ପରମାତ୍ମାଙ୍କ ସାନ୍ନିଧ୍ୟ ପ୍ରାପ୍ତିର ମାର୍ଗ


ପ୍ରାୟତଃ ସବୁ ମଣିଷ ଆଜି ଭଗବାନଙ୍କ ସାନ୍ନିଧ୍ୟ ପାଇବା ପାଇଁ ଅକଳନ ଉପାୟ ଚରିତାର୍ଥ କରୁଥିଲେ ମଧ୍ୟ କେହି ଭଗବାନଙ୍କ ସାନ୍ନିଧ୍ୟ ପାଉନାହାନ୍ତି କାହିଁକିର ଉତ୍ତର ଜାଣନ୍ତି ନାହିଁ ନିର୍ବୋଧ । ଆମରଣ ଚେଷ୍ଟା ଜାରି ରଖି ଆସୁଥିବା ସାଧାରଣ ନିର୍ବୋଧଙ୍କ ଜୀବନ କାଳ ମଧ୍ୟରେ ନ ପାଇଲେ ମଧ୍ୟ ଜୀବନ ଅନ୍ତେ ତାଙ୍କରି ଚରଣାରବିନେ୍ଦ ବିଲୀନ ହୋଇଯିବା ଲକ୍ଷ୍ୟ ରଖିଥିବା ମଣିଷଙ୍କ ସଂଖ୍ୟା ମଧ୍ୟ କିଛି କମ୍ ଦେଖିବାକୁ ମିଳନ୍ତି ନାହିଁ ଆମ ସମାଜରେ । ତଥାପି କେହି ହେଲେ ସେହି ସତ୍ୟ, ଶିବ, ସୁନ୍ଦର ରୁପି ନିରାକାରଙ୍କର ଲବ୍ଧ ପ୍ରତିକ୍ରିୟାରେ ଅଂଶୀଦାର ହେଉନଥିବା କାରଣ ହେଉଛି ଯେ ସେ କେବେ ଅସତ୍ୟ, ଅଶିବ, ଅସୁନ୍ଦର ଚରିତ୍ର ଗୁଡିକୁ ନିଜର କରିପାରିବେ ନାହିଁ । ତେଣୁ ସତ୍ୟ, ଶିବ, ସୁନ୍ଦର ରୁପି ପରମାତ୍ମାଙ୍କ ସହିତ ନିଜର ଆତ୍ମାକୁ ବିଲୀନ କରିବାକୁ ହେଲେ ନିଜକୁ ମଧ୍ୟ ସେହି ଭଳି ସତ୍ୟ, ଶିବ, ସୁନ୍ଦର କରିବାକୁ ହେବ । ଜଳରେ ଜଳ ମିଶି ପାରେ ଏବଂ ତେଲରେ ତେଲ ମିଶି ପାରେ, କିନ୍ତୁ ଜଳରେ ତେଲ ମିଶିବା ସମ୍ଭବ ନୁହେଁ ! ଠିକ ସେହିଭଳି ସେହି ସତ୍ୟ, ଶିବ, ସୁନ୍ଦର ଭଗବାନଙ୍କ ସହିତ ମିଶିବାକୁ ହେଲେ ଆମକୁ ମଧ୍ୟ ଅନୁରୂପ ଗୁଣ, ଧର୍ମ, ଚରିତ୍ର ପ୍ରବାହ କରିବାକୁ ହେବ ଯାହାର ମାର୍ଗ ଦିଶୁନାହିଁ କାହାକୁ ।
କଥାରେ କହନ୍ତି ଜର ବଉଳାରେ ତାଟିଆ କାମୁଡ଼ିଲା ଭଳି ନିର୍ବୋଧ କେତେବେଳେ କେଉଁ ବାବା / ଗୁରୁଙ୍କ ସହିତ ନିମଗ୍ନ ଦେଖିବାକୁ ମିଳୁଛନ୍ତି ତ କେତେବେଳେ କେଉଁ ଏକ ଭିନ୍ନ ଧର୍ମ ପ୍ରତି ଅନୁରାଗ ତ ଆଉ କେତେବେଳେ କେଉଁ ଧର୍ମଗ୍ରନ୍ଥ ସହିତ ଜଡିତ ରହି କିଛି ଉପାୟ ଖୋଜି ବୁଲୁଥିବା ମଣିଷଙ୍କ ଶେଷ ଜୀବନରେ କୌଣସି ପ୍ରାପ୍ତି ନହୋଇ କେବଳ ସମୟ ସାପେକ୍ଷ ଅସନ୍ତୁଷ୍ଟି ଅନୁଭବ କରୁଥିବା ଦେଖିବାକୁ ମିଳିବ ଅନୁ୍ମାନ କଲେ । ବାସ୍ତବତାର ରୂପରେଖ ଭିନ୍ନ ଏକ ଦିଗରେ ପରିଚାଳିତ ଯାହା ଭୁପୃଷ୍ଠରେ ଆଜି ଅତ୍ୟନ୍ତ ବିରଳ । ସେହି ବିରଳ ମହିମାକୁ ଖୋଜି ବାହାର କରିବା ମଧ୍ୟ ବିରଳରୁ ବିରଳ ହୋଇ ପଡିଛି ଆଜି ସମୟରେ ।
କେତେ ଧର୍ମ ଗୁରୁ ନିଜକୁ ଭଗବାନଙ୍କ ପ୍ରେରିତ ଦୂତ ବୋଲି କହିଥା’ନ୍ତି ତ ଆଉ କିଏ କହନ୍ତି ଯେ କେବଳ ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କୁ ପାଇବା ସମ୍ଭବ । ଅନ୍ୟଥା ଭଗବାନଙ୍କୁ ପାଇବା ଅସମ୍ଭବ । କିନ୍ତୁ ସେଗୁଡିକ ସେମାନଙ୍କ ବ୍ୟପାରୀ ମନ୍ତବ୍ୟ ଯଦ୍ୱାରା ଅସଂଖ୍ୟ ଶିଷ୍ୟ ଏବଂ ସେମାନଙ୍କ ଅନୁଦାନରେ ଆପ୍ୟାୟିତ ଅଜସ୍ର ସମ୍ପତ୍ତିର ମାଲିକ ହୋଇ ଆଡ଼ମ୍ବରପୂର୍ଣ୍ଣ ବିଳାସ ବ୍ୟସନରେ ଜୀବନ କାଟିଥା’ନ୍ତି ସେମାନେ ଯେଉଁମାନେ ଏହିଭଳି ମନ୍ତବ୍ୟ ଦେଇ ଗୋଟିଏ ଗୋଟିଏ ବ୍ୟପାରୀ ସଂସ୍ଥା ଖୋଲି ବସିଛନ୍ତି । ବାସ୍ତବରେ ପ୍ରତ୍ୟେକ ମଣିଷ କେବଳ ନିଜ ଚେଷ୍ଟାରେ ହିଁ ଭଗବାନଙ୍କ ସାନ୍ନିଧ୍ୟ ପାଇପାରିବେ ଯାହା ଆଉ କାହା ମାଧ୍ୟମରେ ହେବା ସମ୍ପୂର୍ଣ୍ଣ ଅସମ୍ଭବ ! ହେଲେ କଥା ହେଲା ଜଣେ ମଣିଷ ନିଜେ କେମିତି ପରମାତ୍ମାଙ୍କ ସାନ୍ନିଧ୍ୟ  ପାଇବ ?
ବାସ୍ତବ ସତ୍ୟର ଅନୁସନ୍ଧାନ କରି ନିଜକୁ ସତ୍ୟବାଦୀ, ସତ୍ୟାଚାରୀ କରିବା ଶିକ୍ଷା ମଣିଷକୁ ସେହି ସତ୍ୟ ନିରାକାରଙ୍କ ପାଖରେ ପହଂଚାଇ ପାରିବ । ବିଭିନ୍ନ ଆଳରେ ଗୁରୁ ପ୍ରବଚନ ଶୁଣି କିମ୍ବା ଧର୍ମ ପୁସ୍ତକ ପାଠ କରିବା ଦ୍ୱାରା କେବଳ ମନରେ ତୃପ୍ତି ଅନୁଭବ କରିବା ସମ୍ଭବ ହୋଇପାରେ କିନ୍ତୁ ପରମାତ୍ମାଙ୍କୁ ପାଇବା ଅତ୍ୟନ୍ତ ଅସମ୍ଭବ ଯାହା ତଥାକଥିତ ଧର୍ମ ଗୁରୁମାନେ ପ୍ରବର୍ତ୍ତାଇଥାନ୍ତି ନିର୍ବୋଧଙ୍କୁ କେବଳ ନିଜସ୍ୱ ସ୍ୱାର୍ଥ ହାସଲ କରିବା ଲକ୍ଷ ରଖି । ସେମାନଙ୍କ ଷଡ଼ଯାନ୍ତ୍ରିକ ପ୍ରବଚନ ଏବଂ ଶାସ୍ତ୍ରୀୟ ଜ୍ଞାନ ଗୁଡିକ ମଧ୍ୟରେ ୯୦ ଉତ୍ତମ ଗୁଣ, ଧର୍ମଧାରୀ ବକ୍ତବ୍ୟ ରହିଥିବା କାରଣରୁ ନିର୍ବୋଧ ଅକୁଣ୍ଠ ଚିତ୍ତରେ ସେମାନଙ୍କ ପ୍ରତି ରଖିଥିବା ଆନ୍ତରିକ ମାନ୍ୟତା ସହିତ ୧୦ ଅହିତକର ଷଡ଼ଯନ୍ତ୍ର ଗୁଡିକୁ ବୁଝିବାରେ ଅକ୍ଷମ ରହି ନିଜ ଜୀବନକୁ ଜଳାଞ୍ଜଳି ଦେଇଥାନ୍ତି ସେହି ବ୍ୟପାରୀ ଚତୁରଙ୍କ ନିକଟରେ । ଅତଏବ ଏକ ବିଶାଳ ଧାର୍ମିକ ବ୍ୟପାରୀ ସଂସ୍ଥାର ଆବିର୍ଭାବ ପୂର୍ବକ ପିଢ଼ିକୁ ପିଢ଼ି ଉପଭୋଗ କରି ଆସୁଛନ୍ତି ଏମିତି ଅନେକ ଧାର୍ମିକ ସଂସ୍ଥାନ ଯାହା କେବଳ ଭାରତ କିମ୍ବା ହିନ୍ଦୁ ଧର୍ମ ମଧ୍ୟରେ ସୀମିତ ନରହି ବରଂ ଅନ୍ୟାନ୍ୟ ଧର୍ମ ଏବଂ ମୁଲକ ଗୁଡିକରେ ମଧ୍ୟ ଅନୁରୂପ ଚରିତ୍ର, ଚେହେରା ଗୁଡିଏ ଦେଖିବାକୁ ମିଳନ୍ତି ବିଶ୍ୱବ୍ୟାପୀ ! 
