ପୌରୁଷର ପ୍ରତୀକ ମହାବୀର ହନୁମାନ

ହିନ୍ଦୁ ଉପାସନା ପଦ୍ଧତିରେ ମୂର୍ତ୍ତି ପୂଜାର ବିଶେଷ ମହତ୍ତ୍ୱ ରହିଛି । ବିଧି ଅନୁସାରେ ପ୍ରତିଷ୍ଠିତ ବିଗ୍ରହରେ ସାକ୍ଷାତ ଈଶ୍ୱରୀୟ ଅଂଶ ଅବତରିତ ହୋଇ ସାଧକ, ଭକ୍ତଙ୍କୁ ଅଭିଷ୍ଟ ସିଦ୍ଧି ପ୍ରଦାନ କରିଥାନ୍ତି । ଏହି କ୍ରମରେ ପୌରୁଷ ପ୍ରତୀକ ଅଞ୍ଜନା ପୁତ୍ର ମାରୁତି ନନ୍ଦନଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ସୀତା ଏବଂ ଲକ୍ଷ୍ମଣଙ୍କ ସହ ମାରୁତି ନନ୍ଦନ ହନୁମାନଙ୍କ ସମ୍ପର୍କରେ ଅନେକ ବର୍ଣ୍ଣନା ରହିଛି ।
ହନୁମାନଙ୍କୁ ଶ୍ରୀରାମଙ୍କ ପରମ ସେବକ ବୋଲି କୁହାଯାଇଛି । ଚୈତ୍ର ପୁର୍ଣ୍ଣିମା ଦିନ ହନୁମାନଙ୍କର ଜନ୍ମ ବୋଲି କୁହାଯାଉଥିଲେ ମଧ୍ୟ ଓଡ଼ିଶାରେ ବିଷୁବ ସଂକ୍ରାନ୍ତି ଦିନଟିକୁ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯାଇଥାଏ । ହିନ୍ଦୁ ଧର୍ମରେ ବାଳ ବ୍ରହ୍ମ·ରୀ, ସଂଯମ ଏବଂ ପୌରୁଷର ପ୍ରତୀକ ମହାବଳୀ ହନୁମାନଙ୍କୁ ଇଶ୍ୱରୀୟ ସ୍ଥାନ ପ୍ରଦାନ କରାଯାଇଛି । ହନୁମାନଙ୍କ ହୃଦୟରୂପୀ ମନ୍ଦିରରେ ଧନୁଷ ବାଣ ଧାରଣ କରି ଶ୍ରୀରାମ ଓ ମାତାସୀତା ନିବାସ କରିଥାନ୍ତି । ସୀତାଙ୍କ ହରଣ ପରେ ଲଙ୍କାପତି ରାବଣର ବଧ କରିବା ଓ ଲଙ୍କା ବିଜୟରେ ହନୁମାନଙ୍କ ଯୋଗଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରାଯାଇଛି । ଯୁଦ୍ଧ ଭୂମିରେ ଲକ୍ଷ୍ମଣ ମୁର୍ଚ୍ଛିତ ହୋଇଥିଲେ ଓ ତାଙ୍କୁ ସଚେତ ଅବସ୍ଥାକୁ ଆଣିବା ପାଇଁ ସଂଞ୍ଜିବନୀ ବୁଟି ଆଣିବାକୁ ଯାଇ ମହାବଳୀ ହନୁମାନ ପୁରା ପର୍ବତକୁ ଉଠାଇ ଆଣିଥିଲେ ।
