ପ୍ଲାଷ୍ଟିକ ପାର୍କ ବନାମ ପ୍ଲାଷ୍ଟିକ ପ୍ରଦୂଷଣ
ଦିନ ଥିଲା ଯେତେବେଳେ କି ପ୍ଲା୍ଷ୍ଟିକ୍କୁ ମନୁଷ୍ୟ ସମାଜ ପାଇଁ ଏକ ବରଦାନ ବୋଲି ଭାବୁଥିଲା । ହେଲେ ସମୟକ୍ରମେ ଏହାର ବ୍ୟବହାର ଏତେ ବଢ଼ିଗଲା ଯେ ବର୍ତ୍ତମାନ ପ୍ଲାଷ୍ଟିକ୍ କେବଳ ମନୁଷ୍ୟ ନୁହେଁ ଜୀବଜଗତ ଏବଂ ପ୍ରାଣୀଜଗତ ପାଇଁ ଏକ ଅଭିଶାପରେ ପରିଣତ ହେଲାଣି ।
ପ୍ରାୟ ଦୁଇ ଦଶନ୍ଧି ତଳେ ଦେଶର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ୍ ପାର୍କ୍ ଖୋଲିବା ପାଇଁ ସରକାର ଯୋଜନା କରୁଥିଲେ । ପ୍ଲାଷ୍ଟିକ୍ରେ ବିଭିନ୍ନ ପଦାର୍ଥର ଉତ୍ପାଦନ ନିମିତ୍ତ ପ୍ଲାଷ୍ଟିକ୍ ଶିଳ୍ପ ଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଥିଲା । ସମୟକ୍ରମେ ଏହାର ବ୍ୟବହାର ବହୁପରିମାଣରେ ବଢ଼ିଯିବା ହେତୁ ବର୍ଜ୍ୟ ପ୍ଲାଷ୍ଟିକ୍ ଖୋଲା ପରିବେଶରେ ଜଳ, ବାୟୁ, ମାଟି ଆଦି ସହିତ ମିଶି ଭୟଙ୍କର ରୋଗ ସୃଷ୍ଟିର କାରଣ ହୋଇପଡ଼ିଲା । ଏବେ ସମଗ୍ର ବିଶ୍ୱରେ ପ୍ଲାଷ୍ଟିକ୍ ଏକ ଆତଙ୍କରେ ପରିଣତ ହୋଇଯାଇଛି ।
ନିକଟରେ ଦକ୍ଷିଣ କୋରିଆର ବୂଶନ୍ ଠାରେ ଅନୁଷ୍ଠିତ ପଞ୍ଚମ ଜାତିସଂଘ ଆନ୍ତଃ ସରକାରୀ ଚୁକ୍ତିବଦ୍ଧ ଆଲୋଚନାକାରୀ କମିଟି ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ବକୁ ଠାରେ ଆର୍ନ୍ତଜାତୀୟ ଜଳବାୟୁ ସମ୍ମିଳନୀରେ ସମଗ୍ର ପୃଥିବାରୁ ପ୍ଲାଷ୍ଟିକ୍ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ତେବେ ବୂଶନ ଠାରେ ଦୁଇଶହରୁ ଅଧିକ ଦେଶର ପ୍ରତିନିଧିମାନେ ଯୋଗ ଦେଇଥିଲେ ମଧ୍ୟ ସପ୍ତାହେ କାଳ ଆଲୋଚନା କରି ପ୍ଲାଷ୍ଟିକ୍ର ଉତ୍ପାଦନକୁ ହ୍ରାସ କରିବା ପାଇଁ କୌଣସି ନିଷ୍ପତ୍ତି ନେଇନପାରି ଆଲୋଚନା ଶେଷ ହୋଇଥିଲା । ଉଭୟ ବୂଶନ ଓ ବକୁ ବୈଠକରୁ ଜଣାପଡୁଛି ଯେ ଆର୍ନ୍ତଜାତୀୟ ସ୍ତରରେ ପ୍ଲାଷ୍ଟିକ୍ର ପ୍ରଦୂଷଣକୁ ଏକ ଗମ୍ଭୀର ପ୍ରସଙ୍ଗ ଭାବରେ ଗ୍ରହଣ କରାଯାଉନାହିଁ । ଭାରତ, ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକା ଭଳି ରାଷ୍ଟ୍ର ଗୁଡ଼ିକରେ ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ଉପରେ କଟକଣା ଲଗାଯାଉଛି । ବିଶେଷ କରି ପ୍ଲାଷ୍ଟିକ୍ ଆବର୍ଜନାର ପରିଚାଳନା କ୍ଷେତ୍ରରେ ପଲିଥିନ୍, କ୍ୟାରିବ୍ୟାଗ, ବିଭିନ୍ନ ଖାଦ୍ୟ ପଦାର୍ଥର ପ୍ଲାଷ୍ଟିକ୍ ପ୍ୟାକିଂ, ଜରି, ପ୍ଲାଷ୍ଟିକ୍ ଫୋମ୍ ଭଳି ପଦାର୍ଥର ବ୍ୟବହାର, ଏସବୁକୁ ଖୋଲା ପରିବେଶରେ ଅଳିଆ ଭାବରେ ଫୋପାଡ଼ିବା, ପୁନଃ ପ୍ରକ୍ରିୟାକରଣ ପ୍ଲାଷ୍ଟିକ୍ର ଶରୀର ପ୍ରତି ଥିବା ବିପଦ ଆଦି ବିଭିନ୍ନ ପ୍ରକାରର ସମସ୍ୟା ଜନବହୁଳ ଦେଶ ଗୁଡ଼ିକରେ ସର୍ବାଧିକ ।
ଭାରତ ଭଳି ଏକ ବିବିଧତାରେ ପରିପୂର୍ଣ୍ଣ ଦେଶରେ ପ୍ଲାଷ୍ଟିକ୍କୁ ନେଇ ତିନି ପ୍ରକାରର ଲୋକ ଦେଖାଯାଆନ୍ତି । ପ୍ରଥମ ଗୋଷ୍ଠୀ ସଚେତନ ଏବଂ ସେମାନେ ପ୍ଲାଷ୍ଟିକ୍ର ବ୍ୟବହାରକୁ ଯଥାସମ୍ଭବ ଆଡ଼େଇ ଯିବାକୁ ଚେଷ୍ଟା କରନ୍ତି । ଦ୍ୱିତୀୟ ଗୋଷ୍ଠୀର ଲୋକ ପ୍ଲାଷ୍ଟିକ୍ ସମ୍ପର୍କିତ ସାମାନ୍ୟ ସଚେତନ ଏବଂ ଥରେ ବ୍ୟବହାର ପରେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ପୁନଃବ୍ୟବହାର ନକରି ଅଳିଆ ଭାବରେ ଫିଙ୍ଗନ୍ତି । ତୃତୀୟ ଶେଣୀର ଲୋକେ ଏ ସମ୍ପର୍କରେ ଆଦୌ ସଚେତନ ନଥାନ୍ତି ଏବଂ ଫିଙ୍ଗା ହୋଇଥିବା ପ୍ଲାଷ୍ଟିକ୍ର କିଛି ଅଂଶକୁ ଗୋଟେଇ ଆଣନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ପରିବେଶ ଭଳି ସମସ୍ୟାରେ ଜର୍ଜରିତ ହେଉଥିବା ସମାଜ ପ୍ଲାଷ୍ଟିକ୍କୁ ବାରମ୍ବାର ବ୍ୟବହାର କରିବା ସହିତ ଏହାର ପୁନଃ ବ୍ୟବହାର, ଏହାକୁ ଯେଉଁଠି ଇଚ୍ଛା ସେଇଠି ଫୋପାଡ଼ିବା ଭଳି ଆଚରଣ କରିଥାନ୍ତି । ପଲିଥିନ୍ ଗାଈ ଭଳି ତୃଣଭୋଜି ପ୍ରାଣୀମାନଙ୍କର ପାକସ୍ଥଳୀରୁ ବାହାରିଲାଣି । ଏହା ତ ଅତ୍ୟନ୍ତ ମାରାତ୍ମକ କଥା । ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥକୁ ପଲିଥିନ୍ରେ ଆଣିବା ପରେ ତାକୁ ବାହାରେ ଫୋପାଡ଼ି ଦେବା ଦ୍ୱାରା ଖାଦ୍ୟ ପଦାର୍ଥର ବାସନାରେ ଗାଈ ଭଳି ତୃଣଭୋଜି ପ୍ରାଣୀ ପଲିଥିନ୍କୁ ଚୋବାଇ ଖାଇ ଯାଉଛନ୍ତି । କିନ୍ତୁ ଏହା ସେମାନଙ୍କ ପକ୍ଷରେ ହଜମ୍ ହେଉନାହିଁ; ବରଂ ପାକସ୍ଥଳୀରେ ଜମି ରହୁଛି ।
ସାମଗ୍ରିକ ଭାବରେ ଏଭଳି ସମସ୍ୟା ସବୁ ଦେଖା ଯାଉଥିବା ବେଳେ ବର୍ତ୍ତମାନ ପ୍ଲାଷ୍ଟିକ୍ ପାର୍କ୍ର ଚିନ୍ତା ମଧ୍ୟ ଆଉ କରାଯାଇପାରୁନାହିଁ । ଏହାର ବିକଳ୍ପ ଭାବରେ କଣ କରାଯାଇପାରିବ, ସେ ଦିଗରେ ବୈଜ୍ଞାନିକମାନେ ଗବେଷଣା କରିବା ଆବଶ୍ୟକ ।