ନିଶା ସେବନର କୁପ୍ରଭାବ ଓ ପ୍ରତିକାର

ନିଶା ମନରୁ ଦୁଃଖ ସାମୟିକ ଭାବେ ଦୂର କରାଇ ଆନନ୍ଦ ଅନୁଭବ କରାଏ  । ପ୍ରତିଥର ଏହି ଆନନ୍ଦ ଅନୁଭବ କରିବାକୁ ହେଲେ ଅଧିକରୁ ଅଧିକ ନିଶା ବ୍ୟବହାର କରିବାକୁ ପଡ଼ିଥାଏ  । କାରଣ ଆମ ଶରୀରରେ ଥିବା ଜୀବକୋଷଗୁଡ଼ିକ ସମାନ ଫଳ ଦେଖାଇବା ପାଇଁ ପ୍ରତିଥର ଅଧିକ ନିଶା ମାତ୍ରା ଦରକାର କରିଥାନ୍ତି  । ଏହାକୁ ଜୀବକୋଷଗୁଡ଼ିକର ‘ନିଶା ଆସକ୍ତି ଭାବ’ କୁହାଯାଏ  । କେତେକ ନିଶା ଅଛି, ଯାହାକୁ ଥରଟିଏ ବ୍ୟବହାର କଲେ ମଧ୍ୟ ଜୀବକୋଷରେ ଆସକ୍ତିଭାବ ସୃଷ୍ଟି ହୋଇଥାଏ  । ତେଣୁ ଏହି ନିଶା ଛାଡ଼ିଲାବେଳେ ଶରୀରରେ କେତେକ ଲକ୍ଷଣ ଦେଖାଯାଏ  । ତେଣୁ ପୁଣି ଥରେ ନିଶା ଖାଇବା ପାଇଁ ଆସକ୍ତି ଭାବନା ସୃଷ୍ଟି ହୁଏ  ।  ବାରମ୍ବାର ନିଶା ସେବନ ଦ୍ୱାରା ଆମର ଶାରୀରିକ ଓ ମାନସିକ ସ୍ତରରେ ନିଶାଦ୍ରବ୍ୟ ପ୍ରତି ନିର୍ଭରତା ଆସେ  । ଯଦି କୌଣସି କାରଣରୁ ନିଶା ଦ୍ରବ୍ୟ ବ୍ୟବହାର କରୁଥିବା ଲୋକ କୌଣସି ଦିନ ନିଶା ନ ପାଏ, ତେବେ ତାହାର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ଅନୁଭୂତ ହୁଏ  । ମଦ ନିଶାଶକ୍ତ ବ୍ୟକ୍ତିମାନେ ଯେତେ କହିଲେ ମଧ୍ୟ ନିଶା ଛାଡି ପାରନ୍ତି ନାହିଁ; କାରଣ ମଦ ବନ୍ଦ କରିଦେଲେ ହାତ ଥରେ, ଛାତି ଧଡ୍ଧଡ଼୍ ହୁଏ, ମୁଣ୍ଡ ବିନେ୍ଧ, ଡର ଲାଗେ ଓ ନିଦ ହୁଏନାହିଁ  ।  ଭାଙ୍ଗ, ଗଞ୍ଜେଇ ପ୍ରଭୃତି ନିଶାକୁ ଲୋକେ ସହଜରେ ଗ୍ରହଣ କରିନେଇଥାନ୍ତି ଓ ଏହା ସାମାଜିକ ପର୍ବପର୍ବାଣିରେ ବ୍ୟବହାର ହୋଇଥାଏ  । ଆଜିକାଲି ମଦକୁ ମଧ୍ୟ ଗ୍ରହଣ କରାଗଲାଣି  । ସେହି ନିଶାଗୁଡ଼ିକୁ  ‘ନରମ ନିଶା’ ବୋଲି କୁହାଯାଏ  । ଅଫିମ ଓ ଅଫିମରୁ ତିଆରି ମର୍ଫିନ୍, ପେଥିଡିନ୍, ହେରୋଇନ୍ ପ୍ରଭୃତି ନିଶା, ବେଶି ପରିମାଣରେ ମଦ ଇତ୍ୟାଦି ଜୀବକୋଷଗୁଡ଼ିକରେ ଶୀଘ୍ର ପରିବର୍ତ୍ତନ ସୃଷ୍ଟି କରିପାରୁଥିବାରୁ ‘ଟାଣୁଆ ନିଶା’ ବୋଲି କୁହାଯାଏ  । ଆମର ପ୍ରକୃତି ଓ ବ୍ୟକ୍ତିତ୍ୱ ଉପରେ ନିଶାସେବନ ମଧ୍ୟ ନିର୍ଭର କରେ  । ଯେଉଁମାନେ ସାମାନ୍ୟ ନିରାଶାରେ ଭାଙ୍ଗିପଡ଼ନ୍ତି, ସେମାନେ ନିଶା ସେବନ କଲେ ତାହା ଆଉ ଛାଡ଼ିପାରନ୍ତି ନାହିଁ  ।  ଏହା ପରୀକ୍ଷା କରି ଦେଖାଯାଇଛି ଯେ ଯେଉଁମାନଙ୍କ ବାପ ମା’ ନିଶା ସେବନ କରନ୍ତି, ସେମାନଙ୍କ ପିଲାମାନେ ମାନସିକ ନିଶାସେବନ ପ୍ରତି ଦୁର୍ବଳତା ପ୍ରକାଶ କରିଥାନ୍ତି  । ତେଣୁ ସେମାନେ ସୁବିଧା ପାଇଲେ ଖୁବ୍ ଶୀଘ୍ର ନିଶାଗ୍ରସ୍ତ ହୋଇଯାନ୍ତି  । ନିଶା ଖାଇବାକୁ ନ ପାଇଲେ ଚୋରି, ଡକାୟତି ପ୍ରଭୃତି କରିବା ପାଇଁ ଲୋକମାନେ ବାଧ୍ୟ ହୁଅନ୍ତି  । ନିଶା ରଖିବା ଓ ତା'ର ଚୋରାରେ ବ୍ୟବହାର କରିବା ଏକ ଲାଭଜନକ ବ୍ୟବସାୟ  । ମାଗଣାରେ ନିଶାଦେଇ ସହକର୍ମୀ ଓ ସହପାଠୀମାନଙ୍କୁ ନିଶା ସେବନ ରାସ୍ତାରେ ପକାଇ ଦିଅନ୍ତି  । ନୂଆ ବ୍ୟକ୍ତି ମଧ୍ୟ ନିଶାଦ୍ରବ୍ୟ ସରବରାହର ଏକ ଏଜେଣ୍ଟ ଭଳି କାର୍ଯ୍ୟ କରେ ଓ ଏହା ସହଜ ଅର୍ଥ ଉପାର୍ଜନର ଏକ ପନ୍ଥା ହୋଇଯାଏ  । କେତେକଙ୍କ ଧାରଣା ଯେ ନିଶାଦ୍ରବ୍ୟ ଯୌନକ୍ରୀଡ଼ାରେ ଅଧିକ ଆନନ୍ଦ ଦିଏ  । ଅଳ୍ପ ପରିମାଣର କେତେକ ନିଶା ସାମୂହିକ ଭାବେ ମନର ବିହ୍ୱଳ ଭାବ ଦୂର କରୁଥିବାରୁ ଯୌନକି୍ରୟା ସମୟରେ ଅଧିକ ଆନନ୍ଦ ଦେଲା ପରି ବୋଧହୁଏ  । ତେଣୁ ଅନେକ ବ୍ୟକ୍ତି ପ୍ରତି ସମ୍ଭୋଗ ସମୟରେ ଏହାକୁ ବ୍ୟବହାର କରନ୍ତି  । କିନ୍ତୁ କିଛିଦିନ ବ୍ୟବହାର କରିବାଦ୍ୱାରା ନିଶାର ପରିମାଣ ବଢ଼ିଯାଏ ଓ ନିଶା ହେବାର କୁପ୍ରଭାବ ଦ୍ୱାରା ନିଶାଗ୍ରସ୍ତ ମନୁଷ୍ୟ ନପୁଂସକ ହୋଇଯାଏ  ।
