ପ୍ରବାଦ ପୁରୁଷ ହରେକୃଷ୍ଣ ମହତାବ


କୃଷ୍ଣ ଚନ୍ଦ୍ର ସୁଆର : ଓଡ଼ିଶା ମାଟିର କୃତି ସନ୍ତାନମାନଙ୍କ  ମଧ୍ୟରେ ଡକ୍ଟର ହରେକୃଷ୍ଣ ମହତାବ ଥିଲେ ଅନ୍ୟତମ  । ସେ ଏକ ସ୍ୱୟଂପ୍ରଭା ବ୍ୟକ୍ତିସତ୍ତା  । ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ  । ଏତଦ୍ବ୍ୟତୀତ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ, ପ୍ରଥମ କେନ୍ଦ୍ରମନ୍ତ୍ରୀ, ପ୍ରଥମ ରାଜ୍ୟପାଳ, ସେକ୍ରେଟାରୀ ଜେନେରାଲ ଓ କଂଗ୍ରେସ ପାର୍ଲାମେଣ୍ଟାରୀ ଦଳର ଉପଦଳପତି  । ଅନ୍ୟ ବିଶ୍ୱବିଦ୍ୟାଳୟରୁ ଡକ୍ଟେରଟ ଉପାଧି ଲାଭ କରିବାରେ ମଧ୍ୟ ପ୍ରଥମ  । କାରଣ ଉକ୍ରଳ ବିଶ୍ୱବିଦ୍ୟାଳୟ ବ୍ୟତୀତ ସାଗର, ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ସମୟରେ ସେ ଡକ୍ଟରେଟ ଉପାଧି ପ୍ରାପ୍ତ ହୋଇଥିଲେ  । ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ଓଡ଼ିଆଙ୍କ ପ୍ରତିନିଧିତ୍ୱ କରିବାରେ ପ୍ରଥମ ସମେତ ଅନେକରେ ସେ ଥିଲେ ପ୍ରଥମ  । ସାଧାରଣ କର୍ମୀର ସ୍ତରରୁ ଯାଇ ଭାରତୀୟ ସ୍ୱାଧୀନତା ଆନେ୍ଦାଳନର ଜନୈକ ମୁଖ୍ୟ ଦିଗଦର୍ଶକ ହୋଇପାରିବା କିଛି କମ ବଡ କଥା ନୁହେଁ  । ଦେଶରୁ ଇଂରେଜ ଶାସନର ଅବସାନ ପାଇଁ ସେ ସର୍ବଦା ଉଦ୍ୟମ କରି ଆସିଥିଲେ  । ସ୍ୱାଧୀନତା ଆନେ୍ଦାଳନକୁ ତାଙ୍କର ଦାନ ବାସ୍ତବରେ ଜାତିସ୍ମର  ।
ରେଭେନ୍ସା କଲେଜରେ ପଢୁଥିବା ସମୟରେ ସେ ଗାନ୍ଧିଜୀଙ୍କ ଅସହଯୋଗ ଡାକରାରେ ଉଦ୍ବୁଦ୍ଧ ହୋଇ ପ୍ରଥମେ ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ କରିବା ସମେତ ଲବଣ ସତ୍ୟାଗ୍ରହ, ଆଇନ ଅମାନ୍ୟ ଆନେ୍ଦାଳନ, ବ୍ୟକ୍ତିଗତ ସତ୍ୟାଗ୍ରହ ଓ ଭାରତ ଛାଡ ଆନେ୍ଦାଳନରେ ଅଂଶଗ୍ରହଣ କରି ମହାତ୍ମା ଗାନ୍ଧି, ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ, ମୋ÷ଲନା ଆଜାଦ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ କ୍ରିପାଳିନୀ, ଆଚାର୍ଯ୍ୟ ନରେନ୍ଦ୍ର ଦେବ ପ୍ରମୁଖ ସର୍ବ ଭାରତୀୟ ନେତାମାନଙ୍କ ସହିତ ବମ୍ବେରୁ ଗିରଫ ହୋଇ ଅହମଦାବାଦ ଦୁର୍ଗ ଜେଲରେ ବନ୍ଦୀ ହୋଇଥିଲେ  । ଏହିପରି ମୋଟ ୭ ଥର (୮ବର୍ଷ) କାଳ ଜାତୀୟ ଆନେ୍ଦାଳନରେ ଭାଗ ନେଇ ଜେଲ ଭୋଗିଥିଲେ  । 
ଓଡ଼ିଶାର ଉନ୍ନତି ପାଇଁ  ଓଡ଼ିଶାରେ ଗଡଜାତ ମିଶ୍ରଣ, ହୀରାକୁଦ ବନ୍ଧ, ଭୁବନେଶ୍ୱର ନୂଆ ରାଜଧାନୀ, ରାଉରକେଲାରେ ଇସ୍ପାତ ଶିଳ୍ପ, ରାଜଭବନ, ବିଧାନସଭା ଭବନ, ରାଜ୍ୟ ସଚିବାଳୟ, ମୁ୍ୟଜିୟମ, ନନ୍ଦନକାନନ, ସାହିତ୍ୟ, ସଙ୍ଗୀତ, ଲଳିତକଳା ଏକାଡେମୀ ବାରବାଟୀ ଷ୍ଟାଡିୟମ, ହାଇକୋର୍ଟ, ବେତାରକେନ୍ଦ୍ର ପ୍ରଭୃତି ନିର୍ମାଣ କରିବା ତାଙ୍କର ଗୋଟିଏ ଗୋଟିଏ ଅମ୍ଲାନ କୀର୍ତ୍ତି  ।
ରାଜନୀତି କ୍ଷେତ୍ରରେ ଏକ କୀର୍ତ୍ତିମାନ ଖାରବେଳ  ଭଳି ସାହିତ୍ୟ ଜଗତରେ ସେ ଏକ ଉଜ୍ଜ୍ୱଳ ତାରକା  । ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ସେ ଅନେକ ଉପନ୍ୟାସ, ଗଳ୍ପ, ପ୍ରବନ୍ଧ, ନାଟକ, କବିତା, ଶିଶୁ ସାହିତ୍ୟ ଓ ଫିଚର ସୃଷ୍ଟି କରି ଯାଇଛନ୍ତି  । ଦୈନିକ ପ୍ରଜାତନ୍ତ୍ର ପୃଷ୍ଠାରେ ସେ ଧାରାବାହିକ ଭାବରେ ଗାଁଁ ମଜଲିସ୍, ସ୍ତମ୍ଭ ଲେଖୁଥିଲେ  । ଏହା ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରା ଆଦୃତ ହେବା ସଙ୍ଗେ ଏହାର ସରଳ, ସାବଲୀଳ ଭାଷା ଓ ମନଛୁଆଁ ସୁନିର୍ବାଚିତ ବିଷୟ ଯୋଗୁ ପ୍ରତ୍ୟେକ ଶ୍ରଦ୍ଧାର ସହ ପାଠ କରୁଥିଲେ  । ଗାଁ ମଜଲିସ ପୁସ୍ତକାକାରରେ ପ୍ରକାଶ ହେବା ପରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ  ।
୧୯୨୧ ମସିହାରେ ପ୍ରତ୍ୟକ୍ଷ ଭାବେ ରାଜନୀତିରେ ଯୋଗଦେବା ପୂର୍ବରୁ ସେ ଗ୍ରାମ୍ୟ ସ୍ତରରେ ତାଙ୍କ ରାଜନୀତିକ ଜୀବନ ଆରମ୍ଭ କରିଥିଲେ  । ଯୁବାବସ୍ଥାରୁ ସେ ଗ୍ରାମାଞ୍ଚଳର ଲୋକମାନଙ୍କ ସହ ସୁସଂପର୍କ ରକ୍ଷା କରି ଆସୁଥିଲେ  । ବାଲେଶ୍ୱର ଜିଲ୍ଲା ବୋର୍ଡର ଅଧ୍ୟକ୍ଷ ଭାବେ ସେ  ୧୯୨୪ରୁ ୧୯୨୯ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ  । ଉକ୍ରଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇଥିଲେ  । ଗଡଜାତ ତଦନ୍ତ କମିଟିର ସଭାପତି ରୂପେ କାର୍ଯ୍ୟ କରିଥିଲେ  । ୧୯୪୬ରୁ ୧୯୫୦ ଏବଂ ୧୯୫୬ରୁ ୧୯୬୧ ଏହିପରି ୨ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ  । ୧୯୫୦ରୁ ୧୯୫୨ ମସିହା ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ, ୧୯୫୨ରୁ ୫୪ କଂଗ୍ରେସ ପାର୍ଲାମେଣ୍ଟାରୀ ପାର୍ଟିର ସାଧାରଣ ସଂପାଦକ, ୧୯୫୫ରୁ ୫୬ ବମ୍ବେ ରାଜ୍ୟପାଳ, ୧୯୬୨ରୁ ୬୭ ଲୋକସଭା