ଜଙ୍ଗଲ ଜମି ଚିହ୍ନଟ ହେବ


ବିଭିନ୍ନ ସମୟରେ ଲୋକମାନେ ଜଙ୍ଗଲ ଭିତରୁ ଏବଂ ଜଙ୍ଗଲ ପାଦ ଦେଶରୁ ଗଛପତ୍ର କାଟି ନେଇ ବସତି ସ୍ଥାପନ କରୁଛନ୍ତି ଏବଂ ଆଉ କେତେକ ସ୍ଥାନରେ ଅବାଧରେ ଗଛ ସବୁ ଚୋରି କରି କାଠ ମାଫିଆମାନେ ଜଙ୍ଗଲକୁ ପଦା କରି ଦେଉଛନ୍ତି । ଏହା ଫଳରେ ଦିନକୁ ଦିନ ଜଙ୍ଗଲର ପରିସୀମା କମିବାରେ ଲାଗିଛି । ବିଭିନ୍ନ ସମୟରେ ବିଭିନ୍ନ ଜଙ୍ଗଲର ଆୟତନକୁ ନେଇ ଅଲଗା ଅଲଗା ତଥ୍ୟ ସରକାରୀ ଭାବରେ ପ୍ରକାଶ ପାଉଛି । ଏହା ଫଳରେ ଅନେକ ପ୍ରକାରର ପ୍ରଶାସନିକ ଅସୁବିଧା ଦୃଷ୍ଟିଗୋଚର ହେଉଛି । ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ଏବଂ ପଟା ଦେବା ଭଳି ଯୋଜନା ପ୍ରଣୟନ କରାଯାଇଥିଲେ ମଧ୍ୟ ସେସବୁକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ଏପରିକି କେତେକ ସ୍ଥାନରେ ସରକାରୀ ରାଜସ୍ୱ ରେକର୍ଡ୍ରେ ୧୯୮୦ ମସିହାରେ ଜଙ୍ଗଲ ଥିବା ବେଳେ ୩୦ ବର୍ଷ ବ୍ୟବଧାନରେ ୨୦୧୦ ମସିହାରେ ସେଠାରେ ବିରାଟ ବିରାଟ କୋଠା ସବୁ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ଜଙ୍ଗଲ ଜମିକୁ ବେଆଇନ୍ ଭାବରେ ପଟାଭୁକ୍ତ ଜମି ବୋଲି ଦର୍ଶାଯାଉଛି । ଏ କ୍ଷେତ୍ରରେ ରାଜସ୍ୱ ଅଧିକାରୀମାନେ କେବେକେବେ ଇଚ୍ଛାକୃତ ଭାବରେ ଜଙ୍ଗଲ ଜମିକୁ ପଟାଭୁକ୍ତ ଜମିରେ ପରିଣତ କରି ଦେଉଛନ୍ତି । ତେଣୁ ଏସବୁ ଅସୁବିଧା ଦୂର କରିବା ପାଇଁ ଜଙ୍ଗଲ ଜମିକୁ ଚିହ୍ନଟ କରିବାକୁ ସୁପି୍ରମକୋର୍ଟ୍ ଗୁରୁତ୍ୱ ଦେଇଛନ୍ତି । ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ରହିଥିବା ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ ଏବଂ ବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରି ସୀମା ନିର୍ଦ୍ଧାରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ର ସରକାରଙ୍କୁ ସୁପି୍ରମକୋର୍ଟ୍ ନିଦେ୍ର୍ଦଶ ଦେଇଛନ୍ତି । ଜଙ୍ଗଲ ଜମି ଚିହ୍ନଟ ପାଇଁ ତୁରନ୍ତ ବିଶେଷଜ୍ଞ କମିଟି ଗଠନ କରି ୬ ମାସ ମଧ୍ୟରେ ଏହି କାମ ସମ୍ପୂର୍ଣ୍ଣ କରିବାକୁ ସୁପି୍ରମକୋର୍ଟ୍ ଏହି ନିଦେ୍ର୍ଦଶ ଦେଇଛନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ ଯଦି ଜଙ୍ଗଲ ଜମି ଚିହ୍ନଟ ନହୁଏ, ତାହା ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରମୁଖ ପ୍ରଶାସକମାନେ ବ୍ୟକ୍ତିଗତ ଭାବରେ ଦାୟୀ ରହିବେ ବୋଲି ସତର୍କ କରାଇ ଦେଇଛନ୍ତି । 
