ହିନ୍ଦୁ ବିବାହ ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ

ହିନ୍ଦୁ ବିବାହ ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ

ଦେଶର ସର୍ବୋଚ୍ଚ ଅଦାଲତ ହିନ୍ଦୁ ବିବାହକୁ ନେଇ ଯେଉଁ  ରାୟ ଦେଇଛନ୍ତି ତାହା ଯେ କେବଳ ହିନ୍ଦୁ ବିବାହର ସଂସ୍କାର ଏବଂ ପାରମ୍ପରିକ ନୀତିକୁ ପୁଷ୍ଟି କରିଛି ତା ନୁହେଁ ତାକୁ ଆଇନ୍‌ଗତ ଭାବେ ସ୍ୱୀକୃତି ଦେଇଛି । ଆଜିର ସମୟରେ ହିନ୍ଦୁ ବିବାହର ପବିତ୍ରତା ଏବଂ ପରମ୍ପରା ତଥାକଥିତ ଆଧୁନିକ ଜୀବନ ଶୈଳୀର ପ୍ରଭାବ କାରଣରୁ ଏକ ପ୍ରକାର ଲୋପ ହେବାକୁ ବସିଛି । ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ କାରଣରୁ ହିନ୍ଦୁ ବିବାହର ପରମ୍ପରା ସମୟ ସହିତ ତାଳ ମିଳାଇ ସମାଜରୁ ଦୂରେଇ ଯାଉଛି ଯାହାକୁ ସୁଧାରିବା ଏବଂ ପରମ୍ପରାକୁ ପୁନଃ ପ୍ରଚଳନ କରିବା ଜରୁରି । ଯେଉଁମାନେ ବିବାହକୁ ଏକ ପଞ୍ଜିକରଣ ବୋଲି ଭାବୁଛନ୍ତି ସେମାନଙ୍କୁ ଚେତେଇ ଦେବା ଆବଶ୍ୟକ । ସେମାନଙ୍କୁ ସପ୍ତପଦୀର ଅର୍ଥ ବୁଝାଇବା ଆବଶ୍ୟକ । ହିନ୍ଦୁ ରୀତିନୀତି ଏବଂ ସପ୍ତପଦୀ ବିନା ବୈବାହିକ ଆୟୋଜନ କୋର୍ଟ ଦୃଷ୍ଟିରେ ବିବାହ ନୁହେଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ବା ସୁପ୍ରିମ୍‌କୋର୍ଟ । ହିନ୍ଦୁ ବିବାହ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ  ସ୍ୱାଗତଯୋଗ୍ୟ ଏବଂ ଏହାର ଦୂରଗାମୀ ପ୍ରଭାବ ମଧ୍ୟ ରହିଛି । କୋର୍ଟଙ୍କ ଏହି ରାୟ ହିନ୍ଦୁ ସଂସ୍କୃତି ଏବଂ ସଂସ୍କାରର ପୁନଃ ଉତ୍‌ଥାନ ଦିଗରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ପାରିବାରିକ ସମ୍ପର୍କ ମଧ୍ୟ ସୁଦୃଢ ହେବ । ହିନ୍ଦୁ ବିବାହ ସହ ଜଡ଼ିତ ଏହି ରାୟ ଶୁଣାଇ ମାନ୍ୟବର କୋର୍ଟ କହିଛନ୍ତି ଯେ ‘ବିବାହ ଗୀତ,ନାଚ,ମଦ୍ୟପାନ ତଥା ସ୍ୱାଦିଷ୍ଟ ଭୋଜନର ଆୟୋଜନ ଅଥବା ଅନୁଚିତ ଚାପ ପକାଇ ଯୌତୁକ ଏବଂ ଉପହାର (ଗିଫ୍ଟ)ମାଗିବାର ସୁଯୋଗ ନୁହେଁ । ବିବାହ ଏକ କମର୍ସିଆଲ ଟ୍ରାଞ୍ଜାକ୍‌ସନ ବା ବାଣିଜ୍ୟିକ ନେଣଦେଣ ନୁହେଁ । ଏହା ହେଉଛି ଏକ ବୁନିଆଦି ସାଂସ୍କୃତିକ ଏବଂ ପାରିବାରିକ ଆୟୋଜନ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥାଏ ଏବଂ ଏମାନେ ପତି ପତ୍ନୀର ମାନ୍ୟତା ପାଇଥାନ୍ତି । ମାନ୍ୟବର କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ବିନା ସପ୍ତପଦୀରେ ହିନ୍ଦୁ ବିବାହକୁ ମାନ୍ୟତା ମିଳିପାରିବ ନାହିଁ । ଅର୍ଥାତ ବିବାହ ପାଇଁ ହିନ୍ଦୁ ବିବାହ ଅଧିନିୟମ ଏବଂ ଯେଉଁ ପ୍ରାବଧାନ ସବୁ ରହିଛି ତାକୁ ମାନିବାକୁ ପଡ଼ିବ । ମାନ୍ୟବର କୋର୍ଟ ୧୯୫୫ର ହିନ୍ଦୁ ବିବାହ ଅଧିନିୟମ ଅନୁସାରେ ବିବାହର ପବିତ୍ରତା ଏବଂ ଆଇନ୍‌ଗତ ଆବଶ୍ୟକତାକୁ ସ୍ପଷ୍ଟ କରିଦେଇଛନ୍ତି । ଅଧିନିୟମ ଅନୁସାରେ ପାରିବାରିକ ସଂସ୍କାର ଏବଂ ସମାରୋହରେ ସପ୍ତପଦୀ (ବର-କନ୍ୟା ଉଭୟେ ପବିତ୍ର ଅଗ୍ନିକୁଣ୍ଡର ୪ ପାଖରେ ୭ ଘେରା ବୁଲିବେ) ବାଧ୍ୟତାମୂଳକ ଏବଂ ଯେତେବେଳେ ବର ଓ କନ୍ୟା ସପ୍ତପଦୀ ସମ୍ପନ୍ନ କରିବେ ସେତେବେଳେ ବିବାହ ସପୂର୍ଣ୍ଣ ବୋଲି କୁହାଯିବ । ମୋଟାମୋଟି ଭାବେ କହିବାକୁ ଗଲେ ହିନ୍ଦୁ ବବାହ ଏକ ସଂସ୍ଥା, ସଂସ୍କାର ଅଟେ ଏବଂ ବିବାହ କୌଣସି ବ୍ୟବସାୟିକ ନେଣଦେଣ ନୁହେଁ । ମାନ୍ୟବର କୋର୍ଟ ହିନ୍ଦୁ ବିବାହର ବୈଧତାପାଇଁ ସପ୍ତପଦୀ ଭଳି ଉଚିତ୍‌ ସଂସ୍କାର ଏବଂ ଏହା ସହିତ ଜଡ଼ିତ ସମାରୋହର ଆବଶ୍ୟକତା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ବିବାଦୀୟ ସ୍ଥିତି ଉପୁଜିଲେ ସମାରୋହର ପ୍ରମାଣ ଦାଖଲ କରାଯିବା ଜରୁରି ବୋଲି ମଧ୍ୟ କହିଛନ୍ତି । ବିବାହ ସଂସ୍କାରର ମୂଳ ମହତ୍ୱ ଧୀରେ ଧୀରେ କମିବାରେ ଲାଗିଛି । ଏବେ ଅନେକଙ୍କ ପାଇଁ ବିବାହ ଏକ ବୁଝାମଣା ବା ଅନ୍ୟ ଅର୍ଥରେ ବାଧ୍ୟବାଧକତାରେ ପରିଣତ ହୋଇଛି । ସୁପ୍ରିମ୍‌କୋର୍ଟର ମାନ୍ୟବର ବିଚାରପତି  ତାଙ୍କର ପ୍ରାସଙ୍ଗିକ ଏବଂ ଉପଯୋଗୀ ରାୟରେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍‌ । ମାନ୍ୟବର ବିଚାରପତି  କହିଛନ୍ତି ଯେ ବିବାହ ଏକ ସଂସ୍କାର ଯାହାକୁ ଭାରତୀୟ ସମାଜ ଅଧିକ ଗୁରୁତ୍ୱ ଦେବା ଉଚିତ୍‌ ।
ପ୍ରଶ୍ନ ଉଠୁଛି ହିନ୍ଦୁ ବିବାହକୁ ନେଇ ସୁପ୍ରିମ୍‌କୋର୍ଟ କାହିଁକି ଏଭଳି ରାୟ ଦେଲେ ଓ ହିନ୍ଦୁ ସଂସ୍କାରକୁ ଗୁରୁତ୍ୱ ଦେଲେ? ହିନ୍ଦୁ ବିବାହ ସହ ଜଡ଼ିତ ସଂସ୍କାର  ଏବଂ ପାରମ୍ପରିକ ରୀତି ନୀତିକୁ ନେଇ ଅନେକ ମାମଲା କୋର୍ଟଙ୍କ ବିଚାର ପାଇଁ ଆସୁଛି ଏବଂ କୋର୍ଟ ଏସବୁ ମାମଲାରେ ନିଜର ଦୃଷ୍ଟିଭଙ୍ଗି ପ୍ରଦର୍ଶନ କରୁଛନ୍ତି । ଆହ୍ଲାହାବାଦ (ପ୍ରୟାଗରାଜ) ହାଇକୋର୍ଟଙ୍କ ଲକ୍ଷେ୍ନø ପୀଠ ସପ୍ତପଦୀର ଗୁରୁତ୍ୱ ମଧ୍ୟ ଦର୍ଶାଇଥିଲେ । ମଧ୍ୟପ୍ରଦେଶର ଏକ ପରିବାର ଅଦାଲତ (ଫାମିଲି କୋର୍ଟ)ରେ ମହିଳା ପକ୍ଷଙ୍କୁ ବୁଝାଇ ଦିଆଯାଇଥିଲା ଯେ ମଥାରେ ସିନ୍ଦୁର ପିନ୍ଧିବା ଜଣେ ହିନ୍ଦୁ ମହିଳାଙ୍କ ଧାର୍ମିକ କର୍ତ୍ତବ୍ୟ ଅଟେ, ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ରାୟରେ ମଧ୍ୟ ଏକଥା ବୁଝାଇବା ପାଇଁ ଉଦ୍ୟମ କରାଯାଇଛି । ସିଧାସଳଖ ଭାବେ କହିବାକୁ ଗଲେ କୋର୍ଟ କହିଛନ୍ତି ଯେ ବାହ୍ୟଆଡ଼ମ୍ବର ନକରି ବିବାହର ମୂଳ ଅର୍ଥକୁ ବୁଝିବା ଆବଶ୍ୟକ । ହିନ୍ଦୁ ବିବାହକୁ ନେଇ ଅଧିôକ ସ୍ପଷ୍ଟତାର ଆବଶ୍ୟକତା ରହିଛି ଏବଂ ହିନ୍ଦୁ ସଂସ୍କାର ଏବଂ ସଂସ୍କୃତିକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତାକୁ ମାନ୍ୟବର କୋର୍ଟ ହୃଦୟଙ୍ଗମ କରିଛନ୍ତି । ଭାରତରେ ପରିବାରର ସବୁ ସଦସ୍ୟ ଏକତ୍ର ଭାବେ ରହିପାରୁଛନ୍ତି କେବଳ ହିନ୍ଦୁ ସଂସ୍କାର ଏବଂ ପରମ୍ପରା ପାଇଁ । ହିନ୍ଦୁ ବିବାହ ଏକ ଆଦର୍ଶ ପରମ୍ପରା ଏବଂ ସଂସ୍କାର ଅଟେ । ବିବାହ ଷୋହଳ ସଂସ୍କାର ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ । ବିବାହର ତାତ୍ତ୍ୱିକ ଅର୍ଥ ହେଉଛି ବିଶେଷ ରୂପେ ଉତ୍ତରଦାୟିତ୍ୱର ବହନ କରିବା । ପାଣିଗ୍ରହଣକୁ ସାଧାରଣ ଭାବେ ହିନ୍ଦୁ ବିବାହ ବୋଲି କୁହାଯାଏ । ଅନ୍ୟ ଧର୍ମରେ ବିବାହ ପତି-ପତ୍ନୀଙ୍କ ମଧ୍ୟରେ ଏକ ଚୁକ୍ତି, ଯାହାକୁ ବିଶେଷ ପରିସ୍ଥିତିରେ ଭାଙ୍ଗି ଦେଇହେବ, କିନ୍ତୁ ହିନ୍ଦୁ ବିବାହ ପତି ଓ ପତ୍ନୀଙ୍କ ମଧ୍ୟରେ ଜନ୍ମ ଜନ୍ମାନ୍ତରର ସମ୍ବନ୍ଧ ହୋଇଥାଏ । ଯାହାକୁ କୌଣସି ପରିସ୍ଥିତିରେ ଭାଙ୍ଗି ଦେଇହେବ ନାହିଁ । ଅଗ୍ନିକୁଣ୍ଡର ଚତୁର୍ଦିଗରେ ୭ ଘେରା ବୁଲି ପତ୍ନୀର ଦଶଦୋଷ କ୍ଷମା କରିବାର ଶପଥ ନେଇ ପତି ପତ୍ନୀକୁ ଆଜୀବନ ପାଇଁ ଗ୍ରହଣ କରିନିଏ ଓ ଦୁଇ ମନ ଓ ଶରୀର ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇଯାଏ, ଏହା