ମେଳା ପରେ ବୁଡୁଛି ଭେଳା

ରାଜ୍ୟରେ ସର୍ବବୃହତ୍ ମେଳା ହେଉଛି ବାଲିଯାତ୍ରା । ବାଲିଯାତ୍ରା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀ ପୂଜା ଆଦି ବିଭିନ୍ନ ପୂଜା ଅବସରରେ ବଡ଼ ବଡ଼ ମେଳାମାନ ଆୟୋଜିତ ହୋଇଯାଇଛି । ବ୍ୟବସାୟିକ ଦୃଷ୍ଟିକୋଣରୁ ଏହିସବୁ ମେଳା ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟକୁ ଅର୍ଥନୀତିକ ଭାବରେ ସମୃଦ୍ଧ କରିବା ପାଇଁ ଏହି ମେଳା ଗୁଡ଼ିକର ଅବଦାନ ପ୍ରଶଂସନୀୟ । ଏଭଳି ଉପକାର ରହିଥିବା ସତ୍ତ୍ୱେ ଏହି ମେଳା ଗୁଡ଼ିକର ପରିବେଶ ପ୍ରତି ରହିଥିବା କ୍ଷତିକାରକ ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ । ମେଳା ଗୁଡ଼ିକ ଆୟୋଜନ କରିବା ସମୟରେ ପରିମଳ ବ୍ୟବସ୍ଥା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉନାହିଁ । ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ମେଳାକୁ ଆସୁଛନ୍ତି । ସେମାନଙ୍କ ପାଇଁ ଶୌଚାଳୟ ପର୍ଯ୍ୟାପ୍ତ ହେଉ ନାହିଁ । ତେଣୁ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହେଉଥିବା ସ୍ଥାନର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ୫-୭ ଦିନର ମେଳା ପରେ କେବଳ ଝାଡ଼ା, ପରିସ୍ରାର ଦୁର୍ଗନ୍ଧ ସ୍ଥାନୀୟ ତଥା ସ୍ଥାୟୀ ଲୋକଙ୍କ ପ୍ରତି ଏକ ବଡ଼ ସମସ୍ୟା ଭାବେ ଠିଆ ହେଉଛି । କେବଳ ସେତିକି ନୁହେଁ, ଦୋକାନ ବଜାର ଖୋଲିଯିବା ପରେ ବ୍ୟବସାୟିକ  କାରବାର ପରେ ବିଭିନ୍ନ ପଦାର୍ଥର ପ୍ୟାକିଂ ଭାବରେ ବ୍ୟବହାର ହେଉଥିବା ପଲିଥିନ୍ ଜରି ଭୟଙ୍କର ଭାବରେ ମେଳା ପଡ଼ିଆ ଗୁଡ଼ିକୁ ଦୂଷିତ କରୁଛି । ଖାଦ୍ୟସ୍ଥଳରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ ଏବଂ ସିନ୍ଥେଟିକ୍ ଖଲି ଦନାରୁ ଆରମ୍ଭ କରି ପ୍ଲାଷ୍ଟିକ୍ ଚା' ଗ୍ଲାସ୍, ପାଣି ବୋତଲ୍ ପର୍ଯ୍ୟନ୍ତ ବ୍ୟବହାର ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଖାଦ୍ୟ ଷ୍ଟଲ୍ ଗୁଡ଼ିକରେ ବିଭିନ୍ନ ପାତ୍ର ଧୁଆ ଧୋଇ ପାଇଁ ବ୍ୟବହାର କରାଯାଉଥିବା ପାଣି କେଉଁଠୁ ଆସୁଛି ସେ ଦିଗରେ କାହାରି ଦୃଷ୍ଟି ନାହିଁ । ବିଭିନ୍ନ ବ୍ୟବସାୟିକ ଦୋକାନ ଏବଂ ଷ୍ଟଲ୍ ଗୁଡ଼ିକରେ ବିକ୍ରି ସମୟରେ ପ୍ୟାକିଂ ହୋଇଥିବା ପଲିଥିନ୍ ଜରି ସବୁକୁ ଦୋକାନୀମାନେ ବାହାର କରି ଖୋଲା ସ୍ଥାନକୁ ଫୋପାଡ଼ି ଦେଉଛନ୍ତି । ଏହା ଫଳରେ ମେଳା ପରେ ସିନ୍ଥେଟିକ୍ ଜରି ଏବଂ ସିନ୍ଥେଟିକ୍ ପଦାର୍ଥର ଏକ ଆସ୍ତରଣ ଜମିଯାଉଛି । ସେସବୁର ପରିଚାଳନା କ୍ଷେତ୍ରରେ କେହି ବି ମୁଣ୍ଡ ଖେଳାଉ ନାହାନ୍ତି । ମେଳା ଗୁଡ଼ିକ ସରିଯିବା ପରେ ବିପୁଳ ପରିମାଣରେ ବର୍ଜ୍ୟ ପଦାର୍ଥ, ଅଳିଆ ଏବଂ ପରିତ୍ୟକ୍ତ ପଦାର୍ଥ ମେଳା ସ୍ଥାନ ଗୁଡ଼ିକୁ ଏକ ଧ୍ୱସ୍ତବିଧ୍ୱସ୍ତ ଭୂଇଁରେ ପରିଣତ କରି ଦେଉଛି । ଏସବୁ କିଭଳି ଭାବରେ ସଫା ହେବ ଏବଂ ସିନ୍ଥେଟିକ୍ ପଦାର୍ଥ ସବୁ କିଭଳି ଭାବରେ ପରିଚାଳନା କରାଯିବ ସେ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପନ୍ଥା ବାହାର କରାଯାଇନାହିଁ । ବର୍ତ୍ତମାନ ସମୟରେ ଆର୍ଥିକ କାରବାର ଏବଂ ବ୍ୟବସାୟର ସମ୍ପ୍ରସାରଣ ଯେଭଳି ଭାବରେ ଘଟିଛି, ସେଥିରେ ପ୍ଲାଷ୍ଟିକ୍ ଏବଂ ସିନ୍ଥେଟିକ୍ ପଦାର୍ଥକୁ  ବାଦ୍ ଦେଇ ପରିବହନ ତଥା ବିପଣନ କରିବା ଅସମ୍ଭବ । ପରିବହନ କ୍ଷେତ୍ରରେ ପ୍ଲାଷ୍ଟିକ୍ ଏବଂ ସିନ୍ଥେଟିକ୍ ପଦାର୍ଥକୁ ବାଦ୍ ଦେଲେ ତାହା ଜଙ୍ଗଲ ଉପରେ ଭୟଙ୍କର ଭାବରେ ଚାପ ସୃଷ୍ଟି କରିବ । ଫଳ ବଜାରକୁ ଆସୁଥିବା ସେଓ, ନାସପାତି, ବେଦନା, କମଳା ଆଦିର ପେଟି କାଠ ପଟାରେ ତିଆରି କରାଗଲେ କେବଳ ପେଟି ତିଆରିରେ ବର୍ଷକୁ ହେକ୍ଟର୍ ହେକ୍ଟର୍ ଜଙ୍ଗଲ ନଷ୍ଟ ହୋଇଯିବ । ତେଣୁ ପ୍ଲାଷ୍ଟିକ୍ ପେଟି ଏବଂ ଟ୍ରେ ବର୍ତ୍ତମାନ ବ୍ୟବହାର କରାଗଲାଣି । ମୋଟ୍ ଉପରେ ଦେଖିବାକୁ ଗଲେ ବିଭିନ୍ନ ମେଳା ପରେ ପରେ ପଡ଼ିଆ ଗୁଡ଼ିକର ସଫେଇ ତ ହୋଇଯିବ, କିନ୍ତୁ ଅଳିଆ ଆବର୍ଜନା ସଂଗ୍ରହ କରିବା ପରେ ସିନ୍ଥେଟିକ୍ ପଦାର୍ଥକୁ ଅଲଗା କରି ଦିଆଗଲେ ସେସବୁ କିଭଳି ଭାବରେ ବିନଷ୍ଟ ହେବ ତାହାର ଉତ୍ତର କାହାରି ପାଖରେ ନାହିଁ । କିଛି କବାଡ଼ି ବାଲା ପଲିଥିନ୍ ଏବଂ ସିନ୍ଥେଟିକ୍ ପଦାର୍ଥର ପୁନଃ ବ୍ୟବହାର ପାଇଁ କିଣି ନେଉଛନ୍ତି । କିନ୍ତୁ ରିସାଇକେଲ୍ ହେଉଥିବା ସିନ୍ଥେଟିକ୍ ପଦାର୍ଥ ଅଧିକ ଭୟଙ୍କର ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି । ଏବେ ଏ ସମସ୍ୟା କିଭଳି ଦୂର ହେବ ତାହା ପ୍ରଥମରୁ ନିର୍ଦ୍ଧାରଣ ନକରି ବଡ଼ ବଡ଼ ମେଳା ପାଇଁ ପ୍ରଶାସନିକ ଅନୁମତି ଦିଆଗଲେ ୫/୭ ଦିନ ପରେ ସ୍ଥାୟୀ ଓ ସ୍ଥାନୀୟ ଲୋକମାନେ ହିଁ ନାହିଁ ନଥିବା ଅସୁବିଧାର ସାମ୍ନା କରିବେ ।