ବାଲିଯାତ୍ରାର ଅନନ୍ୟ ଐତିହ୍ୟ ଓ ଅନୁଭୂତି 

ବିପିନ ବିହାରୀ ରାଉତ : ଯେତେ ଦେଖିଲେ ବି ଦେଖା ସରୁନଥିବା କି' ମନ ଭରୁନଥିବା ଯାତ୍ରାର ନାଁ ବାଲିଯାତ୍ରା । ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସହ ବାଣିଜ୍ୟ ଓ ମଉଜର ମଧୁର ସିମ୍ଫୋନିର ନାଁ ବାଲିଯାତ୍ରା । ଓଡ଼ିଶାର ସର୍ବପୁରାତନ ତଥା ସର୍ବବୃହତ୍ ମୁକ୍ତାକାଶ ବାଣିଜି୍ୟକ ସାଂସ୍କୃତ ମେଳାର ନାଁ ବାଲିଯାତ୍ରା । ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚ ଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ । ଗୋଟିଏ ପଟେ ଉକ୍ରଳୀୟ ନୌବାଣିଜ୍ୟ ପରମ୍ପରା, ସାଧବପୁଅ ସଂସ୍କୃତି ଓ ଐତିହ୍ୟର ଜୟଗାନ । ଅନ୍ୟପଟେ ବିନ୍ଦାସ ମଜା, ମଜଲିସ, ବୁଲାବୁଲି, ଖିଆପିଆ, ମନୋରଞ୍ଜନର ଐକ୍ୟତାନ । ଏ ଦୁଇଟିଯାକ ସମାନ୍ତର ଟ୍ରାକ ଉପରେ ଗତି କରୁଥିବା ଯାତ୍ରା ବା ମହୋତ୍ସବର ନାଁ ହେଉଛି ବାଲିଯାତ୍ରା । କଟକିଆଙ୍କ ପାଇଁ ବାଲିଯାତ୍ରା ଅନ୍ୟ ଅନେକ ମେଳା ମଉଚ୍ଛବ ପରି ଯାହାତାହି ଯାତ୍ରା ନୁହେଁ । ବରଂ ଯାବତୀୟ ଜୀବନ ଜଞ୍ଜାଳ ଭିତରେ ସହରବାସୀଙ୍କ ପାଇଁ ଏଇଟି ଏକ ଖାସ ମୁଗ୍ଧ ଅନୁଭବ । ଝଲକାଏ ପୁଲକର ଏକ ବହୁ ପ୍ରତୀକ୍ଷିତ ଅବସର । କଟକିଆଙ୍କ ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଂଶବିଶେଷ । ଦଶହରା ଯଦି କଟକର ଗଣ-ପର୍ବ ହୁଏ, ତେବେ ବାଲିଯାତ୍ରା ହେଉଛି ଗଣ ମହୋତ୍ସବ । ଯେଉଁଥିପାଇଁ ଧୂଳି, ବାଲିରେ ନାକ ରୁନ୍ଧି ହୋଇଯାଉଥିଲେ ବି ଭିଡ଼ରେ ନିଃଶ୍ୱାସ ଅଟକି ଯାଉଥିଲେ ବି ଲୋକେ ବାଲିଯାତ୍ରା ପଡ଼ିଆରେ ଅଧରାତି ଯାଏ ବୁଲୁଥାନ୍ତି । ଶୀତ କାକର ଭିତରେ ବି ଆଇସକ୍ରି ଚୁସ କରୁଥାନ୍ତି । ବାଲିଯାତ୍ରାର ସବୁଠୁ ବଡ଼ ବୈଶିଷ୍ଟ୍ୟ ହେଲା ଏହାର ବିଶାଳ ଆକାର ଓ ବିପୁଳ ସମ୍ଭାର । ଉପର ଓ ତଳ ପଡ଼ିଆ ସମେତ ଚାରିକଡ଼କୁ ମାଡି ଏ ଯାତ୍ରା ବ୍ୟାପିଥାଏ ବେଶ କିଛି ମାଇଲ । ପୁଣି ଜିରାଠୁ ହୀରାଯାଏ, ସୁନାଠୁ ଶୁଖିଯାଏ, ଶିଳ, ଚକି, ଝାଡ଼ୁ, ବିଞ୍ଚଣାଠୁ ଅତ୍ୟାଧୁନିକ ସଉକିନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯାଏ.. ସବୁକିଛି ମିଳେ ଏଠି ଗୋଟିଏ ଠାରେ, କିଛିଟା ଶସ୍ତାରେ । 
କୁହାଯାଏ ସତ୍ୟ ଯୁଗ ପରି ଯୁଗ ନାହିଁ, ଗଙ୍ଗା ପରି ନଦୀ ନାହିଁ, ଭାରତ ପରି ଦେଶ ନାହିଁ, କାର୍ତ୍ତିକ ପରି ମାସ ନାହିଁ, ବାଲିଯାତ୍ରା ପରି ଯାତ୍ରା ହିଁ ନାହିଁ  । ହଜାରେ ବର୍ଷର ସମୃଦ୍ଧିରେ ପରିପୂର୍ଣ୍ଣ କଟକ ନଗରୀର ମହାନଦୀ କୂଳରେ ବେଶ ଯାକଜମକରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ନିଜ ସାଜସଜ୍ଜା, ଗହଳ, ରଙ୍ଗଢ଼ଙ୍ଗ ଆଉ ଆକାର ପ୍ରକାର ସବୁ ଯାତ୍ରାଠାରୁ ଭିନ୍ନ  । ମନୋରଞ୍ଜନ ଓ ମହୋତ୍ସବର ମହଲ ହେଉଛି କଟକ ବାଲିଯାତ୍ରା  । ଏହାର ଆକର୍ଷଣକୁ ମୂର୍ଚ୍ଛି ପାରେନା ମଣିଷ  । ଯାତ୍ରା ପ୍ରତି ମୋହଲାଗେ  । କିଛି କିଣେ, କିଛି ବିକେ  । ଆସେ ଦୂର ଦୂରାନ୍ତରୁ  । ଯାଏ କିଛି ସ୍ମୃତି ନେଇ  । ସେ ସ୍ମୃତି ଲାଭର ହେଉ ବା କ୍ଷତିର, ସେ ସ୍ମୃତି ସଂଯୋଗର ହେଉ ବା ବିଯୋଗର, ତଥାପି କିଛି ନୂଆ ସମ୍ପର୍କର ବାଲିରେଣୁ ଦେହରେ ବୋଳି ହେବାକୁ ମନ ଅଟକିଯାଏ କଟକର ଏଇ ନଈପଠାରେ  ।  ଦିନରେ  ବାଲିଯାତ୍ରାରେ ପହଡ଼, ରାତିକି ଭିଡ଼  । ଏହା ନ ଦେଖିଲେ ମନ ବୁଝେନା  । ଥରେ ବୁଲିଆସିଲେ ଆଉ ଯିବାକୁ ବି ଇଚ୍ଛା ହୁଏ ନାହିଁ  । ନୂଆ ଲୋକଟି ଗଳିର ସହର କଟକରେ ବାଟବଣା ହୁଏ ଅଥଚ ବାଲିଯାତ୍ରା ଠିକଣା ହଜାଏ ନାହିଁ  । ଆଖୁ କିଆରିରେ ପଶିବା ଭଳି ଲାଗେ  । ବହୁତ କିଣିବାକୁ ଇଚ୍ଛା କରି କିଛି କିଣିପାରେନା   । ଇଏ ପରା ବାଲିଯାତ୍ରା  । ବାଲିଯାତ୍ରାର ଘୋ ଘା ରେ ସହର ମୁଖରିତ ହୁଏ  । ମା ଦୁର୍ଗାଙ୍କର ମେଲାଣି ପରେ ଇଏ ଥାଏ କଟକର ବର୍ଷ ତମାମର ଶେଷ ଗହଳି  ।
