ରଜ ପାନ
ପାନ ହେଉଛି ଓଡ଼ିଆର ପ୍ରାଣ । ପ୍ରାଚୀନ ଓଡ଼ିଶାରୁ ପାନର ସୃଷ୍ଟି ଆଉ ଏହା ଆମ ସଂସ୍କୃତି ସହ ନିବିଡ଼ ହୋଇ ରହିଛି - କାହିଁ କେଉଁ କାଳରୁ । ଏମିତିକି ଓଡ଼ିଶାର ଲୋକ ଦେବତା ଜଗନ୍ନାଥଙ୍କର ମଧ୍ୟ ବିଡ଼ିଆ ପାନ ଖଣ୍ଡେ ନହେଲେ ନଚଳେ । ପାନ କାହାର ପ୍ରିୟ ନୁହେଁ ଯେ । ନ ଖାଇଲା ଲୋକଙ୍କୁ ସାଧା ଖିଲିପାନ ଖଣ୍ଡେ ଦେଲେ ସେ ବି ଖୁସିରେ ଖାଇଦେବ । ଆଉ ରଜ କଥା ପୁରା ଅଲଗା । ପୁଣି ରଜପାନର ସ୍ୱାଦ ବି ଖୁବ୍ ରୁଚିକର । ପ୍ରେମ, ପ୍ରିତୀ ଓ ପ୍ରଣୟର ପ୍ରତୀକ ଏଇ ପାନ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରେ ଏମିତି ବି ବର୍ଣ୍ଣନା ରହିଛି - "ସେ ଯେବେ କରିବେ ମାନ, ଭାଙ୍ଗି ଭୁଞ୍ଜାଇବି ପାନ, ଗଣ୍ଡେ ଦେଇଣ ଚୁମ୍ବନ, ହରଷ ମୁଁ କରାଇବି, ମଲ୍ଲୀମାଳ ଶ୍ୟାମକୁ ଦେବି ମନ ତୋଷିବି ।'
ପାନ ଖାଉଥିବା ଝିଅଙ୍କ ଓଷ୍ଠାଧାରର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । ପାନ ଦିଆ ନିଆରେ ସମ୍ପର୍କ ବଢ଼େ, ପ୍ରେମରେ ପୂର୍ଣ୍ଣତା ଆଣେ ପାନ । ନୂଆ ବୋହୂଟିଏ ଘରକୁ ଆସିଲେ ତା'ର ଶାଶୂ, ସାଇପଡ଼ିଶା ପ୍ରଥମେ ପାନ ଭଙ୍ଗାର ପରୀକ୍ଷା ନେଉଥିଲେ । ଗୁରୁଜନମାନଙ୍କୁ ନିଜ ହାତଭଙ୍ଗା ପାନ ପରଷିଦେଇ ବୋହୂଟି ମଥାନୁଆଁଇ ପ୍ରଣାମ କରୁଥିଲା । ତେଣୁ ପାନ ଓଡ଼ିଶା ସଂସ୍କୃତିର ଛତ୍ରେ ଛତ୍ରେ ରହିଛି । ରଜପର୍ବରେ ସହୀ ସଙ୍ଗାତ, ମକର, ବଉଳଙ୍କ ସହିତ ପାନଭଙ୍ଗା ଓ ପରସ୍ପର ଆଦାନପ୍ରଦାନ ଓଡ଼ିଆ ଘରର ଚଳଣିରେ ଗ୍ରାମୀଣ ଜୀବନର ଧାରାକୁ ଏବେ ବି ଉଜ୍ଜିବୀତ କରି ରଖିଛି । ପାନ ଖାଇ ରଜଦୋଳିରେ ବସି ଝିଅମାନେ ରଜପାନର ଗୀତ ବୋଲିବା ପରିବେଶକୁ ଖୁବ୍ ଆମୋଦିତ କରିଥାଏ ।
