ଅଜଣା ଜଗତର ଡାକ (୩୬)
ଅଶୋକ ବିଶ୍ୱାଳ :“ମୁଁ ନିଜ ଆଖିରେ ଅନେକବାର ଦେଖିଛି । ରବର କ୍ରାବ ସହଜରେ ୫୧ କିମି ଅଞ୍ଚଳରେ ସମୁଦ୍ରକୂଳିଆ ନଡିଆ ଗଛକୁ ଗୋଡରେ ଜାବୁଡି ଧରି ମଣିଷ ଚଢିବା ଭଳିଆ ଚଢିଗଲା ଆଉ ଏକ ଡାବ ନଡିଆଟିଏ କାଟି ତଳେ ପକାଇ ଦେଲା । ତଳକୁ ଓହ୍ଲାଇ ଆସି ନଡିଆ ଚୋପା ମୂଳରୁ ଛଡାଇ, ନଡିଆ ଖୋଳପାରେ ନିଜ ଦ୍ୱିତୀୟ ବା ତୃତୀୟ ଗୋଜିଆ ଗୋଡଦ୍ୱାରା କଣା କରଦେଲା । ତା’ପରେ ନଡିଆକୁ ସହଜରେ କୋରି ଶସ ଖାଇଲା ।”- ସାମୁଏଲ କହିଲେ । ଅସୀମଙ୍କୁ ଏମିତିଆ ଅବିଶ୍ୱାସନୀୟ କଥା ଭଲ ଲାଗୁଥିଲାୟ । ତାଙ୍କ ଘର ବାହାରେ ଅନେକ ନଡିଆ ଗଛ ଥିଲା । ପ୍ରତି ନଡିଆ ଗଛ ୨୫-୩୦ ଫୁଟରୁ କମ ହେବନି । ଏତେ ଉଚ୍ଚ ଗଛ ଦେଖି ବିଶ୍ୱାସ ହେଉନଥିଲା ଯେ କଙ୍କଡାଟିଏ ଏଡେ ଗଛ ଛଢି ନଡିଆ ପାରୁଛି । ଅସୀମ ଭାବୁଥିଲେ ସାଧାରଣତଃ ସମୁଦ୍ରକୂଳରେ ବହୁତ ଶୁଖିଲା ନଡିଆ ପଡିଥାଏ । ଏ କଙ୍କଡା ସେହି ନଡିଆକୁ ପ୍ରାୟ ଆଖି ପାଖରେ ଛଡାଇ ଖାଉଥିବ । ବେଳେବେଳେ ଗଛରେ ଚଢି ତାହାହେଲେ କଞ୍ଚା ନଡିଆ ପାରେ । “ଏ କଙ୍କଡା ଅଣ୍ଡା ତ ସମୁଦ୍ର ପାଣିରେ ଦିଏ । କିନ୍ତୁ ପରେ ସମୟ ମାଟିରେ କଟାଏ ।”- ପ୍ରସାଦବାବୁ ନୂଆ ନୂଆ ତଥ୍ୟ ଦେଇଚାଲିଥିଲେ ।
“କେବେ ଦେଖି ହେବ?”- ଅସୀମ ପଚାରିଲେ । ତାଙ୍କ ମନରେ ଏମିତି ଏକ ବିଶାଳ କଙ୍କଡା ଦେଖିବାକୁ ବହୁତ ଇଚ୍ଛା ଥିଲା । ରବର କ୍ରାବ ଦେଖିବା ସହଜ ନୁହେଁ । ଏଗୁଡାକ ସାଧାରଣତଃ ଦୂରଯାଗାରେ ଏକୁଟିଆ ରୁହନ୍ତି । ସେପଟକୁ ସାମୁଏଲ କେବେକେବେ ଡ୍ୟୁଟି କରିବାକୁ ଯାଆନ୍ତି । ତେଣୁ ରବର କ୍ରାବ ଦେଖିଥିବେ ।
ପାଇବାକୁ ଆଶା ନଥିଲା । ତଥାପି ଏମିତି ଦିନେ ସେମାନେ ୪୧ କିମି କ୍ୟାମ୍ପ ପରେ ୫୧ କିମି ଆଡକୁ ଚାଲିଗଲେ । ୫୧ ଲାଇଟ ହାଉସର କିଛି ପୂର୍ବରୁ ଅନେକ ନଡିଆଗଛ ଥିଲା । ଏ ଜାଗାରେ ଲୋକବାକ ପ୍ରାୟ ରୁହନ୍ତିନି । ଏପଟେ ରବର କ୍ରାବ ମିଳିବାର ସମ୍ଭାବନା