ଜଙ୍ଗଲ ସୁରକ୍ଷା ଆଇନ୍ ୧୯୮୦ର ସଂଶୋଧନକୁ ଚ୍ୟାଲେଞ୍ଜ୍ କରି କିଛି ପିଟିସନ୍ ସୁପି୍ରମକୋର୍ଟ୍ରେ ଦାଏର ହୋଇଛି । ଏହି ପିଟିସନ୍ ଗୁଡ଼ିକ ଶୁଣାଣୀ ପରିପ୍ରେକ୍ଷୀରେ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଜଙ୍ଗଲ ସୁରକ୍ଷା କରିବାକୁ ହେଲେ ପ୍ରଥମେ ଜଙ୍ଗଲ ଜମି ଚିହ୍ନଟ କରିବା ଆବଶ୍ୟକ । ଜଙ୍ଗଲର କିସମକୁ ନେଇ ରେକର୍ଡ୍ ପ୍ରସ୍ତୁତ ମଧ୍ୟ କରାଯିବ । ଏ କ୍ଷେତ୍ରରେ ବିଶେଷଜ୍ଞ କମିଟିର ମତାମତ ମଧ୍ୟ ନିଆଯିବ । ତେଣୁ ମାସେ ସମୟ ମଧ୍ୟରେ ବିଶେଷଜ୍ଞ କମିଟି ଗଠନ କରିବାକୁ ମଧ୍ୟ କୋର୍ଟ୍ ନିଦେ୍ର୍ଦଶ ଦେଇଛନ୍ତି । ଏହା ପୂର୍ବରୁ ସୁପି୍ରମକୋର୍ଟ୍ ୨୦୨୪ ଫେବୃଆରୀ ୧୯ ତାରିଖରେ ସମଗ୍ର ଦେଶର ଜଙ୍ଗଲ ଜମିର ଚିହ୍ନଟ ପାଇଁ ନିଦେ୍ର୍ଦଶ ଦେଇଥିଲେ, ମାତ୍ର କିନ୍ତୁ ବର୍ଷେ କାଳ ବିତିଗଲେ ବି ଏହା ହୋଇ ପାରିନାହିଁ । ବର୍ଷେ କାଳ ଭିତରେ ରାଜ୍ୟର ମୁଖ୍ୟ ସଚିବ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ସୁପ୍ରିମକୋର୍ଟ୍ଙ୍କ ନିଦେ୍ର୍ଦଶକୁ ଖାତିର୍ କରିନାହାନ୍ତି ବୋଲି ଜଣାପଡ଼ିଛି । ତେଣୁ ଆସନ୍ତା ୬ ମାସ ମଧ୍ୟରେ ଯଦି ଜଙ୍ଗଲ ଜମି ଚିହ୍ନଟର କାର୍ଯ୍ୟ ସମାପ୍ତ ନହୁଏ ତେବେ ବ୍ୟକ୍ତିଗତ ଭାବରେ ଶାସନ ସଚିବ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସକମାନେ ଉତ୍ତରଦାୟୀ ରହିବେ ବୋଲି ସୁପି୍ରମକୋର୍ଟ୍ ଚରମବାଣୀ ଶୁଣାଇ ଦେଇଛନ୍ତି । ବ୍ୟକ୍ତିଗତ ଭାବରେ ପ୍ରଶାସକମାନେ କୋଟର୍୍ରେ ହାଜର ହୋଇ ଏଥିପାଇଁ ଉତ୍ତର ରଖିବେ ବୋଲି କୋର୍ଟ୍ କହିଛନ୍ତି । ତେବେ ଗତ ଏକ ବର୍ଷ ଏବଂ ଆସନ୍ତା ୬ ମାସ ଏହିପରି ମୋଟ୍ ଦେଢ଼ ବର୍ଷ ମଧ୍ୟରେ କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟର ପ୍ରଶାସକମାନେ କି ପ୍ରକାରର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।