ବିଘ୍ନ ବିନାଶକ ଶ୍ରୀ ଗଜାନନ

ବିଘ୍ନ ବିନାଶକ ଶ୍ରୀ ଗଜାନନ

ରଶ୍ମିମୟୀ ପତି :  ବିଘ୍ନ ବିନାଶକ ଶ୍ରୀ ଗଜାନନ
   ଖର୍ବଂ ସ୍ଥୁଳତନୁଂ ଗଜେନ୍ଦ୍ର ବଦନଂ ଲମ୍ବୋଦରଂ ସୁନ୍ଦରଂ
ପ୍ରସ୍ୟଦନ୍ ମଧୁଗନ୍ଧ ଲୁବ୍ଧ ମଧୁପ ବ୍ୟାଲୋଳ ଗଣ୍ଡସ୍ଥଳଂ
ଦନ୍ତାଘାତ ବିଦାରିତାରି ରୁଧିରୈଃ ସିନ୍ଦୁର ଶୋଭା କରଂ
ବନେ୍ଦ ଶୈଳସୂତା ସୂତଂ ଗଣପତି ସିଦ୍ଧି ପ୍ରଦଂ କାମଦଂ ।ା
ସତ୍ୟଯୁଗରେ ଦକ୍ଷ ପ୍ରଜାପତିଙ୍କର କନ୍ୟା ଥିଲେ ସତୀ । ସତୀ ଶଙ୍କର ଭଗବାନଙ୍କୁ ବିବାହ କରିଥିଲେ । ଦକ୍ଷ ପ୍ରଜାପତି ତାଙ୍କ ଜାମାତା ଶିବଙ୍କୁ ଯଥା ରୀତି ମାନସମ୍ମାନ କରୁନଥିଲେ । ସେ ଶ୍ମଶାନରେ ବାସ କରନ୍ତି, ମୁଣ୍ଡମାଳ ଗଳାରେ ଲଗାନ୍ତି, ଦେହରେ ଭସ୍ମ ଲେପନ କରନ୍ତି, ସାପକୁ ଦେହରେ ଗୁଡାଇ ଧରନ୍ତି ବୋଲି ଦକ୍ଷଙ୍କ ମନରେ ଅଶାନ୍ତି ଓ ଅବସୋସ ରହିଥାଏ । ତାଙ୍କୁ ଅମଙ୍ଗଳ ସୂଚକ କହନ୍ତି ଓ ନୂ୍ୟନ ଚକ୍ଷୁରେ ଦେଖନ୍ତି । ତେଣୁ ସତୀଙ୍କ ମନରେ ଥାଏ ଘୋର ଦୁଃଖ ଓ ବିଷାଦ ।
ଏକଦା, ଦକ୍ଷ ପ୍ରଜାପତି ଏକ ଯଜ୍ଞର ଆୟୋଜନ କଲେ । ସମସ୍ତ ଦେବ, ଋଷି, ଗନ୍ଧର୍ବ, କିନ୍ନର, ନାଗ ସମସ୍ତଙ୍କୁ ନିମନ୍ତ୍ରଣ କଲେ । କିନ୍ତୁ ତାଙ୍କର କନ୍ୟା ସତୀ ଓ ଭଗବାନ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ସତୀ ଅତ୍ୟନ୍ତ ଲଜ୍ୟା ଓ ଅପମାନରେ ଯଜ୍ଞକୁଣ୍ଡରେ ଆତ୍ମହୁତି ଦେଲେ । ନିଜ ପତ୍ନୀଙ୍କର ଶରୀର ତ୍ୟାଗ ଶୁଣି ଦୁଃଖରେ ଭାଙ୍ଗି ପଡିଲେ ଶଙ୍କର ଭଗବାନ । ପତ୍ନୀ ବିଛେଦରେ ସର୍ବଦା ବନ, ଜଙ୍ଗଲ, ଶ୍ମଶାନ ଓ ପାହାଡରେ ବୁଲନ୍ତି ଓ ତପସ୍ୟା କରନ୍ତି । ସତୀ ପରବର୍ତ୍ତୀ ଜନ୍ମରେ ଶୈଳରାଜ ହିମାଳୟ ଏବଂ ତାଙ୍କ ପତ୍ନୀ ମେନାଙ୍କ ଗର୍ଭରେ କନ୍ୟା ରୂପେ ଜନ୍ମ ନେଲେ । ପର୍ବତଙ୍କ କନ୍ୟା ହୋଇଥିବାରୁ ସତୀ ତାଙ୍କ ପରବର୍ତ୍ତୀ ଜନ୍ମରେ ପାର୍ବତୀ ନାମରେ ନାମିତ ହେଲେ । ଦେବର୍ଶୀ ନାରଦଙ୍କ ପରାମର୍ଶରେ ପାର୍ବତୀ ଶିବଙ୍କୁ ପ୍ରାପ୍ତ ହେବା ପାଇଁ କଠୋର ତପସ୍ୟା କଲେ । ପାର୍ବତୀଙ୍କ ତପସ୍ୟାରେ ଶଙ୍କର ସନ୍ତୁଷ୍ଟ ହେଲେ ଏବଂ ପାର୍ବତୀଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କଲେ । ଦୁନ୍ଦୁଭି ବାଦ୍ୟରେ ସ୍ୱର୍ଗପୁର କମ୍ପିଉଠିଲା । ଦେବାଦେବୀମାନେ ପୁଷ୍ପ ବୃଷ୍ଟି କଲେ ଓ ବହୁ ଆଡମ୍ବରରେ ଶିବପାର୍ବତୀ ଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେଲା । ବିବାହ ପରେ ଶିବପାର୍ବତୀ ଶିବଗଣଙ୍କ ସହିତ ମହା ଆନନ୍ଦରେ କୈଳାଶ ପର୍ବତରେ ଅବସ୍ଥାନ କଲେ । ଅତ୍ୟନ୍ତ ରମଣୀୟ ସ୍ଥାନ କୈଳାଶ ପର୍ବତ । ଯେଉଁଠି ପାପ ଓ ଅନ୍ୟାୟର ସ୍ଥାନ ନ ଥାଏ, ଯେଉଁଠି ନଥାଏ ନିଦାଘର କଷ୍ଟ, ଯେଉଁଠି ସର୍ବଦା ବହେ ମଧୁର ମଳୟ, ବିଭିନ୍ନ ସୁଗନ୍ଧିତ ପୁଷ୍ପ ଯେଉଁଠି ବସନ୍ତର ସ୍ପର୍ଶରେ ନୃତ୍ୟ  କରନ୍ତି, ସେ ସ୍ଥାନ ହିଁ କୈଳାସ ପର୍ବତ । ଯାହାଙ୍କୁ ଉପମା ଦେବା ପାଇଁ କବି ପାଖରେ ଭାଷା ନଥାଏ ତାହା ହେଲା କୈଳାସ ପର୍ବତ ।
ଦିନେ ସେ ପର୍ବତରେ ଭଗବାନ ଶଙ୍କର ତାଙ୍କ ପ୍ରିୟ ଗଣଙ୍କ ସହିତ ବିଚରଣ କରୁଥାଆନ୍ତି । ମାତା ପାର୍ବତୀ କିନ୍ତୁ ସେମାନଙ୍କ ସହ ନ ଥିଲେ । ସେ କୁଟୀରରେ ଏକାକୀ ଥିଲେ, ନିଜ ଅଙ୍ଗରେ ହଳଦୀ, ସୁଗନ୍ଧିତ ତୈଳ ଓ ଚତୁଃସମ ଆଦି ପଦାର୍ଥକୁ ତାଙ୍କ ଶରୀରରେ ଲେପନ କରୁଥିଲେ । ସ୍ନାନ କରିବାକୁ ଯିବା ପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିଲେ । ସେହି ସମୟରେ ହଳଦୀର ଗୁଣ୍ଡ (ହଳଦୀ ମଳୁଖ) ଦେବୀଙ୍କ ଦେହରୁ ତଳେ ଝରିପଡିଲା । ସେ ସବୁ ଏକତ୍ରିତ କଲେ ଦେବୀ ଓ ଗୋଟିଏ ବାଳକର ରୂପ ଦେଲେ । ସେ ବାଳକ ରୂପୀ ହଳଦୀ ମଳୁଖରେ ଦେବୀ ଟିକେ ଚତୁଃସମ ଲେପିଦେଲେ ଏବଂ ତାକୁ ଜୀବନ୍ନ୍ୟାସ ଦେଲେ । ଫଳରେ ସେ ମେଂଚା ହଳଦୀ ମଳୁଖ ଏକ ଜୀବନ୍ତ ଦିବ୍ୟ ବାଳକ ହୋଇ ଦେବୀଙ୍କ ଆଗରେ ଦଣ୍ଡାୟମାନ ହେଲା । ଦେବୀଙ୍କୁ ପ୍ରଣାମ କଲା ସେ ଦିବ୍ୟ ବାଳକଟି । ଏହିପରି ଅତ୍ୟନ୍ତ ବିସ୍ମୟକର