ଅତିବଡ଼ୀ ଜଗନ୍ନାଥ ଦାସ
ପୁଷ୍ପମିତ୍ର ମହାପାତ୍ର : ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗର କବି ଅତିବଡ଼ୀ ଜଗନ୍ନାଥ ଦାସ ଥିଲେ ପଣ୍ଡିତ ଓ ଆଧ୍ୟାତ୍ମିକ ପୁରୁଷ । ସେ ଓଡ଼ିଆ ଜାତିର ଜୀବନବେଦ ଭାଗବତର ସ୍ରଷ୍ଟା । ତାଙ୍କ ଭାଗବତ, ସଂସ୍କୃତ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ । ଡ.ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ଜଗନ୍ନାଥ ଦାସଙ୍କ ଭାଗବତ, ମୂଳ ଭାଗବତ ଠାରୁ ଭିନ୍ନ । ସେ ସମକାଳୀନ ସାମାଜିକ ଅବସ୍ଥାକୁ ଦୃଷ୍ଟିରେ ରଖି ଭାଗବତ ରଚନା କରିଥିଲେ । ସମାଜର ଉପକାର ପାଇଁ ସେ ଭାଗବତ ରଚନା କରିଥିଲେ । ଏକାଦଶ ସ୍କନ୍ଧ ପର୍ଯ୍ୟନ୍ତ ସେ ଲେଖିଥିଲେ । ଦ୍ୱାଦଶ ଓ ତ୍ରୟୋଦଶ ସ୍କନ୍ଧ ରଚନା କରିଥିଲେ ଯଥାକ୍ରମେ ମହାଦେବ ଦାସ ଏବଂ ଦ୍ୱାରିକା ଦାସ । ଏହି ଭାଗବତର ଅଧ୍ୟାୟ ତିନିଶହ ବୟାଳିଶ । କଥିତ ଅଛି ଜଗନ୍ନାଥ ଦାସଙ୍କ ମାତା ପୁରାଣ ଶୁଣିବା ପାଇଁ ଥରେ ମନ୍ଦିରକୁ ଯାଇଥିଲେ । ମାତ୍ର ଦକ୍ଷିଣା ଦେବାକୁ ସକ୍ଷମ ନଥିବାରୁ ପୁରାଣ ପଣ୍ଡା ଶୁଣାଇବାକୁ ମନା କରିଦେଇଥିଲେ । ମନ ଦୁଃଖରେ ଘରକୁ ଫେରି ପୁତ୍ରଙ୍କୁ ଓଡ଼ିଆରେ ଭାଗବତ ରଚନା ପାଇଁ ଉପଦେଶ ଦେଇଥିଲେ । ପୁଣି, ଏଥି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ, ତାଙ୍କୁ ନିଦେ୍ର୍ଦଶ ଦେଇଥିବା ରାମଦାସଙ୍କ ଦାର୍ଢ଼୍ୟତାଭକ୍ତି ରସାମୃତରେ ଉଲ୍ଲେଖିତ । ପ୍ରଭୁ ସ୍ୱପ୍ନରେ କହିଥିଲେ - ଭୟ ନକର ତୁମ୍ଭେ କିଛି, ଗୀତ ତୁ କର ମୁହିଁ ଅଛି । ଜଗନ୍ନାଥ ଦାସ ପୁରୀ ନିକଟବର୍ତ୍ତୀ କପିଳେଶ୍ୱରପୁରରେ ଜନ୍ମ ହୋଇଥିଲେ । କମ୍ ବୟସରେ ବିଭିନ୍ନ ଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିଲେ । ଉଣେଇଶ ବର୍ଷ ବୟସରେ ଶ୍ରୀକ୍ଷେତ୍ର ଆସି, ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ଉତ୍ସର୍ଜିତ କରିଥିଲେ । ଶ୍ରୀ ଚୈତନ୍ୟ, ତାଙ୍କୁ ନିତ୍ୟ ସହଚର ଭାବେ ଗ୍ରହଣ କରିଥିଲେ । ଶ୍ରୀ ଚୈତନ୍ୟ ହିଁ ତାଙ୍କୁ ଅତିବଡ଼ୀ ଉପାଧି ଦେଇଥିଲେ । ଜଗନ୍ନାଥ ଦାସଙ୍କ ଅନ୍ୟ ପ୍ରସିଦ୍ଧ ରଚନା ମଧ୍ୟରେ ଗୁପ୍ତ ଭାଗବତ, ଅର୍ଥକୋଇଲି, ଶୂନ୍ୟ ଭାଗବତ, ତୁଳାଭିଣା, ବ୍ରହ୍ମଗୀତା, ଭାଗବତ ସାର, ଦାରୁବ୍ରହ୍ମ ଗୀତା ଆଦି ପ୍ରଧାନ । ଫେବୃଆରୀ ୩ ତାରିଖ କିନ୍ତୁ ତିଥି ଓ ନକ୍ଷତ୍ର ଅନୁଯାୟୀ ମାଘ ସପ୍ତମୀ ଦିନ ଏହି କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ସ୍ରଷ୍ଟାଙ୍କ ମହାପ୍ରୟାଣ ଘଟିଥିଲା ।
ସିଡିଏ, କଟକ, ଦୂରଭାଷ : ୯୪୩୭୨୨୫୬୮୯