ଚୀନ୍ ଆଭିମୁଖ୍ୟରେ ପରିବର୍ତ୍ତନ
ସମଗ୍ର ବିଶ୍ୱରେ ଏକ ବିସ୍ତାରବାଦୀ ରାଷ୍ଟ୍ର ଭାବରେ ଚୀନ୍ର ବଦ୍ନାମ ରହିଛି । ଚୀନ୍ ସୀମାକୁ ଲାଗି ରହିଥିବା ୮ଟିରୁ ଅଧିକ ରାଷ୍ଟ୍ର ସହିତ ଚୀନ୍ର ସୀମା ବିବାଦ ଅଛି । ଭାରତ ସହିତ ଚୀନ୍ର ସମ୍ପର୍କ ଅତ୍ୟନ୍ତ ଖରାପ । ଚୀନ୍ ସୀମାର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଚୀନ୍ ସୈନ୍ୟଙ୍କ ଅନୁପ୍ରବେଶ ବାରମ୍ବାର ସମସ୍ୟା ସୃଷ୍ଟି କରୁଛି । ଏସବୁ ସତ୍ତ୍ୱେ ଚୀନ୍ ଭାରତ ସହିତ ସମ୍ପର୍କକୁ ସୁଧାରିବା ଦିଗରେ ବର୍ତ୍ତମାନ ଚେଷ୍ଟା କରିବା ଆରମ୍ଭ କରିଲାଣି । ଏହାର ମୂଳ କାରଣ ହେଲା ନୂଆ ହୋଇ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଆସନରେ ବସିବା ପରେ ଟ୍ରମ୍ପ୍ଙ୍କର ଚୀନ୍ ପ୍ରତି ଆଭିମୁଖ୍ୟ କଡ଼ା ବୋଲି ଚୀନ୍ ଜାଣିସାରିଲାଣି । ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ଟ୍ରମ୍ପ୍, ଚୀନ୍ରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୬୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଏକ ପ୍ରସ୍ତାବ ଦେଇଥିଲେ । ଏଭଳି ଏକ ପ୍ରସ୍ତାବ ଚୀନ୍ର ବିସ୍ତାରବାଦୀ ନୀତି ସହିତ ସମଗ୍ର ବିଶ୍ୱର ଅର୍ଥନୀତିକୁ ମାଡ଼ି ବସିବାର ଲାଳସାକୁ ଏକ ବଡ଼ ଧକ୍କା ଦେଇଛି । ଚୀନ୍ ସ୍ପଷ୍ଟ ଭାବରେ ଜାଣିସାରିଲାଣି ଯେ ଆଉ ମାତ୍ର ଅଳ୍ପ କିଛି ଦିନ ପରେ ଡ଼ୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହେବା ପରେ ଚୀନ୍ର ସମଗ୍ର ବିଶ୍ୱର ଅର୍ଥନୀତି ଉପରେ କରିଥିବା ପ୍ରଚ୍ଛନ୍ନ ଆକ୍ରମଣକୁ ଆମେରିକା ବରଦାସ୍ତ କରିବ ନାହିଁ । ତେଣୁ ସେ ଦୃଷ୍ଟିରୁ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତ ଅର୍ଥନୀତି ଦୃଷ୍ଟିରୁ ଚୀନ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଅର୍ଥନୀତି ଦୃଷ୍ଟିରୁ ଭାରତରେ ସବୁ ପ୍ରକାରର ଗ୍ରାହକ ରହିଛନ୍ତି । ଶସ୍ତା ଖୋଜିବା ଠାରୁ ଆରମ୍ଭ କରି ଗୁଣବତ୍ତା ଉପରେ ଗୁରୁତ୍ୱ ଦେଉଥିବା ପର୍ଯ୍ୟନ୍ତ ଗ୍ରାହକ ଭାରତରେ ଅଛନ୍ତି । ତେଣୁ ବାଣିଜ୍ୟ କ୍ଷେତ୍ରରେ ଏ ପ୍ରକାରର ବହୁମୁଖୀ ରୁଚି ଥିବା ଗ୍ରାହକ ମାନଙ୍କର ପ୍ରଭାବ ଅର୍ଥନୀତି ଉପରେ ଅଧିକ ଥାଏ । ସେ ଦୃଷ୍ଟିରୁ ଚୀନ୍ ଭାରତର ବଜାରକୁ ହାତରୁ ନ ଛାଡ଼ିବା ପାଇଁ ଭାରତର ନିକଟତର ହେବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ଟ୍ରମ୍ପ ପ୍ରଶାସନ ଆଗକୁ ଆହୁରି କଠୋର ଆଭିମୁଖ୍ୟ ଚୀନ୍ ପ୍ରତିି ପ୍ରଦର୍ଶନ କରିବେ ବୋଲି ସମ୍ଭାବନା ଦେଖା ଦେଲାଣି । ତେଣୁ ଚୀନ୍ ବାଧ୍ୟ ହୋଇ ସୀମା ବିବାଦକୁ ଆଉ ଗୁରୁତର ନକରି ଉଭୟ ଦେଶର ସୀମାରେ ପେଟ୍ରୋଲିଂ ଏବଂ ଉଭୟ ଦେଶ ମଧ୍ୟରେ ବିମାନ ଉଡାଣ ନେଇ ଚୁକ୍ତି କରିସାରିଲାଣି । ଗତ ୪ ବର୍ଷ ହେଲା ଚୀନ୍ ଭାରତ ମଧ୍ୟରେ ରହିଥିବା ସୀମା ବିବାଦ ହୁଏତ ଶେଷ ହୋଇଯାଇପାରେ ।