ନିଶା ସେବନ ଦ୍ୱାରା ମସ୍ତିଷ୍କରେ ଥିବା ସ୍ନାୟୁବିକ ରସ ଡୋପାମିନ୍, ସେରୋଟନିନ୍, ନରଆଡ୍ରେନାଲିନ୍ ଆଦିର ସାମୟିକ ବିଶୃଙ୍ଖଳା ହୁଏ  । ଏହା ମସ୍ତିଷ୍କରେ ଥିବା ପୁରସ୍କାର କେନ୍ଦ୍ର (ଜରଙ୍ଗବକ୍ସୟ ଉରଦ୍ଭଗ୍ଧକ୍ସର)କୁ ଉତ୍ତେଜିତ କରେ ଓ ମନକୁ ଆନନ୍ଦ ଦିଏ  । ମାତ୍ର ଯେଉଁମାନଙ୍କର ଏହି ବିଶୃଙ୍ଖଳା ଅଧିକ ତଥା ଚିରସ୍ଥାୟୀ ହୋଇଥାଏ, ମାନସିକ ସମସ୍ୟା ବାହାରେ  । ତେଣୁ ଏହା ସମସ୍ତଙ୍କର ହୁଏନାହିଁ  । 
 ଶାରୀରିକ ରୋଗମାନଙ୍କ ମଧ୍ୟରେ ଜଣ୍ଡିସ୍ ବା କାମଳ ରୋଗ ପ୍ରଧାନ  । ଏହାଛଡ଼ା ପେପ୍ଟିକ ଅଲସର, ନୁ୍ୟରାଇଟିସ, ପାରାଲିସିସ୍ ରୋଗ ମଧ୍ୟ ଦେଖାଦିଏ  । ନିଶାଗ୍ରସ୍ତ ଅବସ୍ଥାରେ ଦୁର୍ଘଟଣା ହୋଇ ହାଡ଼ ଭାଙ୍ଗିଯାଇପାରେ ବା ମସ୍ତିଷ୍କରେ ଧକ୍କା ବାଜି ରକ୍ତସ୍ରାବ ହୋଇ ସାରା ଜୀବନପାଇଁ ମନୁଷ୍ୟ ପଙ୍ଗୁ ହୋଇଯାଇପାରେ  । ଆମ ଦେଶରେ କେତେକ ଲୋକ ନିଶା ବ୍ୟବହାର କରୁଛନ୍ତି ତାହା ସଠିକ୍ ଭାବେ ଜଣା ପଡ଼ୁ ନାହିଁ  । କେବଳ ଯେଉଁମାନେ ନିଶାଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ଶାରୀରିକ ତଥା ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଓ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି, କେବଳ ସେହିମାନଙ୍କ ବିଷୟରେ ବୈଜ୍ଞାନିକ ବିଶ୍ଳେଷଣ କରାଯାଇପାରୁଛି  । ଏହି ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ଯୁବଗୋଷ୍ଠୀ ଓ କଲେଜ ଛାତ୍ରମାନେ ନିଶା ସେବନରେ ବୃଦ୍ଧ ଓ ମଧ୍ୟବୟସ୍କମାନଙ୍କ ଅପେକ୍ଷା ଆଗୁଆ ଅଛନ୍ତି  । ଏହାର କାରଣ ଯୁବକ ଓ ଛାତ୍ରମାନେ ଦଳ ଦଳ ହୋଇ ଏକାଠି ନିଶା ବ୍ୟବହାର କରୁଛନ୍ତି  । ସରକାରୀ ଓ ବେସରକାରୀ ସ୍ତରରେ ନିଶା ଦ୍ରବ୍ୟର ବିକି୍ର ଦିନକୁ ଦିନ ଦ୍ରୁତଗତିରେ ବଢ଼ି ଚାଲିଛି  । ଅଧିକରୁ ଅଧିକ ବିକି୍ର ହେଉଥିବା ନିଶାଦ୍ରବ୍ୟଗୁଡ଼ିକ ଯୁବ ସମାଜ ଓ ଛାତ୍ରସମାଜ ପ୍ରତି ଏକ ଭୟଙ୍କର ଧମକ କହିଲେ ଅତୁ୍ୟକ୍ତି ହେବ ନାହିଁ  । ନିଶାଗ୍ରସ୍ତ ବ୍ୟକ୍ତି ଏକ ସାମାଜିକ ସମସ୍ୟା  । ବ୍ୟକ୍ତିଗତ ଓ ପାରିବାରିକ ଜୀବନରେ ସେମାନେ ନିଜକୁ କୌଣସି ରକମ ଖାପ ଖୁଆଇପାରନ୍ତି ନାହିଁ  । ସେମାନଙ୍କୁ ନିଶା ସେବନ ରୋଗରୁ ମୁକ୍ତ କରିବାକୁ ହେଲେ ଚିକିତ୍ସା ସହ ଉପଯୁକ୍ତ ଥଇଥାନ ବନେ୍ଦାବସ୍ତ ମଧ୍ୟ କରିବା ଆବଶ୍ୟକ  ।  ଔଷଧ ଦ୍ୱାରା ମଦ, ଗଞ୍ଜେଇ, ଭାଙ୍ଗ ଆଦି ନିଶାସେବନ କରିବାର ଇଚ୍ଛା ଓ ନିଶା ସେବନ ଦ୍ୱାରା ହେଉଥିବା ବିଭିନ୍ନ ମାନସିକ ସମସ୍ୟାର ଚିକିତ୍ସା କରିହେବ  । ନିଶାସେବନ ବନ୍ଦ ପାଇଁ ଅନେକ ପ୍ରକାର ଔଷଧ ବାହାରିଲାଣି  । କେତେକ ଔଷଧ ଅଛି ଯାହାକୁ ଖାଇଲେ ନିଶାସେବନ କରୁଥିବା ବ୍ୟକ୍ତିର ଯେଉଁ ଲକ୍ଷଣ ଦେଖାଯାଏ, ସେଗୁଡିକ କମିଯାଏ  । ଏପରି ଔଷଧ ମଧ୍ୟ ଅଛି ଯାହାଦ୍ୱାରା ନିଶାସେବନ କରିବାକୁ ଇଚ୍ଛା ହେବନାହିଁ  । ଆଉ ଗୋଟିଏ ପ୍ରକାର ବଟିକା ଅଛି ତା’ର ପ୍ରଭାବରେ, ମଦ ଖାଇଲେ ବାନ୍ତିହେବ ଓ ମୁଣ୍ଡ ବିନ୍ଧିବ  । ନିଶାଗ୍ରସ୍ତ ବ୍ୟକ୍ତିମାନଙ୍କ ଚିକିତ୍ସା ବନେ୍ଦାବସ୍ତ କରିବା ସରକାରୀ ଓ ବେସରକାରୀ ସ୍ତରରେ ଏକ ଜରୁରୀ ଆବଶ୍ୟକ  । ଏହି ଚିକିତ୍ସା କେବଳ ଯେ ଡାକ୍ତରମାନଙ୍କ ଦ୍ୱାରା ସମ୍ଭବ ହେବ, ଏହା ଭାବିବା ଉଚିତ ନୁହେଁ  ।  କାରଣ ଏହା ଗୋଟିଏ ସାମାଜିକ ବ୍ୟାଧି, ଦେଶୀୟ ଓ ଅନ୍ତର୍ଦେଶୀୟ ସମସ୍ୟା  । ତେଣୁ ଏହାର ଚିକିତ୍ସା ପାଇଁ ସମାଜର ପ୍ରତ୍ୟେକ ସ୍ତରରୁ ସ୍ୱେଚ୍ଛାସେବୀ ଆବଶ୍ୟକ  । ଆଇନଜ୍ଞ, ପୋଲିସ, ଶିକ୍ଷାବିତ୍, ମନସ୍ତତ୍ତ୍ୱବିତ୍ ତଥା ଡାକ୍ତର ଓ ମାନସିକ ରୋଗ ବିଶେଷଜ୍ଞଙ୍କ ବ୍ୟତୀତ ଏ ବିଷୟରେ ସମ୍ବାଦ ସରବରାହ ସଂସ୍ଥାର ସାହାଯ୍ୟ ନିହାତି ଆବଶ୍ୟକ  ।
ମୋ: ୯୧୩୨୪୩୩୩୩୩