ସଦସ୍ୟ, ୧୯୬୨ରୁ ୬୩ କଂଗ୍ରେସ ପାର୍ଲାମେଣ୍ଟାରୀ ପାର୍ଟିର ଉପନେତା ଭାବେ ସେ ବିଭିନ୍ନ  ସମୟରେ କାର୍ଯ୍ୟ ତୁଲାଇଥିଲେ  । ୧୯୬୭ ମସିହାରେ ଇସ୍ତଫା ଦେଇ ସେ ଜନକଂଗ୍ରେସ ଦଳ ଗଠନ କରିଥିଲେ  । ୧୯୬୭ର ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ଓ ବାସୁଦେବପୁର ଏବଂ ୧୯୭୨ ଓ ୭୪ ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ  । କଂଗ୍ରେସ ପାର୍ଲାମେଣ୍ଟାରୀ ପାର୍ଟିର ଉପନେତା ଥିବା ସମୟରେ ତାଙ୍କ ନେତୃତ୍ୱରେ ଏକ ପାର୍ଲାମେଣ୍ଟ ପ୍ରତିନିଧି ଦଳ ଆଫ୍ରିକା ମହାଦେଶ ଗସ୍ତ କରିଥିଲେ  । ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ କମିଟିରେ ସେ ଅଧ୍ୟକ୍ଷ ଥିଲେ  । ଓଡ଼ିଶା ସାହିତ୍ୟ, ସଙ୍ଗୀତ, ଲଳିତ କଳା ଏକାଡେମୀର ସେ ସଭାପତି ଏବଂ ଓଡ଼ିଶା ଅଲମ୍ପିକ ଆସୋସିଏସନର ଅଧ୍ୟକ୍ଷ ଥିଲେ  । ଏହା ବ୍ୟତୀତ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନସେଲର ଥିଲେ ଏବଂ ସିଣ୍ଡିକେଟ ସଭ୍ୟ ଥିଲେ  ।
ମୋର ଭାଗ୍ୟ ଏହି ପ୍ରଥିତଯଶାଙ୍କ ସହ ଜୀବଦ୍ଦଶାରେ ଢେର ପରିଚିତି  ଥିଲା  । ମୋର ଅନେକ ଲେଖା ଦୈନିକ ପ୍ରଜାତନ୍ତ୍ର ପୃଷ୍ଠାରେ ଛାପି ଲେଖା ଲେଖି କରିବା କ୍ଷେତ୍ରରେ ପ୍ରେରଣା ଦେଇଥିଲେ  । ଥରେ ପିତୃ ପ୍ରତିମ ହରେକୃଷ୍ଣ ମହତାବ ମୋ ପ୍ରବନ୍ଧ ପଢି କହିଥିଲେ- ତୁମେ ଲେଖ, ଛାପିବା ଦାୟିତ୍ୱ ମୋର । ସେ ଆତ୍ମୀୟତା ଆଜି କାହିଁ ?
ଜଣେ ମହାନ ସଂଗ୍ରାମୀ, ଜନନେତା ଓ ସାରସ୍ୱତ ସାଧକ ଭାବେ ନିଜର ପ୍ରତିଭା ଓ ପରାକାଷ୍ଠା ପ୍ରତିପାଦନ କରି ସଫଳତାର ଛାପ ଛାଡି ଦେଲେ  । ଆଜି ନଭେମ୍ବର ୨୧ ତାରିଖ ହେଉଛି, ଓଡ଼ିଶାର ସେହି ବରେଣ୍ୟ ପ୍ରତିଭା ଡ. ହରେକୃଷ୍ଣ ମହତାବଙ୍କ ପବିତ୍ର ଜୟନ୍ତୀ  । ସେ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଅଗରପଡା ଗ୍ରାମରେ ଜନ୍ମ  । ୭ମାସ ବେଳେ ଅଜା ଜଗନ୍ନାଥ ମହାତାବଙ୍କ ବଂଶରକ୍ଷା ଓ ଜମିଦାରୀକୁ ବଞ୍ଚାଇବା ପାଇଁ ପୋଷ୍ୟ ପୁତ୍ର ହେବାରୁ ତାଙ୍କ ନାମ ହୋଇଥିଲା ହରେକୃଷ୍ଣ ମହତାବ  । ଆଧୁନିକ ଓଡ଼ିଶା ଗଠନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ  ।
ଏମଆଇଜିୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ
ଭୁବନେଶ୍ୱର