ବର୍ତ୍ତମାନ ଧୀରେ ଧୀରେ ବିଭିନ୍ନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେଉଥିବାରୁ ବିଦେଶୀ ସାମଗ୍ରୀର ଚାହିଦା କମିଯାଉଛି । ତେଣୁ ଚୀନ୍ରୁ ଆସୁଥିବା ଅନେକ ସାମଗ୍ରୀ ବର୍ତ୍ତମାନ ଭାରତୀୟ ବଜାରରେ ଆଉ ଦେଖିବାକୁ ମିଳୁନାହିଁ । ଏଣେ ଭାରତର କର୍ପୋରେଟ୍ ଜଗତ ଟ୍ରମ୍ପ୍ଙ୍କୁ ସ୍ୱାଗତ କରୁଛି । ଏଭଳି ପରିସ୍ଥିତିରେ ଭାରତ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ କରି ବାଣିଜ୍ୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହେବ ବୋଲି ଆଶା କରାଯାଉଛି । ଟ୍ରମ୍ପ୍ଙ୍କ ବିଜୟ ଭାରତ ପ୍ରତି କେତେକ କ୍ଷେତ୍ରରେ ଶୁଭଦାୟକ ହୋଇଥିବାରୁ ଚୀନ୍ ଏଥିରେ ବିବ୍ରତ ହୋଇ ସାରିଲାଣି । ବୈଷୟିକ କ୍ଷେତ୍ରରେ ଚୀନ୍ର ପ୍ରଗତି ସମଗ୍ର ବିଶ୍ୱକୁ କବଳିତ କରି ରଖିବା ପାଇଁ ଚେଷ୍ଟା କରୁଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହା ଉପରେ ଶୁଳ୍କ ବୃଦ୍ଧି କରାଯିବା ଅର୍ଥନୀତିକ ଭାବରେ ଚୀନ୍କୁ ଅସୁବିଧାରେ ପକାଇବ । ସେ ଦୃଷ୍ଟିରୁ ଅଧିକ ଜନସଂଖ୍ୟା ଥିବା ରାଷ୍ଟ୍ର ଗୁଡ଼ିକରେ ଚୀନ୍ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଚେଷ୍ଟା କରିବା ଏକ ସ୍ୱାଭାବିକ କଥା । ସୀମା ବିବାଦକୁ ନେଇ ଶତୃତା ଲାଗି ରହିଥିଲେ ମଧ୍ୟ ଅର୍ଥନୀତିକ କାରଣରୁ ଭାରତ ସହିତ ସମ୍ପର୍କରେ ଉନ୍ନତି ଘଟାଇବା ପାଇଁ ବର୍ତ୍ତମାନ ଚୀନ୍ ବାଧ୍ୟ ହେଉଛି । ଏଭଳି ଏକ ପରିସ୍ଥିତିର ସଦୁପଯୋଗ ଭାରତ କରିବା ଉଚିତ୍ । ଭାରତ ବର୍ତ୍ତମାନ ଆସ୍ତେ ଆସ୍ତେ ଚୀନ୍ରୁ ଆମଦାନୀ କରିବା କମେଇ ଦେଲାଣି । ବିଶେଷ କରି ଖେଳଣା କ୍ଷେତ୍ରରେ ଏବଂ ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ କ୍ଷେତ୍ରରେ ବର୍ତ୍ତମାନ ଭାରତ ଚୀନ୍ର ଦ୍ରବ୍ୟ ଆମଦାନୀକୁ ଯଥେଷ୍ଟ ପରିମାଣରେ କମେଇ ଦେଇଛି । ଏକଦା ଭାରତୀୟ ବଜାରରେ ଚୀନ୍ର ଖେଳଣା ପ୍ରାୟ ୯୦ ଭାଗ ମାଡି ବସିଥିବା ବେଳେ ବର୍ତ୍ତମାନ ଭାରତୀୟ ଖେଳଣା ଭାରତୀୟ ବଜାରରେ ୬୦ ଶତାଂଶ ଦଖଲ କରିସାରିଲାଣି । ଏହା ଭାରତ ପ୍ରତି ଏକ ଶୁଭ ଖବର । ଏଥିରେ ଭାରତୀୟ ହସ୍ତଶିଳ୍ପୀମାନେ ଲାଭବାନ୍ ହେବା ସହିତ ରାଷ୍ଟ୍ର ମଧ୍ୟ ସୁଦୃଢ଼ ହେଉଛି । ଏଭଳି ପରିସ୍ଥିତିରେ ଭାରତୀୟ ବଜାରକୁ କବ୍ଜା କରିବା ପାଇଁ ଚୀନ୍ର ଉଦେ୍ଦଶ୍ୟକୁ ଭଲ ଭାବରେ ବୁଝିବା ଆବଶ୍ୟକ ।