ଖ୍ରୀଷ୍ଟିୟ ପଞ୍ଚମ ଶତାବ୍ଦୀରେ ଚୀନ ଓ ଉକ୍ରଳ ରାଜାଙ୍କ ମଧ୍ୟରେ ଉପଢ଼ୌକନ ବିନିମୟ ହେଉଥିବା ଲଳିତ ବିସ୍ତର ଓ ସିୟୁକି ପ୍ରଭୃତି ବୌଦ୍ଧ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ରହିଛି  । ରୋମସାମ୍ରାଜ୍ୟ ସହିତ ମଧ୍ୟ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା  । କଳିଙ୍ଗର ସୂକ୍ଷ୍ମ ବସ୍ତ୍ର ବ୍ୟତୀତ ସମ୍ବଲପୁର ହୀରା ମଧ୍ୟ ସେଠାରେ ବିଶେଷ ଆଦର ଲାଭ କରିଥିଲା  । ସମ୍ରାଟ ଖାରବେଳଙ୍କ ରାଜତ୍ୱ କାଳରେ ପାରସ୍ୟ ଉପକୂଳରେ କଳିଙ୍ଗର ବାଣିଜ୍ୟ କାରବାର ଚାଲୁଥିବା କଥା ଜୟସ୍ୱାଲ ପ୍ରମାଣ କରିଛନ୍ତି  । କାର୍ତ୍ତିକ ପୂର୍ଣ୍ଣିମା ପ୍ରତୁ୍ୟଷରୁ କଳିଙ୍ଗର ସାଧବ ପୁଅ ପାଲଟଣା ବୋଇତ ମାନଙ୍କରେ ସ୍ୱଦେଶୀ ରେଶମୀ ପାଟ, ସୂକ୍ଷ୍ମ ବସ୍ତ୍ର, ବିଭିନ୍ନ ସୁଗନ୍ଧ ଦ୍ରବ୍ୟ, କାରିଗର ଶିଳ୍ପ ସାମଗ୍ରୀ ଓ ସମ୍ବଲପୁର ଅଞ୍ଚଳର ବିଖ୍ୟାତ ହୀରା ନେଇ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ବାଲିଦ୍ୱୀପ ପ୍ରଭୃତିକୁ ଯାତ୍ରା କରୁଥିଲେ  । ଏହି ସେହି ଦ୍ୱୀପମାନଙ୍କର ଏହି ସାମଗ୍ରୀ ବିକ୍ରି କରି ସ୍ୱଦେଶ ଅଭିମୁଖେ ଅଜସ୍ର ଧନସଂପଦ ଧରି ବାହୁଡ଼ି ଆସୁଥିଲେ  । ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ ଯେ, ବର୍ଷର ଏହି ସମୟରେ ସାଧାରଣତଃ ଉତ୍ତର ଦିଗରୁ ପବନ ବହେ  । ଯାହାଫଳରେ ପାଲଟଣା ବୋଇତଗୁଡ଼ିକ ଅନାୟାସରେ ଦରିଆ ପାର ହୋଇ ଉପରୋକ୍ତ ଦ୍ୱୀପମାନଙ୍କୁ ଯାତ୍ରା କରିପାରେ  । ସେହିପରି ବେପାର ଶେଷ ବେଳକୁ ଆଷାଢ଼ ମାସର ଆରମ୍ଭରେ ପଶ୍ଚାତରୁ ପ୍ରବାହିତ ବାୟୁ ସଂଘାତ ଫଳରେ ଜାହାଜ ଗୁଡ଼ିକ ସୁରୁଖୁରୁରେ ବାହୁଡ଼ି ଆସେ  । ତେଣୁ ବୋଇତ ଭସାଣବେଳେ ଉଚ୍ଚାରିତ "ଆ, କା, ମା, ବୈ'ରୁ ଏହି ସମୟ ବାଣିଜ୍ୟ ପାଇଁ ଅନୁକୂଳ ପ୍ରତିପାଦିତ ହୋଇଥାଏ  ।  