟରେ ଭାଙ୍ଗି ନପଡ଼ିବା ହେଉଛି ସ୍ଥିତପ୍ରଜ୍ଞର ଲକ୍ଷଣ । ଗୀତାରେ ଭଗବାନ ଶ୍ରୀକୃଷ୍ଣ ଏହି କଥାକୁ ପ୍ରାଞ୍ଜଳ ଭାବରେ ବୁଝାଇ ଦେଇଛନ୍ତି । ଅଥଚ ସାଧାରଣ ମଣିଷ କେବେ ହେଲେ ଆପଣାର ପ୍ରବୃତ୍ତି ପରିତ୍ୟାଗ କରି ସ୍ଥିତପ୍ରଜ୍ଞ ହୋଇପାରେ ନାହିଁ । 
ଜୀବନରେ ମଣିଷ ବିଭିନ୍ନ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ହୁଏ । ସୁଖ ଆସେ, ଦୁଃଖ ଆସେ, ବିଜୟ ପରାଜୟ ଆସେ । ଏସବୁ ପରିସ୍ଥିତିରେ ମଣିଷ ବିଭିନ୍ନ ପ୍ରକାରର ଗୁଣ ପ୍ରକାଶ କରେ । ସୁଖ ସମୟରେ ଉଲ୍ଲସିତ ହୁଏ, ଦୁଃଖ ସମୟରେ ଭାଙ୍ଗିପଡ଼େ । ଧୈର୍ଯ୍ୟହରା ହେଇଯାଏ । ଦୁଖଃର ସମୟ କିଭଳି ନଆସୁ ସେଥିପାଇଁ ଚେଷ୍ଟା କରେ । ସବୁବେଳେ ସୁଖରେ ସମୟ କଟୁ ଭାବି ସେ ଦିଗରେ ଉଦ୍ୟମ କରେ । ତେବେ ଏସବୁ ମାନବୀୟ ଗୁଣ ମଧ୍ୟରେ ଆଉ ଗୋଟିଏ ମାନବୀୟ ଗୁଣ ହେଉଛି ପରିସ୍ଥିତି ଯାହାବି ହେଉ ପଛେ ମନକୁ ସ୍ଥିର ରଖି ଧୈର୍ଯ୍ୟର ସହିତ ପରିସ୍ଥିତିର ସମ୍ମୁଖୀନ ହେବା । ଏଭଳି ବ୍ୟକ୍ତିର ମନ ଭିତରେ ଥିବା ଯନ୍ତ୍ରଣାକୁ କେହି ଜାଣିପାରନ୍ତି ନାହିଁ କିମ୍ବା ମନରେ ଥିବା ଖୁସି ଭାବନାକୁ କେହି ଜାଣିପାରନ୍ତି ନାହିଁ । ଦୁଃଖ ଏବଂ ସୁଖରେ ସମଭାବ ପ୍ରକାଶ କରିବା ହେଉଛି ମହାମାନବର ଗୁଣ । ସୂର୍ଯ୍ୟ ଉଦୟ କାଳରେ ଯେଉଁ ରଙ୍ଗ, ଅସ୍ତ କାଳରେ ମଧ୍ୟ ସେହି ରଙ୍ଗ । ଏହାକୁ ବିଜ୍ଞଜନଙ୍କ ସହ ତୁଳନା କରାଯାଏ । ଏଠାରେ କହିବାର ଅର୍ଥ ହେଲା ସୂର୍ଯ୍ୟଙ୍କର ଉଦୟକାଳ ହେଉଛି ବାଲ୍ୟକାଳ ସହିତ ସମାନ । ଅସ୍ତକାଳ ହେଉଛି ବୃଦ୍ଧାବସ୍ଥା ସହିତ ସମାନ । ଏହି ଦୁଇଟିଯାକ ଅବସ୍ଥାରେ ସୂର୍ଯ୍ୟଙ୍କର କିରଣ କୋମଳ ଏବଂ ବର୍ଣ୍ଣ ପାତଳ । ତେଣୁ ସୁଖରେ ଆନନ୍ଦିତ ହେବା କିମ୍ବା ଦୁଃଖରେ ଧୈର୍ଯ୍ୟହରା ହୋଇପଡ଼ିବା ପରିସ୍ଥିତିକୁ ସୂର୍ଯ୍ୟଙ୍କ ଦୁଇ ଅବସ୍ଥା ସହ ତୁଳନା କରି ମନୁଷ୍ୟକୁ ଧୈର୍ଯ୍ୟବାନ୍ ହେବାକୁ ଶିକ୍ଷା ଦିଆଯାଏ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।