ଥିଲା ଗଣେଶଙ୍କ ଜନ୍ମ ରହସ୍ୟ । ବାତ୍ସଲ୍ୟ ମମତା ଫୁଟି ଉଠିଲା ଦେବୀଙ୍କ ହୃଦୟରେ । ମାତୃତ୍ୱର ସ୍ପର୍ଶରେ ତାଙ୍କ ଅଙ୍ଗ ପୁଲକିତ ହୋଇଗଲା । ତା ମୁଣ୍ଡରେ ଅତି ଆଦରରେ ହସ୍ତ ସଂଚାଳନ କଲେ । ଦେବୀ କହିଲେ ମୁଁ ଏବେ ସ୍ନାନ କରିବାକୁ ଯାଉଛି ଓ ତାପରେ ଅଙ୍ଗ ବସ୍ତ୍ର ଓ ନାନା ଅଳଙ୍କାରରେ ମଣ୍ଡନ ହେବି, ତୁ ସେ ପର୍ଯ୍ୟନ୍ତ ମୋ ଦ୍ୱାରରେ ଜଗିଥିବୁ । ମୁଁ ନ ଆସିବା ପର୍ଯ୍ୟନ୍ତ କାହାକୁ ଭିତରକୁ ପ୍ରବେଶ କରିବାକୁ ଦେବୁନି ।
ମାତାଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ବାଳକଟି ଦ୍ୱାର ଦେଶରେ ଜଗି ବସିଲା । ଏହି ସମୟରେ ଉମାପତି ଶଙ୍କର ଭଗବାନ ବୃଷଭ ପିଠିରେ ବସି କୈଳାସ ପର୍ବତରୁ ତାଙ୍କ କୁଟୀରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଦ୍ୱାର ଦେଶରେ ସେହି ଦିବ୍ୟ ବାଳକଟିକୁ ଦେଖିଲେ । ଶିବଙ୍କ ସହିତ ଶିବଗଣ ମଧ୍ୟ ଥାଆନ୍ତି । ବାଳକ ହାତରେ ଏକ ଶୂଳ ଧରି ଜଗିଥାଏ । ଭଗବାନ ଶିବ ଯେତେଥର ଭିତରକୁ ପ୍ରବେଶ କରିବାକୁ ଉଦ୍ୟତ ହେଲେ ସେ ବାଳକ ପ୍ରତିବନ୍ଧକ ସୃଷ୍ଟି କଲା । ବାଳକଟି କହିଲା, ମତେ ଭିତରକୁ କାହାକୁ ନ ଛାଡିବା ପାଇଁ ଆଦେଶ ଦିଆଯାଇଛି । ଯଦି ଭିତରକୁ ଯିବାକୁ ଏକାନ୍ତ ଇଛା, ତେବେ ମତେ ଯୁଦ୍ଧରେ ପରାସ୍ତ କରି ଯାଇପାର । କ୍ରୋଧାନ୍ୱିତ ହୋଇଗଲେ ଭଗବାନ ଶିବ, ଆରମ୍ଭ ହେଲା ଯୁଦ୍ଧ । ସେ ବାଳକଟିର ମଧ୍ୟ ଅସମ୍ଭବ ବଳ ଓ ସାହାସ । ବହୁତ ସମୟ ପରେ ଶଙ୍କର ତାଙ୍କର ପର୍ଶୁରେ ବାଳକଟିର ମୁଣ୍ଡ ଛେଦନ କଲେ । କିମ୍ବଦନ୍ତୀ ଅଛି ଯେ, ମୁଣ୍ଡକଟିଯିବା ପରେ ହୋଇଥିବା ରକ୍ତସ୍ରାବରୁ ଏକ ନଦୀର ଉତ୍ପତ୍ତି ହେଲା, ଯାହାକି ଶୋଣ ନଦୀ ନାମରେ ନାମିତ କରାଯାଇଛି । ତାପରେ କୁଟୀରରେ ପ୍ରବେଶ କଲେ ପ୍ରଭୁ ତ୍ରିପୁରାରୀ । ତାଙ୍କୁ ଦେଖି ମାତା ପାର୍ବତୀ ଆଶ୍ଚର୍ଯ୍ୟ ହୋଇଗଲେ । ଶିବଙ୍କ ଦେବସାରା ମଧ୍ୟ ରକ୍ତର ଛିଟା ପଡିଛି । ଯୁଦ୍ଧର ସମସ୍ତ ବୃତ୍ତାନ୍ତ ଶୁଣିଲେ ତାଙ୍କ ସ୍ୱାମୀଙ୍କ ଠାରୁ । ଧିକ୍କାର କରିବାକୁ ଲାଗିଲେ ଶିବଙ୍କୁ - ଆପଣ ପରା ଦେବ ଦେବ ମହାଦେବ ? ଆପଣ ପରା ସର୍ବଜ୍ଞ, ଅନ୍ତର୍ଯ୍ୟାମୀ ? କେମିତି ଜାଣିପାରିଲେନି, ସେ ବାଳକଟି ମୋର ପୁଅ । ସେ ମୋ ଦେହରୁ ହିଁ ଜାତ ହୋଇଥିଲା । ଅତ୍ୟନ୍ତ ଦୁଃଖରେ ଦେବୀ ପାର୍ବତୀ ରୋଦନ କରିବାକୁ ଲାଗିଲେ । ତାଙ୍କ ଦୁଃଖରେ ସମଦୁଃଖୀ ହୋଇ ତାଙ୍କୁ ଆଶ୍ୱାସନା ବାଣୀ ଶୁଣାଇ ପ୍ରଭୁ ତ୍ରିପୁରାରୀ ଅରଣ୍ୟ ଅଭିମୁଖେ ଯାତ୍ରା କଲେ, ସାଙ୍ଗରେ ଥାଆନ୍ତି ଶିବଗଣ । ତୁରୀ, ଭେରି ବାଦ୍ୟରେ ସେ ଅଂଚଳ ପ୍ରକମ୍ପିତ ହେଉଥାଏ । ଶଙ୍କର ଡିବି ଡିବି ଡମ୍ବରୁ ବଜାଉଥାଆନ୍ତି । ସେହି ଅରଣ୍ୟରେ ଏକ ଶ୍ୱେତହସ୍ତୀ ଉତ୍ତର ଦିଗକୁ ମୁଣ୍ଡକରି ଶୟନ କରିଥିବାର ପ୍ରଭୁ ଦେଖିଲେ । ସେ ହେଉଚି ପୁଷ୍ପଦନ୍ତ ହସ୍ତୀର ପୁଅ । ପ୍ରଭୁ ବିଚାର କଲେ ତାର ମୁଣ୍ଡକାଟି ଆଣି ଯଦି ତାଙ୍କ ପୁଅ ଦେହରେ ସ୍ଥାପନ କରିବେ, ତାଙ୍କ ପୁଅ ପ୍ରାଣ ଫେରିପାଇବ ଓ ତାଙ୍କର ପତ୍ନୀ ଅତ୍ୟନ୍ତ ଖୁସି ହୋଇଯିବେ ତେଣୁ ତ୍ରିପୁରାରୀ ତାଙ୍କ ପର୍ଶୁ ସାହାଯ୍ୟରେ ହାତୀର ମୁଣ୍ଡକାଟି ଆଣିଲେ ଓ ତାଙ୍କ ପୁଅ ଦେହରେ ସ୍ଥାପନା କଲେ, ମୃତ୍ୟୁ ସଞ୍ଜିବନୀ ମନ୍ତ୍ର ସ୍ତବ କରି ପୁଅକୁ ଜୀବନ୍ନ୍ୟାସ ଦେଲେ । (ସେହିଦିନ ଠାରୁ ପ୍ରବାଦ ଅଛି ଯେ, କୌଣସି ମାନବ ରାତ୍ର ଶୟନ କାଳରେ ଉତ୍ତର ଦିଗକୁ ମୁଣ୍ଡ କରିବା ଅନୁଚିତ) । ଜୀବନ୍ନ୍ୟାସ ପରେ ଅଦ୍ଭୁତ ଶରୀର ଧାରଣ କରି ବାଳକଟି ପ୍ରକଟ ହେଲା । ସେହିଦିନ ଠାରୁ ତାଙ୍କୁ ଗଜାନନ ବୋଲି ନାମିତ କରାଗଲା  । ସେହିଦିନ ଥିଲା ଭାଦ୍ରବ ମାସ, ଶୁକ୍ଳପକ୍ଷ, ଚତୁର୍ଥୀ ତିଥି । ଚିତ୍ରା ନକ୍ଷତ୍ର ଯୁକ୍ତ । ତୁଳା ରାଶିରେ ଚନ୍ଦ୍ର ବିଦ୍ୟମାନ ହୋଇଥାଆନ୍ତି । ପୁତ୍ରକୁ ଜୀବନ୍ତ ଅବସ୍ଥାରେ ପାଇ ମାତା ପାର୍ବତୀ ଅତ୍ୟନ୍ତ ଉଲ୍ଲସିତ ହୋଇଗଲେ, ପୁଅର ମୁଣ୍ଡକୁ ଆଉଁସି ତାକୁ କେତେ ଆଶୀର୍ବାଦ କଲେ ଓ କହିଲେ, ଆଜିର ଦିନଟି ହେଲା ତୋର, ଆଜି ଦିନରେ ତତେ ଯିଏ ପୂଜା କରିବ, ସେ ନିଶ୍ଚୟ ପୁତ୍ରବାନ, ଧନବାନ୍, ବଳବାନ, ଆୟୁଷ୍ମାନ ଓ ଯଶସ୍ୱୀ ହେବ । ସେହିଦିନ ଠାରୁ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ପାଳନ କରାଯାଏ ।
