ସରଳତା ହେଉ ସୁରକ୍ଷାର କବଚ


ମୀରା ବେଉରା : ଗୋଟିଏ ଗାଁରେ ଗୋଟିଏ ସ୍ତ୍ରୀଲୋକଟିଏ ରହୁଥିଲା । ପରଘରେ କାମ କରି ନିଜର ପ୍ରତିପୋଷଣ କରି ବଞ୍ଚୁଥିଲା । ତା’ର ପଡ଼ିଶା ଘରେ ଆଉ ଗୋଟିଏ ସ୍ତ୍ରୀଲୋକ ମଧ୍ୟ ରହୁଥିଲା । ସେହି ଦୁଇ ସ୍ତ୍ରୀଲୋକଙ୍କର କେବେ ପଡ଼େ ନାହିଁ । ପରସ୍ପର ସବୁବେଳେ ଅନ୍ୟର ଅହିତ କଥା ଚିନ୍ତା କରିଥାଆନ୍ତି । ସବୁବେଳେ ଅନ୍ୟର କିପରି କ୍ଷତି ହେବ ସେହି ରୁଗ୍ଣ ମାନସିିକତା ସେମାନଙ୍କୁ ଘାରି ରହିଥାଏ । ଥରେ ଗ୍ରାମ ଠାକୁରାଣୀ ପ୍ରଥମ ସ୍ତ୍ରୀର ଭାବପୂର୍ଣ୍ଣ ଆରାଧନାରେ ପ୍ରସନ୍ନ ହୋଇ ତାକୁ ବର ମାଗିବାକୁ କହିଲେ । କିନ୍ତୁ ସର୍ତ୍ତ ରଖିଲେ ଯେ ଯାହା ମାଗୁଚୁ ମାଗ କିନ୍ତୁ  ତୁମକୁ ଯାହା ମିଳିବ ତୁମ ପଡ଼ିଶା ଘରର ସ୍ତ୍ରୀଲୋକଙ୍କୁ ତାହାର ଦୁଇଗୁଣା ମିଳିବ । ତେଣୁ ତୁମେ ଭାବିଚିନ୍ତି ବର ମାଗ । ଠାକୁରାଣୀଙ୍କର ସର୍ତ୍ତ ବଡ଼ ବିଚିତ୍ର ଥିଲା । ସ୍ତ୍ରୀଲୋକଟି ବଡ଼ ଅଡ଼ୁଆରେ ପଡ଼ିଗଲା । ମନେ ମନେ ବିଚାର କଲା, ମୁଁ ଯେତିକି ପାଇବି ମୋର ବଇରୀ ତାର ଦୁଇଗୁଣ ପାଇବ । ଏହା କେମିତି ସମ୍ଭବ ହେବ । ଯଦିବି ସେ ଦୁଇଗୁଣା ପାଇବ ତାହାକୁ ମୁଁ ବା କିପରି ସହି ପାରିବି? ଏହିପରି ତାହାର ଭାବନା ଭାବନାରେ ବିତିଗଲା । ମନେ ମନେ ଭାବିଲା ଯାହା ହେଉ ଏତେଦିନେ ଗୋଟାଏ ସୁଯୋଗ ମିଳିଛି ତାକୁ ଭଲ କରି ପାନେ ଦେବି । ତେଣୁ ସେ ଠାକୁରାଣୀଙ୍କୁ କହିଲା- ମାଆ ମୋର ଦୁଇଟି ଆଖି ଅଛି । ଆପଣ ଯଦି ପାରିବେ ମୋର ଗୋଟିଏ ଆଖିକୁ ଫୁଟାଇ ଦେଇ ମୋତେ ଅନ୍ଧ କରିଦିଅନ୍ତୁ । ଏତକ କହି ମନେ ମନେ ବହୁତ ଖୁସି ହେଉଥିଲା । ଯାହା ହେଉ ଆରସ୍ତ୍ରୀ ଲୋକର ଦୁଇଟା ଆଖି ଫୁଟିଯିବ । ଆଉ ସେ ଅନ୍ଧୁଣୀ ହୋଇଯିବ । ଏହାପରେ ଠାକୁରାଣୀ ତଥାସ୍ତୁ କରି ଅନ୍ତର୍ଦ୍ଧାନ ହୋଇଗଲେ । ଦେଖାଗଲା ସେହି ସ୍ତ୍ରୀର ଗୋଟିଏ ଆଖି ଓ ଆର ସ୍ତ୍ରୀର ଦୁଇଟିଯାକ ଆଖି ଫୁଟିଗଲା । ଏହାହିଁ ହେଉଛି ଆତ୍ମଘାତୀ ଚିନ୍ତା ଓ ଚେତନାର ସ୍ପଷ୍ଟ ପ୍ରତଫଳନ ।
ବନ୍ଧୁଗଣ! ଏହି ପ୍ରସଙ୍ଗ ଏଠାରେ ଉପସ୍ଥାପନା କରିବାର ଉଦେ୍ଦଶ୍ୟ ହେଉଛି ଆଜିର ମଣିଷ ଯେତେ ଶିକ୍ଷିତ ଓ ସଫଳ ହେଲେ ମଧ୍ୟ ତାର ପାପ ଚିନ୍ତାଧାରାରୁ ମୁକୁଳି ପନାରୁନାହିଁ । ପ୍ରତି ମୁହୂର୍ତ୍ତରେ ସେ କହୁଛି ଘର ପଛକେ ପୋଡ଼ି ଯାଉ କିନ୍ତୁ ମୂଷାଟିଏ ମରିବା ଦରକାର । ଏହି ଆଧୁନିକ ମାୟାବୀ ମଣିଷ କେବଳ ନିଜର ସୁଖ ସମୃଦ୍ଧି କଥା ଅହରହ ଚିନ୍ତା କରୁଛି । ତାର ଚିନ୍ତା ଓ ଚେତନା ଏତେ ପରିମାଣରେ କଳୁଷିତ ହୋଇ ପଡ଼ିଛି ଯେ ସେ ପ୍ରତି ମୁହୂର୍ତ୍ତରେ ସମାଜର ଅହିତକଥା ଚିନ୍ତା କରୁଛି । କାହାକୁ ହୃଦୟରୁ ଭଲ ପାଇବା ତ ଦୂରର କଥା ଭଲ କଥା ପଦିଏ ହେଲେ ହୋଇ ପାରୁନାହିଁ । କ୍ରୂର କଥାରେ ଅନ୍ୟ ମଣିଷ ହୃଦୟରେ କ୍ଷତଟିଏ ସୃଷ୍ଟି ହେଉଛି । ଆମେ କାହାର ଭଲ ତ ଚିନ୍ତା କରି ପାରୁନୁ, ଅଥଚ ପ୍ରତି ମୁହୂର୍ତ୍ତରେ ଅନ୍ୟର କ୍ଷତି କରିବାକୁ ଯେମିତି ପ୍ରତିଶ୍ରୁତିବଦ୍ଧ ହେଉଛୁ । କିଭଳି ପାଖ ପଡ଼ୋଶୀର ଅପୂରଣୀୟ କ୍ଷତି ଘଟାଇ ପାରିବୁ ସେ ବିଷୟରେ ଅହରହ ଚିନ୍ତା କରି କଳେ ବଳେ କୋ÷ଶଳେ ଚାହୁଁ ଶତ୍ରୁର ଲୋତକଭରା ଚକ୍ଷୁ । ଜୀବନର ଅନ୍ତିମ ପ୍ରହର ଯେ ମୁଠାଏ ପାଉଁଶ ଏ କଥାକୁ ପାଶୋରି ଯାଇ କ୍ଷମତା ମୋହରେ ଅନ୍ଧ ହୋଇ ଔଦ୍ଧତ୍ୟ ଓ ଅହଂକରକୁ ପ୍ରଦର୍ଶନ କରି କିଭଳି କାହାକୁ ନିର୍ଯାତନା ଓ ଅପମାନ ଦେଇ ନିଜର ପୈଶାଚିକ ଆନନ୍ଦକୁ ପ୍ରାପ୍ତ କରିହେବ ସେ କଳା ଆମକୁ ବେଶ୍ ଜଣା । ଆତ୍ମଘାତୀ ଚିନ୍ତନର ମାରାତ୍ମକ ବ୍ୟାଧି ଧୀରେ ଧୀରେ ଆମ ସମାଜରେ ବୃଦ୍ଧିପାଇ ସମଗ୍ର ବିଶ୍ୱକୁ ମଧ୍ୟ ବ୍ୟାପୀ ଗଲାଣି କହଲେ ଭୁଲ ହେବନି । ଆଜିର ମଣିଷ କ୍ରୋଧ, ହିଂସା, ଈର୍ଷା, ଅସହିଷ୍ଣୁତା ଭଳି ଆତ୍ମଘାତି ଚିନ୍ତାର ବଳୟରେ ଏଭଳି କବଳିତ ହୋଇଛି ଯେ ସେ ପ୍ରତି ମୁହୂର୍ତ୍ତରେ କହୁଛି- “ମୁଁ ମଲେ ପଛେ ମରେ, ତୁ କିନ୍ତୁ ମର ।” କହିବାର ତାତ୍ପର୍ଯ୍ୟ ହେଉଛି ଯେ ସ୍ୱାମୀ ପଛକେ ମରୁ, ସଉତୁଣୀ ବିଧବା ହେଉ ।” ନିଜ ଭିତରେ ଥିବା ଅମୃତର ସନ୍ଧାନ ନକରି ବିଷ ଚିନ୍ତନକୁ ଆବୋରି ନେଇଛୁ । ଆଜି ଦେଶ ଦେଶ ମଧ୍ୟରେ ମଧ୍ୟ ସେହି ବିସ୍ତାରବାଦୀ ଚିନ୍ତାଧାରା ବୃଦ୍ଧିପାଇ ଆଣବିକ ଅସ୍ତ୍ରର ଘୋର ପ୍ରତିଯୋଗିିତା ଚାଲିଛି । ଜଳପଥ, ଆକାଶପଥ, ସ୍ଥଳପଥ, ସବୁଠି ଯୁଦ୍ଧର ଘନଘଟା କଳା ବାଦଲ ଛାଇ ଯାଇଛି । ଆଜିର ସଭ୍ୟ ଶିକ୍ଷିତ ମଣିଷ ଭୁଲି ଯାଇଛି ଯେ ଏହି ଆତ୍ମଘାତି ଚିନ୍ତନ ଆଣବିକ ଅସ୍ତ୍ରଠାରୁ ମଧ୍ୟ ମାନବ ସମାଜର ବହୁଳ ଭାବରେ କ୍ଷତି କରିଥାଏ । ବିକାଶ ପରିବର୍ତ୍ତେ ମାନବ ସମାଜକୁ ବିନାଶ କରି ଧ୍ୱଂସ କରିଦିଏ । ଭଲ ପାଇବା ପରି ଦିବ୍ୟଗୁଣ ଠାରୁ ଏ ଆଧୁନିକ ମଣିଷ ଧୀରେ ଧୀରେ ଦୂରେଇ ଯାଉଛି । ଏଇଠି ମନେପଡ଼େ ସେବା ତ୍ୟାଗ ମମତାର ପ୍ରତିମୂର୍ତ୍ତି ମଦର ଟେରେସାଙ୍କ କଥା, ଯିଏ କହୁଥିଲେ ଯଦି ସମଗ୍ର ଜୀବନ ଅନ୍ୟର ଦୋଷ ତ୍ରୁଟି ଦେଖିବାରେ ଆମେ ବିନିଯୋଗ କରିବା ତେବେ ମଣିଷକୁ ଭଲ ପାଇବାପାଇଁ ଆଉ ଆମ ପାଖରେ ସମୟ ନଥିବ । ଆମେ ଏତେ ପରିମାଣରେ ସ୍ୱାର୍ଥପର ହୋଇ ଯାଇଛୁ ଯେ ଯେଉଁ ନିୁ୍ୟକ୍ଲିୟସ ଆବିଷ୍କାର କରି ଭୟଙ୍କର କର୍କଟ ରୋଗର ନିରାକରଣ କରି ଗର୍ବ ଅନୁଭବ କରିଥିଲୁ ଆଜି ସେହି ପାରମାଣବିକ  ବୋମା ତିଆରି କରି ପୃଥିବୀକୁ ଧ୍ୱଂସ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ଯାଇଛୁ । ନିଜେ ପଛକେ ମରିବୁ, ସମସ୍ତଙ୍କୁ ମଧ୍ୟ ମାରିବୁ । କିଏ କହିବ ଏହି ଆତ୍ମଘାତୀ ଚିନ୍ତନ ଦିନେ ଏହି ମଣିଷ ସମାଜକୁ ଧ୍ୱଂସ ସ୍ତୂପରେ ସଜାଇ ନ ଦେବ? ରୁକ୍ଷ ମରୁଭୂମି ପରି ପାଲିଟି ଯାଇଛି ଆମର ଚିନ୍ତା ଓ ଚେତନା, ହଜି ଯାଇଛି ତ୍ୟାଗ, ତିତିକ୍ଷା, ସହନଶୀଳତା, ସମ୍ବେଦନଶୀଳତା ।
ଆମେ ଭୁଲି ଯାଉଛୁ ଯେ ବିଶ୍ୱାସ ଓ ପ୍ରେମ ହିଁ ଆମ ଅସ୍ତିତ୍ୱର ଭିତ୍ତିଭୂମି । ବଞ୍ଚିବାର ସନ୍ଧି, ସମାସ ଓ ବ୍ୟାକରଣ । ତେଣୁ ବନ୍ଧୁଗଣ! ଆମ ଚିନ୍ତନକୁ ସବୁବେଳେ ସୁସ୍ଥ ରଖିବା ଆବଶ୍ୟକ । ଭଲ ଚିନ୍ତା କରିବା ଦ୍ୱାରା ଭାବନା ଶୁଦ୍ଧ ଓ ପରିମାର୍ଜିତ ହୋଇଥାଏ । ଭାବ ମଧ୍ୟ ବିଶୁଦ୍ଧ ହୁଏ, ଚିନ୍ତନ ମଧ୍ୟ ପ୍ରଶସ୍ତ ହୁଏ ଓ ଚେତନାରେ ଶୁଦ୍ଧତା ଆସେ । ସେଇଥିପାଇଁ ତ ଭକ୍ତକବି ମଧୁସୂଦନ ରାଓ ତାଙ୍କ କବିତାରେ ଲେଖିଲେ, -“ବାଲ୍ୟକାଳୁ ଧର୍ମ ଧନ ମୁଁ ସଂଚିବି ଏ ଜୀବନ ଅନିଶ୍ଚିତ
କେଜାଣି କାହାର ଆଜି ମୃତୁ୍ୟକାଳ ହୋଇଯିବ ଉପସ୍ଥିତ ।ା”
ଯଦି ଆମ ଚିନ୍ତାରେ ଶୁଦ୍ଧତା ଥିବ, ତେବେ ଆମେ ହିଁ ସଦଗତିର ଅଧିକାରୀ ହୋଇ ପାରିବା ।
ଥରେ ଜଣେ ମହାତ୍ମା ଯୀଶୁଙ୍କୁ ପ୍ରଶ୍ନ କରିଥିଲେ, “ଈଶ୍ୱରଙ୍କ ସାମ୍ରାଜ୍ୟରେ ଆମେ କିପରି ପ୍ରବେଶ କରି ପାରିବା?” ସେଦିନ ଯୀଶୁ ଗୋଟିଏ ଛଳ ଛଳ ହସ ହସି ଏକ କୋମଳ ଶିଶୁ ଆଡ଼କୁ ଇଂଗିତ କରି ଉତ୍ତର ଦେଇଥିଲେ, “ଯାହାର ମନ ଏହି ଶିଶୁ ଭଳି ସରଳ, କୋମଳ ଓ ପବିତ୍ର, ସେ ହିଁ ଈଶ୍ୱରଙ୍କ ସାମ୍ରାଜ୍ୟରେ ପ୍ରବେଶ କରିପାରିବ ।” 
ଜଗତଜନନୀ ଶ୍ରୀମା ମଧ୍ୟ ସେହି କଥା କହିଥିଲେ ଯେ ‘ସରଳତା ହିଁ ଆମର ରକ୍ଷା କବଚ । ଛଳନା, କପଟତା ମଣିଷକୁ ଉତ୍ତେଜନାରେ ଭରି ଦେଇ ତାର ଚିନ୍ତାଧାରାକୁ କଳୁଷିତ କରିଦିଏ ।’ ଥରେ ଗୁରୁଦେବ ଶ୍ରୀ ତୁଳସୀ ଶିଷ୍ୟ ସନ୍ଥମାନଙ୍କୁ ପ୍ରଶ୍ନ କଲେ, ବୟସ ବୃଦ୍ଧି ହେବା କ୍ଷଣି କେଉଁ ତତ୍ତ୍ୱର ବିକାଶ ହୋଇଥାଏ ଏବଂ କେଉଁ ତତ୍ତ୍ୱର ହ୍ରାସ ପାଇଥାଏ? ବଡ଼ ଆଶ୍ଚର୍ଯ୍ୟର କଥା ଜଣେ ସନ୍ଥ ଉତ୍ତର ଦେଲେ- ମାନ୍ୟବର! ବୟସ ବୃଦ୍ଧି ସହ ଜ୍ଞାନର ଓ ଅନୁଭବର ବିକାଶ ହୁଏ ଏବଂ ସରଳତା ହ୍ରାସ ହୁଏ । ହଁ ବନ୍ଧୁଗଣ! ଆମ ବୟସ ବୃଦ୍ଧି ହେବା ସହ ଆମ ଛଳନା ମଧ୍ୟ ବୃଦ୍ଧି ପାଉଛି । କିନ୍ତୁ କଥା ଓ କାର୍ଯ୍ୟ ଭିତରେ ପ୍ରଭେଦ ନରହିବା ହିଁ ସରଳତା ।” ଏହି ସରଳତା ଦ୍ୱାରା ଆମେ ଅକ୍ଲେଶରେ ଅନ୍ୟ ହୃଦୟରେ ଘରଟିଏ ତିଆରି କରିପାରିବା । ଆଜିର ଶିଶୁ ମଧ୍ୟ ଆଉ ଆଗ ପରି ସରଳ ହୋଇ ରହିନାହିଁ । ଥରେ ମା’ ତାଙ୍କର ଛୋଟ ପୁଅକୁ କହିଲେ, “ବାପାରେ! ରୋଷେଇ ଘରେ ଯେଉଁ ଖାଦ୍ୟ ଡ଼ବାସବୁ ରହିଛି ସେଥିରେ ତୁମେ କେଉଁଥିରେ କଣ ଅଛି, ତାକୁ ଡବା ଉପରେ ଲେଖି ଚିଟ୍ଟିଏ ଲଗାଇ ଦିଅ । ପିଲାଟି ମଧ୍ୟ ସେହି କାର୍ଯ୍ୟ କଲା । ତା’ ପରେ ମା ଯେତେବେଳେ ରୋଷେଇ ଘରକୁ ଗଲେ ଦେଖିଲେ ଯେ ଲୁଣ ଡ଼ବା ଖୋଲିବାରୁ ଚିନି ବାହାରିଲା । ଏମିତି କାହିଁକି ଭୁଲ ହେଲା ବୋଲି ପିଲାଟିକୁ ପଚାରିବାରୁ ପିଲାଟି କହିଲା, “ମାଁ! ମୁଁ ଜାଣି ଜାଣି ଏଭଳି ଭୁଲ କରିଛି । କାହିଁକି ନା, ପିମ୍ଫୁଡ଼ିଟିକୁ ମୁଁ ଠକିବା ଉଦେ୍ଦଶ୍ୟରେ ଏପରି କରିଛି । ଏଥିରୁ ବୁଝା ପଡ଼ୁଛି ଯେ ସରଳ ପିଲାଟି ମଧ୍ୟ ଧୀରେ ଧୀରେ ଜଟିଳ ଆଡ଼କୁ ଆଗ୍ରସର ହେଉଛି ।” ଏହା ହିଁ ଆମ ଚିନ୍ତାର କାରଣ । 
ଏପରି ବି ଦେଖାଯାଏ ଯେ ଯିଏ ସରଳ ହୁଏ ସିଏ ପ୍ରତାରଣାର ଶିକାର ମଧ୍ୟ ହୋଇଥାଏ । ଏଇଠୁ ବୁଝା ପଡ଼ୁଛି ଆମେ କାହାକୁ ଠକୁଛେ । ଆମେ ନିଜେ ହିଁ ନିଜକୁ ଠକି ଚାଲିଛେ । ପ୍ରତାରଣା କରି ଚାଲିଛେ । ନିଜ ପାଇଁ ଅଧପତନର ମାର୍ଗ ପ୍ରଶସ୍ତ କରିଛୁ, ମିଛରେ ଯଦିଓ ଆତ୍ମତୃପ୍ତି ଲାଭ କରୁଛୁ, ଭିତରେ ଭିତରେ ଆମେ କିନ୍ତୁ ଖୁବ୍ ଅନୁତପ୍ତ ।
ସବୁଠୁ ଦୁଃଖର କଥା ହେଉଛି ଆଜି ଆମେ ପକ୍ଷୀପରି ଆକାଶରେ ଉଡ଼ି ପାରୁଛୁ, ମାଛ ପରି ପାଣିରେ ପହଁରି ପାରୁଛୁ, ଚନ୍ଦ୍ର ପୃଷ୍ଠରେ ତାରା ମେଳରେ ଫୁଲ ବଗିଚା ତିଆରି କରିବାର ସ୍ୱପ୍ନ ଦେଖୁଛୁ ଅଥଚ ମଣିଷ ଭଳି ମଣିଷ ମେଳରେ ରହି ମଣିଷକୁ ଆନ୍ତରିକତାର ସହିତ ପ୍ରତାରଣାହୀନ, ଛଳନାହୀନ ଭାବେ ଭଲ ପାଇବାର କଳାକୁ ଶିଖି ପାରିଲୁ ନାହିଁ । ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କଣ ଅଛି? ଯଦି ଆମେ ଆମ ଚିନ୍ତା ଚେତନାରେ ଆତ୍ମଘାତୀ ଚିନ୍ତାଧାରାକୁ ପରିତ୍ୟାଗ କରି ଶୁଦ୍ଧତାକୁ ଆପଣେଇ ନେଇ ପରସ୍ପରକୁ ଶ୍ରଦ୍ଧା କରିପାରିବା ତେବେ ଆମେ ଏକ ସୁନ୍ଦର ସୁସ୍ଥ ସମାଜ ଓ ବିଶ୍ୱ ଗଢ଼ିବାକୁ ସକ୍ଷମ ହୋଇ ପାରିବା, ଏଥିରେ ସନେ୍ଦହ ନାହିଁ ।
କଟକ
ମୋ: ୭୮୪୬୯୨୧୪୦୦