ମାମୁଘର ଗାଁ
ମାମୁଘର ପ୍ରତିଟି ମଣିଷଙ୍କ ପାଇଁ ଗୋଟେ ଆବେଗର ଗନ୍ତାଘର । ଆଉ ମାମୁଘର ଗାଁ ଗୋଟେ ଅପେକ୍ଷା ଓ ଉନ୍ମାଦନାର ନାହିଁ । ଯେଉଁଠି ରାତି ଯେତେ ଯେତେ ଗାଢ଼ ହେଇଯାଉଥାଏ ସେତେ ସେତେ ଖୋଲି ଯାଉଥାଏ ଆଈମା'ର ଅସରନ୍ତି କାହାଣୀ ପେଡ଼ି । ମାଇଁଙ୍କ ହାତରୁ ଦୁଃଧ ଭାତ ଖାଇବାଠୁ ଆରମ୍ଭ କରି ପିଲାବେଳର ସବୁ ଚପଳତା, ଦୁଷ୍ଟାମୀର ସାତଖୁଣ୍ ମାପ୍ ହୋଇଯାଉଥିବା ଅଭିଲିଖିତ ଦରବାର ମାମୁଘର । ଆଜି ୨୧ବର୍ଷ ପରେ ସେଇ ଶିଶୁସୁଲଭ ସମୟକୁ ଫେରିଯିବାକୁ ଇଚ୍ଛା ହେଲା କେତେବେଳେ ସାମ୍ନା ଘର ଭାଉଜ ତାଙ୍କ କୁନି ପୁଅକୁ କୋଳରେ ବସେଇ ଶୁଣାଉଥିଲେ ‘ଚକା ଚକା ଭଉଁରୀ, ମାମୁଘର ଚଉଁରି...' । ସତରେ ମାମୁଘର ଯିବାର ସେତେବେଳର ଯୋଉ ଉନ୍ମାଦନା ଭାବିଦେଲା କ୍ଷଣି ଅଫୁରନ୍ତ ଆବେଗ ଖେଳି ଯାଏ ମନରେ । ନିଜ ପରିବାର ପରେ ଯେଉଁଠାରେ ଅଧିକ ସ୍ନେହ, ଭଲପାଇବା ମିଳେ ସେହି ହେଲା ମାମୁଘର ।
ପିଲାବେଳେ ମାମୁଁଘରକୁ ଯିବା ବୋଲି ଶୁଣିଦେଲା କ୍ଷଣି ଖୁସିରେ ଉଛୁଳିପଡୁଥିଲା ମନ । ତାଛଡ଼ା ପିଲାଦିନ ଯଦି ମାମୁଁ ଘରେ ନ କଟିଛି ତେବେ ସବୁ ଅଧୁରା । ଅଜା ଆଈର ସ୍ନେହ , ମାମୁଁ ମାଉସୀଙ୍କ କୋଳ ଭାଗ୍ୟରେ ଥିଲେ ମିଳେ । ମନେପଡିଯାଏ ଆମ ଗାଁରୁ ମାମୁଘର ଗାଁ କୁ ଲମ୍ବିଥିବା ମାଟି ରାସ୍ତା କଥା । ଆମ ଗାଁରୁ ମାମୁଘର ଗାଁ ୫କିମି ବାଟ । ମାମୁ ଆସନ୍ତି ଆମକୁ ନେବାକୁ, ସାଇକେଲର ଆଗରେ ମୁଁ ବସେ, ପଛରେ ବୋଉ ବସେ ମାମୁ ଚଲାନ୍ତି । ମାମୁଘର ଗାଁ ଯେତେ ଯେତେ ପାଖେଇଆସୁଥାଏ ମଇଁଷି ପାଉଲିଆ ମାଟି ରାସ୍ତାର ଢିପରେ ସାଇକେଲର ଆଗରେ ବସିଥିବା କଷ୍ଟ ଟା ବି ଖୁସି ଭରିଦିଏ ମନରେ । ମାମୁଘର ଗାଁ ମୁଣ୍ଡ ବରଗଛ ମୂଳ ତାରିଣୀଙ୍କ ପାଖରେ ଓହ୍ଲେଇ ପଡ଼ି ମୁଣ୍ଡିଆଟେ ମାରେ ବୋଉ । ମାମୁ ବି ଓହ୍ଲେଇପଡ଼ି ସାଇକେଲ ଗଡ଼େଇ ଗଡ଼େଇ ·ଲନ୍ତି ମାମୁଘର ଯାଏଁ । ମୁଁ ସେମିତି ସାଇକେଲ ଆଗରେ ବସିଥାଏ । ବୋଉ ଗାଁ ମୁଣ୍ଡରୁ ଗୁରୁଜନଙ୍କୁ ମୁଣ୍ଡିଆ ମାରି ମାରି ଘରେ ପହଞ୍ଚେ । ବୋଉ ମୁଣ୍ଡରେ ଓଢଣା ନଥାଏ । ଯାହାକୁ ଦେଖୁଥାଏ ଖାଲି ଖିଲି ଖିଲି ହସୁଥାଏ । ବଡ଼ ପାଟିରେ ଡାକୁଥାଏ ଗାଁର ମାଉସୀ ମାନଙ୍କୁ । ପାନ ଖାଇ ପାଟି ଲାଲ୍ ବି କରିଦିଏ । ମୁଁ ଦେଖି ଅବାକ୍ ହେଇଯାଏ । ଆମ ଘରର ବୋଉ ମାମୁଘରେ ପହଞ୍ଚିଗଲେ କାହିଁକି ବଦଳିଯାଏ କିଛି ବୁଝିପାରୁନଥାଏ । ଆମ ଘରେ ବୋଉ ଓଢଣା ଦିଏ, ଧୀରେ କଥା ହୁଏ, କେବେ କେମିତି ବେଳେ ଅଧେ ପାନ ଖଣ୍ଡେ କଳରେ ଯାକିଥିଲେ ବି ବୋଉ ପାଟି ଏମିତି ଲାଲ୍ କେବେ ଦେଖିନି । ମାମୁଘରକୁ ଗଲେ ବୋଉ ବେଫିକର ହେଇଯାଏ । ବୋଉ ପାଇଁ କିଛି କଟକଣା ନଥାଏ । ନା ଥାଏ ଘର କାମର ଦାୟିତ୍ୱ ନା ଥାଏ ଜେଜେବାପା- ବୁଢ଼ୀ ମା, ବାପାଙ୍କୁ ଡର । ଯାହା ମୋତେ କେମିତି ଗୋଟେ ଅଡ଼ୁଆ ତଡୁଆ ଲାଗେ ।
ମାମୁଘର ଗାଁଟା ଯାକର ସବୁ ବୁଢ଼ା-ବୁଢ଼ୀଙ୍କର ମୁଁ ନାତି ଆଉ ସବୁ ପୁଅ-ଝିଅଙ୍କର ମୁଁ ଭଣଜା । ମଜା ଲାଗେ ଅଜା- ଆଇ(ବୁଢ଼ା-ବୁଢ଼ୀ)ମାନେ ନାତି ଟୋକା କହି ଥଟା- ତାମସା କରନ୍ତି । ମାମୁମାନେ ନଈକୂଳ ବୁଲେଇ ନିଅନ୍ତି, କିଆରୁ ପଣସ ତୋଳି ଦିଅନ୍ତି, ଗଛରୁ ପିଜୁଳି, କଇଥ, ଅଁଳା ତୋଳି ଦିଅନ୍ତି । ଚିଡ଼ା ଲାଗେ ମାଉସୀମାନେ କେତେବେଳେ ଗାଲ ତୁଡ଼ି ଦିଅନ୍ତି, ଯଦିଓ ପରେ କାଖେଇ ଗାଁ ଦାଣ୍ଡ ବୁଲେଇ ନିଅନ୍ତି, ଦୋକାନ ନେଇଯାଆନ୍ତି । ଯାହା ସ୍ୱପ୍ନପୁରୀର ଭ୍ରମ ସୃଷ୍ଟିକରେ ମୋ ମନ ଭିତରେ । ମାମୁଘର ଗାଁର ଆହୁରି ମନେରହିବା ଭଳି ଚରିତ୍ର ଗୁଡାକ ହେଉଛନ୍ତି ପାଗିଳି ଆଈ, ଟୁନି ଆଈ, କଟୁ ଅଜା, ସୁମା ମାମୁ, ରଞ୍ଜିତା ମାଉସୀଙ୍କ ପରି ଅନେକ । ଏମାନେ ମାମୁଘର ପରିବାରର ସଦସ୍ୟ ନୁହଁନ୍ତି । ଅଥଚ ମାମୁଘରେ ରହିବା ଦିନ ଯେତିକି ବଢ଼େ ସେମାନଙ୍କ ଥଟା-ମଜା, ଭଲପାଇବାର ନିବିଡ଼ତା ସେତିକି ବଢ଼େ । ବିଦାୟ ସବୁବେଳେ ଦୁଃଖ ଦିଏ । ସେମିତି ଆମେ ଘରକୁ ବାହାରିଲେ ବୋଉ ମାମୁଁ- ମାଇଁଙ୍କୁ ଧରି କାନ୍ଦଣା ଗୀତ ଗାଇ କାନେ୍ଦ । ସମସ୍ତେ ବୁଝାନ୍ତି ବୋଉକୁ । ବୋଉ କିଛି ସମୟପରେ କାନ୍ଦିବା ବନ୍ଦ କରିଦିଏ । ଆଈ ପିଠା, ତେନ୍ତୁଳି, ପୋଇ ଆଦିରେ ଝୁଲା ଫୁଲ୍ କରି ସାଇକେଲ ଆଗରେ ଟାଙ୍ଗିଦିଏ । ଆମେ ବାହାରୁ, ଅନିଚ୍ଛା ସତ୍ତ୍ୱେ । ମୁଁ କାନ୍ଦୁରା ମୁହଁ ନେଇ ଚୁପ୍ ·ପ୍ ସାଇକେଲରେ ବସିଯାଏ । ଆଈ, ମାଉସୀମାନେ ପଛେ ପଛେ ସେଇ ଗାଁ ମୁଣ୍ଡ ବରଗଛ ଯାଏଁ ଆସନ୍ତି ।
ଆମ ଗାଁ ଓ ମାମୁଘର ଗାଁ ଭିତରେ ଫରକ୍ ଏତିକି ଆମ ଗାଁରେ ଅନେକ ପୋଖରୀ ଥିଲେ ବି ଗାଁ ଶେଷମୁଣ୍ଡ ପୋଖରୀ ଉପରେ ସମସ୍ତେ ନିର୍ଭର କରନ୍ତି । ଗାଁ ସାରା ପୋଖରୀରେ କେବେ କେମିତି ଗୋଟେ ଅଧେ ଧଳା କଇଁ ଫୁଟି ଥିବାର କେବେ କେବେ ଦେଖିଛି । କିନ୍ତୁ ମାମୁଘର ଗାଁ ଆରମ୍ଭରୁ ଶେଷ ଯାଏଁ ସବୁ ପୋଖରୀରେ କାଚକେନ୍ଦୁ ପାଣି । ସବୁ ପୋଖରୀ ବ୍ୟବହାର ଯୋଗ୍ୟ । ଆଉ ସେ ପୋଖରୀରେ ଭଳିକି ଭଳି ଧଳା, ନାଲି, ନୀଳ ରଙ୍ଗର କଇଁ ପଟୁଆର ମାମୁଘର ଗାଁର ସୌନ୍ଦର୍ଯ୍ୟକୁ ଶହେ ଗୁଣା ବଢେଇ ଦିଏ ।
ମାମୁଘର ଗାଁର ସେତେବେଳର ଅଜା- ଆଈଙ୍କ ଭିତରୁ ଅନେକ ଏବେ ଆରପରିରେ । ସେଇ ମାଉସୀମାନେ ଆଉ ନାହାନ୍ତି । ସମସ୍ତେ ବାହାହେଇ ଗଲେଣି । କେବେ କେବେ ମାମୁଘର ଆଡେ ଗଲେ ଦେଖେ ଉଣାଅଧିକେ ମାମୁଘର ଗାଁର ପ୍ରାୟ ଚରିତ୍ରମାନେ ଆଗପରି ଅଛନ୍ତି । କିନ୍ତୁ ସେମାନଙ୍କ ଭିତରେ ଆଗପରି ସେ ନିବିଡ଼ତା ନାହିଁ । ସେମାନଙ୍କ ସହ ଭେଟ ହେଇଗଲେ ଆଖିଚିରି ଅନାନ୍ତି ଆଉ କୃତ୍ରିମ ହସଟେ ଫୁଟେଇ ଦିଅନ୍ତି । ରାଜନୀତି ମାମୁଘର ଗାଁକୁ ଭାଗ ଭାଗ କରିଦେଇଛି । ଜମି-ଜୁମା ବିବାଦ ପରି ଯାବତୀୟ କଳହ ଗାଁରେ ଲାଗିରହିଛି । ଛୋଟ ମୋଟ କଥାରେ ଗାଁରେ ପୋଲିସ ପଶୁଛି । ଏସବୁ ଦେଖି ଛାତି କୋରିହେଇଯାଏ ଆଉ ଆଖି କଣରେ ଧାରେ ଲୁହ ନେଇ ମୁଁ ଘରକୁ ଫେରେ ।
ନାୟକାଣୀଡିହି, ଭଦ୍ରକ
ମୋ: ୭୮୦୯୦୩୭୬୦୮