ସ୍ୱାଧୀନତାର ସ୍ମାରକୀ ତୀର୍ଥ ଇରମ


 ଇଂ. ଅଭୟ ସୂତାର  : “ଦିନ ଯାଏ ଚିହ୍ନ ରହେ”  - ଏହା ଏକ ଜନପି୍ରୟ ଶ୍ରୁତି ହେଲେ ହେଁ ନିଛକ ସତ୍ୟ । ପୃଥିବୀ ବକ୍ଷରେ କେତେ ଯେ ବିଦ୍ରୋହ ତଥା ରକ୍ତାକ୍ତ ସଂଘର୍ଷ ହୋଇଯାଇଛି - ଇତିହାସ ହିଁ ସେ ସବୁର ଜ୍ୱଳନ୍ତ ପ୍ରମାଣ ଦେଇ ପାରିବ  । ମୁକ୍ତିକାମୀ ଜନତାର ଅବିଶ୍ରାନ୍ତ ଉଦ୍ୟମ ଓ ଆର୍ତ୍ତ ଚିକôାରରେ ମହାପରାକ୍ରମଶାଳୀ ଅତ୍ୟାଚାରୀ ଶାସକବର୍ଗ ପରାଭବ ଲଭିବା ଏକ ଅବିସମ୍ବାଦିତ ସତ୍ୟ । ଯୁଗେ ଯୁଗେ ଧର୍ମର ଜୟ ଓ ଅଧର୍ମର ପରାଜୟ ଘଟିଛି । ଏସବୁ ଦୃଷ୍ଟିରୁ ବିଚାର କଲେ ଭାରତର ସ୍ୱାଧୀନତା ସଂଗ୍ରାମର ଗୋ÷ରବମୟ ଇତିହାସ ବିଶେଷ ପ୍ରଣିଧାନଯୋଗ୍ୟ । ଅନ୍ୟାୟ, ଅତ୍ୟାଚାର ବିରୋଧରେ ସଂଗ୍ରାମ ଚାଲେ ଓ ପରିଶେଷରେ ବହୁ ସମୟ ସାପେକ୍ଷ ଆୟସସାଧ୍ୟ ହେଲେ ମଧ୍ୟ ବିଜୟଶ୍ରୀ ମଣ୍ଡିତ ହୁଏ  । ମାତ୍ର ଭାରତର ମୁକ୍ତି ସଂଗ୍ରାମର ସ୍ୱାତନ୍ତ୍ର୍ୟ ପରିସ୍ଫୁଟ ଏହାର ଅହିଂସାତ୍ମକ ମାର୍ଗ ପ୍ରଦର୍ଶନରେ  ।
ଚିରସ୍ମରଣୀୟ ଜାତିର ଜନକ ମହାତ୍ମାଗାନ୍ଧିଙ୍କର ଆହ୍ୱାନ ସୁପ୍ତ, ଅବହେଳିତ, ଲା‚ôତ ତଥା ଅତ୍ୟାଚାରିତ ଭାରତୀୟମାନଙ୍କ ମନରେ ନୈରାଶ୍ୟର ଘନ ଅନ୍ଧକାର ଦୂର କରି ଆଶାର ଝଲକ ସୃଷ୍ଟି କରେ  । ମୁକ୍ତିକାମୀ ନିରସ୍ତ୍ର ଭାରତୀୟମାନଙ୍କର ହୃଦୟାକାଶରେ ସ୍ୱାଧୀନତାର ସ୍ୱର୍ଣ୍ଣାଭ ସବିତା ଉଙ୍କିମାରି ଉଠେ  । ଆକୁମାରୀ ହିମାଳୟ ଜନ ଜାଗରଣର ଉଦ୍ବେଳିତ ଢ଼େଉରେ ପ୍ରକମ୍ପନ ସୃଷ୍ଟି କରେ  ।  ଭାରତର ପୁରପଲ୍ଲୀରେ ମହାତ୍ମାଗାନ୍ଧି ତଥା ଅଗଣିତ ଅମର ସହୀଦଙ୍କର ହୃଦୟସ୍ପର୍ଶୀ ଆହ୍ୱାନ, ଦେଶବାସୀଙ୍କୁ ମନ୍ତ୍ରମୁଗ୍ଧ କଲାପରି ବିଦେଶୀ ଶାସନର ଅବଦାନ ପାଇଁ ପ୍ରେରଣା ଦିଏ  । ସମଗ୍ର ଦେଶରେ ସ୍ୱାଧୀନତାର ବହ୍ନି ପ୍ରଜ୍ୱଳିତ ହୋଇଉଠେ  ।
ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭଦ୍ରକ ଜିଲ୍ଲାସ୍ଥ ବାସୁଦେବପୁର ଥାନା ଅନ୍ତର୍ଗତ ‘ଇରମ’ ନାମକ ଏକ ଅଜ୍ଞାତ ପଲ୍ଲୀଭୂଇଁରେ ସ୍ୱାଧୀନତା ସଂଗ୍ରାମର ଅଗ୍ନିସ୍ଫୁଲିଙ୍ଗ ବିଚ୍ଛୁରିତ ହେବାକୁ ଆରମ୍ଭ ହେଲା  ।  ପୂର୍ବରେ ବଙ୍ଗୋପସାଗର ଓ ଦକ୍ଷିଣ-ପଶ୍ଚିମ ଦିଗରେ ନଦୀ ପରିବେଷ୍ଟିତ ଏହି କ୍ଷୁଦ୍ର ପଲ୍ଲୀଟି ଯେ ଦିନେ ମୁକ୍ତି ସଂଗ୍ରାମର ଆଲୋକ ବର୍ତ୍ତିକା ବହନ କରି ଜନ ମାନସରେ ଚେତନାର ଉସô ସୃଷ୍ଟି କରିପାରିବ ,ଏହା ଅଚିନ୍ତନୀୟ ହେଲେ ମଧ୍ୟ ଦିବାଲୋକ ପରି ସୁସ୍ପଷ୍ଟ । ଭାରତ ଇତିହାସରେ ଲୋମହର୍ଷଣକାରୀ ଜାଲିଆନାୱାଗ ହତ୍ୟାକାଣ୍ଡର ଏକ କ୍ଷୁଦ୍ର ପ୍ରତିରୂପ ଇରମ ମାଟିରେ ପ୍ରତିଫଳିତ ହେବ, ଏହା କେହି କେବେହେଲେ କଳ୍ପନା କରି ନ ଥିଲେ  । ମାତ୍ର ବିଧିର ବିଧାନ ବିଚିତ୍ର  । ପ୍ରାତଃସ୍ମରଣୀୟ ତଥା କୋଟି ଜନତାର ଆଶା ଆକାଂକ୍ଷାର ପ୍ରତୀକ ମହାତ୍ମାଗାନ୍ଧିଙ୍କ ପ୍ରଚାରିତ ଅହିଂସା ମନ୍ତ୍ରରେ ଦୀକ୍ଷିତ ଭାରତର ଅଗଣିତ ନରନାରୀଙ୍କ ପରି ଇରମ ଅଞ୍ଚଳର କୃଷକ, ଛାତ୍ର, ଶିକ୍ଷକ ତଥା ଅନ୍ୟାନ୍ୟ ବର୍ଗର ଲୋକ କୋ÷ଣସି ଗୁଣରେ କମ୍ ନ ଥିଲେ । ସ୍ୱାଧୀନତା ସଂଗ୍ରାମର ଅନ୍ତରାଳରେ ଇରମ ଅଞ୍ଚଳର ଜନଅସନ୍ତୋଷର ଦାନା ବାନ୍ଧୁଥିଲା ତକôାଳୀନ ସ୍ଥାନୀୟ ଜମିଦାରଙ୍କ ଜନସ୍ୱାର୍ଥ ବିରୋଧି ନୀତି ଯୋଗୁଁ  । ଗରିବ କୃଷକମାନଙ୍କଠାରୁ ଟିକସ ଆକାରରେ ଅନ୍ୟାୟ ପାଉଣା ଆଦାୟ କରି ସେମାନଙ୍କୁ ଶୋଷଣ କରିବା ହିଁ ତାଙ୍କର ଉଦେ୍ଦଶ୍ୟ ଥିଲା । ସେହି ସମୟରେ ଜନୈକ ଜାତୀୟସ୍ୱାର୍ଥ ବିରୋଧୀ ବ୍ୟକ୍ତି ତାଙ୍କର ପୂର୍ଣ୍ଣ ସହଯୋଗୀ ଥିଲେ । ସ୍ୱାଧୀନତା ଆନେ୍ଦାଳନର ସତ୍ୟାଗ୍ରହୀମାନଙ୍କ ପ୍ରତି ଏମାନଙ୍କ ଘୃଣା ତଥା ବିଦ୍ୱେଷ ମନୋଭାବ ଇରମରେ ଜନ ଆନେ୍ଦାଳନର ଅନ୍ୟ ଏକ ମୁଖ୍ୟ କାରଣ ଥିଲା । ଅନ୍ୟାୟ, ଅତ୍ୟାଚାର ସୀମାତୀତ ହେଲେ ପରିଶେଷରେ ତାହା ଏକ ପ୍ରଳୟଙ୍କରୀ ବିଦ୍ରୋହର ରୂପ ଧାରଣ କରେ  । ଇରମ ଭୂଇଁରେ ଏହି ସତ୍ୟ ହିଁ ବାସ୍ତବତାରେ ପରିଣତ ହେବା କିଛି ନୂଆ କଥା ନୁହେଁ  । 