ପ୍ରାଚୀନ କାଳରେ କଳିଙ୍ଗ ବାଣିଜ୍ୟ, ବ୍ୟବସାୟ, ସ୍ଥାପତ୍ୟ, ଶିଳ୍ପକଳା, ସଭ୍ୟତା ଓ ସଂସ୍କୃତି କ୍ଷେତ୍ରରେ ଚରମସୀମାରେ ଉପନୀତ ହୋଇଥିଲା  । ସେହି ଗୌରବକୁ ସ୍ମରଣ କରିବା ସକାଶେ ଏବେ ପାରାଦ୍ୱୀପ ଓ ଚାନ୍ଦବାଲି ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି  । ସେଦିନର ସତ୍ୟ ଆଜିର ସ୍ମୃତିରେ ପରିଣତ ହୋଇ କେବଳ ବାଲିଯାତ୍ରା ଓ ବୋଇତ ବନ୍ଦାଣ ମାଧ୍ୟମରେ ଆମମାନଙ୍କୁ ସାମାନ୍ୟ ଆନନ୍ଦ ମାତ୍ର ପ୍ରଦାନ କରୁଛି  । 
ବାଲିଯାତ୍ରାର ସବୁଠାରୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ଓରମାସ ଷ୍ଟଲ । ଚଳିତ ବର୍ଷ କୋଣାର୍କ ମନ୍ଦିର ଶୈଳୀରେ ଏହାର ପ୍ରବେଶ ପଥଟି ହୋଇଛି । ଚଳିତ ବର୍ଷ ଷ୍ଟଲ ସଂଖ୍ୟା ୪୨୦ରେ ପହଞ୍ଚôୁ ଥିବାବେଳେ ଗତ ବର୍ଷ ଏହାର ସଂଖ୍ୟା ଥିଲା ୩୫୦ । ଗତ ବର୍ଷର ଗାଁ କୁଡ଼ିଆର ପ୍ରବେଶ ପଥର ତୋରଣ ସମସ୍ତଙ୍କର ଆଖି ଝଲସାଇ ଦେଇଥିଲା ଓ ଲୋକମାନେ ବାଲିଯାତ୍ରାର ଘୋ ଘା ଭିତରେ ଗାଁ କୁଡ଼ିଆର ଏକ ଜୀବନ୍ତ ଅନୁଭୂତି ପାଉଥିଲେ । ସେହିପରି ଚଳିତ ବର୍ଷର କୋଣାର୍କ ମନ୍ଦିରର ମୁଖଶାଳା ସମଗ୍ର ବିଶ୍ୱରେ ଓଡ଼ିଶାର ସ୍ଥପତି ଓ ଭାସ୍କର୍ଯ୍ୟର ମହାନ ଗାଥାକୁ ଆହୁରି ଉଚ୍ଚ ସୋପାନକୁ ନେଇଯିବ । ତିନିଲକ୍ଷ ବର୍ଗଫୁଟ ଅଞ୍ଚଳରେ ଚଳିତ ବର୍ଷ ଓରମାସର ଷ୍ଟଲ ପ୍ରସ୍ତୁତ ହୋଇଛି । ଏଠାରେ ଫୁଡ ଷ୍ଟଲ ଠାରୁ ଆମ ସ୍ୱୟଂ ସହାୟକ ସଂଗଠନର ଭଉଣୀ ମାନଙ୍କ ତନ୍ତବୁଣା ଶାଢ଼ୀ, ସେଲଫି ପଏଣ୍ଟରୁ ଗାଁ ହେଉ ବା ବିଦେଶୀ ମାଟିର ଘରୋଇ ଓ ଆକର୍ଷଣୀୟ ଭଳିକି ସାମଗ୍ରୀ ସହ ଓରମାସର ସ୍ୱତନ୍ତ୍ର ପ୍ରସ୍ତୁତ ଅନେକ ସାମଗ୍ରୀକୁ ମହିଳା ଗୋଷ୍ଠୀ ଭଉଣୀମାନେ ଉପସ୍ଥାପନ କରିବେ । ଅନେକ ପରମ୍ପରା ସ୍ମୃତି ବିଜଡ଼ିତ ସାମଗ୍ରୀ ଓ ଦୁଃସ୍ପପ୍ରାପ୍ୟ ହୋଇଯାଉଥିବା ଖାଦ୍ୟର ଭଳିକି ଭଳି