ସନାତନ ଧର୍ମରେ ଯଜ୍ଞ ପରମ୍ପରା
ସନାତନ ହିନ୍ଦୁଧର୍ମରେ ଯଜ୍ଞର ପରମ୍ପରା ବହୁ ପ୍ରାଚୀନ କାଳରୁ ଚାଲିଆସୁଛି । ମନୋସ୍କାମନା ପୂରଣ ପାଇଁ କିମ୍ବା କୌଣସି ଖରାପ ଘଟଣାକୁ ଟାଳିବା ଲାଗି ଯଜ୍ଞ କରାଯାଇଥିବାର ଅନେକ ପ୍ରସଙ୍ଗ ପୁରାଣରେ ବର୍ଣ୍ଣିତ । ରାମାୟଣ ଏବଂ ମହାଭାରତରେ ଅନେକ ମହାନ ରାଜାଙ୍କ ବିଷୟରେ ବର୍ଣ୍ଣନା ରହିଛି, ଯେଉଁମାନେ ମହାପ୍ରଭାବଶାଳୀ ଯଜ୍ଞ ସମ୍ପନ୍ନ କରାଇଥିଲେ । ଦେବଗଣଙ୍କୁ ପ୍ରସନ୍ନ କରିବା ଲାଗି ଯଜ୍ଞ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା କେତୋଟି ପ୍ରମୁଖ ଯଜ୍ଞ ଏବଂ ତତ୍ସହିତ ଜଡ଼ିତ ବିଜ୍ଞାନ ଏବଂ କାରଣ ବିଷୟରେ । ପୁତ୍ରେଷ୍ଠି ଯଜ୍ଞ ପୁତ୍ର ପ୍ରାପ୍ତି ନିମନ୍ତେ କରାଯାଇଥାଏ । ମହାରାଜ ଦଶରଥ ଏହି ଯଜ୍ଞ ସମ୍ପନ୍ନ କରାଇଥିଲେ । ଯାହାର ପରିଣାମ ସ୍ୱରୂପ ସେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସମେତ ୪ ପୁତ୍ରଙ୍କ ପିତା ହେବାର ସୌଭାଗ୍ୟ ଲାଭ କରିଥିଲେ । ଋଷି ଋଷ୍ୟଶୃଙ୍ଗ ଏହି ଯଜ୍ଞ ସମ୍ପନ୍ନ କରାଇଥିଲେ ।
ଚକ୍ରବର୍ତ୍ତୀ ସମ୍ରାଟ ହେବା ଲାଗି ଅଶ୍ୱମେଧ ଯଜ୍ଞର ଆୟୋଜନ କରାଯାଇଥାଏ । ଏହି ଯଜ୍ଞ ଆୟୋଜନ କରୁଥିବା ରାଜା ନିଜର ଏକ ଅଶ୍ୱ ବା ଘୋଡାକୁ ଅନ୍ୟ ରାଜ୍ୟକୁ ପ୍ରେରଣ କରିଥାଏ । ଯଦି ଘୋଡା ସବୁ ରାଜ୍ୟ ବୁଲି ଫେରିଆସେ ତେବେ ସେ ସବୁ ରାଜ୍ୟର ରାଜାଙ୍କୁ ଘୋଡ଼ା ପଠାଇଥିବା ରାଜାଙ୍କ ଶରଣାଗତି ସ୍ୱୀକାର କରିବାକୁ ପଡ଼ିଥାଏ । ଯଦି କୌଣସି ରାଜା ଅଶ୍ୱମେଧ ଯଜ୍ଞର ଘୋଡ଼ାକୁ ଅଟକାଇ ଦିଅନ୍ତି ତେବେ ଘୋଡ଼ା ପଠାଇଥିବା ରାଜାଙ୍କ ସହ ତାଙ୍କର ଯୁଦ୍ଧ ହୋଇଥାଏ । ଏଥିରେ ବିଜୟୀ ହେଲେ ଅଶ୍ୱମେଧ ଯଜ୍ଞ କରୁଥିବା ରାଜା ସମ୍ରାଟ ଘୋଷିତ ହୋଇଥାନ୍ତି । ଶହେଥର ଅଶ୍ୱମେଧ ଯଜ୍ଞ କରୁଥିବା ରାଜା ଇନ୍ଦ୍ରପଦ ପ୍ରାପ୍ତ କରିଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ନିଜର କୀର୍ତ୍ତି ଏବଂ ରାଜ୍ୟର ସୀମା ବିସ୍ତାର କରିବା ଲାଗି ରାଜାଙ୍କ ଦ୍ୱାରା ରାଜସୂୟ ଯଜ୍ଞ କରାଯାଇଥାଏ । ଏହି ଯଜ୍ଞ ପରମ୍ପରା ଅଧୀନରେ ଜଣେ ରାଜା ନିଜେ କିମ୍ବା ନିଜର ଅନୁଗାମୀ ମାନଙ୍କୁ ଅନ୍ୟ ରାଜ୍ୟରୁ ଧନ ଆଦି ସଂଗ୍ରହ କରିବା ନିମନ୍ତେ ପଠାଇଥାଏ । ସହଜରେ ବା ମିତ୍ରତାପୂର୍ଣ୍ଣ ଭାବରେ ଧନ ପ୍ରଦାନ କଲେ ଉତ୍ତମ, ନଚେତ୍ ଧନ କିମ୍ବା ଉପହାର ଦେଉନଥିବା ରାଜାଙ୍କ ଉପରେ ଆକ୍ରମଣ କରି ରାଜସୂୟ ଯଜ୍ଞ କରୁଥିବା ରାଜା ବଳପୂର୍ବକ ସମ୍ପତ୍ତି ଅସୁଲ କରିଥାଏ । ବିଶ୍ୱ ବିଜୟ ଉଦେ୍ଦଶ୍ୟ ନେଇ ବିଶ୍ୱଜିତ୍ ଯଜ୍ଞ କରାଯାଇଥାଏ । ଏହା ସମସ୍ତ କାମନା ପୂରଣ କରିଥାଏ । ଶ୍ରୀରାମଙ୍କ ପୂର୍ବଜ ମହାରାଜ ରଘୁ ଏହି ଯଜ୍ଞ ଆୟୋଜନ କରିଥିଲେ । ବେଦ ଏବଂ ଅନ୍ୟ ଧର୍ମ ଶାସ୍ତ୍ରରେ ଯଜ୍ଞର ମହିମା ବର୍ଣ୍ଣିତ । ଯଜ୍ଞ ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି । ସୃଷ୍ଟିକର୍ତ୍ତା ବ୍ରହ୍ମଦେବ ମନୁଷ୍ୟ ସହିତ ଯଜ୍ଞର ରଚନା କରିଥିଲେ ଏବଂ ମନୁଷ୍ୟକୁ କହିଥିଲେ, ଯଜ୍ଞ ଦ୍ୱାରା ତୁମର ପ୍ରତ୍ୟେକ ଇଛା ଏବଂ ଆବଶ୍ୟକତା ପୂରଣ କରିବ । ତୁମେ ଯଜ୍ଞ ଦ୍ୱାରା ଦେବଗଣଙ୍କୁ ଖୁସି କର, ସେମାନେ ତୁମର ଉନ୍ନତି କରିବେ ।
ଅଲେଖ ଚନ୍ଦ୍ର ସାମଲ
ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର