ଅଗରତାଲାରେ ବାଂଲାଦେଶର କମ୍ପନ


ବର୍ତ୍ତମାନ ବାଂଲାଦେଶରେ ଭୟଙ୍କର ରାଜନୀତିକ ପରିସ୍ଥିତି ସୃଷ୍ଟି ହୋଇଛି । ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ବିରୁଦ୍ଧରେ ବାଂଲାଦେଶ ନାଗରିକମାନଙ୍କର ସଂଗ୍ରାମ ଚାଲିଛି । ଏଭଳି ଏକ ସମୟରେ ତ୍ରିପୁରାର ରାଜଧାନୀ ଅଗରତାଲାରେ ବାଂଲାଦେଶର ଆସିଷ୍ଟାଣ୍ଟ୍ ହାଇକମିଶନର୍ଙ୍କ କାର୍ଯ୍ୟାଳୟକୁ କିଛି ଲୋକ ଧସେଇ ପଶିଲେ । ବାଂଲାଦେଶରେ ଇସ୍କନ୍ର ଭକ୍ତମାନଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ଜଣେ ଇସ୍କନ୍ ଭକ୍ତଙ୍କୁ ଗିରଫର ପ୍ରତିବାଦ ତ୍ରିପୁରାରେ ଦେଖିବାକୁ ମିଳିଛି । ଏଠାରେ ଏହାର ପ୍ରତିକ୍ରିୟା ଏତେ ଦୂର ଯାଇଛି ଯେ ବାଂଲାଦେଶ ନାଗରିକମାନଙ୍କ ପାଇଁ ସମସ୍ତ ହୋଟେଲ୍ ବନ୍ଦ କରି ଦିଆଯାଇଛି । ସେମାନଙ୍କୁ କେହି ପାଣି ବୋତଲଟିଏ ମଧ୍ୟ ଦେଉନାହାଁନ୍ତି । ବାଂଲାଦେଶରେ ସରକାର ଇସ୍କନ୍ ଭକ୍ତଙ୍କ ଉପରେ ନେଉଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ତ୍ରିପୁରାରେ ଏଭଳି ଘଟଣା ଘଟୁଛି । ଆସାମ୍ରେ ମଧ୍ୟ ସମାନ ପରିମାଣର ପ୍ରତିକ୍ରିୟା ଦେଖାଦେଲାଣି । ଏହି ପ୍ରତିକ୍ରିୟା ଧୀରେ ଧୀରେ ବାଂଲାଦେଶ ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକରେ ସମାନ ଭାବରେ ଦେଖିବାକୁ ମିଳିବାର ସମ୍ଭାବନା ରହିଛି । ବାଂଲାଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଭାରତର ହସ୍ତକ୍ଷେପ କରିବାର କିଛି ନାହିଁ । କିନ୍ତୁ ସେଠାରେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ଏବଂ ହିନ୍ଦୁମାନଙ୍କ ପ୍ରତି ବିଦ୍ୱେଷମୂଳକ କାର୍ଯ୍ୟାନୁଷ୍ଠାନ ଭାରତବାସୀଙ୍କୁ ଉତ୍କ୍ଷିପ୍ତ କରିଲାଣି । ବାଂଲାଦେଶ ତାର ଅତୀତକୁ ଭୁଲି ଯାଉଛି । 
୧୯୭୧ ମସିହା ମାର୍ଚ୍ଚ୍ ୨୬ ତାରିଖ ଦିନ ପଶ୍ଚିମ ପାକିସ୍ତାନ୍ କବଳରୁ ମୁକ୍ତ ହୋଇ ସ୍ୱାଧୀନ ରାଷ୍ଟ୍ର ହେଲା । ବାଂଲାଦେଶର ସ୍ୱାଧୀନତା ପାଇଁ ଶେଖ୍ ମଜିବୁର୍ ରହମନ୍ଙ୍କ ଆନେ୍ଦାଳନକୁ ଭାରତ ପୂର୍ଣ୍ଣ ମାତ୍ରାରେ ସମର୍ଥନ ଦେବା ଫଳରେ ବାଂଲାଦେଶ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା । ଏକଦା ବାଂଲାଦେଶ ଭାରତକୁ ବିଶ୍ୱସ୍ତ ବନ୍ଧୁ ଓ ଅନୁଗୃହୀତ ରାଷ୍ଟ୍ର ଭାବରେ ଘୋଷଣା କରିଥିଲା । ମାତ୍ର ୪୪ ବର୍ଷ ଭିତରେ ସ୍ୱାଧୀନତା ସଂଗ୍ରାମରେ ଭାରତର ସହାୟତାକୁ ବର୍ତ୍ତମାନ ବାଂଲାଦେଶ ଭୁଲି ଯାଉଛି । ବାଂଲାଦେଶର ଅନୁପ୍ରବେଶକାରୀମାନେ ଏବେ ବି ଭାରତରେ ଭାରତୀୟ ନାଗରିକଙ୍କ ଭଳି ବୁଲୁଛନ୍ତି । ସେମାନଙ୍କୁ ତଡ଼ିବା ନିମିତ୍ତ ଭାରତ ଏ ପର୍ଯ୍ୟନ୍ତ କୌଣସି କଡ଼ା ଆଭିମୁଖ୍ୟ ଦେଖାଇ ନାହିଁ । ବର୍ତ୍ତମାନର ଆଭ୍ୟନ୍ତରୀଣ ଗୋଷ୍ଠୀ ସଂଘର୍ଷକୁ ନେଇ ଭୟଭୀତ ଥିବା ନାଗରିକମାନେ ଭାରତ ଭିତରକୁ ପଶି ଆସିବାକୁ ଚେଷ୍ଟା କରୁଛନ୍ତି । ସେଠାରେ ବର୍ତ୍ତମାନ ଯେଉଁଭଳି ଭାବରେ ରାଜନୀତିକ ବିବାଦ ହିଂସାତ୍ମକ ରୂପ ଧରିଛି, ତାହାର ତୁରନ୍ତ ସମାଧାନ ଭାରତ ଚାହୁଁଛି । ଏକ ପଡ଼ୋଶୀ ରାଷ୍ଟ୍ରରେ ହିଂସାକାଣ୍ଡ ଏକ ଜାତୀୟ ସମସ୍ୟା ହେବା ଭାରତ କେବେ ହେଲେ ଚାହିଁବ ନାହିଁ । କିନ୍ତୁ ବର୍ତ୍ତମାନ ଯେଉଁ ପ୍ରକାରର ଆଭିମୁଖ୍ୟ ବାଂଲାଦେଶ ଭାରତ ପ୍ରତି ଦେଖାଉଛି ତାହା ଭାରତବାସୀ କେବେ ହେଲେ ଆଶା କରିନଥିଲେ । ତେଣୁ ବାଂଲାଦେଶ ଏକ ପଡ଼ୋଶୀ ରାଷ୍ଟ୍ର ଭାବରେ ଭାରତ ସହିତ ସମ୍ପର୍କକୁ ତିକ୍ତ ନକରି ତୁରନ୍ତ ଦେଶରେ ଶାନ୍ତି ସ୍ଥାପନ ପାଇଁ ପଦକ୍ଷେପ ନେବା ଆବଶ୍ୟକ । ମହମ୍ମଦ୍ ୟୁନୁସ୍୍ଙ୍କ ସରକାର ଦେଶରେ ଘଟୁଥିବା ଅରାଜକତା ଏବଂ ହିଂସାକାଣ୍ଡକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅଗରତାଲାର ବାଂଲାଦେଶ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ କିଛି ଲୋକ ଧସେଇ ପଶିବା ଘଟଣାରେ ଭାରତ ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରାଯାଇଛି ଏବଂ ୩ ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବନ କରାଯାଇଛି । ଭାରତର କାର୍ଯ୍ୟାନୁଷ୍ଠାନ ପ୍ରତି ବାଂଲାଦେଶ ଆସ୍ଥା ସ୍ଥାପନ କରିବା ପରିବର୍ତ୍ତେ ଭାରତକୁ ସମନ୍ କରିଛନ୍ତି । ଇସ୍କନ୍ ସଦସ୍ୟ ଚିନ୍ମୟ ଦାସଙ୍କୁ ଗିରଫ କରି ଜେଲ୍ ପଠାଇବା ପରେ ବାଂଲାଦେଶ ଏକ ବନ୍ଧୁ ରାଷ୍ଟ୍ରର ମର୍ଯ୍ୟାଦାକୁ ଉଲଙ୍ଘନ କରିସାରିଲାଣି । ତି୍ରପୁରା, ଆସାମ ଏବଂ ପଶ୍ଚିମବଙ୍ଗରେ କେତେକ ହସ୍ପିଟାଲ୍ରେ ମଧ୍ୟ ବାଂଲାଦେଶୀଙ୍କର ଚିକିତ୍ସା କରିବାକୁ ମନା କରି ଦିଆଗଲାଣି । ହୋଟେଲ୍ ଏବଂ ହସ୍ପିଟାଲ୍ ମନା କରିଦେବା ପରେ ଭାରତରେ ବାଂଲାଦେଶୀ ନାଗରିକମାନେ କିଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ସେକଥା ୟୁନୁସ୍ ସରକାର ବୁଝିବା ଆବଶ୍ୟକ । ଏଭଳି ପଦକ୍ଷେପ କୌଣସି ସରକାରୀ ପଦକ୍ଷେପ ନୁହେଁ । ଏହା ହେଉଛି ଭାରତୀୟ ନାଗରିକଙ୍କର ପ୍ରତିକ୍ରିୟା । ଭାରତୀୟ ନାଗରିକଙ୍କ ପ୍ରତିକ୍ରିୟାରେ ୟୁନୁସ୍ ସରକାର କେଉଁ ପ୍ରକାରର ପଦକ୍ଷେପ ନେଉଛ"ି ତାହା ଦେଖିବାକୁ ଭାରତ ଅପେକ୍ଷାରତ ।