ଅମୃତର ଦୟା ଏବେ ବିଷର ଧାରା
ଡ.ସୁରେଶ କୁମାର ନାୟକ : ମହାନଦୀର ଶାଖାନଦୀ କାଠଯୋଡ଼ିରୁ କୁଆଖାଈ ନଦୀ ବାହାରିବା ପରେ କୁଆଖାଈର ଶାଖା ନଦୀ ଭାର୍ଗବୀରୁ ଦୟା ନଦୀର ସୃଷ୍ଟି । ଦୟା ନଦୀ ଅଶୋକଙ୍କ ସହିତ କଳିଙ୍ଗ ଯୁଦ୍ଧର ଐତିହାସିକ ସ୍ମାରକୀ ରୂପେ ଯେତିକି ପ୍ରତିଷ୍ଠିତ, ଏକ ପବିତ୍ର ନଦୀ ଭାବରେ ମଧ୍ୟ ସେତିକି ଧାର୍ମିକ ଚେତନାରେ ସ୍ୱୀକୃତ । ଏହି ନଦୀର ଜଳକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ସାହିତ୍ୟ ରଚନା କରାଯାଇଛି ଏବଂ ନଦୀର ମହନୀୟତାକୁ ବର୍ଣ୍ଣନା ମଧ୍ୟ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ସହରାଞ୍ଚଳ ସୀମା ବଢ଼ିଯିବା ପରେ ରାଜଧାନୀର ପୂର୍ବଭାଗର ସମସ୍ତ ନର୍ଦ୍ଦମା ଜଳ ଏବଂ ସ୍ୱେରେଜ୍ର ଜଳ ଗଙ୍ଗବତୀ ବା ଗଙ୍ଗୁଆ ନଦୀରେ ମିଶୁଛି । ଏହି ଗଙ୍ଗୁଆ ନଦୀ ସିଧାସଳଖ ଦୟା ନଦୀରେ ମିଶିଯାଇଛି । ଏହା ଫଳରେ ଦୟା ନଦୀର ଜଳ ଭୟଙ୍କର ଭାବରେ ଦୂଷିତ ହୋଇପଡ଼ିଛି । ଦୟା ନଦୀ ଭାଗ ଭାଗ ହୋଇ ପୁରୀ ଜିଲ୍ଲାର କଣାସ ବ୍ଲକ୍ ଦେଇ ଚିଲିକାରେ ପଡିଛି । ଏବେ ଏହି ଦୂଷିତ ଜଳ ସେବନ କରି କଣାସ ଅଞ୍ଚଳରେ ଚାରି ଜଣଙ୍କର ମୃତୁ୍ୟ ହେବା ପରେ ଏବଂ ଶତାଧିକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୟାନଦୀର ଜଳ ବର୍ତ୍ତମାନ ବିଷରେ ପରିଣତ ହୋଇଯାଇଥିବା ଖବର ଅଳ୍ପ କିଛି ଦିନ ହେଲା ଗଣମାଧ୍ୟମରେ ପ୍ରକାଶ ପାଉଛି ଏବଂ ଏହି ଜଳକୁ ବ୍ୟବହାର କରି ଲୋକେ କାମଳ ଏବଂ ଅନ୍ୟାନ୍ୟ ପେଟ ରୋଗରେ ପୀଡ଼ିତ ହେଉଥିବା କଥା ପ୍ରକାଶ ପାଇଛି । ବର୍ତ୍ତମାନ ଏହି ଜଳକୁ ବ୍ୟବହାର କରି କିଛି ଦିନ ହେଲା ଝାଡ଼ାବାନ୍ତି ପରି ପରିସ୍ଥିତି କଣାସ ବ୍ଲକ୍ରେ ସୃଷ୍ଟି ହୋଇଛି । ସବୁଠାରୁ ଉଦ୍ବେଗର କଥା ହେଲା କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା । ହେଲେ ଏ ସମ୍ପର୍କରେ ପ୍ରଶାସନ ଯେଭଳି ତତ୍ପରତା ପ୍ରକାଶ କରିବା କଥା ତାହା କରିନାହିଁ । ଏହି କାରଣରୁ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଚାରି ଜଣଙ୍କର ମୃତୁ୍ୟ ସରକାରୀ ଭାବରେ ହୋଇନାହିଁ, କେବଳ ଜଣଙ୍କର ମୃତୁ୍ୟକୁ ସରକାରୀ ଭାବରେ ସ୍ୱୀକାର କରାଯାଇଛି । ଏହି ନଦୀ ଜଳ ବ୍ୟବହାର କରି ସୃଷ୍ଟି ହୋଇଥିବା ରୋଗ ସଂକ୍ରାମକ ଅବସ୍ଥା ଡେଇଁ ମହାମାରୀ ଅବସ୍ଥାରେ ପହଞ୍ଚିଗଲାଣି । ତେଣୁ ଶତାଧିକ ରୋଗ ଏବେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସାଧାରଣ ଗରିବ ଓ ମଧ୍ୟବିତ୍ତ ରୋଗୀମାନେ ଏହି ରୋଗର ଚିକିତ୍ସା କରାଇବା ଖର୍ଚ୍ଚ ବହନ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପଡୁଛି । ତେଣୁ ରୋଗୀ ସଂଖ୍ୟା ବଢ଼ି ବଢ଼ି ଚାଲିଲେ ସଂକ୍ରାମକ ଅବସ୍ଥା ମଧ୍ୟ ବଢ଼ି ବଢ଼ି ଚାଲିବ । କଣାସ ବ୍ଲକ୍ରୁ ଏହା ନିକଟବର୍ତ୍ତୀ ସତ୍ୟବାଦୀ, ଜଟଣୀ, ପିପିଲି ଆଦି ବ୍ଲକ୍କୁ ଏହା ସଂକ୍ରମିତ ହୋଇଯିବାର ସମ୍ଭାବନା ରହିଛି । କାରଣ ଏହି ଚାରିଟି ବ୍ଲକର୍ ଲୋକେ ନୂଆ ଜଗନ୍ନାଥ ସଡ଼କ ଉପରେ ନିର୍ଭର କରନ୍ତି ଏବଂ ସେଠାରେ ରହିଥିବା ହୋଟେଲ୍ ଗୁଡ଼ିକରେ ଖିଆପିଆ ମାଧ୍ୟମରେ ଏହି ରୋଗ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ଅଛି ।
ସେହିପରି ବର୍ତ୍ତମାନ ଦୟା ନଦୀର ଦୂଷିତ ଜଳକୁ ନେଇ କଣାସ ଅଞ୍ଚଳରେ ପୋଖରୀ ପାଣି ମଧ୍ୟ ଦୂଷିତ ହୋଇଗଲାଣି । ପୋଖରୀ ଭଳି ଆବଦ୍ଧ ଜଳ ଯଦି ଦୂଷିତ ହୁଏ ସଂକ୍ରମଣ ଏକ ଭୟାବହ ଅବସ୍ଥାକୁ ଚାଲିଆସିବ । ଗୋଟିଏ ନଦୀର ଜଳ ଯେତେବେଳେ ଦୂଷିତ ହୋଇଯାଇଛି ଏହା ଆଖପାଖ ଅଞ୍ଚଳର ଆବଦ୍ଧ ଜଳ ମଧ୍ୟ ଦୂଷିତ ହୋଇଯିବ । ଏଭଳି ହେବାର କାରଣ ହେଉଛି ଲୋକମାନେ ସବୁ ଜଳାଶୟ ଗୁଡ଼ିକରେ ନିତ୍ୟ କାରବାର ଏବଂ ବ୍ୟବହାର କରୁଛନ୍ତି । ଲୋକମାନଙ୍କର ଲୁଗାପଟା, ବାସନକୁସନ ଆଦି ମାଧ୍ୟମରେ ଝାଡ଼ାବାନ୍ତିର ଜୀବାଣୁ ବିଭିନ୍ନ ଜଳାଶୟକୁ ସଂକ୍ରମିତ ହୋଇଥାନ୍ତି । ଅବସ୍ଥା ଅସମ୍ଭାଳ ହେବା ପୂର୍ବରୁ ସରକାର ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେଇ ରୋଗୀଙ୍କର ଚିକିତ୍ସା କ୍ଷେତ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଆବଶ୍ୟକ ।