ବହୁତ ଅଧିକ ଥାଏ । ବେଳେବେଳେ ସେମାନଙ୍କୁ ରାସ୍ତା ଉପରେ ମଧ୍ୟ ଦେଖାମିଳିଯାଏ । ସାଙ୍ଗରେ ରାମଦାସ ସେଦିନ ଥିଲେ । ତାଙ୍କର ଏପଟ ଅଞ୍ଚଳ ଉପରେ ଭଲ ଜ୍ଞାନ ଥିଲା । ବାଲି ଆଉ କୋରାଲ ବେଡ । କିଛି ପାଣ୍ଡାନାସ ଗଛ ମଧ୍ୟ ଥିଲା । ଅନ୍ୟ ସମୁଦ୍ରକୂଳିଆ ଗଛମାନ ଥିଲା । ଅନେକ ନଡିଆ ପଡି ସଢୁଥିଲା । ଶୁଖିଲା ନଡିଆ ବାହୁଙ୍ଗାମାନ ତଳେ ପଡି କେଉଁଠି କେଉଁଠ ଜମା ହୋଇଯାଇଥିଲା । ଜାଗାଟା ସାମାନ୍ୟ ଓଦାଳିଆ ।କିଛି କିଛି କାଦୁଆ ଜାଗାରେ କଙ୍କଡା ଗାତମାନ ଥିଲା । କାଦୁଆ ଜାଗାରେ ପ୍ରାୟ କଙ୍କଡାମାନେ ଗାତ କରି ମାଟି ଭିତରେ ରୁହନ୍ତି । ଅନ୍ୟ କୂଳ ଭଳି ଏ ସମୁଦ୍ରକୂଳରେ ଅନେକ ପ୍ରକାରର କଙ୍କଡା, ଗେଣ୍ଡା ଜାତୀୟ ଜୀବମାନେ ଥିଲେ । ସମୁଦ୍ର ଗର୍ଜନ ସ୍ପଷ୍ଟ ଶୁଣାଯାଉଥିଲା । ଏ ଭିତରେ ସାମୁଏଲ ଏକ କୋକାନଟ କ୍ରାବକୁ ଠାବ କରିନେଇଥିଲେ । ସମସ୍ତେ ପାଦଚିପି ଧିରେ ଆସିଲେ । ଅସୀମଙ୍କ ଆଖି ବିଷ୍ଫାରିତ ହୋଇଗଲା । ଏକ ଅତି ବିରାଟ କଙ୍କଡା । ଦୁଇ-ତିନି କିଲୋ ଓଜନ ହେବ । ସାଧାରଣ ହର୍ମିଟ କ୍ରାବ ଭଳି ଚେପଟା ଗୋଲ ଆକାର । ଆଖି ପାଖରେ ଶୁଣ୍ଢ ସବୁବେଳେ ହଲୁଛି । କଙ୍କଡାମାନେ ସବୁ ଜିନିଷ ଭଲକରି ଆଘ୍ରାଣ କରି ନିଅନ୍ତି ଆଉ ଶୁଣ୍ଢଦ୍ୱାରା ଖାଇବା ଖୋଜି ନିଅନ୍ତି । କଙ୍କଡାଟି ଟିକିଏ ରହିଗଲା । ଏମାନେ ଅଟକି ଯିବାରୁ ତା’ର ଭୟ କମିଗଲା । ସେ ଅନ୍ୟ ହର୍ମିଟ କଙ୍କଡା ଭଳି ଗୁରୁଣ୍ଡି ଚାଲି ଏକ ଅନ୍ଧାରୁଆ ଜାଗାକୁ ଚାଲିଗଲା । ଏମାନେ ସେ ଜାଗାକୁ ଗଳି ଅନାଇଲେ । କିଛି ନଡିଆ କତା କଟା ହୋଇ ପଡିଥିଲା । କଙ୍କଡା ନଡିଆ ଆଖି ପାଖରୁ କତା ଛଡାଇ ଦେଇଛି ଆଉ ସେଗୁଡାକ ପାଖରେ ପଡିଛି । କେତେଟା ନଡିଆର ଆଖି ପାଖରେ ବଡ କଣା ଥିଲା । ସେବାଟେ କଣାକରି ଭିତରୁ ଶସ ଖାଇଛି । ଏତେ ବଡ ଗୋଡ ଥିବାରୁ ନଡିଆକୁ ମଣିଷ ଭଳି ଫଟାଇବା ଦରକାର ପଡିନି । ପାଖକୁ ଯିବାରୁ ରବର କ୍ରାବ ଟିକିଏ ଭିତରର ଗାତୁଆ ଜାଗାକୁ ଚାଲିଗଲା । ଏ କ୍ରାବ ଗଛର କୋରଡ, ତଳ ପଡିଥିବା ଗଛ ତଳେ ବା ଏଇମିତି ଲୁଚିହେଉଥିବା ଜାଗାରେ ରୁହେ । ରବର କ୍ରାବ ହେଉଛି ହର୍ମିଟ କ୍ରାବ ଜାତୀୟ ବଡ କ୍ରାବ ଆଉ ଏହା ପବନରେ ନିଃଶ୍ୱାସ ନିଏ କିନ୍ତୁ ଛୋଟ ବେଳ ପାଣିରେ କଟାଇଥାଏ । ଆଉ ପରେ ବଡ ହେଲେ ଭୂମିକୁ ଆସିଯାଏ । ବଡ ହେଲେ ମୋଟେ ପାଣିରେ ନିଜ ଓଜନପାଇଁ ପହଁରି ପାରେନୋ । ମାଈ କଙ୍କଡା ବଡ ସାବଧାନତାର ସହ ପାଣିରେ ଅଣ୍ଡାଦାନ କରେ, ଯେମିତି ସେ ପାଣିରେ ପଡିଯିବନି ।
“ଏହି କଙ୍କଡା ମୁଖ୍ୟତଃ ନଡିଆ ଖାଏ । ତା’ ଛଡା ଅନ୍ୟ କଙ୍କଡା ଭଳି ଏଠାକାର ଫଳମୂଳ ଖାଏ । ଅନ୍ୟ କ୍ରାବକୁ, କଚ୍ଛପ ଶାବକକୁ ଖାଇଦେଇାପରେ । ଏମିତିକି ବେଳେବେଳେ ଗଛ ଚଢି ଚଢେଇ ଶିକାର କରିନିଏ ।”- ପ୍ରସାଦବାବୁ ପୁଣି ଏକ ନୂଆ କଥା କହିଲେ ।
ଥରେ ପରା ରାତିରେ ଗୋଟାଏ ରବର କ୍ରାବ ନଡିଆ ଗଛ ଚଢି ଏକ ଚଢେଇ ଡେଣାକୁ ଧରି ପକାଇଥିଲା । ତା’ ଡେଣା ଭାଙ୍ଗିଯିବାରୁ ଚଢେଇଟି ଉଡି ନପାରି ତଳେ ପଡିଗଲା । ସେ କଙ୍କଡା ଆଉ ଅନ୍ୟ ରବର କ୍ରାବମାନେ ସାଙ୍ଗେସାଙ୍ଗେ ମାଡ଼ିଆସି ସେ ନିଜର ତୀକ୍ଷଣ ଗୋଡରେ ଚଢେଇଟିର ଛାତି ଫୁଟାଇ ମାରିଦେଲୋ ତା’ପରେ ତା’ ମାଂସ ଖାଇନେଲେ ।”- ସାମୁଏଲ କହିଲେ । “କଥାଟା ସବୁବେଳେ ଘଟେନି । କିନ୍ତୁ କେବେ କେମିତି ରବର କ୍ରାବ ଅନ୍ୟ ପକ୍ଷୀଙ୍କୁ ମାରିଦେଇପାରେ ।”- ପ୍ରସାଦବାବୁ କହୁଥିଲେ । ଅସୀମ ସେହି ବିଶାଳ କଙ୍କଡାକୁ ଅନାଇଥିଲେ । ବିରାଟ ଗୋଡରେ ଘୋଷାରିହୋଇ କଙ୍କଡାଟି ଲୁଚି ଯାଉଥିଲା । “ପ୍ରଥମେ ହର୍ମିଟ କ୍ରାବ ଭଳି ଅନ୍ୟର ଖୋଳପାରେ ଏମାନେ ବଢନ୍ତି । କିନ୍ତୁ ବଡ ହେଲେ ତାଙ୍କ ପେଟ ତଳ ଶକ୍ତ ହୋଇଆସେ । ସେମାନଙ୍କର ଆକାର ବଢେ ଆଉ ଶରୀରରେ ଟାଣ ଖୋଳପା ତିଆରି ହୁଏ । ସବୁଗୁଣ କଙ୍କଡା ପରି । ଏକ ବଡ କଥା ହେଉଛି ସେମାନେ ନଡିଆ ଗଛରୁ କିଛି ଉପରୁ ତଳକୁ ଜାଣି ଖସି ପଡନ୍ତି । ସେମାନଙ୍କର କିଛି ହୁଏନି ।”