ଗଣତାନ୍ତ୍ରିକ ରାଜନୀତି ଓ ଦୁର୍ନୀତି ନିରାକରଣ
ଦୁଇଟି ସଂସ୍କୃତ ଶବ୍ଦର ସମ୍ମିଶ୍ରଣରେ ଯଥା–ରାଜନ ଓ ନୀତି ଅର୍ଥାତ ରାଜା ବା ଶାସକମାନଙ୍କ ନୀତି ବା ପଲିସିକୁ ରାଜନୀତି କୁହାଯାଏ । ଅତୀତରେ ରାଜ ନେତାମାନଙ୍କର ସମାଜରେ ଏକ ସମ୍ମାନ ଜନକ ସ୍ଥାନ ଥିଲା । ଆଜି ନେତାମାନଙ୍କ ପ୍ରତି ଜନସାଧାରଣନଙ୍କ ଆଉ ସେପ୍ରକାର ସମ୍ମାନବୋଧ ନାହିଁ, କାରଣ ନେତାମାନେ ନୀତି ନୈତିକତା ଓ ଆଦର୍ଶଠାରୁ ଦୂରେଇ ଯାଇ କେବଳ ସମ୍ପତ୍ତି ଆହରଣ କରିବା ନିଶାରେ ମସ୍ଗୁଲ୍ । ଆଜିର ଦିନରେ ଦୁର୍ନୀତି ଶବ୍ଦର ପରିଭାଷା ବଦଳି ଯାଇଛି । ଦୁର୍ନୀତି ଆଜି ନୀତିରେ ପରିଣତ ହୋଇଛି । ରାଜନୀତି ଓ ଦୁର୍ନୀତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ । ଦୁର୍ନୀତିର ମଞ୍ଜି ଚାରିଆଡେ ବି‚ା ଯାଇଛି । ସରକାରୀ ଯୋଜନାର ଷାଠିଏ ଭାଗ ଅର୍ଥ ବାଟମାରଣା ହେଉଛି । ତଳୁ ଉପର ପର୍ଯ୍ୟନ୍ତ ନେତା ମନ୍ତ୍ରୀ ସମେତ ସମସ୍ତେ ଭାଗ ବାଣ୍ଟି ପିସି ଖାଉଛନ୍ତି । ‘ଖଜୁରୀ ଗଛ ମୂଳରୁ ପାହାଚ ପାହାଚ’ । ‘ହେଂସ କାହିଁ ପାଇଁ ଧୋଇବା’ ନୀତିରେ ସମସ୍ତେ ଏକମତ । ଅର୍ଥାତ ସମସ୍ତଙ୍କର ଉପୁରି ଦରକାର । ତେଣୁ ନିଜ ଭାଗ ଯଦି ମିଳୁଛି ଆଉ କିଏ ଖାଇଲେ କିଛି ଯାଏଆସେ ନାହିଁ । ଏହିପରି ଭାବେ ଦୁର୍ନୀତି ଆଜି ଏକ ବ୍ୟାଧି ଭାବେ ସମଗ୍ର ସମାଜକୁ କବଳିତ କରିଛି । ଏ ବ୍ୟାଧି ଏତେ ଜଟିଳ ଯେ ତା’ର ଚିକିତ୍ସା କରିବା ବଡ କଠିନ ।
ଦୁର୍ନୀତି ଭିଭିନ୍ନ ଉପାୟରେ ହେଉଛି । ରାଜନେତାମାନେ ନିଜର କ୍ଷମତାର ଦୁରୁପଯୋଗ କରି ସରକାରୀ ସମ୍ପତ୍ତିକୁ ହଡପ କରୁଛନ୍ତି ତ କେଉଁଠି ସାଧାରଣ ଜନତାଙ୍କଠାରୁ ଲାଞ୍ଚ ନେଇ କିମ୍ବା ଉପହାର ନେଇ ସେମାନଙ୍କ କାର୍ଯ୍ୟ କରୁଛନ୍ତି । ଇଣ୍ଟରନେସନାଲ ଟ୍ରାନସ୍ପାରେନ୍ସି ଆକଳନ ଅନୁଯାୟୀ ୨୦୨୩ ମସିହାରେ ଭାରତରେ ଦୁର୍ନୀତି କମିବା ପରିବର୍ତ୍ତେ ବଢିଛି । ଭାରତର ସ୍କୋର ୨୦୨୨ରେ ୪୦ ଥିବା ବେଳେ ୩୯ କୁ ଆସିଛି ସବୁଠାରୁ କମ୍ ସ୍କୋର ଥିବା ରାଷ୍ଟ୍ର ହେଉଛି ସୋମାଲିଆ, ଯାହାର ସ୍କୋର୍ ମାତ୍ର ୧୧ । ଡେନ୍ମାର୍କ ଏହି ତାଲିକାରେ ୯୦ସ୍ଥାନରେ ରହିଛି, ଯେକି ସବୁଠାରୁ ଦୁର୍ନୀତି ମୁକ୍ତ ରାଷ୍ଟ୍ର । ଇଣ୍ଡିଆ ଟୁଡେର ୨୦୨୦ ମୁଡ଼୍ ଅଫ ନେସନ ସର୍ଭେରେ ପଚାଶ ଭାଗ ଲୋକ ମତ ଦେଇଥିଲେ ଯେ ରାଜନେତା ମାନେ ଅଧିକ ଦୁର୍ନୀତି ଗ୍ରସ୍ତ । ସ୍ୱିସ ବ୍ୟାଙ୍କରେ ଅଧିକାଂଶ ରାଜନେତା କୋଟି କୋଟି ଟଙ୍କା କଳା ଧନ ଗଚ୍ଛିତ ରଖିବା କଥା ସମସ୍ତେ ଜାଣନ୍ତି । ମୋଦି ସରକାର ବିଦେଶୀ ବ୍ୟାଙ୍କରେ ଥିବା କଳା ଟଙ୍କାକୁ ଭାରତକୁ ଫେରାଇ ଆଣିବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପର୍ଯ୍ୟନ୍ତ ସାକାର ହୋଇ ପାରିନାହିଁ । ରାଜନେତାମାନଙ୍କ ସହିତ ବଡ଼ ବଡ଼ ଶିଳ୍ପପତି ପୁଞ୍ଜିପତି ଦୁର୍ନୀତିଗ୍ରସ୍ତ ସରକାରୀ ଓ ବେସରକାରୀ ବାବୁମାନଙ୍କ ଗଚ୍ଛିତ କଳା ଟଙ୍କାକୁ ଲୋକ ଲୋଚନକୁ ଆଣିବା ପାଇଁ କେନ୍ଦ୍ର ସରକାର ତା ୮.୧୧.୨୦୧୬ ମସିହାରେ ନୋଟ୍ବନ୍ଦି ଘୋଷଣା କରିଥିଲେ ମଧ୍ୟ କିଛି ବ୍ୟକ୍ତି ଯେଉଁମାନଙ୍କ ପାଖରେ କଳା ଟଙ୍କା ଗଛିତ ଥିଲା ସେମାନେ ଭିଭିନ୍ନ ଉପାୟରେ କଳା ଟଙ୍କାକୁ ଧଳା କରିବାରେ ସକ୍ଷମ ହୋଇଗଲେ । ବିଗତ ଦିନରେ ଅନେକ ଦୁର୍ନୀତିରେ ଲିପ୍ତ ଥାଇ ରାଜନେତାମାନେ ଜେଲ ଯାଇଛନ୍ତି । ଅତୀତରେ ରାଜନେତା ମାନଙ୍କ ଅନେକ ଦୁର୍ନୀତି ଯଥା ୭୦,୦୦୦ କୋଟିର କମନ ୱେଲ୍ଥସ ଗେମ୍, ୧.