ଇରମ ଅଞ୍ଚଳରେ ବରପୁତ୍ର ସୁଖ୍ୟାତ କବି ବା‚ାନିଧି ମହାନ୍ତିଙ୍କ ଜାତୀୟବାଦୀ କବିତା ସେ ଅଞ୍ଚଳର ଜନସାଧାରଣଙ୍କ ମନରେ ଅଭୂତପୂର୍ବ ସ୍ୱଦେଶପ୍ରୀତି ଓ ଜାଗରଣ ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହୋଇପାରିଥିଲା । କବିତା ମାଧ୍ୟମରେ ଜାତୀୟ ଚେତନା ସୃଷ୍ଟି କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । କବିତାଗୁଡ଼ିକର ଭାବ, ଭାଷା ବିନ୍ୟାସ ତଥା ମନ ଆକର୍ଷଣକାରୀ ସୁଲଳିତ ସ୍ୱର ଜନସାଧାରଣଙ୍କ ହୃଦୟରେ ଗଭୀର ରେଖାପାତ କରିପାରିଥିଲା । ଏହି ପରିପ୍ରେକ୍ଷୀରେ ମୁଷ୍ଟିମେୟ ସତ୍ୟାଗ୍ରହୀଙ୍କର ଉଦ୍ୟମ ଏକ ବିରାଟ ଜନ ଆନେ୍ଦାଳନର ଭିତ୍ତିଭୂମି ପ୍ରସ୍ତୁତ କଲା । ଇରମ ଗ୍ରାମର ଏକ ବିସ୍ତୃତ ପଡ଼ିଆ (ମେଲଣ ପଡ଼ିଆ) ସତ୍ୟାଗ୍ରହୀଙ୍କର ସଭା ସମିତିର କେନ୍ଦ୍ରସ୍ଥଳରେ ପରିଣତ ହେଲା । ପଡ଼ିଆଭୂମିର ଅବସ୍ଥିତି ସତ୍ୟାଗ୍ରହୀମାନଙ୍କ ପାଇଁ ଏକ ଉପଯୁକ୍ତ ନିରାପଦ ସ୍ଥାନ ହୋଇଥିବାରୁ ସମୟ ମୁତାବକ ବିଭିନ୍ନ ଆନେ୍ଦାଳନାତ୍ମକ ସଭାର ଆୟୋଜନ କରାଯାଉଥିଲା । ସତ୍ୟାଗ୍ରହୀମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର କମଳା ପ୍ରସାଦ କର, ଗୋ÷ରାଙ୍ଗ ଚରଣ ମହାନ୍ତି, ଅନିରୁଦ୍ଧ ମହାନ୍ତି, ଗଣେଶ ପ୍ରସାଦ ତି୍ରପାଠୀ ପ୍ରମୁଖ ଆନେ୍ଦାଳନକାରୀଙ୍କ ବିଶେଷ ଭୂମିକା ପ୍ରଣିଧାନଯୋଗ୍ୟ । ଆନେ୍ଦାଳନକାରୀମାନେ ଅତ୍ୟାଚାରୀ ଜମିଦାର ଓ ତକôାଳୀନ ୟୁନିଅନ ସଭାପତିଙ୍କୁ ତାଙ୍କର ପଦବୀରୁ ଇସ୍ତଫା ଦେବା ପାଇଁ ବାଧ୍ୟ କରିବା ସଙ୍ଗେ ସଙ୍ଗେ ଜାତୀୟ ଆନେ୍ଦାଳନର ସ୍ରୋତରେ ସାମିଲ ହେବାକୁ ନିବେଦନ କରି ବିଫଳ ହେଲେ । ନିମ୍ନଗାମୀ ଜଳ ଓ ଦୃଢ଼ ପ୍ରତିଜ୍ଞମନ କୋ÷ଣସି ବାଧା ବନ୍ଧନ ନ ମାନିବା ପରି ସତ୍ୟାଗ୍ରହୀମାନେ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଲାଗିଲେ  । ଅତ୍ୟାଚାରୀ ଜମିଦାର ଓ ୟୁନିୟନର ସଭାପତି ସତ୍ୟାଗ୍ରହୀମାନଙ୍କର ଆନେ୍ଦାଳନାତ୍ମକ ପନ୍ଥାରେ ଆତଙ୍କିତ ତଥା ଅସୁରକ୍ଷିତ ମନେ କରି ଆନେ୍ଦାଳନକୁ ବିଫଳ କରାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଲେ । ଏସବୁ ସତ୍ତ୍ୱେ ଆନେ୍ଦାଳନର ଗତି ତୀବ୍ରତର ହେବାକୁ ଲାଗିଲା  । ପରିଶେଷରେ ନିରୁପାୟ ହୋଇ ଜମିଦାର  ଓ ସଭାପତି  ଗୋପନରେ ବି୍ରଟିଶ କର୍ତ୍ତୃପକ୍ଷଙ୍କୁ ସବିଶେଷ ବିବରଣୀ ଜଣାଇ ଆନେ୍ଦାଳନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଲେ  । ଏ ସମ୍ବାଦ ପାଇବା ସଙ୍ଗେ ସଙ୍ଗେ ବି୍ରଟିଶ କର୍ତ୍ତୃପକ୍ଷ କାଳବିଳମ୍ବ ନ କରି ୧୯୪୨ ମସିହା ସେପ୍ଟେମ୍ବର ମାସ ୨୮ ତାରିଖ ଦିନ ଏକ ପୋଲିସ ବାହିନୀ ଇରମ ଅଭିମୁଖେ ପ୍ରେରଣ କଲେ  । ଗନ୍ତବ୍ୟ ପଥରେ ସେମାନଙ୍କୁ ଏକ ନଦୀ ଅତିକ୍ରମ କରିବାକୁ ପଡ଼ିବାରୁ ନାଉରୀକୁ ନଦୀ ପାର କରିବା ପାଇଁ କଠୋର ନିଦେ୍ର୍ଦଶ ଦେଲେ  । ମାତ୍ର ଆଶ୍ଚର୍ଯ୍ୟର କଥା, ସାଧାରଣ ନାଉରୀ ରାଜୁ ଜେନା ପୋଲିସ୍ ବାହିନୀର ଆଦେଶକୁ ସାମାନ୍ୟତମ ଭ୍ରୁକ୍ଷେପ ନ କରି ନାସ୍ତିସୂଚକ ବାଣୀ ଶୁଣାଇଲା । ଏହାର ଫଳ ସ୍ୱରୂପ ବିଚରା ନାଉରୀକୁ ଚରମ ନିର୍ଯ୍ୟାତନାର ଶୀକାର ହେବାକୁ ପଡ଼ିଥିଲା  । ଇରମ ଭୂଇଁରେ ପୋଲିସ ବାହିନୀର ଅତର୍କିତ ଆବିର୍ଭାବ ଶଙ୍ଖଧ୍ୱନି ମାଧ୍ୟମରେ ଆନେ୍ଦାଳନକାରୀ ଜନତାଙ୍କୁ ଏକ  ଆସନ୍ନ ବିପଦର ସୂଚନା ବୋଲି ଜଣାଇ ଦିଆଗଲା । ଆଖି ପିଛୁଳାକେ ପାଶ୍ୱର୍ବର୍ତ୍ତୀ ଗ୍ରାମମାନଙ୍କରୁ ହଜାର ହଜାର ନିର୍ଭୀକ ନରନାରୀ ମେଲଣ ପଡ଼ିଆକୁ ଧାଇଁଆସି ପୋଲିସବାହିନୀକୁ ଯଥୋଚିତ ଜବାବଦେବା ପାଇଁ ଉପସ୍ଥିତ ହେଲେ । ଇରମ ଅଞ୍ଚଳର ଗଗନ ପବନ ମହାତ୍ମାଗାନ୍ଧି ଓ ଭାରତମାତାର ଜୟଗାନରେ ପ୍ରକମ୍ପିତ ହୋଇ ଉଠିଲା । ସମଗ୍ର ମେଲଣ ପଡ଼ିଆ ଏକ କ୍ଷୁଦ୍ର ଜନ ସମୁଦ୍ର ପରି ପ୍ରତୀୟମାନ ହେଲା । ସତ୍ୟାଗ୍ରହୀମାନଙ୍କର ଏତାଦୃଶ କାର୍ଯ୍ୟରେ ମାନସିକ ଭାରସାମ୍ୟ ହରାଇ ପୋଲିସ ବାହିନୀ ମୁଖ୍ୟ (ଡ଼ି.ଏସ୍.ପି.) ଅବିଳମ୍ବେ ନିରସ୍ତ୍ର ନିରୀହ ଜନତାଙ୍କ ଉପରେ ଗୁଳି ବର୍ଷଣ କରିବାକୁ ଆଦେଶ ଦେଲେ  । ମେଲଣ ପଡ଼ିଆକୁ ଏକମାତ୍ର ପ୍ରବେଶ ପଥ ଦେଇ ପ୍ରାଣ ବିକଳରେ ପଳାଇଯିବାକୁ ଚେଷ୍ଟା କରୁଥିବା ଲୋକମାନେ ପୋଲିସ୍ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା । ଚାହୁଁ ଚାହୁଁ ୨୮ ଜଣ  ବ୍ୟକ୍ତି ପୋଲିସ୍ ଗୁଳିର ଶୀକାର ହୋଇ ଟଳି ପଡ଼ିଲେ ଓ ବହୁଲୋକ ଆହତ ହେଲେ । ରକ୍ତ ରଞ୍ଜିତ ମେଲଣ ପଡ଼ିଆର ଲୋମହର୍ଷଣକାରୀ ବିଭସô ଦୃଶ୍ୟ ଯେପରି ମର୍ମସ୍ପର୍ଶୀ, ସେହିପରି ହୃଦୟ ବିଦାରକ ଥିଲା । ପଞ୍ଜାବର ଜାଲିଆନାୱାଗ ହତ୍ୟାକାଣ୍ଡର ଏହା ହିଁ ଏକ କ୍ଷୁଦ୍ର ପ୍ରତିରୂପ କହିଲେ ଅତୁ୍ୟକ୍ତି ହେବନାହିଁ । ଏହି ଭୟାବହ ନରହତ୍ୟାର କରୁଣ ସନେ୍ଦଶ ବିଦୁ୍ୟତ ବେଗରେ ସମଗ୍ର ଦେଶରେ ପ୍ରତିଧ୍ୱନିତ ହୋଇ ଉଠିଲା ଓ ଦେଶର ପ୍ରତି କୋଣ ଅନୁକୋଣରେ ପୋଲିସର ଏହି ଅମାନବୀୟ ଆଚରଣର ଦୃଢ଼ ପ୍ରତିବାଦ ଶୁଣାଗଲା ।
ଏହାପରେ ମଧ୍ୟ ପୋଲିସ ବାହିନୀ ସତ୍ୟାଗ୍ରହୀମାନଙ୍କୁ ହତୋସôାହ ଓ ନିବୃତ୍ତ କରାଇବା ପାଇଁ ଗ୍ରାମେ ଗ୍ରାମେ ବୁଲି ଅତ୍ୟାଚାର ଆରମ୍ଭ କଲେ  । ପ୍ରାଣଭୟରେ ନିଜର ସନ୍ତାନ ସନ୍ତତି ତଥା ସ୍ଥାବର ଅସ୍ଥାବର ସମ୍ପତ୍ତି ମୋହ ତୁଟାଇ ଗାଁ ଗଣ୍ଡା ଛାଡ଼ି ଇତସ୍ତତଃ ଆତ୍ମ ଗୋପନ କରିବାକୁ ଲାଗିଲେ । ଦେଶବ୍ୟାପୀ ତୀବ୍ର ପ୍ରତିକି୍ରୟାର ଫଳ ସ୍ୱରୂପ ବି୍ରଟିଶ କର୍ତ୍ତୃପକ୍ଷ ଏହି ନରହତ୍ୟାର ଅନୁସନ୍ଧାନ ନିମିତ୍ତ ଏକ କମିଟି ଗଠନ କଲେ । କମିଟିର ରିପୋର୍ଟ ଅନୁଯାୟୀ, ପୋଲିସର ଅନ୍ୟାୟ ତଥା ବର୍ବରୋଚିତ କାର୍ଯ୍ୟ ନିର୍ଭୁଲଭାବେ ପ୍ରମାଣିତ ହେଲା ।
ସ୍ୱାଧୀନତାର ଜାତୀୟ ମହାସ୍ରୋତ କ୍ଷିପ୍ରରୁ କ୍ଷିପ୍ରତର ହେବାକୁ ଲାଗିଲା  । ଆକୁମାରୀ ହିମାଳୟ ସମସ୍ୱରରେ ବିଦେଶୀ ଶାସନର ମୂଳ ଉତ୍ପାଟନ ପାଇଁ ସହଯୋଗର ହସ୍ତ ପ୍ରସାରଣ କରି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଲେ  । ନ୍ୟାୟ ଓ ସତ୍ୟ ଉପରେ ପ୍ରତିଷ୍ଠିତ ସ୍ୱାଧୀନତା ଆନେ୍ଦାଳନକୁ ଭଣ୍ଡୁର କରିବାର ଉଦ୍ୟମ ଚରମ ନିଷ୍ଫଳତାରେ ପରିଣତ ହେଲା । ଯେଉଁ ଅମର ସହିଦଙ୍କର ସେବା, ତ୍ୟାଗ ତଥା ଆତ୍ମୋସôର୍ଗ ଫଳରେ ଇରମର ସେହି ବୀରଭୂମି ଏକ ମହାନ ତୀର୍ଥ ସ୍ଥଳୀରେ ପରିଣତ ହୋଇଛି, ତାହା ଏ ଜାତିର ଉତ୍ତର ଦାୟାଦଙ୍କୁ ପ୍ରେରଣା ଯୋଗାଇବ,ଏଥିରେ ସନେ୍ଦହ ନାହିଁ  । 
ଦେଶ ଆଜି ସ୍ୱାଧୀନ । ବିଦେଶୀ ଶାସନର କୁଜ୍ଝଟିକା ଅନ୍ତର୍ହିତ ହୋଇଥିଲେ ହେଁ ସନ୍ତ୍ରାସବାଦ ତଥା ଦେଶ ବିଭାଜନକାରୀ ଶକ୍ତିଗୁଡ଼ିକର ଅଭୁ୍ୟଦୟ ଦେଶର ସ୍ୱାଧୀନତାକୁ ବିପନ୍ନ କରିବାକୁ ଯାଉଛି  । ଯେଉଁ ଅଗଣିତ ଅମର ସହିଦଙ୍କର ଆତ୍ମବଳି ଯୋଗୁଁ ଆମେ ଆଜି ମହାର୍ଘ ସ୍ୱାଧୀନତା ଲାଭ କରିପାରିଛନ୍ତି, ସେହିମାନଙ୍କର ଆତ୍ମା ଦେଶର ଏ ଅଧୋଗତିକୁ ଅବଲୋକନ କରି ଯନ୍ତ୍ରଣା ଜର୍ଜରିତ ହେଉଥିବ-ଏହା ଭାବିବା ଆଦୋ÷ ଅସ୍ୱାଭାବିକ ନୁହେଁ  । ଆମର ବହୁମୂଲ୍ୟ ସ୍ୱାଧୀନତାର ସୁରକ୍ଷା ଆମର ଦାୟିତ୍ୱ । ଏଣୁ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ମହାଭାରତୀୟ ଭାବନାରେ ଉଦ୍ବୁଦ୍ଧ ହୋଇ ଆମେ ବିଶ୍ୱ ଦରବାରରେ ଆମର ସ୍ଥିତି ସୁଦୃଢ଼ କରିପାରିବା  । 
 ଘଣ୍ଟେଶ୍ୱର,ଭଦ୍ରକ
ମୋ: ୯୪୩୭୩୭୬୯୬୭