ପଶୁଙ୍କ ପାଇଁ ମଶାଣି
ଜନସଂଖ୍ୟା ବୃଦ୍ଧି ସହିତ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ବଢୁଛି । ସହରାଞ୍ଚଳରେ ବୁଲା କୁକୁରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପଶୁପକ୍ଷୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏହି ପଶୁପକ୍ଷୀ ସବୁବେଳେ ଯେ ବୁଲା ପଶୁପକ୍ଷୀ, ସେମିତି ନୁହଁ; ପୋଷା ଜନ୍ତୁ ଏବଂ ଅନ୍ୟାନ୍ୟ ପ୍ରାଣୀ ବି ଅଛନ୍ତି । ତେବେ ସେହି ପ୍ରାଣୀମାନେ ମରିଯିବା ପରେ ସେମାନଙ୍କ ମୃତଦେହ କିଭଳି ଭାବରେ ନଷ୍ଟ କରାଯିବ ତାହା ଏବେ ଏକ ବଚ୍ଛ ସମସ୍ୟା ହେଲାଣି । ସହରାଞ୍ଚଳ ଗୁଡ଼ିକରେ କୁକୁର, ଗାଈ ଇତ୍ୟାଦିଙ୍କର ମୃତଦେହ ପୋତାଯିବା ପାଇଁ ସ୍ଥାନ ମିଳୁନାହିଁ । ବିଶେଷ କରି ରାଜପଥରେ ରାତିରେ ଗାଈଗୋରୁ ଶୋଉଛନ୍ତି ଏବଂ ଯାନବାହାନ ଧକ୍କାରେ ସେମାନଙ୍କର ମୃତୁ୍ୟ ଘଟୁଛି । ଏହିଭଳି ମୃତ ପଶୁମାନଙ୍କ ପାଇଁ ଜାତୀୟ ରାଜପଥ କଡ଼ରେ ଜଙ୍ଗଲ, ବୁଦା ଜାଗା ନିକଟରେ ସେମାନଙ୍କୁ ପୋତିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରିବାର ଆବଶ୍ୟକତା ପଡ଼ିଲାଣି । ମଲା କୁକୁରଙ୍କ ପାଇଁ ଏକ ମଶାଣି ବ୍ୟବସ୍ଥା କରିବା ପାଇଁ ରାଜଧାନୀ ଭୁବନେଶ୍ୱରର କିଛିଲୋକ ବହୁଦିନରୁ ଦାବି କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ସ୍ଥିର ହୋଇପାରିଲା ନାହିଁ । ରାସ୍ତାରେ ଏଣେତେଣେ କୁକୁର ଓ ଗାଈ ମରି ଭୀଷଣ ଦୁର୍ଗନ୍ଧ ହେଉଛି । ଏହି ମୃତଦେହଗୁଡ଼ିକୁ କୌଣସି ଏକ ସ୍ଥାନରେ ପୋତିବାର ବ୍ୟବସ୍ଥା ହୋଇପାରୁନାହିଁ । ଦିନ ଦିନ ଧରି ଏହି ମୃତଦେହ ଗୁଡ଼ିକ ରାସ୍ତାରେ ପଡିରହୁଛି । ରାଜପଥ ଗୁଡ଼ିକରେ ଗାଡ଼ି ଧକ୍କାରେ ମୃତୁ୍ୟମୁଖରେ ପଡୁଥିବା ପଶୁମାନଙ୍କୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଉଠାଇ ନେବାର ବ୍ୟବସ୍ଥା ଅଛି । ହେଲେ ଉଠାଇ ନେଇ ଯେଉଁଠି ଇଚ୍ଛା ସେଇଠି ନଫିଙ୍ଗି ଏହି ମୃତଦେହଗୁଡ଼ିକୁ ପୋତିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ ହେବାର ଆବଶ୍ୟକତା ଅଛି ।
ଉାସ କେତେଟା ତଳେ ଭୁବନେଶ୍ୱରରେ ଗଣ୍ଡା ଗଣ୍ଡା କୁକୁର ମରିଲେ । ସେମାନଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସେହିସବୁ ମଲା ଦେହଗୁଡ଼ିକୁ ବରମୁଣ୍ଡା ନିକଟସ୍ଥ ଏକ ନାଳରେ ପକାଇ ଦିଆଯାଇଥିଲା । ଏଥିରେ ଅନେକ ସଚେତନ ନାଗରିକ ଏବଂ ବୁଦ୍ଧିଜୀବୀ ସେମାନଙ୍କର ଉଦ୍ବେଗ ପ୍ରକାଶ କରିଥିଲେ । ଏହାପରେ ମଧ୍ୟ ସ୍ଥାୟୀ ଭାବରେ ମଲା ପଶୁମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ ହୋଇପାରୁନାହିଁ । ରାଜପଥର ପ୍ରତି ୧୦/୧୫ କିଲୋମିଟର କିମ୍ବା ତାହା ଠାରୁ ଅଧିକ ବ୍ୟବଧାନରେ ରାସ୍ତା କଡ଼ରେ ଜଙ୍ଗଲ ଥିବା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ପଶୁମାନଙ୍କର ଶବକୁ ପୋତିବାର ଏକ ବ୍ୟବସ୍ଥା ହେବା ଜରୁରୀ ହୋଇ ପଡ଼ିଲାଣି । ବର୍ତ୍ତମାନ ଯିଏ ଯେଉଁଠି ପାରୁଛି ମଲା ପଶୁମାନଙ୍କ ମୃତଦେହକୁ ରାତି ଅଧରେ ଫୋପାଡ଼ି ଚାଲି ଯାଉଛନ୍ତି । ଏହା ଫଳରେ ପରିବେଶ ଦୁର୍ଗନ୍ଧମୟ ହେବା ସହିତ ସେହି ମୃତଦେହକୁ ରାତିରେ ଖାଇବାକୁ ଆସୁଥିବା ଜଙ୍ଗଲି ପଶୁମାନେ ମଧ୍ୟ ରାସ୍ତାରେ ଗାଡି ଧକ୍କାରେ ମୃତୁମୁଖରେ ପଡ଼ିବା, ଗାଡ଼ି ଦୁର୍ଘଟଣା ଘଟିବା ଆଦି ସମ୍ଭାବନା ସୃଷ୍ଟି ହେଉଛି । ଏ ସମସ୍ତ ଦୃଷ୍ଟିରୁ ମଣିଷମାନଙ୍କ ନିମିତ୍ତ ଯେଭଳି ମଶାଣି ରହିଛି, ଠିକ୍ ସେହିଭଳି ବର୍ତ୍ତମାନ ପଶୁମାନଙ୍କ ନିମିତ୍ତ ମଧ୍ୟ ମଶାଣିର ଆବଶ୍ୟକତା ଅନୁଭୂତ ହେଲାଣି ।
ରାଜ୍ୟରେ ଏବେ ପଶୁ ଗଣନା ଚାଲିଛି । ପଶୁମାନଙ୍କର ସଂଖ୍ୟା ଜଣାପଡ଼ିବା ପରେ ସେମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ସରକାର କରିବା ଉଚିତ୍ । ମନୁଷ୍ୟ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ନିବିଡ଼ । ନିର୍ଦ୍ଦିଷ୍ଟ କେତେକ ଧନାଢ଼୍ୟ ବ୍ୟକ୍ତି ସେମାନଙ୍କ ପୋଷା କୁକୁର, ବିଲେଈ ଆଦିଙ୍କର ମୃତଦେହକୁ ମନୁଷ୍ୟଙ୍କ ଭଳି ସଂସ୍କାର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଦେଖାଯାଏ । ଆଉ କେତେକ ସ୍ଥାନରେ ବୁଲା ଷଣ୍ଢଙ୍କ ପାଇଁ ମଧ୍ୟ ଲୋକେ ଟଙ୍କା ଖର୍ଚ୍ଚ କରୁଥିବା ଦେଖାଯାଏ । ତେବେ ଏ ଦିଗରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ ହେଲେ ପଶୁପକ୍ଷୀଙ୍କ ମୃତଦେହର ସଂସ୍କାର ବ୍ୟବସ୍ଥିତ ହୋଇପାରିବ ।