୮୬ ଲକ୍ଷ କୋଟିର ଆଦର୍ଶ ହାଉସିଂ ସୋସାଇଟି ସ୍କାମ, କ୍ୟାସ ଫର ଭୋଟ ସ୍କାମ ପ୍ରଭୃତି ରାଜନେତା ମାନଙ୍କ ଚାଲ୍ ଚରିତ୍ରକୁ ପଦାକୁ ଆଣିଥିଲା । ଦିଲ୍ଲୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ଓ କିଛି ପୂର୍ବତନ ମନ୍ତ୍ରୀ ଦୁର୍ନୀତି ଓ ମଦ ସ୍କାମ୍ରେ ଗିରଫ ହୋଇ ଜେଲରେ ଅଛନ୍ତିି । ରାଜନୈତିକ ଦଳମାନେ ଚାନ୍ଦା ନେବାକୁ ଯେଉ ଇଲେକ୍ଟୋରାଲ ବଣ୍ଡର ବ୍ୟବସ୍ଥା କରାଯାଇଥିଲା ତାହା ଅସାମ୍ବିଧାନିକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ଦେବା ପରେ ଜଣାପଡୁଛି ଯେ ୨୦୧୮ ରୁ ୨୦୨୨ ଭିତରେ ୬୦,୦୦୦କୋଟି ଟଙ୍କା ରାଜନୈତିକ ଦଳ ମାନଙ୍କୁ ଚାନ୍ଦା ମିଳିଛି ।
ଆଜି ଭାରତ ବର୍ଷରେ ନିର୍ବାଚନ ଏତେ ବ୍ୟୟବହୁଳ ହୋଇଯାଇଛି ଯେ କୋଟି କୋଟି ଟଙ୍କା ଖର୍ଚ୍ଚ ନକଲେ ଜଣେ ପ୍ରାର୍ଥୀ ଜୟଯୁକ୍ତ ହୋଇପାରିବ ନାହିଁ । ପ୍ରାର୍ଥୀ ଯେତେ ଜ୍ଞାନୀ ଗୁଣୀ ହେଉ କିଛି ଯାଏ ଆସେ ନାହିଁ; ଟୋକା ଆଉ ଟଙ୍କା ବିନା ନିର୍ବାଚନ ବୈତରଣୀ ପାରିହେବା ଅସମ୍ଭବ । ରାଜନୈତିକ ଦଳମାନେ ଜଣେ ପ୍ରାର୍ଥୀକୁ ଟିକଟ ଦେବା ପୂର୍ବରୁ ପଚାରୁଛନ୍ତି ତୁମେ କେତେ କୋଟି ଖର୍ଚ୍ଚ କରିପାରିବ ? ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ କିଛି ଭ୍ରଷ୍ଟା·ରୀ ବ୍ୟକ୍ତ ଆଜି ରାଜନୀତିକୁ କବ୍ଜା କରି ରଖିଛନ୍ତି । ସଚ୍ଚୋଟ, ଭଦ୍ର, ଜ୍ଞାନୀ, ଗୁଣୀମାନେ ଆଜି ଦିନରେ ରାଜନୀତି ଠାରୁ ଦୂରେଇ ରହୁଛନ୍ତି । ଯେଉଁମାନଙ୍କ ନାଁରେ ମାଳ ମାଳ ଫୌଜଦାରୀ ମାମଲା ପ୍ରଭୃତି ରହିଛି ସେଇମାନେ ମଧ୍ୟ ମନ୍ତ୍ରୀ ହେଇପାରୁଛନ୍ତି । ଆକଳନରୁ ଜଣାଯାଇଛି ଯେ ୪୪% ଜନତା ଲୋକସଭାର ସାଂସଦ ଭିଭିନ୍ନ ମୋକଦ୍ଦମାରେ ସମ୍ପୃକ୍ତ ଥିବା ବେଳେ ୩୧% ରାଜ୍ୟ ସଭାର ସଦସ୍ୟ ମାନେ ସମ୍ପୃକ୍ତ ଅଛନ୍ତି ।