ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ସମ୍ମାନ

ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ସମ୍ମାନ


ଗତ କେତୋଟି ନିର୍ବାଚନରୁ ଏ ପର୍ଯ୍ୟନ୍ତ ଦେଖାଗଲାଣି ଯେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଗଲେ ବିଶେଷ ଭାବରେ ମହିଳାମାନଙ୍କର ସମ୍ମାନକୁ ନେଇ ବିଭିନ୍ନ ପ୍ରକାରର ଆପତ୍ତି ଅଭିଯୋଗ ଏବଂ ବାଦ ପ୍ରତିବାଦ ଉଠୁଛି । ବିଭିନ୍ନ ଦଳର ମହିଳା ଜନ ପ୍ରତିନିଧିମାନଙ୍କୁ ଏବଂ ସେଲିବି୍ରିଟିମାନଙ୍କୁ ସର୍ବସାଧାରଣରେ ଆକ୍ଷେପ କରାଯାଉଛି । ଅତ୍ୟନ୍ତ ଆପତ୍ତିଜନକ ଭାଷାରେ ଚରିତ୍ର ସଂହାର କରାଯାଉଛି । ଏଭଳି ଘଟଣା ସବୁ ଦାୟିତ୍ୱସମ୍ପନ୍ନ ଏବଂ ବରିଷ୍ଠ ରାଜନେତାମାନେ କରୁଥିବା ଦେଖାଯାଉଛି । ଏଥିପାଇଁ ରାଜନୀତିକ ଅସୂୟାକୁ ମୁଖ୍ୟ କାରଣ ଭାବରେ ଦର୍ଶାଯାଉଛି । କୌଣସି ଏକ ଦଳରୁ କିଏ ପ୍ରାର୍ଥୀଭାବରେ ଅଂଶଗ୍ରହଣ ନିର୍ବାଚନରେ କରିବାର ସ୍ୱାଧୀନତା ସମସ୍ତଙ୍କର ରହିଛି । ନାଗରିକର ସ୍ୱାଧୀନତା ଭାବରେ ଆମ ସମ୍ବିଧାନ ଏ ପ୍ରକାରର ଏକ ସ୍ୱାଧୀନତା ସମସ୍ତ ନାଗରିକଙ୍କୁ ଦେଇଛି । ତେଣୁ କିଏ କେଉଁ ଦଳ ପରିତ୍ୟାଗ କରିବ କିମ୍ବା କିଏ କେଉଁ ଦଳକୁ ଗ୍ରହଣ କରିବ ତାହା ଏକ ବ୍ୟକ୍ତି ସ୍ୱାଧୀନତାର ପ୍ରସଙ୍ଗ । କିନ୍ତୁ କିଛି ରାଜନେତା ବିରୋଧୀ ଦଳ ଗୁଡ଼ିକର ବିଭିନ୍ନ ରାଜନୀତିକ ପ୍ରସଙ୍ଗକୁ ନେଇ କୁତ୍ସାରଟନା ଆରମ୍ଭ କରୁଛନ୍ତି । ଏଭଳି କାର୍ଯ୍ୟରେ ମହିଳାମାନଙ୍କୁ ବିଶେଷ ଭାବରେ ବିଭିନ୍ନ ପ୍ରକାର ଅପମାନର ଶରବ୍ୟ ହେବାକୁ ପଡୁଛି । ଏଭଳି ଏକ ଘଟଣା ଘଟିବା କ୍ଷେତ୍ରରେ ନେତ୍ରୀମାନେ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ପ୍ରତ୍ୟେକଟି ଘଟଣା ଭିନ୍ନ ହୋଇଥିଲେ ମଧ୍ୟ ସାମଗ୍ରିକ ଭାବରେ ଏଭଳି ଘଟିବା ଆଦୌ ଶୋଭନୀୟ ନୁହେଁ । ଏଥିରେ ମହିଳାମାନଙ୍କର ସମ୍ମାନ ହାନି ହେବା ସହିତ ନିର୍ବାଚନ ପ୍ରକ୍ରିୟା ମଧ୍ୟ କଳୁଷିତ ହେଉଛି । 
କିଛିଦିନ ହେଲା ରିଲ୍ ଜଗତରୁ ରାଜନୀତିକୁ ଆସିଥିବା କିଛି ନେତ୍ରୀଙ୍କ ସମ୍ପର୍କରେ ବିଭିନ୍ନ ରାଜନୀତିକ ଦଳର ନେତାମାନେ ଦେଇଥିବା କଟୁ ମନ୍ତବ୍ୟ ସମଗ୍ର ଦେଶବ୍ୟାପୀ ଆଲୋଚନାର ପ୍ରସଙ୍ଗ ପାଲଟିଛି । ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ କିଛି ନେତାଙ୍କର ଏଭଳି ମନ୍ତବ୍ୟ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରରେ ଏ ପ୍ରକାରର ଘଟଣା ଘଟୁଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା । ତେଣୁ କହିବାକୁ ଗଲେ ଭାରତରେ ନିର୍ବାଚନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି କରାଯାଉଥିବା ଆକ୍ଷେପ, ଅଶାଳୀନ ଭାଷା, ବ୍ୟକ୍ତିଗତ ଚରିତ୍ର ସଂହାର କରିବା ଭଳି ଉଦ୍ୟମ ବିଶ୍ୱର ଅନ୍ୟ କେତେକ ରାଷ୍ଟ୍ରରୁ ଅନୁକରଣ ମାତ୍ର । 
ଦେଶରେ ଏବେ ଦେଶରେ ମହିଳା ଭୋଟର୍ଙ୍କ ସଂଖ୍ୟା ବଢୁଛି । ଏଥିସହିତ ତାଳ ଦେଇ ମହିଳା ବିଦ୍ୱେଷୀ ମନ୍ତବ୍ୟ ଘଟଣା ମଧ୍ୟ ବୃଦ୍ଧି ପାଉଛି । ଦେଶର ଶହେଟି ସଂସଦୀୟ ନିର୍ବାଚନୀ ମଣ୍ଡଳୀରେ ପୁରୁଷ ଭୋଟର୍ଙ୍କ ଠାରୁ ମହିଳା ଭୋଟର୍ଙ୍କ ସଂଖ୍ୟା ଅଧିକ । ମହିଳା ପ୍ରତିନିଧିତ୍ୱ କ୍ଷେତ୍ରରେ ମଧ୍ୟ ଏକ ତୃତୀୟାଂଶ ଆସନ ସେମାନଙ୍କ ପାଇଁ ସଂରକ୍ଷିତ ହୋଇଛି । ଅନେକ ରାଜନୀତିକ ଦଳ ଏହି ଏକ ତୃତୀୟାଂଶ ଆସନ ମହିଳାମାନଙ୍କୁ ଦେବା ପାଇଁ ଆଗ୍ରହ ପ୍ରକାଶ ମଧ୍ୟ କରିଛନ୍ତି । ଏଭଳି ଏକ ପରିସ୍ଥିତିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଗଲେ ମହିଳାମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ବିଭିନ୍ନ ଗଣମାଧ୍ୟମରେ ରାଜନେତାମାନେ ଦେବା ଆରମ୍ଭ କରୁଛନ୍ତି । ଏ ପ୍ରକାରର ଘଟଣା କେବଳ ପୁରୁଷମାନେ କରୁଛନ୍ତି ବୋଲି ଭାବିବା ଭୁଲ୍ । ମହିଳାମାନେ ମଧ୍ୟ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ମହିଳାମାନଙ୍କ ପ୍ରତି କୁତ୍ସାରଟନା କରୁଛନ୍ତି । କେବେକେବେ ଏଭଳି ମନ୍ତବ୍ୟ ନ୍ୟାୟାଳୟ ପର୍ଯ୍ୟନ୍ତ ଚାଲିଯାଉଛି । ଏ ପ୍ରକାରର ଘଟଣା ଗୁଡ଼ିକ କିଭଳି ବିଲୋପ ହେବ, ସେ ଦିଗରେ ଦେଶରେ ସାଧାରଣ ଜନତା ବିଶେଷ କରି ମହିଳାମାନେ ପ୍ରତିବାଦର ସ୍ୱର ଉଠାଇବା ଆବଶ୍ୟକ । 
ଏ କ୍ଷେତ୍ରରେ ଆଉ ଏକ ବ୍ୟତିକ୍ରମ ମଧ୍ୟ ଦେଖିବାକୁ ମିଳୁଛି । ପ୍ରଭାବଶାଳୀ ଏବଂ କ୍ଷମତାଧର ମାନଙ୍କର ମହିଳାମାନଙ୍କ ଚରିତ୍ରକୁ ନେଇ ଆକ୍ଷେପ ଗୁଡ଼ିକୁ ଗଣମାଧ୍ୟମ ଗୁଡ଼ିକ ଅଣଦେଖା କରି କେବଳ ବିରୋଧୀ ଦଳ ପକ୍ଷରୁ ହେଉଥିବା ଏ ପ୍ରକାରର ମନ୍ତବ୍ୟ ଗୁଡ଼ିକୁ ଅଧିକ ଭାବରେ ଗୁରୁତ୍ୱ ଦେଉଛନ୍ତି । ଏହା ଫଳରେ କେବଳ ବିରୋଧୀଦଳମାନେ ଯେ ମହିଳାମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି-ଏଭଳି ଏକ ଧାରଣା ସୃଷ୍ଟି ହେଉଛି । ଏ କ୍ଷେତ୍ରରେ ଗଣମାଧ୍ୟମ ଗୁଡ଼ିକର ମଧ୍ୟ ଦାୟିତ୍ୱପୂର୍ଣ୍ଣ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ।