ଏକ ଗ୍ରାମ ଏକ ପରିବାର ଯୋଜନା

ଏକ ଗ୍ରାମ ଏକ ପରିବାର ଯୋଜନା


 ହେମନ୍ତ କୁମାର ପରିଡ଼ା : ସନାତନ ସଂସ୍କୃତିର ବାର୍ତ୍ତାବହ ହେଉଛନ୍ତି ଭାରତ ବର୍ଷର ସାଧୁସନ୍ଥ ମୁନିଋଷି ଗଣ । ଏମାନେ ଆପଣା ତ୍ୟାଗ ତପସ୍ୟା ଓ ଅନୁଭବଲବ୍ଧ ସତ୍ୟକୁ ସାରା ସଂସାରର କଲ୍ୟାଣ ପାଇଁ ବିନିଯୋଗ କରିଛନ୍ତି । ଭାରତ ବର୍ଷ ହେଉଛି ପୂତ ପବିତ୍ର ତପୋଭୂମି । ଏହାର କୋଣଅନୁକୋଣରେ ସାଧୁସନ୍ଥ, ମୁନିଋଷିମାନେ ତପସ୍ୟା କରି ଏହି ମାଟିକୁ ପୂତ ପବିତ୍ର କରିଛନ୍ତି । ଆମେ ସବୁ ସେହି ମୁନିଋଷି ମାନଙ୍କର ଦାୟାଦ । ଏହି ମାନଙ୍କର ଆଦର୍ଶ ଓ ମାର୍ଗ ଦର୍ଶନରେ ଭାରତ ବର୍ଷର ଅଧିବାସୀମାନେ ଆପଣା ଜୀବନକୁ ଧନ୍ୟ କରିଛନ୍ତି, ପରିପୂର୍ଣ୍ଣ କରିଛନ୍ତି । ସାରା ସୃଷ୍ଟିକୁ ଧନ୍ୟ କରିଛନ୍ତି ।
ସାଧୁସନ୍ଥମାନେ ସଂସାରରେ ସ୍ରଷ୍ଟାଙ୍କ ସ୍ୱରୂପ ଅଟନ୍ତି । ଏମାନେ ଲୋକ ଦୃଷ୍ଟିରେ ସାକ୍ଷାତ ଈଶ୍ୱର ଆଉ ଧରଣୀର ଆଶୀର୍ବାଦ ଅଟନ୍ତି । ସନାତନ ସମାଜ ସାଧୁସନ୍ଥ ମାନଙ୍କୁ ବହୁ ଭାବରେ ଶ୍ରଦ୍ଧା ସମ୍ମାନ କରିଆସିଛି । ଆସ୍ଥା ବିଶ୍ୱାସର ପ୍ରତୀକ ଭାବେ ଆଦର ପୂର୍ବକ ହୃଦୟରେ ସ୍ଥାନ ଦେଇଛି । ସେ ସନକ ସନାତନ ଆଦି ଚାରି କୁମାର ହୁଅନ୍ତୁ, ଚଉଦ ମନ ହୁଅନ୍ତୁ ଅଥବା ସପ୍ତଋଷି ହୁଅନ୍ତୁ । ସୃଷ୍ଟି ଆରମ୍ଭରୁ ଗଢ଼ି ଆସିଥିବା ଏହି ସୁଦୀର୍ଘ ପରମ୍ପରାର ଧାରା ଏବେବି ଅବାରିତ ଭାବେ ପ୍ରବାହିତ ହୋଇ ସୃଷ୍ଟିକୁ ସରସ ସୁନ୍ଦର କରିଆସିଛି । ସମୟକ୍ରମେ ଏହି ମହାନ ପରମ୍ପରାରେ ମଣିଷର କୁଟିଳ ପ୍ରବୃତ୍ତି କଳଙ୍କ ଲଗାଇଛି । ଗଭୀର ଆସ୍ଥା ବିଶ୍ୱାସ ଓ ସରଳତାର ସୁଯୋଗ ନେଇ ଚତୁର ବ୍ୟକ୍ତିମାନେ ଲୋଭ ପରବଶ ହୋଇ ଠକିବାର ସହଜ ପନ୍ଥା ଆପଣାଇଛନ୍ତି । ମହାନ ବିଦ୍ୱାନ ରାବଣ, କୁଟିଳ ମନା କାଳନେମି ଭଳି ଚତୁର ବ୍ୟକ୍ତିମାନେ ଏହି ପନ୍ଥା ଅବଲମ୍ବନ କରି ସମାଜକୁ ଭ୍ରମିତ କରିଛନ୍ତି । କୁସଂସ୍କାର ସୃଷ୍ଟି କରିଛନ୍ତି । ତୈଳବିନ୍ଦୁ ଜଳରେ ବିସ୍ତାରିତ ହୋଇଗଲା ଭଳି ବ୍ୟକ୍ତିମାନଙ୍କର କୁଆଚରଣର ପ୍ରଭାବ ଖୁବ ଶୀଘ୍ର ସମାଜରେ ବିସ୍ତାର ଲାଭ କରେ । ବ୍ୟକ୍ତିର ବ୍ୟକ୍ତିତ୍ୱ ଅନୁଷ୍ଠାନର ଆଦର୍ଶ ଓ ଲୋକପ୍ରିୟତା ରାତ୍ରୀର ତାରାଯୁକ୍ତସକାଳୁ ସତ୍ତା ହରାଇଲା ଭଳି ସମାଜ ସମ୍ମୁଖରେ ପ୍ରତ୍ୟାଖ୍ୟାତ ହୁଏ । ତେଣୁ ସାଧୁ ସାବଧାନ ହୋଇ ଚାଲିବା ଦରକାର । ବହୁ କଷ୍ଟ ଅର୍ଜିତ ଚରିତ୍ର ବତ୍ତା, ଯଶ ପ୍ରତିଷ୍ଠା କ୍ଷଣକରେ ଧୂଳିସାତ୍ ହୋଇପାରେ । ଖାଲି ସେତିକି ନୁହେଁ ବ୍ୟକ୍ତିର ସଠ ଆଚରଣକୁ ଅନୁଭବ କରି ଏକ ମହାନ ସଂସ୍କୃତି ପ୍ରତି ଲୋକମାନେ ଆଙ୍ଗୁଳି ନିଦେ୍ର୍ଦଶ କରନ୍ତି । ଆସ୍ଥାହୀନ ହୋଇଯାଆନ୍ତି । ବିଶ୍ୱାସ ହରାନ୍ତି । ସଂସ୍କୃତି ସଭ୍ୟତାର ସୁରକ୍ଷା ସର୍ବୋପରେ ।
ଆସ୍ଥା, ବିଶ୍ୱାସ ହେଉଛି ଜୀବନରେ ସଫଳତାର ଶ୍ରେଷ୍ଠ ପୁଞ୍ଜି ଓ ଚାବିକାଠି । ସାଧୁସନ୍ଥମାନେ ସମାଜର ମାର୍ଗଦର୍ଶନ । ଏମାନେ ଆପଣା ଆଦର୍ଶବୋଧ ଓ ଶକ୍ତି ଦ୍ୱାରା ମାନବତୋର ଉତ୍ତରଣ ପାଇଁ ପ୍ରୟାସ କରିଆସିଛନ୍ତି । ଏମାନେ ସମାଜ ସଂସ୍କାରକ ତଥା ନିୟାମକ ଅଟନ୍ତି । ଯଶୋଦେହେ ଆୟୁଷ୍ମାନ ହୋଇ ଅମରତାର ଅମୀୟ ଆସ୍ୱାଦ ଲାଭ ପାଇଁ ମାର୍ଗଦର୍ଶନ କରୁିଆସୁଛନ୍ତି । ସମାଜରେ ସର୍ବଦା ଏମାନଙ୍କର ଘୋର ଆବଶ୍ୟକତା ଅଛି । ଏମାନେ ସବୁ ଭଗବାନଙ୍କର ବିଶେଷ ବିଭୂତି ଅଟନ୍ତି । ସତ୍ୟ, ସ୍ୱାଧ୍ୟାୟ ଓ ତପ ନିଷ୍ଠା ଦ୍ୱାରା ଏମାନଙ୍କ ପ୍ରୟାସରେ ଅସମ୍ଭବ ସମ୍ଭବ ହୋଇପାରିବ । ପ୍ରୟାସ ବ୍ୟକ୍ତିଗତ ସ୍ତରରେ ହେଉ, ପ୍ରୟାସ ସାମୂହିକ ସ୍ତରରେ ହେଉ । ବିକାଶ ପାଇଁ ଏହା ବିଧେୟ । କଳିଯୁଗରେ ସଂଘଶକ୍ତିର ପ୍ରଭାବ ଅଧିକ । ସବୁର ମୂଳରେ ବ୍ୟକ୍ତି । ଜଣେ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ସତ ସଂକଳ୍ପ, ସତ୍ୟନିଷ୍ଠ ତ୍ୟାଗ ଭାବନା ବହୁ ଲୋକଙ୍କୁ ପ୍ରଭାବିତ କରେ । ସମୂହ ପ୍ରଭାବିତ ହୁଅନ୍ତି । ମାନବ ସମ୍ବଳ ଶ୍ରେଷ୍ଠ ସମ୍ବଳ । ଏହାଦ୍ୱାରା ସଙ୍ଗଠନ ଶକ୍ତିଶାଳୀ ହୁଏ । ଅକ୍ଳେଶରେ ଛିଡ଼ି ଯାଉଥିବା ସୂତାଖିଅ ଗୁଡ଼ିକୁ ଦଉଡି କରିଦେଲେ ତାହା ଆଉ ଛିଡ଼ାଇବା ସହଜ ହୁଏନାହିଁ । ପୃଥିବୀରେ ପ୍ରତିଫଳିତ ସମସ୍ତ ମହାନ କାର୍ଯ୍ୟ ସାମୂହିକ ଉଦ୍ୟମର ପରିପ୍ରକାଶ । ସେତୁବନ୍ଧ ପ୍ରତିଷ୍ଠାରେ କ୍ଷୁଦ୍ର ଗୁଣ୍ଡୁଚି ମୂଷାର ସହଯୋଗ ମଧ୍ୟ ସମାଜ ଦ୍ୱାରା ସ୍ୱୀକୃତ ହୋଇଛି । ତେଣୁ ସମସ୍ତଙ୍କୁ ସାଦର ସ୍ୱାଗତ କରିବା ସଂଘ ଶକ୍ତିର ଆଦର୍ଶ । ଅନେକଙ୍କୁ ସାଥିରେ ନେଇ ଆଗେଇବା ସଂଘ ଶକ୍ତିର ପରିଚାୟକ । ସାଧୁମାନେ ସମର୍ପିତ ବ୍ୟକ୍ତି ସେମାନଙ୍କୁ ସଙ୍ଗଠିତ, ପ୍ରଶିକ୍ଷିତ ଓ ବ୍ୟବସ୍ଥିତ କରି ଦେଶ ଜାତି ସମାଜ ପାଇଁ ବହୁତ କାର୍ଯ୍ୟ କରାଯାଇପାରିବ । ତ୍ୟାଗୀ ଉଦାର ଚରିତ୍ର ସମ୍ପନ୍ନ ବ୍ୟକ୍ତି ସାଧୁ ପଦବାଚ୍ୟ । ଆମ ରାଜ୍ୟରେ ଅନେକ ସାଧୁସନ୍ଥ ଅଛନ୍ତି । ଗ୍ରାମ ଠାରୁ ଆରମ୍ଭ କରି ବଡ଼ ବଡ଼ ସହର ଯାଏ ସବୁଆଡ଼େ ସେମାନେ ଲୋକ ସମ୍ପର୍କରେ ଅଛନ୍ତି । ଲୋକେ ସେମାନଙ୍କୁ ସମ୍ମାନ କରନ୍ତି । ଦାନ ଦକ୍ଷିଣା ଦ୍ୱାରା ସାଧୁମାନେ ପ୍ରତିପାଳିତ ହୁଅନ୍ତି । ସାଧୁମାନେ ସଙ୍ଗଠିତ ଓ ବ୍ୟବସ୍ଥିତ ହେଲେ ଅସାଧ୍ୟ ସାଧନ କରିପାରିବେ । ସମାଜର ଅଶେଷ କଲ୍ୟାଣ ସାଧନ ହୋଇପାରିବ । ସାଧୁତା ବେଶଭୂଷାରେ ନ ହୋଇ ଚରିତ୍ରରେ ଫୁଟି ଉଠିବା ଦରକାର । ସାଧୁସଙ୍ଗଠନ ଓ ତାର ରୂପରେଖ ନେଇ ଆମର କିଛି ଚିନ୍ତନ -  ତଥ୍ୟ ସଂଗ୍ରହ - (କ) - ଓଡ଼ିଶାର ଗ୍ରାମ ସଂଖ୍ୟା, (ଖ) - କେଉଁ ଗ୍ରାମ ବା ସହରରେ କେଉଁ କେଉଁ ସାଧୁ ଅବସ୍ଥାନ କରୁଛନ୍ତି । ସେମାନଙ୍କର ସବିଶେଷ ସୂଚନା ସଂଗ୍ରହ । ସୂଚନା ସରଣୀ - ଭେକଧାରୀ ତ୍ୟାଗୀ (କେଉଁ ସମ୍ପ୍ରଦାୟ), ୨. ଭେକ ଧାରୀ ଗୃହସ୍ତ, ୩. ସାଧୁ ସନ୍ନ୍ୟାସୀ, ୪. ସାଧୁ ବୈଷ୍ଣବ, ୫. ଅନ୍ୟ ପରମ୍ପରାର, ୬. ସାଧୁ, ସ୍ୱଭାବର ବ୍ୟକ୍ତି, ୭. ଅନ୍ୟାନ୍ୟ ।  ଶିକ୍ଷିତ (ଶିକ୍ଷାଗତ ଯୋଗ୍ୟତା), ୨. ସାଧାରଣ ଶିକ୍ଷିତ, ୩. ମଠ, ଆଶ୍ରମ ବା ଅନୁଷ୍ଠାନଧାରୀ, ୪. ବୁଲା ସାଧୁ, ୫. ଗୃହସ୍ଥ / ସମାଜସେବୀ, ୬. ବ୍ରହ୍ମଚାରୀ / ବିଦ୍ୟାର୍ଥୀ, ୭. ଅନ୍ୟାନ୍ୟ । ସାଧୁଙ୍କ ଦ୍ୱାରା ପୋଷ୍ୟ ଗ୍ରାମ ଗ୍ରହଣ : - ଯୋଗ୍ୟତା ଭିତ୍ତିରେ ସାଧୁସନ୍ଥ ମାନଙ୍କୁ ଗୋଟିଏ ଗୋଟିଏ ଗ୍ରାମର ଦାୟିତ୍ୱ ଅର୍ପଣ । ଯେଉଁ ସାଧୁଙ୍କର ଯେଉଁ ସ୍ଥାନରେ ମଠ ବା ଆଶ୍ରମ ଆଦି ଅଛି ସେ ଚାହିଁଲେ ସେହି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ । ସେହି ଗ୍ରାମର ସର୍ବାଙ୍ଗୀନ ବିକାଶ ଦାୟିତ୍ୱ ସେ ସାଧୁଙ୍କ ଉପରେ ରହିବ ।  ସାଧୁସନ୍ଥ ମାନଙ୍କୁ ପ୍ରଶିକ୍ଷଣ - ଧର୍ମ ଧାରଣା, ଶାସ୍ତ୍ରୀୟ ଜ୍ଞାନ, ସାମାଜିକ ସମରସାତା ସମ୍ବନ୍ଧରେ ଜ୍ଞାନ, କର୍ମକାଣ୍ଡ, ସ୍ୱାସ୍ଥ୍ୟସେବା, ସମାଜ ସେବାରେ ଆସୁଥିବା ଆବଶ୍ୟକୀୟ ଜ୍ଞାନ, ଜନସେବା, ଦେଶ ସେବା, ଦେଶ ଭକ୍ତି, ସ୍ୱାବଲମ୍ବନ ଶୀଳତା ଆଦି ସାଧୁର ସମ୍ବଳ । ସାଧୁ ସରଳ, ଉଦାର ଓ ସେବା ପରାୟଣ ହେବା ଉଚିତ । 
ଏକ ଗ୍ରାମ ଏକ ପରିବାର ଯୋଜନାରେ ପ୍ରତ୍ୟେକ ଗ୍ରାମର ପରିଚାଳନା ଓ ବିକାଶ ଏକ ସମବାୟ ସମିତି ଅଧୀନରେ ରହିବ, ଅର୍ଥାତ୍ ପ୍ରତ୍ୟେକ ଗ୍ରାମ ଏକ ସମବାୟ ସମିତି ହେବ । ଲୋକେ ଏକତ୍ର ଅବସ୍ଥାନ କରିବେ, ଏକତ୍ର ଭୋଜନ କରିବେ । ସମିତି ସମସ୍ତଙ୍କର ରହିବା, ଖାଇବା, ସ୍ୱାସ୍ଥ୍ୟ, ଶିକ୍ଷା, ବସ୍ତ୍ର ପରିଧାନ, ମନୋରଞ୍ଜନ ବ୍ୟବସ୍ଥା କରିବ । ସମିତି ନିଦେ୍ର୍ଦଶରେ ସଭ୍ୟମାନେ କାର୍ଯ୍ୟ କରିବେ । ଯିଏ ଯେଉଁ କାମ କରୁଥିଲେ ସେହି କାମ କରିବେ । ପୂର୍ବରୁ ନିଜ ପାଇଁ କରୁଥିଲେ ଏବେ ନିଜ ସମିତି ପାଇଁ କରିବେ । ଚାଷବାସ, ଆୟଦେୟ ସବୁ ସମିତି ଦାୟିତ୍ୱରେ ପରିଚାଳିତ ହେବ । ସମିତି ସମସ୍ତ ଗ୍ରାମବାସୀଙ୍କ ସକଳ ପ୍ରକାର ଦାୟିତ୍ୱ ପରିବାରର ମୁରବି ଭଳି ବୁଝିବ । ପ୍ରତ୍ୟେକ ଘରର ସମସ୍ତ ସାମାଜିକ ଉତ୍ସବ, ସାମାଜିକ କାର୍ଯ୍ୟ, ଚାଷବାସ, ବନ୍ଧୁ ବାନ୍ଧବ, ମେଳା ମହୋତ୍ସବ, ପର୍ବପର୍ବାଣି, ବ୍ୟକ୍ତିଗତ ଜନ୍ମ ଉତ୍ସବ, ମୃତୁ୍ୟର କ୍ରିୟାକର୍ମ, ପିଲାମାନଙ୍କର ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସୁବିଧା, ସବୁକିଛି ସମିତିର ଦାୟିତ୍ୱ ହେବ । ଗ୍ରାମରେ ଥିବା ମଠ ମନ୍ଦିର ଧର୍ମାନୁଷ୍ଠାନ, ଅବସର ବିନୋଦନ କେନ୍ଦ୍ର, ସୁଖଶାନ୍ତି, ସଭାଗୃହ, ଖେଳ ପଡ଼ିଆ, ବିଦ୍ୟାଳୟ, ପାଠାଗାର, ବ୍ୟକ୍ତି ବିକାଶର ସମସ୍ତ ବ୍ୟବସ୍ଥା ଓ ପରିଚାଳନା ଭାର ସମିତିର । ଲୋକଙ୍କ ପାଇଁ ଯାହା ଯାହା ଆବଶ୍ୟକ ତାହା ସମିତି ବ୍ୟବସ୍ଥା କରିବ । ସମିତି ସ୍ୱାବଲମ୍ବୀ ହେବ । ସମସ୍ତଙ୍କ ସମ୍ପତ୍ତି ଅଲିଖିତ ଭାବେ ସମିତିର ସମ୍ପତ୍ତି ହେବ । ସମିତି ସମସ୍ତଙ୍କର ସମ୍ପୂର୍ଣ୍ଣ ଭରଣପୋଷଣ କରିବ । ଆୟର ବ୍ୟୟର ହିସାବ ରଖିବା ସହିତ ଯଥାର୍ଥ ଭାବେ ସମିତି ଓ ଲୋକମାନଙ୍କ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବେ । ସମିତିରେ ସବୁ ସଦସ୍ୟ ସମାନ । ସମିତି ପାଖରେ କୌଣସି ଭେଦଭାବ ରହିବ ନାହିଁ । ଜାତି, ଧର୍ମ, ବର୍ଣ୍ଣ, ଭେଦ ରହିବ ନାହିଁ । ଛୁଅାଁ ଅଛୁଅାଁ ଭେଦ ରହିବ ନାହିଁ । ସମସ୍ତେ ଆପଣା ଯୋଗ୍ୟତା ଅନୁସାରେ କାମ କରିବେ । ମତମତାନ୍ତର, ଈର୍ଷାଦ୍ୱେଷ ନୁହେଁ ଶ୍ରଦ୍ଧା ପ୍ରେମରେ କାର୍ଯ୍ୟ ଚାଲିବା ଗ୍ରାମର ସଚଳ ବ୍ୟକ୍ତିମାନେ ଆରମ୍ଭରେ କିଛି ହରାଇବା ଭଳି ବୋଧ ହେବ । ନିମ୍ନ ସ୍ତରରେ ଥିବା ବ୍ୟକ୍ତିମାନେ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବେ । ସମସ୍ତେ ଉଦାର ହୃଦୟରେ ଏହି ମହତ୍ କାର୍ଯ୍ୟକୁ ସହଯୋଗ ଭିତ୍ତିରେ ଆଗେଇ ନେବେ । ସମୟକ୍ରମେ ଏହାର ସୁଫଳ ଅନୁଭୂତ ହେବ । ଏକ ମନ ଏକ ପ୍ରାଣ ହୋଇ ଏକ ପରିବାରର ସଦସ୍ୟ ଭାବେ ସମସ୍ତେ ଚଳିବେ । "ବେଦ' ବିଭେଦରେ ନୁହେଁ ଏକତ୍ୱରେ ବିଶ୍ୱାସ ରଖେ । ଆମେ ସମସ୍ତେ ଏକ ମଣିଷ ଜାତି । ଆମ ଧର୍ମ ପ୍ରେମଧର୍ମ । ମାତୃଭୂମି ଆମର ଆାରାଧ୍ୟା ଆମର ମା’ । ମାତୃଭୂମି ଓ ମାତୃଭୂମିର ଅଧିବାସୀ ମାନଙ୍କୁ ଆମେ ଆପଣା ପରିବାରର ସଦସ୍ୟ ବୋଲି ଭାବି ଚଳିବା । ଆପଦ ବିପଦରେ ସମସ୍ତେ ସମସ୍ତଙ୍କ ପ୍ରତି ସହଭାଗୀ ହେବେ । ସେବା ପରାୟଣ ହେବେ । ସୁଖ ଶାନ୍ତିରେ ଜୀବନଯାପନ ପ୍ରତ୍ୟେକଙ୍କର ପ୍ରାଥମିକ ଆବଶ୍ୟକତା । ଯେଉଁଦିନ ଆମେ ଜନ୍ମ ହେଲେ ଏ ପୃଥିବୀ ଆମକୁ ସ୍ୱାଗତ କରିଥିଲା ଆଉ ମୃତୁ୍ୟ ଦ୍ୱାରା ଆମକୁ ବିଦାୟ ଦେବ । ଆମେ କିଛି ନେଇକି ଆସି ନଥିଲେ, ଗଲାବେଳେ ମଧ୍ୟ କିଛି ନେଇକି ଯିବା ନାହିଁ । କାଳ କବଳିତ ସମସ୍ତେ । ସମୟ ସମସ୍ତଙ୍କର ସତ୍ତା ଲିଭାଇ ଦେଇଛି । ବଡ଼ ବଡ଼ ମହାପୁରୁଷମାନଙ୍କ ନାମ ନିଶାନ ମଧ୍ୟ ନାହିଁ । ପୁରାଣ ପୃଷ୍ଠା ମଣ୍ଡନ କରିଥିବା ଦେବାଦେବୀ ମାନଙ୍କର ଜନ୍ମ ମୃତୁ୍ୟର ହିସାବ କେହି ରଖି ନାହାଁନ୍ତି କିମ୍ବା ସେମାନଙ୍କର ସଂଜ୍ଞା ନିରୂପଣ ନାହିଁ । ତେଣୁ ଏବେ ଯଦି ଆମେ ଆମ ପୃଥିବୀରୁ ପରିଚୟ ଗତ ବର୍ଣ୍ଣ ବ୍ୟବସ୍ଥା ବା ସଂଜ୍ଞା ସହିତ ଜାତିଭେଦ ଉଠାଇ ଦିଅନ୍ତେ ତେବେ ପୃଥିବୀରୁ ଅନେକ ଅଶାନ୍ତିି ଶାନ୍ତିି ହୋଇଯାଆନ୍ତା । ଆମେ ସମସ୍ତେ ମଣିଷ ଜୀବନ ଧାରଣ ପାଇଁ ଶ୍ରଦ୍ଧା ପ୍ରେମର ସହିତ ଆବଶ୍ୟକୀୟ କର୍ମ କରି ଶାନ୍ତି ଆନନ୍ଦରେ ନିବାସ କରିପାରନ୍ତେ । ସାରା ବିଶ୍ୱ ଏକ ପରିବାର ହୋଇପାରନ୍ତା ।  ଏକତ୍ର ନିବାସ, ଏକତ୍ର ଭୋଜନ ସାମୂହିକ ସାର୍ବଜନୀନ ପ୍ରାର୍ଥନା ସକାଳେ ସନ୍ଧ୍ୟା ପ୍ରତ୍ୟେକ ପ୍ରତ୍ୟେକଙ୍କ ମୁହଁ ଚାହିଁବା ଦ୍ୱାରା ଆନ୍ତରିକତା ବୃଦ୍ଧି ପାଇବ । ଭେଦଭାବ ଦୂର ହୋଇଯିବ । ପରିବାର ବୋଧ ସୃଷ୍ଟି ହେବ, ମାନବ ସମ୍ବଳ ସବୁଠାରୁ ଶ୍ରେଷ୍ଠ ସମ୍ବଳ । ସ୍ୱାର୍ଥ ନୁହେଁ ପରାର୍ଥ ଆମର କାମ୍ୟ । ଟଙ୍କା ବଡ଼ ନହେଁ ମଣିଷ ବଡ଼ । ଯେତେ ପାରୁଛ ମଣିଷ ଧର । ମାନବ ଶକ୍ତି ସାକ୍ଷାତ ମାଧବ ରୂପରେ ସର୍ବ ନାମ ରୂପରେ ଉପସ୍ଥିତ ରହି ଆମର ସହାୟକ ହେବେ । ସେବା, ପ୍ରେମ, ସହାନୁଭୂତି ଓ ସହାବସ୍ଥାନରେ ଜୀବନ ସୁଖଦ ସୁନ୍ଦର ହେବ । ଏକ ଗ୍ରାମ ଏକ ପରିବାର ପରିବ୍ୟାପ୍ତ ହୋଇ ବିଶ୍ୱ ପରିବାରରେ ପରିଣତ ହୋଇଯିବ । ସାରା ବସୁଧା ଏକ ଆମେ ସମସ୍ତେ ଏହି ଏକ ପରିବାରର ସଦସ୍ୟ । ଆସ ଅପୁରନ୍ତ ଶ୍ରଦ୍ଧା ସ୍ନେହ ପ୍ରେମ ନେଇ ଆମ ଏହି ଧରଣୀକୁ ସ୍ୱର୍ଗ ସୁଷମାରେ ଭରିଦେବା । ସାଧୁସନ୍ଥ, ବୁଦ୍ଧିଜୀବୀ ଓ ନେତୃ ସ୍ଥାନୀୟ ବ୍ୟକ୍ତିମାନେ ଏହି ଉଦ୍ୟମର ସଫଳ ରୂପାୟନ ପାଇଁ ପ୍ରୟାସୀ ହୁଅନ୍ତୁ । ନୂତନ ଚିନ୍ତା ଚେତନାରେ ଉଦ୍ୟମକୁ ଶ୍ରୀମନ୍ତ କରନ୍ତୁ । ଅନେକ ଆଶା ଓ ଅଶେଷ ଶୁଭ କାମନା ସହିତ ।
ମୋ : ୮୭୬୩୧୦୭୧୨୬