ମହାବଳୀ ହନୁମାନଙ୍କ ଜନ୍ମ ବଡ଼ ବିଚିତ୍ର । ପୁରାଣ ଅନୁସାରେ ହିମାଳୟ ପର୍ବତ ଉପରେ ଥିବା ଆଶ୍ରମରେ କଶ୍ୟପ ମୁନି ଅନ୍ୟ ଋଷିମୁନଙ୍କ ସହ ତପସ୍ୟା କରୁଥିଲେ । ଦିନେ ଏକ ମତୁଆଲ ହାତୀ ଅଚାନକ ଆଶ୍ରମ ଭିତରୁ ପଶି ଆସିଥିଲା । ହାତୀ ଡରରେ ଋଷିମୁନିମାନେ ଦୌଡିବାକୁ ଲାଗିଲେ । ସେହି ସମୟରେ ସେ ଅଞ୍ଚଳରେ ବାନର ରାଜା କେଶରୀଙ୍କ ରାଜତ୍ୱ ଥିଲା । ବାନର ରାଜା କେଶରୀ ମତୁଆଲ ହାତୀକୁ ବଧ କରି ଋଷିମୁନିମାନଙ୍କୁ ରକ୍ଷା କରିଥିଲେ । ଏଣୁ ଏଥିରେ ପ୍ରସନ୍ନ ହୋଇ ଋଷିମାନେ କେଶରୀଙ୍କୁ ବର ମାଗିବା ପାଇଁ କହିଥିଲେ । ବରଦାନ ସ୍ୱଋପ କେଶରୀ ପବନ ଭଳି ଗତିଶୀଳ, ବୁଦ୍ଧିମାନ ଏବଂ ରୂପବାନ ପୁତ୍ରର କାମନା କରିଥିଲେ ଓ ଋଷିମାନେ ଏହି ବରଦାନ ଦେଇଥିଲେ । କେଶରୀଙ୍କ ପତ୍ମୀ ଅଞ୍ଜନା ଦିନେ ଶୃଙ୍ଗାର କରି ପର୍ବତ ଉପରେ ବସିଥିବା ବେଳେ ତାଙ୍କୁ ରୂପକୁ ଦେଖି ବାୟୁଦେବତା ମୁଗ୍ଧ ହୋଇଯାଇଥିଲେ । ଏକଥା ଦେଖି ଅଞ୍ଜନା କ୍ରୋଧିତ ହୋଇ ବାୟୁଦେବତାଙ୍କୁ ଅଭିଶାପ ଦେବା ପାଇଁ ଯିବାବେଳେ ବାୟୁଦେବତା ଅଞ୍ଜନାଙ୍କୁ ତାଙ୍କ ଅପରାଧ ପାଇଁ କ୍ଷମା ମାଗିବା ସହ କହିଥିଲେ ଯେ ତୁମ ସ୍ୱାମୀ କେଶରୀ ଋଷି ମାନଙ୍କୁ ଯେଉଁ ବର ମାଗିଛନ୍ତି ତାହା କେବେ ଅନ୍ୟଥା ହେବ ନାହିଁ । ଏଣୁ ତୁମ୍ଭେ ଆମ୍ଭ କାରଣରୁ ପୁତ୍ର ପ୍ରାପ୍ତ କର । ଏଭଳି ଏକ ମୁହୂର୍ତ୍ତରେ ହନୁମାନଙ୍କ ଜନ୍ମ ହୋଇଥିଲା ।
ହନୁମାନଙ୍କ ନାମକରଣ ମଧ୍ୟ ବିଚିତ୍ର । ଦିନେ ମାତା ଅଞ୍ଜନା ଶିଶୁପୁତ୍ର୍ର ହନୁମାନଙ୍କୁ ଖେଳାଉଥିବା ବେଳେ ଆକାଶରେ ସୂର୍ଯ୍ୟଙ୍କ ଉଦୟ ଦେଖିଥିଲେ ହନୁମାନ ଓ ସୂର୍ଯ୍ୟଙ୍କୁ ଏକ ଖେଳନା ଭାବି ସୂର୍ଯ୍ୟଙ୍କୁ ଧରିବା ପାଇଁ ଆକାଶକୁ ଉଠିଥିଲେ, ଯେତେବେଳେ ହନୁମାନ ସୂର୍ଯ୍ୟଙ୍କୁ ଧରିବା ପାଇଁ ଯାଆନ୍ତି ସେତେବେଳେ ଦେବରାଜ ଇନ୍ଦ୍ର ହନୁମାନଙ୍କ ଉପରେ ବଜ୍ରପ୍ରହାର କରିଥିଲେ, ବାଳକ ହନୁମାନ ଇନ୍ଦ୍ରଦେବଙ୍କ ବଜ୍ର ପ୍ରହାରରେ ମୁର୍ଚ୍ଛିତ ହୋଇ ଯାଇଥିଲେ ଓ ହନୁମାନଙ୍କ ମୁହଁରେ ବଜ୍ରପ୍ରହାରର ଚିହ୍ନ ରହିଗଲା । ଏହି କାରଣରୁ ତାଙ୍କ ନାମ ହନୁମାନ ରଖାଯାଇଥିଲା । ହନୁମାନଙ୍କ ମୁର୍ଚ୍ଛା ଭଙ୍ଗ ପରେ ସେ ଉଦୀୟମାନ ସୂର୍ଯ୍ୟଙ୍କୁ ଗିଳି ଦେଇଥିଲେ, ଯେଉଁଥିପାଇଁ ସାରା ସଂସାର ଅନ୍ଧକାରାଛନ୍ନ ହୋଇଯାଇଥିଲା । ଏଭଳି ସଙ୍କଟ ସମୟରେ ଦେବତାମାନେ ମହାଦେବଙ୍କ ଶ୍ରୀ ଶଙ୍କରଙ୍କ ପାଖରେ ପହଞ୍ଚି ସୂର୍ଯ୍ୟଙ୍କୁ ହନୁମାନଙ୍କ ଠାରୁ ମୁକ୍ତ କରିବା ପାଇଁ ନିବେଦନ କରିଥିଲେ । ମହାଦେବ ପରାମର୍ଶ କ୍ରମେ ଦେବତା ମାନେ ବାନର ରାଜା କେଶରୀଙ୍କ ନିକଟକୁ ଗଲେ । ସେପଟେ ପବନଦେବ କ୍ରୋଧିତ ହୋଇ ଶ୍ୱାସ ବନ୍ଦ କରିଦେଲେ ଫଳରେ ସାରା ସଂସାର ବାୟୁବିହୀନ ହୋଇଗଲା । ଦେବତାଗଣ କେଶରୀ ଓ ବାୟୁଦେବତାଙ୍କୁ କ୍ଷମା ମାଗିବା ସହ ସୂର୍ଯ୍ୟଙ୍କୁ ହନୁମାନଙ୍କଠାରୁ ମୁକ୍ତ କରିବା ପାଇଁ ନିବେଦନ କରିଥିଲେ ଓ ହନୁମାନ ସୂର୍ଯ୍ୟଙ୍କୁ ତାଙ୍କ ମୁହଁରୁ ବାହାର କରିଥିଲେ । ସୂର୍ଯ୍ୟଙ୍କ ମୁକ୍ତି ପରେ ଦେବତା ମାନେ ପ୍ରସନ୍ନହୋଇ କେଶରୀଙ୍କୁ ବର ପ୍ରଦାନ ପାଇଁ ଇଛା ପ୍ରକଟ କରିବାରୁ କେଶରୀ ବରସ୍ୱରୂପ ହନୁମାନଙ୍କୁ ଅଜର ଅମର କରିବା ପାଇଁ ବର ମାଗିଥିଲେ । ପ୍ରଭୁ ଶ୍ରୀରାମଙ୍କ ୧୪ ବର୍ଷ ବନବାସ କାଳରେ ରାବଣ ସୀତାଙ୍କୁ ହରଣ କରିଥିଲା । ଶ୍ରୀରାମ ସୀତାଙ୍କୁ ଖୋଜିବା ସମୟରେ କିସ୍କିନ୍ଦ୍ୟା ପର୍ବତରେ ପହଞ୍ଚôଥିଲେ । ସେଠାରେ ଶ୍ରୀରାମଙ୍କ ସହ ହନୁମାନଙ୍କ ଭେଟ ହୋଇଥିଲା ଓ ଲଙ୍କା ବିଜୟ ଅଭିଯାନରେ ହନୁମାନଙ୍କ ସମେତ ବାନର ସେନା ରାମଙ୍କ ସହଯୋଗ କରିଥିଲେ । ଅତୁଳିତ ବଳଶାଳୀ ହନୁମାନଙ୍କୁ, ସଙ୍କଟ ମୋଚନ ବୋଲି ମଧ୍ୟ କୁହାଯାଏ । ପୌରୁଷ, ସଂଯମ ଏବଂ ଶକ୍ତିର ପ୍ରତୀକ ହନୁମାନ ଅଦ୍ୟାବଧି ଜୀବିତ ଏବଂ କଳିଯୁଗର ପ୍ରମୁଖ ଦେବତା ଭାବେ ଗଣ୍ୟ । ହନୁମାନଙ୍କୁ ମଧ୍ୟ ରୁଦ୍ର ବା ମହାଦେବଙ୍କ ଏକାଦଶ ଅବତାର ଭାବେ ଅନେକ ପୁରାଣରେ ବର୍ଣ୍ଣନା କରାଯାଇଛି ।
ଗୋପାଳ ମହାପାତ୍ର
ମୋ :୯୪୩୮୪୮୫୦୯୪