ପାନ ଖଣ୍ଡକରେ କିଣି ହୋଇଯାଏ ମନ । ମୁଖର ସୌନ୍ଦର୍ଯ୍ୟ ଓ ବାସ ବୃଦ୍ଧି କରିଥାଏ ବୋଲି ପାନର ଅନ୍ୟ ନାମ ମୁଖବାସ । ପୁଣି ରଜ ଖେଳ ଭିତରକୁ ବି ପାନ ପଶି ଆସିଛି । ବୟସ୍କ ଓ ମହିଳାଙ୍କ ତାସ ଖେଳରେ କଳାପାନ ଓ ନାଲିପାନର ଆଡ୍ଡା ଖୁବ୍ ଜମେ । ଏବେ ଘରେ ଘରେ ରଜପାନ । ଆଉ ରାଜଧାନୀର ଲୋକଙ୍କୁ ରଜପାନ ଦେବାକୁ ଶହ ଶହ ପାନ ଦୋକାନୀ ବି ଏବେ ପସରା ମେଲାଇ ବସିଛନ୍ତି । ପାନର ମୁଖ୍ୟ ଉପାଦାନ ଗୁଡ଼ିକ ହେଲା - ପାନ, ଚୂନ, ଗୁଆ, ଖଇର, ଲବଙ୍ଗ, ଗୁଜୁରାତି, ଅଳେଇଚ, ଜାଇତ୍ରୀ, ଜାଇଫଳ, ଖୁରୁଡ଼ି ନଡ଼ିଆ, ବାଦାମ, କର୍ପୂର, କବାବ ଚିନି, କେଶର, ଡାଲଚିନି, କସ୍ତୁରୀ, ସୁନା ତବକ, ରୁପାତବକ, ଶୁଣ୍ଠି, ଅଦା, ଚନ୍ଦନ, ମାତୁଲୁଙ୍ଗ, ପିପରମେଣ୍ଟ, ଲବଳୀ, ନଖି ଓ ମୁରାମାଂସ । ଏ ସବୁ ପାନ ମସଲାଦେଇ ଖୁବ୍ କୌଶଳରେ ମୋଡ଼ାଯାଏ ପାନ, ଆଉ ଏଥିରେ ଲବଙ୍ଗ ଗୁନ୍ଥି ବଢ଼େଇ ଦିଆଯାଏ । ଆତ୍ମୀୟ ସ୍ୱଜନଙ୍କୁ । ଏମିତି ଳୋକ ଅଛନ୍ତି, ଯେଉଁମାନେ ପାନଖଣ୍ଡେ ନ ହେଲେ କାମ କରି ପାରନ୍ତି ନି । ତେବେ କଡ଼ାପାନ ନିଶ୍ଚୟ ସ୍ୱାସ୍ଥ୍ୟପକ୍ଷେ ଖୁବ୍ କ୍ଷତିକାରକ । ପାନ ଖର୍ଚ୍ଚ ବି ଅନେକ ସମୟରେ ଅଣ୍ଟାରୁ ପଇସା ସାରିଦିଏ । ନିଆଳି, କାକଟପୁର ଅଞ୍ଚଳରୁ ଏଠାକୁ ଆସୁଛି ପାନ, ପୁଣି ପାନମସଲା ଆସୁଛି ଦିଲ୍ଲୀ ଓ କଲକତାରୁ । ବନାରସ ଓ ରାଞ୍ଚôର ପାନ ବି ଏଠାକୁ ଆସୁଛି ବିକ୍ରି ପାଇଁ । ଜାଫ୍ରାନ ଓ ଗୁଲକନ୍ଦର ଚାହିଦା ବି ଓଡ଼ିଶା ବଜାରରେ ଖୁବ୍ । ରାଜଧାନୀରେ ପାନ ଦୋକାନ କରି ହଜାର ହଜାର ଲୋକ ପେଟପାଟଣା ଦେଖୁଥିବାବେଳେ - ଏବେ ସେମାନଙ୍କର ରଜବଜାର ବେଶ୍ ଜମିଛି । ଦୋକାନୀମାନେ ଢ଼େର ମିଠା ମସଲା ଭର୍ତ୍ତିକରି ରଖିଛନ୍ତି । ଘରେ ଘରେ ବି ବୟସ୍କ ଲୋକ ପାନ ଭାଙ୍ଗି ଅତିଥି ଚର୍ଚ୍ଚା କରୁଛନ୍ତି । ଝିଅଙ୍କର ଏବେ ପାନଖିଆର ବେଳ ।
ଡ.ଅରୁନ୍ଧତୀ ଦେବୀ,ମୋ : ୯୯୩୭୧୭୨୮୧୦