ପସାରା ଓରମାସ ଷ୍ଟଲରେ ଉପଲବ୍ଧ ହେବ । ଚଳିତ ବର୍ଷ ସମଗ୍ର ଭାରତର ୨୨ଟି ରାଜ୍ୟ ଓ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ବିଭିନ୍ନ ଷ୍ଟଲ ସାମିଲ ହେବେ ସେମାନଙ୍କ ସହିତ ମିଶନ ଶକ୍ତି, ନାବାର୍ଡ଼, ଟେକ୍ସଟାଇଲ ଓ ବିଭିନ୍ନ ଶିଳ୍ପ କେନ୍ଦ୍ରର ଷ୍ଟଲ ବଡ଼ ଅକାର୍ଷଣ କେନ୍ଦ୍ରବିନ୍ଦୁ ପାଲଟିବେ । ୩୦ଟି ସୁସ୍ୱାଦୁ ଖାଦ୍ୟ ଷ୍ଟଲ ଓରମାସ ପରିସରରେ ଖାଦ୍ୟପ୍ରେମୀ ମାନଙ୍କୁ ଆକୃଷ୍ଟ କରିବ ନିଶ୍ଚୟ । କେବଳ ଓଡ଼ିଶା ଖାଦ୍ୟ ନୁହେଁ ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ ଓ ପଶ୍ଚିମବଙ୍ଗର ଖାଦ୍ୟ ସବୁ ମଧ୍ୟ ଏହି ଷ୍ଟଲରେ ଉପଲବ୍ଧର ବ୍ୟବସ୍ଥା ରହିଛି । ଓଡ଼ିଶାରେ ଚଳିତ ବର୍ଷ ବିଶ୍ୱ ମିଲେଟ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିବାରୁ ଏବଂ ଲୋକମାନଙ୍କ ଭିତରେ ମିଲେଟ ପ୍ରତି ଦୁର୍ବଳତା ଦିନକୁ ଦିନ ବଢ଼ୁଥିବାରୁ ଚାରଟି ଷ୍ଟଲରେ କେବଳ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ମିଳିବା ସହ ଅନ୍ୟ ୨୫ ପ୍ରକାର ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମଧ୍ୟ ମିଳିବ । ୨୦୧୯-୨୦ରେ ଓରମାସ ୧୮.୪୭ କୋଟି ଟଙ୍କାର ବେପାରବଟା କରିଥିବାବେଳେ ୨୦୨୦-୨୧, ଓ ୨୦୨୧-୨୨ ମହାମାରୀ କରୋନା ପାଇଁ ବାଲିଯାତ୍ରା ଅନୁଷ୍ଠିତ ହୋଇନଥିଲା । ଗତ ବର୍ଷ ୨୪.୫୬ କୋଟିର ବେପାର ହୋଇଥିବାବେଳେ ଚଳିତ ବର୍ଷ ୪୦ କୋଟିରୁ ଊଦ୍ଧ୍ୱର୍ କିଣା ବିକା ହେବାର ଅନୁମାନ କରାଯାଉଛି । 
ହଜାର ବର୍ଷର ପରିଚୟରେ ସମୃଦ୍ଧ କଟକ ସହରର ବାଲିଯାତ୍ରା ସମୟରେ ସହର ଓ ସହର ଆଖପାଖ ଅଞ୍ଚଳର ଝିଅ ଝିଆଣୀମାନେ ବାପ ଘରକୁ ଆସିଥାନ୍ତି କେବଳ ବାଲିଯାତ୍ରା ପାଇଁ । ବନ୍ଧୁଘର ସଜ ହେଉ ବା ଝିଅ ବାହାଣୀ ପାଇଁ ଘର ଯୋଗାଡ଼ ଜିନିଷ, ମାଛ ଜାଲ ହେଉ ବା ହରେକ ରକମର କାଠ ସାମଗ୍ରୀ, ଲୁଗାପଟା ଠାରୁ ସବୁକିଛି.... ସବୁକିଛି ଏଇଠି ପାଇବେ । ଓଡ଼ିଶା ସରକାର ବାଲିଯାତ୍ରାର ବିଶ୍ୱସ୍ତରୀୟ ପ୍ରଚାର ପ୍ରସାର କରିବା ସହ ଏହାର ପୃଷ୍ଠପୋଷକତା ମଧ୍ୟ କରୁଛନ୍ତି । ବାଲିଯାତ୍ରା ସତରେ କଟକିଆଙ୍କ ପାଇଁ ଏକ ଭାବଗତ ଓ ପ୍ରାଣଗତ ପାର୍ବଣର ଅନ୍ୟତମ ବଡ଼ ଉତ୍ସ୍ୱାସ କହିଲେ ଅତୁ୍ୟକ୍ତି ହେବନାହିଁ । ଅନେକ ଥାନ୍ତି ବାଲିଯାତ୍ରାରେ ସାଙ୍ଗସାଥିଙ୍କ ମେଳରେ କ'ଣ ଟିକିଏ ଭଲ ଜିନିଷ ଖାଇବାକୁ, ଘର ପାଇଁ କଣ ଟିକିଏ କିଣିବାକୁ ଆଉ ପ୍ରେମୀଯୁଗଳଙ୍କ ପ୍ରେମ ସନ୍ତକ ମଧ୍ୟ ସବୁଦିନର ଏହି ନିର୍ଜନ ପଡ଼ିଆ ବାଲିଯାତ୍ରାର ଘୋ ଘା ଭିତରେ ପ୍ରଥମ ସ୍ମୃତିକୁ ଟାଣି ନେଇଯାଏ କିଛି କ୍ଷଣ । କେବଳ ସେତିକି ନୁହେଁ ଘରେ ବାପାମାଆଙ୍କ ପାଇଁ ତାଙ୍କ ମନ ପସନ୍ଦର ବି ଜିନିଷ କିଣାଯାଏ ଆଉ ଘରର ଆଦରର କୁନି କୁନି ପିଲାଙ୍କ ପାଇଁ ମଧ୍ୟ ବାପା ମାଆ ମାନେ ଖୋଜି ଖୋଜି କିଣିଥାନ୍ତି ସତରେ ବାଲିଯାତ୍ରା ପରି ଏପରି ବିଶାଳ ମହା ପାର୍ବଣର ଏକ ଯାତ୍ରା ଭାରତରେ କ'ଣ ସମଗ୍ର ବିଶ୍ୱରେ ବିରଳ । ସବୁଦିନ ଶୂନଶାନ ପରି ମୁକ ପାଲଟି ଯାଉଥିବା ନଈକୂଳର ଏହି ବାଲି କଣିକା ପାଖାପାଖି ବାଲିଯାତ୍ରା ପୂର୍ବ ଓ ପରକୁ ମିଶାଇ ଦେଲେ ପନ୍ଦର ଦିନରୁ ଊଦ୍ଧ୍ୱର୍ ଘୋ ଘାରେ ଫାଟି ପଡ଼େ । ଏକ ନିଆରା ଅନୁଭବ ନେଇ ବାଲିଯାତ୍ରା ସଦର୍ପେ ନଈପଠାରେ ସୁନ୍ଦରୀ ସାଜିଛି  । ଖାଲି ଖାଲି ଲାଗୁଥିବା ମହାନଦୀର ଏହି ନିର୍ଜନ ପଠା ଜୀବନ ଜୀବିକାକୁ ନେଇ ବେଶ୍ ବ୍ୟସ୍ତବହୁଳ  । ରଙ୍ଗବେରଙ୍ଗ ଆଲୋକର ମେଖଳା ଭିତରେ ଦୂର ଅତୀତର ଗୌରବମୟ ଉକ୍ରଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବିଜଡ଼ିତ ପଦଚିହ୍ନ ବେଶ୍ ଭାବଗର୍ଭକ  । ନଈପଠାରେ ଅତୀତ ଗୌରବର ସ୍ମୃତି ବିଜଡ଼ିତ  ମହାପାର୍ବଣର ଏହି ଭବ୍ୟ ସମାରୋହର ଅନୁଭୂତି ବାସ୍ତବରେ ଅନୁପମ!
ତୁଳସୀପୁର, କଟକ