ସଫେଇ କର୍ମୀଙ୍କ ଦୁଃଖଦାୟକ ମୃତୁ୍ୟ

ପରିମଳ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବାକୁ ଗଲେ ସଫେଇ କର୍ମୀମାନଙ୍କୁ ବାଦ୍ ଦେଇ କିଛିବି ଯୋଜନା କିମ୍ବା ଆଲୋଚନା ଅଧା ହୋଇ ରହିଯିବ । ପରିମଳ କ୍ଷେତ୍ରରେ ସଫେଇ କର୍ମୀମାନେ ହେଉଛନ୍ତି ପ୍ରଥମ ପାହାଚ । ସେମାନଙ୍କୁ ବାଦ୍ ଦେଲେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଏକ ପ୍ରକାରର ଅଚଳାବସ୍ଥା ସୃଷ୍ଟି ହୋଇଯିବ । ବର୍ତ୍ତମାନ ସମୟରେ ପାଇଖାନା ଟାଙ୍କିକୁ ଯାଉଥିବା ମଇଳାର ପରିଚାଳନାର ଏକ ବଡ଼ ସମସ୍ୟା ଭାବରେ ଲୋକମାନଙ୍କ ଆଗରେ ଦେଖା ଦେଇଛି । ନିଜ ଘରେ ପାଇଖାନା ପାଇଁ ଟାଙ୍କି ପ୍ରସ୍ତୁତ କରି ରଖିଲେ ମଧ୍ୟ ବିଭିନ୍ନ ସମୟରେ ଏହାର ନାଳି ବନ୍ଦ ହୋଇଯାଇ ଅନେକ ସମସ୍ୟା ସୃଷ୍ଟି ହୁଏ । ସେ କ୍ଷେତ୍ରରେ ଏକମାତ୍ର ସାହାଯ୍ୟକର୍ତ୍ତା ହେଉଛନ୍ତି ସଫେଇକର୍ମୀ । 
ପୂର୍ବରୁ ଉଠା ପାଇଖାନା ବ୍ୟବସ୍ଥା ଥିବା ସତ୍ତ୍ୱେ ସଫେଇ କର୍ମୀମାନେ ମୁଣ୍ଡରେ ବୋହି ମଇଳା ସଫେଇ କରୁଥିଲେ । ପରବର୍ତ୍ତୀ ସମୟରେ ମୁଣ୍ଡରେ ବୋହି ମଇଳା ସଫେଇ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଲୋପ କରିବା ପାଇଁ କେନ୍ଦ୍ରୀୟ ଯୋଜନା ଏବଂ ରାଜ୍ୟର ଯୋଜନା ପ୍ରସ୍ତୁତ ହୋଇସାରିଛି । ଦୀର୍ଘବର୍ଷ ହେଲା ସମଗ୍ର ଦେଶରେ ମୁଣ୍ଡରେ ମଇଳା ବୋହିବା କଥା ନିଷିଦ୍ଧ ହୋଇଗଲାଣି । ଏହାସତ୍ତ୍ୱେ କେଉଁଠି ନା କେଉଁଠି ସଫେଇ କର୍ମୀମାନଙ୍କର ଶାରୀରିକ ଶ୍ରମର ଆବଶ୍ୟକତା ପଡୁଛି । ସେମାନଙ୍କ ଶାରୀରିକ ଶ୍ରମର ଆବଶ୍ୟକତା ଥିବା ସମୟରେ ସେମାନଙ୍କୁ କେବେ କେବେ ମଇଳା ଟାଙ୍କି କିମ୍ବା ସ୍ୱେରେଜ୍ ପାଣି ଯାଉଥିବା ବଡ଼ ବଡ଼ ନଳା ଭିତରେ ପଶି ସଫା କରିବାକୁ ପଡୁଛି । ଏହିଭଳି କାର୍ଯ୍ୟ କରୁଥିବା ସମୟରେ ଗତ ୫ ବର୍ଷ ମଧ୍ୟରେ ୪୧୯ ଜଣ ସଫେଇ କର୍ମୀଙ୍କର ଦୁଃଖଦାୟକ ମୃତୁ୍ୟ ଘଟିଛି । ସମାଜରେ ସାମାଜିକ ଜୀବନ, ପାରିବାରିକ ଜୀବନ ଏବଂ ବ୍ୟକ୍ତିଗତ ଜୀବନରେ ବିଭିନ୍ନ ପ୍ରକାରର ଆବଶ୍ୟକ ହେଉଥିବା କାର୍ଯ୍ୟ ପାଇଁ ବିକଳ୍ପ ବ୍ୟବସ୍ଥା ରହିଛି । ହେଲେ ସ୍ୱେରେଜ୍ ଟାଙ୍କି ସଫା କରିବାର କୌଣସି ବିକଳ୍ପ ନାହିଁ । ପୂର୍ବରୁ ଲୋକମାନେ ଟାଙ୍କି ଭିତରେ ପଶି ସଫା କରୁଥିଲେ । ଏବେ ମେସିନ୍ ସାହାଯ୍ୟରେ ସେସବୁକୁ ପମ୍ପ୍ ଲଗାଇ ସଫା କରାଯାଉଛି, କିନ୍ତୁ ଏହି ବ୍ୟବସ୍ଥା ସବୁବେଳେ କାମ ଦେଉ ନାହିଁ । 
ଗତ ୫ ବର୍ଷ ମଧ୍ୟରେ ସଫେଇ କର୍ମୀ ମୃତୁ୍ୟ କ୍ଷେତ୍ରରେ ସର୍ବାଧିକ ମୃତୁ୍ୟ ତାମିଲନାଡୁରେ ୬୭ ଜଣଙ୍କର ଦୁଃଖଦ ମୃତୁ୍ୟ ରେକର୍ଡ୍ ହୋଇଛି । ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର ୬୩, ଉତ୍ତର ପ୍ରଦେଶ ଏବଂ ଗୁଜରାତରେ ୪୯ ଲେଖା ମୃତୁ୍ୟ ଘଟିଥିବା ରେକର୍ଡ୍ ହୋଇଛି । ଏମାନଙ୍କ ସେବାର ବିକଳ୍ପ ନାହିଁ । ତେଣୁ ସେମାନଙ୍କର ଜୀବନ ପ୍ରତି କୌଣସି ବିପଦ କିମ୍ବା ଶରୀର ପ୍ରତି କୌଣସି କ୍ଷତି ଘଟିଲେ ସରକାର ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରି ଏକ ବିପୁଳ ଅର୍ଥରାଶି ସହୟାତା ଦେବାର ଆବଶ୍ୟକତା ରହିଛି । କାରଣ ସେମାନେ ଯେଉଁ କାର୍ଯ୍ୟ କରନ୍ତି, ତାହାକୁ ଆଉ ଅନ୍ୟ କୌଣସି ଲୋକ କରିପାରିବେ ନାହିଁ । ସେମାନେ ପରିମଳ ବ୍ୟବସ୍ଥା ପାଇଁ ଯେଉଁ ସେବା ସମାଜକୁ ଯୋଗାଇ ଥାନ୍ତି ତାର ବିକଳ୍ପ ମଧ୍ୟ ନାହିଁ; ବରଂ ସଫେଇ କର୍ମୀମାନେ ସ୍ୱେରେଜ୍ର ବର୍ଜ୍ୟକୁ ପରିଚାଳନା କରିବା କ୍ଷେତ୍ରରେ ନିଜ ସ୍ୱାସ୍ଥ୍ୟ ପ୍ରତି ବିପଦ ଥାଇ ଯେଭଳି କାର୍ଯ୍ୟ କରନ୍ତି, ସେଥିପାଇଁ ସେମାନଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିବ । ମେସିନ୍ କାର୍ଯ୍ୟ କରିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ପ୍ରତି ବିପଦ ଆସୁଥିବା ବେଳେ ସେମାନଙ୍କୁ ସହାୟତା ଦେବା ପାଇଁ କେହି ହାତ ବଢ଼ାନ୍ତି ନାହିଁ । ସେମାନଙ୍କ କାର୍ଯ୍ୟ କେବଳ ମଜୁରୀରେ ହିଁ ସୀମିତ । ତେବେ ପ୍ରତ୍ୟେକ ମୃତୁ୍ୟ କିମ୍ବା ଶାରୀରିକ କ୍ଷତି ଘଟିଲେ ବିପୁଳ ପରିମାଣର ଅର୍ଥ ସହାୟତା ଦିଆଗଲେ ସେମାନଙ୍କ ପରିବାର ଆର୍ଥôକ ବିପଦର ସମ୍ମୁଖୀନ ହୋଇ ପାରିବେ ।