୨୦୨୨ମସିହା ସୁଦ୍ଧା ୫୦୯୭ ମୋକଦ୍ଦମା ବିଧାୟକ ସାଂସଦ ମାନଙ୍କ ବିରୁଦ୍ଧରେ ଭିଭିନ୍ନ ଅଦାଲତରେ ବିଚାରାଧୀନ ଥିବା ଜଣାଯାଏ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଫାଷ୍ଟଟ୍ରାକ ଟ୍ରାଏଲ୍ ଜରିଆରେ ଏ ମୋକଦ୍ଦମା ଗୁଡିକ ଶୁଣାଣି କରିବାକୁ ନିର୍ଦେଶ ଦେଇଛନ୍ତି ।
କ୍ଷମତାର ସ୍ୱାଦ ଚାଖିବା ପାଇଁ ରାଜନେତା ମାନେ କୋଟି କୋଟି କଳା ଟଙ୍କା ନିର୍ବାଚନରେ ଖର୍ଚ୍ଚ କରୁଛନ୍ତି ଓ ଏହି ଧନ ରାଶି ଅସାଧୁ ଉପାୟରେ ନିଜ କ୍ଷମତାର ଦୁରୁପଯୋଗ କରି ରୋଜଗାର କରୁଛନ୍ତି । ଆଜିର ଦିନରେ ଭାରତର ପ୍ରତ୍ୟେକ ନାଗରିକ ମୁଣ୍ଡରେ ଋଣର ଭାର ଏକ ଲକ୍ଷ୍ୟରୁ ଅଧିକ ଯେଉଁମାନେ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା କଥା ବା ଯେଉଁମାନଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ ସେମାନେ ରାଜନେତାଙ୍କ ପାଖରେ ବନ୍ଧା ପଡିଛନ୍ତି । ଆଜିର ଦିନରେ ନିରପେକ୍ଷ ସମ୍ବାଦ ପରିବେଷଣ କଲେ ତା’ ପରଦିନ ରାଜନେତାଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି । ଏପରିକି ମିଛ ମୋକଦ୍ଦମା ରୁଜୁ ହୋଇ ଜେଲ ଯିବାକୁ ପଡୁଛି । ରାଜନେତା ମାନଙ୍କ କ୍ଷମତା ନିଶା ଏତେ ବଢ଼ି ଯାଇଛି ଯେ କ୍ଷମତାକୁ ଯିବା ପାଇଁ ସେମାନେ ସବୁକିଛି କରିବା ପାଇଁ ପ୍ରସ୍ତୁତ । ଜନସାଧାରଣ ସବୁ କଥା ଜାଣିଛନ୍ତି । ଆଜିର ଖବର କାଗଜରେ ସାଧାରଣ ଲୋକର ସ୍ୱରକୁ ଚାପି ଦିଆଯାଉଛି । ଖବର କାଗଜଟି ପ୍ରକାଶ କରୁଥିବା ଲୋକଟିକୁ ଦୋଷ ଦେଇ ଲାଭ ନାହିଁ । କ୍ଷମତାକୁ ଜାବୁଡି ଧରିଥିବ ରାଜନେତା ମାନେ ନିଜର ଦୁର୍ନୀତି କଳା କାରନାମାକୁ ଲୁଚାଇବା ପାଇଁ ଗଣମାଧ୍ୟମର ସାହାରା ନେଉଛନ୍ତି । ଯେପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆସିନାହିଁ ଭୋଟ ବିନିମୟରେ ନୋଟ କାରବାର ବନ୍ଦ ହୋଇନାହିଁ ସେ ପର୍ଯ୍ୟନ୍ତ ଦୁର୍ନୀତି ଗ୍ରସ୍ତ ନେତା ମାନଙ୍କ ଦ୍ୱାରା ଆମେ ଶାସିତ ହେଉଥିବା ।