ଦୁଇଟି ପରିବାରର ମିଳନ ମଧ୍ୟ । ହିନ୍ଦୁ ବିବାହରେ ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ଠାରୁ ଅଧିକ ଆତ୍ମିକ ସମ୍ବନ୍ଧ ରହିଥାଏ ଏବଂ ଏହି ସମ୍ବନ୍ଧକୁ ଅତି ପବିତ୍ର ବୋଲି ଗ୍ରହଣ କରାଯାଇଥାଏ । ହିନ୍ଦୁ ବିବାହର ପାରିବାରିକ, ସାମାଜିକ ଓ ସାଂସ୍କୃତିକ ମହତ୍ୱ ରହିଛି ଏଥିସହିତ ଗହନ ଆଧ୍ୟାତ୍ମିକ ମହତ୍ୱ ମଧ୍ୟ ରହିଛି । ହିନ୍ଦୁ ଧର୍ମରେ ୪ ପୁରୁଷାର୍ଥ ଯଥା - ଧର୍ମ, ଅର୍ଥ, କାମ ଓ ମୋକ୍ଷ ନିଦ୍ଧାରିତ କରାଯାଇଛି । ବିବାହ ସଂସ୍କାରର ଉଦ୍ଦେଶ୍ୟ ହେଉଛି କାମ ପୁରୁଷାର୍ଥକୁ ପୂରା କରିବା ଓ ଧୀରେ ଧୀରେ ମୋକ୍ଷ ଆଡ଼କୁ ବଢିବା । ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବିବାହ କାରଣରୁ ଯୋଡ଼ି ହୋଇଯାଇଥାଏ । ଉଦାହରଣସ୍ୱରୂପ - ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ପ୍ରେମ, ସେମାନଙ୍କ ସମ୍ପର୍କ, ସନ୍ତାନ, ସେମାନଙ୍କ ମାତାପିତା, ସେମାନଙ୍କ ଜୀବନର ଅନେକ ସୁଖଦ ଘଟଣା, ସାମାଜିକ ସ୍ଥିତି ଏବଂ ସମୃଦ୍ଧି ଆଦି । ହିନ୍ଦୁ ସମାଜରେ ଜଣେ ବିବାହିତା ମହିଳାଙ୍କୁ ଅତ୍ୟନ୍ତ ସମ୍ମାନିତ ଦୃଷ୍ଟିରେ ଦେଖାଯାଇଥାଏ । ହିନ୍ଦୁ ବିବାହର ସାତ ବଚନ ମଧ୍ୟରୁ ଗୋଟିଏ ବଚନ ହେଉଛି ନବ ବିବାହିତ ପତି-ପତ୍ନୀ ତାଙ୍କ ପରିବାରର ବୟସ୍କମାନଙ୍କ ଦେଖାଶୁଣା କରିବେ । ପଞ୍ଚମ ବଚନ ହେଉଛି ସନ୍ତାନ ଜନ୍ମ ଦେବା ଏବଂ ତାର ଲାଳନପାଳନ କରିବା । ଏବେ କିନ୍ତୁ ଅନେକ ବିସଙ୍ଗତି ସବୁ ଦେଖା ଯାଉଛି । ଡେଟିଙ୍ଗ୍‌ ସଂସ୍କୃତିର ଆରମ୍ଭ ସହିତ ପ୍ରେମ ବିବାହର ପ୍ରଚଳନ ବଢିବାରେ ଲାଗିଛି । ଆଜିକାଲିର ରୋମାଣ୍ଟିକ ସମ୍ପର୍କ ବାସ୍ତବରେ ବିବାହନୁହେଁ ବରଂ ଏକ ନୂଆ ପ୍ରଥା ଯାହାର ବିପରୀତ ପ୍ରଭାବ ପରିବାର ଉପରେ ପଡୁଛି । ଏସବୁକୁ ଦୃଷ୍ଟିରେ ରଖି ମାନ୍ୟବର ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ପୁରୁଷ ଓ ମହିଳାମାନେ ବିବାହ କରିବା ପୂର୍ବରୁ ବିବାହ ବାବଦରେ ଚିନ୍ତା କରିବା ଉଚିତ୍‌ ଏବଂ ଭାରତୀୟ ସମାଜରେ ବିବାହ କେତେ ପବିତ୍ର ସଂସ୍କାର ବନ୍ଧନ ତା ଉପରେ ବିଚାର କରିବା ଉଚିତ୍‌ ।
ରାମଚନ୍ଦ୍ରପୁର, ରଣପୁର