ବସ୍ତି ବଢ଼ାଉଛି ଚିନ୍ତା
ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ କମିଶନ୍ରେଟ୍ ପୁଲିସ୍ ପ୍ରସ୍ତୁତ ହେଉଥିବା ସମୟରେ କେତୋଟି ଅପରାଧ ଏବଂ ହତ୍ୟାକାଣ୍ଡ ପୁଲିସ୍ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ସେହିସବୁ ହତ୍ୟାକାଣ୍ଡ ଗୁଡ଼ିକର ତଦନ୍ତରୁ ଜଣାପଡିଛି ଯେ ପ୍ରାୟତଃ ସର୍ବାଧିକ ହତ୍ୟାକାଣ୍ଡର ଯୋଜନା ଭୁବନେଶ୍ୱରରେ ରହିଥିବା ବସ୍ତି ଗୁଡ଼ିକରୁ ହିଁ ହେଉଛି । ଛୋଟମୋଟ ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ ଘଟିଯାଉଛି । ନିଶା କାରବାରକୁ ନେଇ କିମ୍ବା ଅନ୍ୟ କୌଣସି ଅବୈଧ କାରବାରକୁ ନେଇ ହତ୍ୟାକାଣ୍ଡ ଘଟୁଛି । ଏଥିମଧ୍ୟରୁ ଅଧିକାଂଶ ହତ୍ୟାକାଣ୍ଡ ନିଶା ଦ୍ରବ୍ୟ କାରବାର ଆଦିର ଯୋଜନା ପାଇଁ ନିରାପଦ ସ୍ଥାନ ପାଲଟିଛି ବସ୍ତି ।
ବର୍ତ୍ତମାନ ଭୁବନେଶ୍ୱରରେ ସରକାରଙ୍କ ହିସାବରେ ୫ ଶହରୁ ଅଧିକ ବସ୍ତି ରହିଛି । ହିସାବ ବାହାରେ ପ୍ରତିମାସ ୫୦-୧୦୦ ବସ୍ତି ଗଢ଼ି ଉଠୁଛି । ଦିନକୁ ଦିନ ଏ ଗୁଡ଼ିକର ସଂଖ୍ୟା ବଢୁଛି । ରାଜ୍ୟ ସରକାର ଜାଗା ମିଶନ୍ କାର୍ଯ୍ୟକାରୀ କରିବା ପର ଠାରୁ ବସ୍ତି ସଂଖ୍ୟା ବଢୁଥିବା ଲକ୍ଷ୍ୟ କରାଗଲାଣି । ଅପରାଧୀମାନେ ବିଭିନ୍ନ ପ୍ରକାରର ଅପରାଧ ଘଟାଇ ଏଠାରେ ଆସି ନିରାପଦରେ ରହିଯାଇ ପାରୁଛନ୍ତି । କାରଣ ଏ ଗୁଡ଼ିକର କୌଣସି ସ୍ୱୀକୃତିପ୍ରାପ୍ତ ଠିକଣା ନାହିଁ । ଏବେ ନିକଟରେ ଜଣେ ପୁଲିସ୍ ମିତ୍ର ଏକ ରାଜପଥର ଫ୍ଲାଏଓଭର୍ରେ ଯାଉଥିବା ସମୟରେ ତାଙ୍କୁ ହତ୍ୟା କରି ମୁଣ୍ଡ କାଟି ଦିଆଗଲା । ଏହି ଘଟଣାଟିର ଅନୁସନ୍ଧାନ କରୁ କରୁ ପୁଲିସ୍ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ଅପରାଧର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହେଉଥିବା ସମ୍ପର୍କିତ ଏକ ସ୍ପଷ୍ଟ ଚିତ୍ର ପାଇଯାଇଛି । ଅବୈଧ ଭାବରେ ସରକାରୀ ଜାଗାକୁ ଦଖଲ କରି ରହିବା ଏବଂ ସେଥିରେ ଅପରାଧିକ କାର୍ଯ୍ୟ କଳାପ କରିବା କେବଳ ଯେ ବସ୍ତି ଗୁଡ଼ିକରେ ହେଉଛି ତାହା ନୁହେଁ, ଆହୁରି ଅନେକ ପ୍ରକାରର ଛଦ୍ମ ଆଶ୍ରୟରେ ସରକାରୀ ଜାଗାକୁ ମାଡ଼ି ବସି କିଛି ଲୋକ ଅପରାଧିକ କାର୍ଯ୍ୟକଳାପ ଚଳାଉଛନ୍ତି । ଏ ପ୍ରକାରର କାର୍ଯ୍ୟକଳାପରେ ଭଦ୍ରମୁଖାଧାରୀ ଅପରାଧୀମାନେ ସଂପୃକ୍ତ ଥିବା ଜଣାପଡ଼ିଲାଣି । ଖଣ୍ଡଗିରି ଅଞ୍ଚଳରେ ସରକାରୀ ଜାଗାରେ ଗଢ଼ି ଉଠିଥିବା ଏକ ସଂସ୍ଥା ଏ ପ୍ରକାରର ବିବାଦରେ ଛନ୍ଦି ହୋଇପଡ଼ିଛି । କଥା ହାଇକୋର୍ଟ୍ ଯାଏଁ ଗଲାଣି । କେବଳ ଯେ ବସ୍ତିରେ ସବୁତକ ଅପରାଧ ନକ୍ସା ପ୍ରସ୍ତୁତ କରାଯାଉଛି ତାହା ନୁହେଁ; ବରଂ ଏକଥା ସତ ଯେ ସରକାରୀ ଜାଗାକୁ ମାଡ଼ି ବସି ସେଠାରେ ନିର୍ମାଣ କରାଯାଉଥିବା ସଂସ୍ଥା ଗୁଡ଼ିକରେ ମଧ୍ୟ ଏ ପ୍ରକାରର କାର୍ଯ୍ୟ ଏବଂ ଅପରାଧର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହେଉଛି । ଏ କ୍ଷେତ୍ରରେ ସବୁଠାରୁ ବଡ଼ ସମସ୍ୟା ହେଲା କମିଶନ୍ରେଟ୍ ପୁଲିସ୍ ନିକଟରେ ସରକାରୀ ଜାଗାରେ ଗଢ଼ି ଉଠୁଥିବା ବସ୍ତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ନାହିଁ କିମ୍ବା ସଂଖ୍ୟା ନାହିଁ । ରାଜଧାନୀର ସହରରେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ବସ୍ତି ଗୁଡ଼ିକ ଗଢ଼ି ଉଠୁଥିବା ବେଳେ ସମସ୍ତଙ୍କ ଆଖି ଆଗରେ ଏହି ଜବରଦଖଲକୁ ବ୍ୟବସାୟ ଉଦେ୍ଦଶ୍ୟରେ ବ୍ୟବହାର କରାଯାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଆଇନ୍ ରାଜ୍ୟରେ ଅଣାଯାଇପାରିଲା ନାହିଁ । ସରକାରୀ ଜାଗାକୁ ଜବରଦଖଲ କରି କେବଳ ଯେ ବସ୍ତିବାସିନ୍ଦାମାନେ ରହୁଛନ୍ତି ତାହା ନୁହେଁ, ତା'ସହିତ ଅନେକ ପ୍ରଭାବଶାଳୀ ବ୍ୟକ୍ତି, ରାଜନେତା ଏହିଭଳି କାର୍ଯ୍ୟରେ ଲିପ୍ତ ଥିବା ଦେଖାଯାଉଛି । ରାଜନୀତିକ ଉଦେ୍ଦଶ୍ୟ ଏବଂ ଅଭିସନ୍ଧି ରଖି ସରକାରୀ ଜାଗାକୁ ଜବରଦଖଲ କରିବା ନିମିତ୍ତ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । କିଛି ବର୍ଷ ସରକାରୀ ଜାଗାରେ ଜବରଦଖଲ କରି ରହିଗଲେ ଜାଗା ମିଶନ୍ ଅଧିନରେ ସରକାରୀ ଫ୍ଲାଟ୍ ମିଳିଯିବାର ଏକ ସ୍ୱପ୍ନ ସବୁ ବସ୍ତିବାସିନ୍ଦାଙ୍କର ରହିଛି । ଏ ପ୍ରକାରର ସ୍ୱପ୍ନ କେବଳ ସ୍ୱପ୍ନ ନୁହେଁ, ଏହାର ବାସ୍ତବତା ରହିଥିବା ମଧ୍ୟ ପ୍ରମାଣିତ ହେଲାଣି । ଭବିଷ୍ୟତରେ ଯଦି ସରକାରୀ ଜାଗାରେ ମାଡ଼ି ବସି ନିର୍ମାଣ କରାଯାଉଥିବା ବାସଗୃହ ଉପରେ କୌଣସି ନିୟନ୍ତ୍ରଣ ରଖାନଯାଏ ତାହା ହେଲେ ରାଜଧାନୀ ଦିନେ ସବୁ ଅପରାଧୀଙ୍କର ଏନ୍ତୁଡ଼ିଶାଳରେ ପରିଣତ ହୋଇଯିବ ।