ନିର୍ବାଚନ ପ୍ରକ୍ରିୟରେ ସୁଧାର ଆଣିବା ପାଇଁ ତକ୍ରାଳୀନ ଇଲେକ୍ସନ୍ କମିଶନର ଟି.ଏନ୍. ସେଶାନ୍ ଅନେକ ପ୍ରୟାସ କରିଥିଲେ । ଯେ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟାରେ ସୁଧାର ନଆସିଛି ଓ ଭୋଟ ବିନିମୟରେ ନୋଟ କାରବାର ଚାଲିଛି ସେତେବେଳ ପର୍ଯ୍ୟନ୍ତ ରାଜନେତାମାନେ ଅସାଧୁ ଉପାୟରେ ନିଜ କ୍ଷମତାର ଦୁରୁପଯୋଗ କରି ଅର୍ଥ ଉପାର୍ଜନକୁ ଅଗ୍ରାଧିକାର ଦେଉଥିବେ । ଯେଉଁ ଦିନ ଜନତା ଜନାର୍ଦ୍ଦନ କୌଣସି ରାଜନୈତିକ ଦଳ ପଛରେ ନ ଗୋଡ଼ାଇ ନିରପେକ୍ଷ କର୍ତ୍ତର୍ବ୍ୟନିଷ୍ଠ ଓ ସଚ୍ଚୋଟ ରାଜନେତାଙ୍କୁ କୌଣସି ପ୍ରଲୋଭନରେ ବଶୀଭୂତ ନହୋଇ ନିର୍ବାଚନରେ ଜୟଯୁକ୍ତ କରାଇବେ ସେଇଦିନ ଗଣତନ୍ତ୍ରର ବିଜୟ ହେବ ଓ ରାଜନେତାମାନଙ୍କ ସମ୍ପତ୍ତି ଆହରଣ ମାନସିକତା ଦୂର ହେବ । ଖାଲି ରାଜନେତାମାନେ ଯେ ଦୁର୍ନୀତିରେ ଲିପ୍ତ ତା’ ନୁହେଁ; ମୁଲିଆ ଠାରୁ ଆରମ୍ଭ କରି ଠିକାଦାର ଚତୁର୍ଥ ଶ୍ରେଣୀ କର୍ମଚାରୀଠାରୁ ଆରମ୍ଭ କରି ସର୍ବୋଚ୍ଚ ସ୍ଥାନରେ ଥିବା ଅଧିକାରୀ ପର୍ଯ୍ୟନ୍ତ ଦୁର୍ନୀତିରେ ଲିପ୍ତ ଥିବାର ଅଭିଯୋଗ ହେଇଆସୁଛି । କିଛି ଅଧିକାରୀ ଓ କର୍ମଚାରୀ ଅଛନ୍ତି ଯେଉଁମାନେ ଦୁର୍ନୀତିଠାରୁ ଦୂରରେ । ସେହି ଅଳ୍ପ ସଂଖ୍ୟକ ଲୋକ ମାନଙ୍କ ପାଇଁ ଆଜି ଗଣତନ୍ତ୍ର ବଞ୍ଚôଛି । ଖାଲି ଆମେ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଦୋଷ ଦେଇଦେଲେ ଠିକ ହେବନି ଆମ ଦେଶର ଜନସାଧାରଣ ମଧ୍ୟ ସମପରିମାଣରେ ଦାୟୀ ।
