‘ଜୀବନ ହେଉଛି ଦୁଃଖପୂର୍ଣ୍ଣ । କାମନା ହିଁ ସମସ୍ତ ଦୁଃଖର କାରଣ । କାମନାର ବିନାଶରେ ଦୁଃଖର ବିନାଶ ହୋଇଥାଏ । ନୀତିମୟ ଜୀବନଯାପନ ଦ୍ୱାରା ହିଁ କାମନାର ବିନାଶ ଘଟିବା ସହିତ ନିର୍ବାଣ ପ୍ରାପ୍ତି ହୋଇଥାଏ ।' ଏହି ବୌଦ୍ଧ ସିଦ୍ଧାନ୍ତର ଦିବ୍ୟମୟ ଅନୁଚିନ୍ତନ ସମଗ୍ର ମାନବ ସମାଜ ପ୍ରତି ଏକ ଦିବ୍ୟବାଣୀ ନିଶ୍ଚୟ । ବୌଦ୍ଧ ଧର୍ମ ସାର୍ବଜନୀନ ତଥା ବ୍ୟାପକ ହୋଇଥିବାରୁ କେବଳ ଓଡ଼ିଶା, ଭାରତ ନୁହେଁ ବରଂ ସମଗ୍ର ପୃଥିବୀରେ ଏହା ଏକ ବିଶିଷ୍ଟ ଧର୍ମରୂପେ ଲୋକାଦୃତ ଓ ପରିଚିତ । ଓଡ଼ିଶାର ଇତିହାସରୁ ଯାହା ଜଣାଯାଏ କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେବା ପୂର୍ବରୁ ବୌଦ୍ଧ ସନ୍ନ୍ୟାସୀମାନେ ବିଭିନ୍ନ ବସତି ସ୍ଥାପନ କରି ଏହି ଧର୍ମର ପ୍ରଚାର କରିଥିଲେ । ସେ ସମୟର ଉଦ୍ଭାସିତ ବୌଦ୍ଧ ଆଲୋକ ଏବେବି ନିର୍ବାପିତ ହୋଇନାହିଁ । ବୁଦ୍ଧ ଜୟନ୍ତୀର ଅନ୍ତର୍ନିହିତ ତାତ୍ପର୍ଯ୍ୟ ହେଉଛି ଯେ ଏହି ଦିନ ଗୌତମ ବୁଦ୍ଧ ଯେ କେବଳ ଜନ୍ମଗ୍ରହଣ କରିଥିଲେ ତାହାନୁହେଁ ସେହି ଦିନ ସେ ବୁଦ୍ଧତ୍ୱ ପ୍ରାପ୍ତ ହେବା ସହ ନିର୍ବାଣ ବା ମୋକ୍ଷ ମଧ୍ୟ ପ୍ରାପ୍ତ ହୋଇଥିଲେ । ବୁଦ୍ଧଦେବଙ୍କ ସାଧନାର ସିଦ୍ଧିପ୍ରାପ୍ତି ଆଜି ଠାରୁ ଅଢ଼େଇ ହଜାର ବର୍ଷରୁ ଊଦ୍ଧ୍ୱର୍ ହେବ । ଅଦ୍ୟାବଧି ଓଡ଼ିଆମାନେ ନାନା ଭାବରେ ବୌଦ୍ଧଧର୍ମର ସିଦ୍ଧାନ୍ତକୁ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟ ଓ ଆଚାର ବ୍ୟବହାର କ୍ଷେତ୍ରରେ ପ୍ରୟୋଗ କରି ଆସିଛନ୍ତି । ଏହା ଅନ୍ୟାନ୍ୟ ବହୁ ଧର୍ମକୁ ଶୀଳ, ସମାଧି, ପ୍ରଜ୍ଞା ସୂତ୍ରରେ ତଥା ସତ୍ୟ, ଅହିଂସା ଓ କରୁଣାର ବାଣୀ ପ୍ରଚାର କରି ଯେପରି ପ୍ରଭାବିତ କରିପାରିଛି, ସେହିପରି ଅନ୍ୟାନ୍ୟ ବହୁ ଧର୍ମ ଦର୍ଶନ ଆଦର୍ଶ ଦ୍ୱାରା ମଧ୍ୟ ପ୍ରଗତିଶୀଳ ସାମାଜିକ ମୂଲ୍ୟବୋଧ କ୍ଷେତ୍ରରେ ପରିମାର୍ଜିତ ହୋଇଛି । ମାତ୍ର ବୌଦ୍ଧ ସିଦ୍ଧାନ୍ତର ଉପରୋକ୍ତ ମୌଳିକତା ଯେପରି ଚିରନ୍ତନ ଏବଂ ଅପରିବର୍ତ୍ତନୀୟ ସେହିପରି ଦୃଢ଼ ଓ ଭାସ୍କର ।
ବୌଦ୍ଧ ଧର୍ମରେ ନୈତିକ ଜୀବନଯାପନ, ସମାଧି ଓ ପ୍ରଜ୍ଞା ଉପରେ ଗୁରୁତ୍ୱ ଦିଆଯାଇ ମାନବିକତାର ଅଭିବୃଦ୍ଧି ପାଇଁ ସାଧନର ଧାରା ଉଲ୍ଲେଖ ରହିଛି । ବୌଦ୍ଧ ପରମ୍ପରାରେ ପର୍ବପର୍ବାଣି ଓ ଆଡ଼ମ୍ବର ମହୋତ୍ସବ ଖୁବ୍ କମ୍ । ତେବେ ଆରାଧନା, ଧ୍ୟାନ, ଉପାସନା ଓ ଅଧ୍ୟବସାୟ ପାଇଁ ସାଧନା ପଥରେ ଯେଉଁ ପବିତ୍ରତା ଆବଶ୍ୟକ ତାହାର ଆଚରଣ ବିଧିପାଇଁ ସାରା ବର୍ଷର ପ୍ରତ୍ୟେକ ମାସର ପୂର୍ଣ୍ଣିମା ତିଥିରେ ବୌଦ୍ଧଧର୍ମାବଲମ୍ବୀଙ୍କ ପାଇଁ ଅତ୍ୟନ୍ତ ପୁଣ୍ୟ ଦିବସ ଭାବେ ପରିଚିତ ହୋଇଥାଏ । ଏହିସବୁ ପୂର୍ଣ୍ଣିମା ଭିତରେ ବୈଶାଖ ମାସରେ ପଡ଼ୁଥିବା ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା ସବୁଠାରୁ ଶ୍ରେଷ୍ଠ । ବୁଦ୍ଧଦେବ କୌଣସି ଏକ ଧର୍ମ-ପ୍ରତିଷ୍ଠା କରିବା ପରିକଳ୍ପନା କରି ନଥିଲେ । ସେ "ବୋଧି' ବା "ଜୀବନର ସତ୍ୟ' ଆବିଷ୍କାର କରିବା ପରେ ପରେ ତାଙ୍କ ପଛେ ପଛେ ଏତେ ଲୋକ ଏବଂ ଏତେ ପ୍ରକାର ଲୋକ ଅନୁଗାମୀ ହେଲେ ଯେ ସେ ବାଧ୍ୟ ହୋଇ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସେମାନଙ୍କୁ "ସଂଘବଦ୍ଧ' ହେବାକୁ ଉପଦେଶ ଦେଲେ ଏବଂ ସେମାନଙ୍କ ସନ୍ୟାସ ଏବଂ ଗାର୍ହସ୍ଥ୍ୟ ଜୀବନ ପାଇଁ ଟିକିନିଖି ନୀତିନିୟମ ପ୍ରଣୟନ କରି ଚାଲିଲେ । ତାହା ହିଁ "ତ୍ରିପିଟକ'ର ବିନୟ ପିଟକ । ଭଗବାନ ବୁଦ୍ଧଙ୍କ ପାଇଁ କୋଟି କୋଟି କଣ୍ଠରେ ନିନାଦିତ ହେଉଛି - "ବୁଦ୍ଧଂ ଶରଣଂ ଗଚ୍ଛାମି । ସଂଘଂ ଶରଣଂ ଗଚ୍ଛାମି । ଧର୍ମଂ ଶରଣଂ ଗଚ୍ଛାମି ।' ଗୌତମ ବୁଦ୍ଧ ବିଶ୍ୱରେ ଏବେ ମଧ୍ୟ ସର୍ବଶ୍ରେଷ୍ଠ ମନୀଷୀଭାବରେ ସଂପୂଜିତ । ମାନବ ଜୀବନ ଦିଗନ୍ତ ତାଙ୍କର ଚିନ୍ତାଚେତନାର ଅବଦାନରେ ସମୁଦ୍ଭାସିତ । ସର୍ବପ୍ରଥମ ଐତିହାସିକ ପୁରୁଷଭାବରେ ତାଙ୍କର ଶାଣିତ ବୌଦ୍ଧିକ ପ୍ରତିଭା ମାଧ୍ୟମରେ ଜୀବନକୁ ବିଶ୍ଲେଷଣ କରି ମୈତ୍ରୀ, ପ୍ରେମ ଓ କରୁଣାର ଅନୁଶୀଳନିମିତ୍ତ ସେ ମାନବଜାତିକୁ ଆହ୍ୱାନ କରିଅଛନ୍ତି । ତାଙ୍କ ମତରେ ନିର୍ବାଣ ହେଉଛି କାମ, ସ୍ୱାର୍ଥ, ନିର୍ବୋଧତା ଓ ଅଜ୍ଞତାର ଧ୍ୱଂସ ସାଧନ । ତାହାହେଲେ ମନୁଷ୍ୟର ପ୍ରାଣରେ ଦିବ୍ୟଚେତନାର ଉଦ୍ରେକ ହେବ । ତାଙ୍କ ମତରେ ଉପଲବ୍ଧ ତତ୍ତ୍ୱକୁ ଆଚରଣରେ ପ୍ରଦର୍ଶନ କରିବା ହିଁ ଧର୍ମ । ବୌଦ୍ଧଧର୍ମ ମାନବିକ ପ୍ରୀତି, ପ୍ରତ୍ୟୟ ଓ ଭ୍ରାତୃତ୍ୱ ଉପରେ ଜୀବନକୁ ଆଧାରିତ କରାଇ ମଣିଷକୁ ଭୂମାପ୍ରତି ସମାକୃଷ୍ଟ କରିଛି । କାଳକ୍ରମେ ବୌଦ୍ଧଧର୍ମ ହୀନଯାନ ଓ ମହାଯାନରେ ବିଭକ୍ତ ହୋଇଥିଲା । ହୀନଯାନୀମାନଙ୍କ ମତରେ ତଥାଗତଙ୍କ ଦ୍ୱାରା ଓ ମହାଯାନରେ ଅଷ୍ଟାଙ୍ଗିକ ମାର୍ଗର ଯଥାର୍ଥ ଅନୁଶୀଳନଦ୍ୱାରା ମାନବ ଜ୍ଞାନପ୍ରାପ୍ତ ହୋଇ ନିର୍ବାଣ ଲାଭକରେ । ମାତ୍ର ମହାଯାନୀମାନେ କହନ୍ତି ଅଷ୍ଟାଙ୍ଗିକ ମାର୍ଗର ସାଧନା ଜୀବନ ପଥଚାରୀ ସାଧାରଣ ସଂସାରୀ ପକ୍ଷରେ ସୁକଠିନ । ମାତ୍ର ଅସଂଖ୍ୟ ମାନବଜନ୍ମରେ ଦାନ-ଧ୍ୟାନ, ଦୟା-କ୍ଷମା, ତେଜଃ-ବୀର୍ଯ୍ୟର ଅନୁଗାମୀ ହେବାଦ୍ୱାରା ସେ ମହାପ୍ରଜ୍ଞା ଓ ମହାକରୁଣାର ଅଧିକାରୀ ହୁଏ । ବୁଦ୍ଧଙ୍କ ମତରେ ଜୀବନ ଏକ ସନ୍ଧାନ-ଏକ ଅନ୍ୱେଷଣ । ବ୍ୟକ୍ତି ନିଜର କ୍ଷୁଧା ଓ ଉଦ୍ଦୀପନା ସକଳ ଉପରେ କର୍ତ୍ତୃତ୍ୱ ଲାଭ କଲେ ତାର ଅନ୍ୱେଷଣ ସାଫଲ୍ୟ ଲାଭ କରେ । ତାଙ୍କ ମତରେ, କ୍ଷତାକ୍ତ ପାଇଁ ପ୍ରଲେପ ଅଛି । କ୍ଷୁଧିତନିମିତ୍ତ ଆହାର ଅଛି । ତୃଷାର୍ତ୍ତନିମିତ ଜଳ ଅଛି । ନୈରାଶ୍ୟଗ୍ରସ୍ତ ନିମିତ୍ତ ଆଶାର ସ୍ପର୍ଶ ଅଛି । ଅନ୍ଧକାରରେ ଥିବା ବ୍ୟକ୍ତିମାନଙ୍କ ନିମିତ୍ତ ଆଲୋକ ଅଛି । ଯେଉଁମାନେ ସାଧୁ ଓ ନ୍ୟାୟପରାୟଣ ସେମାନଙ୍କ ନିମିତ୍ତ ଆଶୀର୍ବାଦର ଅସମାପ୍ତ ନିର୍ଝର ରହିଛି । ସେହି ଯୁଗପୁରୁଷଙ୍କର ବନ୍ଦନା ଗାନ କରିବାକୁ ଏବେ ବି ଅଗଣିତ କଣ୍ଠ ଅନୁଗଣିତ ହୋଇଉଠୁଛି - "ନିନ୍ଦସି ଯଜ୍ଞବିଧେରହହ ଶ୍ରୁତିଜାତମ୍ । ସଦୟହୃଦୟ ଦର୍ଶିତ ପଶୁଘାତମ୍ । କେଶବ! ଧୃତ ବୁଦ୍ଧଶରୀର, ଜୟ ଜଗଦୀଶ ହରେ ।'
ମୋ : ୯୪୩୭୨୨୫୬୮୯