 ଭଗବାନଙ୍କ ଦ୍ୱାରରେ କିନ୍ତୁ କୌଣସି ଲାଂଚ କାରବାର ନଥାଏ । ସାଧାରଣ ମଣିଷ ସମାଜରେ ପ୍ରଚଳିତ ଲାଂଚ ବ୍ୟବସ୍ଥା ସହିତ ଓତପ୍ରୋତ ଭାବେ ଜଡିତ ହୋଇ ଭଗବାନଙ୍କୁ ମଧ୍ୟ ଲାଂଚର ପ୍ରତିମୁର୍ତି ଭଳି ବିଚାରି ଧର୍ମ ଗୁରୁଙ୍କ ମାଧ୍ୟମରେ ଦାନ ଧର୍ମ କରି ତାଙ୍କରି ସାନ୍ନିଧ୍ୟ ଲାଭ କରିବା ଲକ୍ଷ ରଖିଥିବା ଏକ ହାସ୍ୟାସ୍ପଦ ବିଷୟ ମାତ୍ର । 
ନିରାକାର ପରମାତ୍ମାଙ୍କ ସହିତ ମଣିଷ ଆତ୍ମାର ମିଳନ ସମ୍ଭବ ସେତେବେଳେ ମାତ୍ର, ଯେତେବେଳେ ମଣିଷ ସତ୍ୟକୁ ବୁଝିବ । ସତ୍ୟକୁ ବୁଝିବା ଏତେ ସହଜ ହୋଇଥିଲେ ସମସ୍ତେ ସେହି ରାସ୍ତାରେ ଅତ୍ୟନ୍ତ ସହଜରେ ପାର ହୋଇ ଯାଇଥା’ନ୍ତେ । ସତ୍ୟକୁ ବୁଝିବାକୁ ହେଲେ ବିଭିନ୍ନ ପ୍ରାକୃତିକ ଉପାୟ ଅବଲମ୍ବନ କରିବାକୁ ହେବ ଯାହା ସବୁ ସେହି ତଥା କଥିତ ଧର୍ମ ଗୁରୁ ମାନେ ଜାଣିବା ଅତ୍ୟନ୍ତ ଦୁଃସାଧ୍ୟ ବ୍ୟାପାର । କେବଳ ପ୍ରାଚୀନ ସମୟର କେତେକ ଧର୍ମ ଗ୍ରନ୍ଥ ଗୁଡିକୁ ଅଭ୍ୟାସ କରି ନିର୍ବୋଧଙ୍କ ସମ୍ମୁଖରେ ପ୍ରବଚନ ବାଢି ଯେ ଲୋକଙ୍କୁ ସ୍ୱର୍ଗର ରାସ୍ତା ଦେଖାଇବା ପ୍ରୟାସ ଏକ ଚତୁର ବ୍ୟାପାର ଛଡା ଆଉ କିଛି ନୁହେଁ । ପରମାତ୍ମା ଯେତେବେଳେ ମଣିଷକୁ ଜନ୍ମ ଦେଇଥା’ନ୍ତି ସେତିକି ବେଳେ ଜଣେ ମଣିଷକୁ ସବୁକିଛି ଦେଇ ଛାଡ଼ିଥା’ନ୍ତି ଯାହା ତଥା କଥିତ ଧର୍ମ ଗୁରୁଙ୍କ ଠାରୁ ଶିକ୍ଷା ମିଳିଥାଏ ସାଧାରଣ ମଣିଷଙ୍କୁ । ହେଲେ ବର୍ତ୍ତମାନ ଆମକୁ ବୁଝିବାକୁ ହେବ ଯେ ସେହି ଗୁରୁ କେମିତି ଏତେ କଥା ଜାଣନ୍ତି ଯାହା ମୋ ଭଳି ଜଣେ ସାଧାରଣ ମଣିଷ ଜାଣିନାହିଁ, ଏବଂ ଗୁରୁଙ୍କ ଠାରୁ ଶିଖି ମୋତେ ସେହି ରାସ୍ତାରେ ଯିବାକୁ ହେବ ବୋଲି ବିଚାର ଏକ ନିର୍ବୋଧତା ଜନିତ ମାତ୍ର । କାରଣ ଗୁରୁତୁଲ୍ୟ ମଣିଷଙ୍କ ପାଖରେ ଯାହା ସବୁ ଥାଏ ଜଣେ ସାଧାରଣ ମଣିଷ ପାଖରେ ମଧ୍ୟ ସେହି ସବୁ ଗୁଣ, ଧର୍ମ ଗୁଡିକ ଉପଲବ୍ଧ ଯାହା ସେହି ପରମାତ୍ମା ଭଗବାନଙ୍କ ଦେୟ ହୋଇଥାଏ । ହେଲେ ସାଧାରଣ ମଣିଷ ଗୁରୁଙ୍କ ସାନ୍ନିଧ୍ୟ ଲୋଡ଼େ କାହିଁକି ଦେଖିବା ! 
ମୋ: ୯୪୩୭୩୨୪୯୧୭