ଭାରତୀୟ ଏକତାର ମହାକୁମ୍ଭ
କବିର କୁମାର ଜେନା : ବିଶ୍ୱର ସବୁଠାରୁ ବଡ଼ ଧର୍ମୀୟ ସମାବେଶର ମର୍ଯ୍ୟାଦା ପାଇଥିବା ପ୍ରୟାଗରାଜର ମହାକୁମ୍ଭର ପବିତ୍ର ମହାଶିବରାତ୍ରୀରେ ମହାସ୍ନାନ ସହିତ ଉଦଯାପିତ ହେଇଥିଲା । ଦୀର୍ଘ ପଇଁଚାଳିଶ ଦିନ ଧରି ଚାଲିଥିବା ଏହି ଭବ୍ୟ ସମାବେଶରେ ୬୫କୋଟିରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ଆସ୍ଥାର ବୁଡ଼ ପକାଇଥିଲେ ଯାହାକି ଏକ ବିରଳ ବିଶ୍ୱ ରେକର୍ଡ଼ । ସଙ୍ଗମରେ ବୁଡ଼ ପକାଇବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବିଶ୍ୱର ୧୯୩ଟି ଦେଶର ଜନସଂଖ୍ୟା ଠାରୁ ଅଧିକ । କେବଳ ଭାରତ ଓ ଚୀନର ଜନସଂଖ୍ୟା ମହାକୁମ୍ଭକୁ ଆସିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଠାରୁ ଅଧିକ । ମହାକୁମ୍ଭର ଆରମ୍ଭ ହୋଇଥିଲା ପୌଷପୂର୍ଣ୍ଣିମା ଠାରୁ । ଏହି ଦିନ ୧.୭୦ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ଏହାର ଦିନକ ପରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ୩.୫୦ କୋଟି, ଜାନୁଆରୀ ୨୯ ମୌନୀ ଅମାବାସ୍ୟା ଦିନ ୭.୬୪ କୋଟି, ଫେବୃଆରୀ ୩ ବସନ୍ତ ପଞ୍ଚମୀ ଦିନ ୨.୫୭ କୋଟି, ଫେବୃଆରୀ ୧୨ ମାଘ ପୂର୍ଣ୍ଣିମାରେ ୨ କୋଟି ଏବଂ ଫେବୃଆରୀ ୨୬ ମହାଶିିବରାତ୍ରୀରେ ୧.୫୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ଏ ସବୁ ବିଶେଷ ଦିନକୁ ଛାଡ଼ି ଦେଲେ ମହାକୁମ୍ଭର ଅନ୍ୟ ଦିବସ ମାନଙ୍କରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମଧ୍ୟ ବୁଡ଼ ପକାଇଛନ୍ତି । ବାସ୍ତବରେ ମହାକୁମ୍ଭ ହେଉଛି ମାନବତାର ମହାଯଜ୍ଞ, ଆସ୍ଥା, ଏକତା ଏବଂ ସମାନତାର ମହାପର୍ବ । ବିଶ୍ୱ ଇତିହାସରେ ଏହା ଅଭୂତପୂର୍ବ ଓ ଅବିସ୍ମରଣୀୟ ଅଟେ । ପୂଜ୍ୟ ଆଖଡ଼ା, ସାଧୁସନ୍ଥ, ମହାମଣ୍ଡଳେଶ୍ୱର, ଧର୍ମାଚାର୍ଯ୍ୟଙ୍କ ପୂଣ୍ୟ ଆଶୀର୍ବାଦର ପରିମାଣ ଏହା ଯେ ସମନ୍ୱୟର ଏହି ମହାସମାଗମ ଦିବ୍ୟ ଏବଂ ଭବ୍ୟ ହୋଇ ସମଗ୍ର ବିଶ୍ୱକୁ ଏକତାର ବାର୍ତ୍ତା ଦେଇଛି । ପ୍ରୟାଗରାଜରେ ଜୁଆଡ଼କୁ ଚାହିଁଲେ ଦେଖିବାକୁ ମିଳୁଥିଲା ଶ୍ରଦ୍ଧାଳୁ, ଆସ୍ଥା, ସନାତନ ସଂସ୍କୃତି ଓ ଭିନ୍ନତାରେ ଏକତା । ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆନୁଷଙ୍ଗିକ ସରକାରୀ ବ୍ୟବସ୍ଥା ହୋଇଥିଲା । ଭକ୍ତି ଓ ଆସ୍ଥା ଯେ ଗୋଟେ ଦେଶକୁ ଏକଜୁଟ କରିପାରେ ତାହା ଦେଖିଲା ବିଶ୍ୱ । ଆଗାମୀ ପିଢ଼ି ପାଇଁ ଏହା ସୃଷ୍ଟି କରିଛି ଇତିହାସ । ଆସ୍ଥାର ଉତ୍ସବ ମହାକୁ୍ମ୍ଭ ସାରା ପୃଥିବୀକୁ ଦେଇଛି ବାର୍ତ୍ତା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତୀୟଙ୍କ ଏକତା ହିଁ ଯୁଗ ଯୁଗ ପାଇଁ ଏ ଦେଶକୁ ଅଖଣ୍ଡ ରଖିବ ।
୧୪୪ ବର୍ଷ ପରେ ଆସ୍ଥା ଓ ବିଶ୍ୱାସର ମହାପର୍ବ ମହାକୁମ୍ଭ ଯେଉଁପରି ଆନନ୍ଦର ସହ ସମାପନ ହୋଇଛି ବୋଧହୁଏ ଏଭଳି ଭବ୍ୟ ଧାର୍ମିକ ଆୟୋଜନ ପୂର୍ବରୁ କମ ଦେଖିବାକୁ ମିଳିଥିଲା । ଏଥିପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ଓ ଉତ୍ତରପ୍ରଦେଶର ଯୋଗୀ ସରକାର ନିଶ୍ଚିନ୍ତ ଭାବେ ପ୍ରଶଂସାର ପାତ୍ର । ତେବେ ଆଉ ଏକ ବଡ଼କଥା ହେଉଛି ଏହି ମହାକୁମ୍ଭ ଅର୍ଥନୀତିକୁ ମଧ୍ୟ ବେଶ ସହଯୋଗ କରିଛି । ଗୋଟିଏ ସମୟରେ ଦେଶରେ କଳାଟଙ୍କାର ପ୍ରଚାର ଓ ପ୍ରସାରକୁ ରୋକିବା ପାଇଁ ସରକାର ବିମୁଦ୍ରାକରଣ ଲାଗୁ କରିଥିଲେ । କେତେ କଳା ଟଙ୍କା ଜବତ ହେଲା, ଆତଙ୍କିକୁ ଯାଇଥିବା ଏହି ଟଙ୍କା ଉପରେ ରୋକ ଲାଗିଲା କି ନାହିଁ ତାହା ବଡ଼ ତର୍ଜମାର ବିଷୟ । ତେବେ ଏହାପରେ ବଜାରରେ ଏକ ପ୍ରକାର ନଗଦ ଟଙ୍କା ପ୍ରବାହ ଉପରେ ରୋକ ଲାଗିଥିଲା । କରୋନା ପର ଠାରୁ ମଧ୍ୟ ସ୍ଥିତିରେ ସେଭଳି ସୁଧାର ଆସୁନଥିବାରୁ କ୍ରମାଗତ ଏଗାର ଥର ପାଇଁ ରେପୋରେଟକୁ ଅପରିବର୍ତ୍ତିତ ରଖାଯାଇଥିଲା । ଗତ ମୁଦ୍ରାନୀତି ସମିତି ବୈଠକରେ ରେପୋରେଟ ହ୍ରାସ କରାଯାଇଛି । ଏହାର ଉଦେ୍ଦଶ୍ୟ ହେଉଛି ଲୋକେ ସେମାନଙ୍କ ବଳକା ଅର୍ଥକୁ କିଣାବିକା ବାବଦରେ ଖର୍ଚ୍ଚ କରିବେ । ନଗଦ ପ୍ରବାହ ବଢ଼ିବ, ଚାହିଦା ବଢ଼ିବା ସହ ଯୋଗାଣ ବୃଦ୍ଧି ପାଇଲେ ଚଳଚଞ୍ଚଳ ହେବ ଅର୍ଥନୀତି । କିନ୍ତୁ ଧାର୍ମିକ ଉତ୍ସବ ଯେ ବଜାରକୁ ଏତେ ଚଳଚଞ୍ଚଳ କରିବ ତାହା ପୂର୍ବରୁ କେହି କଳ୍ପନା କରିନଥିଲେ । ଏପରି ଆଧ୍ୟାତ୍ମିକ ତଥା ଧାର୍ମିକ ଉତ୍ସବ ଅର୍ଥନୀତିକୁ ବେଗ ଦେବା ନିଶ୍ଚିନ୍ତ ଭାବେ ଭାରତୀୟ ଅର୍ଥନୀତି ପାଇଁ ଶୁଭଙ୍କର । କିଛି ବର୍ଷଧରି ବିଶ୍ୱ ବଜାର ଅର୍ଥନୀତି ମାନ୍ଦା ଅବସ୍ଥା ଦେଇ ଗତି କରୁଥିବାବେଳେ ଯଦିଓ ଭାରତ ଏହି ଜାଲରେ ପଡ଼ିନାହିଁ ତେବେ ମହାକୁମ୍ଭ ଭଳି ଆୟୋଜନ ଘରୋଇ ଅର୍ଥନୀତିକୁ ନିଜ ଦମରେ ମଜଭୁତ କରିଛି ଏଥିରେ ତିଳେମାତ୍ର ସନେ୍ଦହ ନାହିଁ । ବଜାରକୁ ଚଳଚଞ୍ଚଳ କରିବାରେ ମହାକୁମ୍ଭ ବେଶ ସହାୟକ ହୋଇଥିବା ବେଳେ ଏହା ନିଶ୍ଚିନ୍ତ ଅର୍ଥନୀତି ପାଇଁ ମଲମ ସଦୃଶ । ମୋଟ ଉପରେ କହିବାକୁଗଲେ ୧୪୪ ବର୍ଷରେ ଆୟୋଜିତ ଏହି କୁମ୍ଭମେଳା ଧର୍ମ ବିଶ୍ୱାସ, ଆଧ୍ୟାତ୍ମିକତା, ଜାତୀୟତା ବୋଧର ଏକ ମହାସଙ୍ଗମ ସ୍ଥଳ ଥିଲା । ଶ୍ରଦ୍ଧାଳୁମାନେ କଷ୍ଟ ଭୁଲି ପୁଣ୍ୟ ଅର୍ଜନ ଓ ଅଭିଜ୍ଞତା ସାଉଁଟି ଥିଲେ । ବିପୁଳ ସଂଖ୍ୟକ ଜନସମାଗମ ପରେ ଗଙ୍ଗାଜଳ ପ୍ରଦୂଷଣ, ଦଳଚକଟା, ଅଘଟଣ, ଅଗ୍ନିକାଣ୍ଡ ସତ୍ତ୍ୱେ ଯେଉଁ ବିବାଦ ଓ ରାଜନୀତି ସୃଷ୍ଟି ହୋଇଥିଲା ତାହା ଧର୍ମୀୟ ବିଶ୍ୱାସ ଓ ଆସ୍ଥା ଆଗରେ ମଳିନ ପଡ଼ିଯାଇଥିଲା । ପରିଚାଳନା, ଧର୍ମୀୟ ଭାବନା, ସାଂସ୍କୃତିକ ଉତ୍ତରଣ, ରାଜନୈତିକ ସମୀକରଣ ଦୃଷ୍ଟିରୁ ପ୍ରୟାଗରାଜ ମହାକୁମ୍ଭମେଳା ଯେ ନିଶ୍ଚିନ୍ତ ଭାବେ ବିକଶିତ ଭାରତର ପ୍ରତିନିଧିତ୍ୱ କଲା ଏହା ନିଃସନେ୍ଦହ । ସାମାଜିକ-ଅର୍ଥନୈତିକ ସହବନ୍ଧନ, ଗୋଷ୍ଠୀଗତ ଓ ଐକ୍ୟ ଭାବନା ଦୃଷ୍ଟିରୁ ଭାରତ ଇତିହାସରେ ଏହା ଏକ ଅବିସ୍ମରଣୀୟ ଓ ଶିକ୍ଷଣୀୟ ଉଦାହରଣ ହୋଇ ରହିଯିବ ।
ମୋ: ୮୯୧୭୩୭୭୯୮୭