- ପ୍ରସାଦବାବୁ ଗୋଟିଏ ପରେ ଗୋଟିଏ ତଥ୍ୟକୁ ଧୀରେ ପେଡି ଖୋଲିଲା ଭଳି ଖୋଲୁଥିଲେ । “ସେମାନେ ଧୀରେ ବଢନ୍ତି ଆଉ ଏକ ପୂର୍ଣ୍ଣର୍ ଆକାର ପାଇବାକୁ ପାଖାପାଖି ୪୦-୬୦ ବର୍ଷ ନିଅନ୍ତି । ଆଉ ଶହେ ବର୍ଷରୁ ଊଦ୍ଧ୍ୱର୍ ବଞ୍ଚôପାରନ୍ତି । ଅନ୍ୟ କଙ୍କଡା ଭଳି ସେମାନଙ୍କୁ ଓଦାଳିଆ ପରିବେଶ ଦରକାର । ଦିନରେ ପ୍ରାୟ ଲୁଚି ରୁହନ୍ତି ଆଉ ରାତିହେଲେ ଗାତରୁ ବାହାରନ୍ତି । “- ପ୍ରସାଦ ବାବୁ ପୁଣି କହିଲୋ
ଅସୀମ ସେଇଠି ଠିଆହୋଇ ଆକାଶକୁ ଅନାଇଲେ । ସିଧା ଆଉ ବଙ୍କା ହୋଇ କେତେ ନଡିଆଗଛ ଆକାଶକୁ ବଢିଯାଇଛି । ସେମାନେ ଉପରେ ଏକ ଛାତ ତିଆରି କରିଛନ୍ତି । ତାଦେଇ ଝରି ଆସୁଛି ଆଲୋକ । ତା’ ଉପରେ ଆକାଶ ସଫା ଅଛି । ନଡିଆଗଛ ଉପରେ ଆଉ କେଉଁ ଗଛନାହିଁ । ଉପରେ ଦିଗ ପାଉନଥିବା ଆକାଶ । ସବୁଦିନ ଦେଖୁଥିବା ନଡିଆଗଛମାନ ସେଦିନ ଅସୀମଙ୍କୁ କେତେ ଭିନ୍ନ ଲାଗିଲା । ସେ ସମୁଦ୍ରର ଗର୍ଜନ ଶୁଣୁଥିଲେ । ମହାସମୁଦ୍ର ଭିତରେ କେତେ ଆଶ୍ଚର୍ଯ୍ୟଜନକ ପ୍ରାଣୀ କେଉଁଠି ଛପି ରହିଛନ୍ତି ଅଜଣା ଦ୍ୱୀପମାନଙ୍କ ଭିତରେ ।
ଆଜିକାଲି ଅସୀମ ଆଉ ଶୋଭନାଙ୍କ କାମ ହେଉଛି ଗ୍ରେଟ ନିକୋବର ଦ୍ୱୀପରେ କିଛି କିଛି ନୂଆ ଜିନିଷ ଉପରେ ଖବର ସଂଗ୍ରହ କରିବା ଆଉ ସେହି ବିଷୟରେ ଭଲଭାବେ ଜାଣିବା । ନୂଆ ଜିନିଷ ଖୋଜିବାକୁ କିଛି କିଛି ଜାଗାକୁ ସେମାନେ ଚାଲିଯାଆନ୍ତି । ଦୁହେଁ ସକାଳୁ ଉଠିପଡନ୍ତି ଆଉ ସେମାନଙ୍କ ବଗିଚାରେ କ’ଣ ନୂଆ ଅଛି ଖୋଜିନିଅନ୍ତି ।ସେମାନଙ୍କ ବଗିଚାରେ ବଡ ବଡ ନଡିଆ ଗଛମାନ ଥିଲା ଆଉ ବହୁତ ନଡିଆ ଫଳୁଥିଲା । ସାମାନ୍ୟ ହଳଦିଆ ରଙ୍ଗର ନଡିଆ । ବେଶ ମିଠା ପାଣି । ଅସୀମଙ୍କୁ ନଡିଆର ନାଳୀ ଖାଇବାକୁ ଭଲ ଲାଗେ ଆଉ ଶୋଭନାଙ୍କୁ ପଇଡ ପାଣି । ସେମାନଙ୍କପାଇଁ ଏକ ଆବିଷ୍କାର ହୋଇଗଲା ହଳଦିଆ ରଙ୍ଗର ନଡିଆ ଥିଲେ ପାଣି ବେଶ ମିଠା ରହିବ । (କ୍ରମଶଃ)
ଭୁବନେଶ୍ୱର