ଗୋଟିଏ ସର୍ବେକ୍ଷଣରୁ ଜଣା ପଡିଥିଲା ଯେ ଆମ ଦେଶର ୬୨% ଲୋକ ନିଜ କାର୍ଯ୍ୟ ପାଇଁ ଲାଞ୍ଚ ଦେବାକୁ ପସନ୍ଦ କରନ୍ତି । ଯେତେବେଳେ ଜଣେ ବ୍ୟକ୍ତି ନିଜ କାର୍ଯ୍ୟ ପାଇଁ ଜଣେ ଅଧିକାରୀକୁ ଲାଞ୍ଚ ଦେବାକୁ ଆଗ୍ରହ ପ୍ରକାଶ କରୁଛି ସେ ବା ନେବାକୁ କାହିଁକି ମନା କରିବ ? ଲାଞ୍ଚ ଦେବା ଓ ଲାଞ୍ଚ ନେବା ଆଇନତଃ ଅପରାଧ, ହେଲେ ଲାଞ୍ଚ ଦେବା ଲୋକ ଦଣ୍ଡିତ ହେଉନାହିଁ । ଖାଲି ଆମେ ରାଜନେତା ଓ ଅଧିକାରୀମାନଙ୍କୁ ଦୋଷ ଦେଲେ ହେବ ନାହିଁ । ଏହି ଦୁର୍ନୀତି ବ୍ୟାଧିକୁ ସମୂଳେ ବିଲୋପ କରିବାକୁ ହେଲେ ଜନସାଧାରଣ ସଚେତନ ହେବା ନିହାତି ଜରୁରି । ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ହେଉ କିମ୍ବା କେନ୍ଦ୍ର ସିବିଆଇ ହେଉ ଏଗୁଡିକ ସରକାରଙ୍କ ଅଧୀନରେ ନରହି ଜୁଡ଼ିସିଆରୀ ଭଳି ସ୍ୱାଧୀନ ହେବା ଉଚିତ । ଦେଖାଯାଉଛି ଦୁର୍ନୀତି ସମ୍ପର୍କୀୟ ମୋକଦ୍ଦମାଗୁଡିକ ବର୍ଷ ବର୍ଷ ଧରି ଅଦାଲତରେ ଗଡୁଛି, ଫଳରେ ‘ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ ନ୍ୟାୟ’ ଧାରାରେ ଦୋଷୀ ଦଣ୍ଡ ପାଇପାରୁନାହିଁ । ମୋକଦ୍ଦମାଗୁଡିକ ଫାଷ୍ଟଟ୍ରାକ ଟ୍ରାଏଲ୍ ଜରିଆରେ ଫଇସଲା ହେଲେ ଅଧିକ ଦୋଷୀ ଦଣ୍ଡ ପାଇପାରନ୍ତେ ।
ଦୁର୍ନୀତି ସମ୍ପର୍କୀୟ ଆଇନ ଅଧିକ କଠୋର ହେବା ଉଚିତ । ସଂପ୍ରତି ରାଜନୀତିରେ ନୀତି ଓ ନୈତିକତାର ଅଭାବ ଦେଖାଦେଉଛି । ଏହା ପରିବର୍ତ୍ତେ ଅଭିନୟ ଓ ଦୁନ୍ନୀତିର ପ୍ରାବଲ୍ୟ ପରିଲକ୍ଷିତ ହେଉଛି । ଜନତା ଜନାର୍ଦ୍ଧନଙ୍କ ହୃଦୟକୁ ଜିଣି ଭୋଟ ଦ୍ୱାରା କ୍ଷମତାସୀନ ହେବା ହିଁ ନେତାମାନଙ୍କର ଚରମ ଲକ୍ଷ୍ୟ ହେଇଯାଇଛି । ଏଥିପ୍ରତି ସତର୍କ ନହେଲେ ଗଣତନ୍ତ୍ରର ସୁରକ୍ଷା ଓ ରାଷ୍ଟ୍ରର ସ୍ୱାର୍ଥରକ୍ଷା କରିବା ଦୁଷ୍କର ହୋଇଯିବ ।
ଅବସରପ୍ରାପ୍ତ ପୋଲିସ୍ ଅଫିସର୍
ମୋ : ୮୨୪୯୨୮୧୫୬୭