ବଉଳ ଅମାବାସ୍ୟା
ପୌଷମାସ ଅମାବାସ୍ୟା ଦିନ ବଉଳ ଅମାବାସ୍ୟା ପଡ଼ିଥାଏ । ପାରମ୍ପରିକ ରୀତିରେ ଏହି ଦିନଟିକୁ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ଆବହମାନ କାଳରୁ ପାଳିତ ହୋଇଆସୁଛି । ବସନ୍ତର ଆଗମନୀର ସୂଚନା ଦେଇ ଆମ୍ବ ଗଛ ଗୁଡ଼ିକ କୁସୁମିତ ହୋଇ ଉଠୁଥିବା ସମୟରେ ପ୍ରକୃତି ଯେଉଁ ନୂତନ ପୁଲକରେ ପୁଲକିତ ହୁଏ ବଉଳ ଅମାବାସ୍ୟା ପର୍ବ ପ୍ରକୃତି ପ୍ରାଣ ଓଡ଼ିଆ ଜୀବନରେ ତାର ଏକ ପ୍ରତିଫଳନ କହିଲେ ଅତୁ୍ୟକ୍ତି ହେବନାହିଁ । ଆମ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଶା ଭାଷାର ଦୁଇଟି ଅନ୍ତରଙ୍ଗ, ସାଂସ୍କୃତିକ ଶବ୍ଦ ହେଉଛି ବଉଳପାଟ ଓ ପାଞ୍ଚô । ପାଞ୍ଚô ହେଉଛି ବିବାହ ବେଦୀରେ ବର ପିନ୍ଧୁଥିବା ହଳଦିଆ ବା ନାଲି ଧଡ଼ିଆ ଲୁଗାଯୋଡ଼ । ବ୍ରତବେଦୀରେ ନବବ୍ରହ୍ମଚାରୀ ପିନ୍ଧୁଥିବା ଏହି ଧରଣର ଲୁଗାଯୋଡ଼କୁ ମଧ୍ୟ ପାଞ୍ଚô କୁହାଯାଏ । ସମ୍ଭବତଃ ଏହାର ଲମ୍ବ ପାଞ୍ଚ ହାତ ହୋଇଥିବାରୁ ଏହାକୁ ପାଞ୍ଚô କୁହାଯାଇଥାଏ ବୋଲି ଗୋଟିଏ ମତ ଅଛି । ସେହିପରି ବିବାହବେଦୀରେ କନ୍ୟା ପିନ୍ଧୁଥିବା ଶାଢ଼ିର ନାମ ବଉଳପାଟ । ଏହି ଶାଢ଼ିର ରଙ୍ଗ ମୁଖ୍ୟତଃ ହଳଦିଆ ହୋଇଥାଏ । ସମ୍ଭବତଃ ଆମ୍ବ ବଉଳର ରଙ୍ଗ ସହ ସାମ୍ୟ ଥିବାରୁ ଏହାର ନାମ ବଉଳପାଟ ହୋଇଛି । ଏହି ବଉଳପାଟ ଓ ପାଞ୍ଚôକୁ ନେଇ ବିବାହ ବିଧିରେ ଏକ ବିଶେଷକୃତ୍ୟ ହୋଇଥାଏ । ଏହାକୁ ଗଇଣ୍ଠାଳ ବା ବାହା ଗଇଣ୍ଠାଳ କୁହାଯାଏ । ଏଥିରେ ବିବାହ କର୍ମର ଏକ ବିଶେଷ ବିଧାନ ରୂପେ ବର ପିନ୍ଧିଥିବା ପାଞ୍ଚôର ଉତ୍ତରୀୟ ସହିତ କନ୍ୟା ପିନ୍ଧିଥିବା ବଉଳପାଟର ଓଢ଼ଣିକୁ ଏକାଠି ମିଶାଇ ଗଣ୍ଠି ପକାଇ ଦିଆଯାଏ । ଏହା ବାହା ଗଇଣ୍ଠାଳ । ବିଧି ଅନୁସାରେ, ବିବାହ ପରବର୍ତ୍ତୀ ଶୁକ୍ଳ ଦ୍ୱିତୀୟା ଦିନ ବର ଓ କନ୍ୟାଙ୍କର ଚନ୍ଦ୍ର ବନ୍ଦାପନା ପରେ ଏହି ଗଇଣ୍ଠାଳ ଫିଟାଇଥାଏ । ତେବେ କେତେକ ଅଞ୍ଚଳରେ ସପ୍ତମଙ୍ଗଳା ଦିନ ଏହି ଗଇଣ୍ଠାଳ ଫିଟାଯାଉଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ବିବାହର ଏକ ବର୍ଷ ପରେ ଯାଇ ଏହି ଗଇଣ୍ଠାଳ ଫିଟା ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରର ରୁକ୍ମିଣୀ ବିବାହ ନୀତିରେ ଏହା ଏକ ସ୍ୱତନ୍ତ୍ର ବିଧି ରୂପେ ପାଳିତ ହୁଏ । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ରୁକ୍ମିଣୀ ହରଣ ଓ ରୁକ୍ମିଣୀ ବିବାହ ନୀତି ଅନୁଷ୍ଠିତ ହେଉଥିବା ବେଳେ, ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନନୀତି ଅନୁଷ୍ଠିତ ହୋଇଥାଏ । ସ୍ନାନଯାତ୍ରା ଦିନ ଅଣସର ନୀତି ଆରମ୍ଭ ହୋଇ ତାପରେ ଶ୍ରୀଗୁଣ୍ଡିଚା ଯାତ୍ରା ହେଉଥିବାରୁ ଶ୍ରୀଜଗନ୍ନାଥ ଗୁଣ୍ଡିଚାଘରୁ ଫେରିବା ପରର ନୀଳାଦ୍ରି ବିଜେ ଦିନ ହିଁ ରୁକ୍ମିଣୀ ବିବାହର ଏକ ଗଇଣ୍ଠାଳ ଫିଟାଯାଇଥାଏ । ଓଡ଼ିଆ ସାମାଜିକ ଓ ଜନଜୀବନ କ୍ଷେତ୍ରରେ ବଉଳ ଆମାବାସ୍ୟା ଏକ ନିଜସ୍ୱ ଲୌକିକ ପର୍ବ । ମନେପଡ଼ୁଛି ଲୋକପ୍ରିୟ ଓଡ଼ିଆ ଶିଶୁଗୀତଟି - "ଆମ୍ବ ବଉଳଇ ଫଗୁଣ ମାସେ, ଦିଗ ଚହଟଇ ତାର ସୁବାସେ ।'
କଟକ