ଏକଦା ହରପାର୍ବତୀ କୈଳାସ ପର୍ବତରେ ଏକାକୀ ଥିଲେ । ତାଙ୍କର ପୁତ୍ରଦ୍ୱୟ ନଥିଲେ ତାଙ୍କ ପାଖରେ, ଶିବ ଗୋପନରେ ତାଙ୍କ ପତ୍ନୀଙ୍କୁ କହିଲେ, ପରମ ପବିତ୍ର ସ୍ଥାନ ଏ କୈଳାସ, ଦେବତା ଓ ଋଷିମାନଙ୍କର ପ୍ରିୟ ସ୍ଥାନ । ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୁର । ଆମେ ଆମର ଦୁଇପୁଅ ଭିତରୁ ଜଣଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରିବା । ପାର୍ବତୀ ଉତ୍ତର ଦେଲେ, ଆମ ଜ୍ୟେଷ୍ଠପୁତ୍ର କାର୍ତ୍ତିକ   ତ ଦେବମାନଙ୍କର ସେନାପତି । ସେ ଏକ ପଦରେ ନିଯୁକ୍ତି ପାଇସାରିଛି । ତେଣୁ ଆମ କନିଷ୍ଠପୁତ୍ରକୁ ଏ ପଦରେ ନିଯୁକ୍ତି କରିବା । କିନ୍ତୁ ଶିବ କହିଲେ, ଏହା କିପରି ସମ୍ଭବ ? ଜ୍ୟେଷ୍ଠ ଥାଉ ଥାଉ କନିଷ୍ଠ କିପରି ଅଭିଷିକ୍ତ ହେବ ? ସେହି ସମୟରେ କାର୍ତ୍ତିକେୟଙ୍କ ବାହନ ମୟୂର ସେ କୁଟୀର ପାଖରେ ବିଚରଣ କରୁଥିଲା । ସେ ଶିବ ପାର୍ବତୀଙ୍କର ଏ ଗୁପ୍ତ କଥୋପକଥନକୁ ଶୁଣି ଯାଇ ତାର ପ୍ରଭୁ କାର୍ତ୍ତିକେୟଙ୍କ ଆଗେ ବଖାଣି ଦେଲା । ଫଳରେ କାର୍ତ୍ତିକ ଅତ୍ୟନ୍ତ କ୍ରୋଧାନ୍ୱିତ ଓ ଅପମାନିତ ହୋଇ ଆସି ପିତାମାତାଙ୍କ ଆଗେ ଅଭିଯୋଗ ଆରମ୍ଭ କଲେ । କହିଲେ ମାତା, - ଜ୍ୟେଷ୍ଠ ଥାଉ ଥାଉ କନିଷ୍ଠ କିପରି ଯୁବରାଜ ପଦରେ ଅଭିଷିକ୍ତ ହେବ ? ଆଉ ଗୋଟିଏ କଥା, ସେ ତ ଦେଖିବାକୁ ଅସୁନ୍ଦର, ବିଚିତ୍ର ଗଠନ ତାର, ସମସ୍ତ ରାଜକାର୍ଯ୍ୟ, ଧର୍ମ କାର୍ଯ୍ୟ ପାଇଁ ସେ ଯୋଗ୍ୟ ନୁହେଁ । ସେ କିପରି ଯୁବରାଜ ହେବ ? ମାତା ଉତ୍ତର ଦେଲେ – ତୁମେ ଦୁଇଜଣ ତାହାଲେ ଧର୍ମ ଅର୍ଜନ କର । ସଂସାରରେ ଯେତେ ତୀର୍ଥ ଧାମ ଅଛି ସବୁ ବୁଲି ତମେ ଦୁଇଜଣ ପୁଣ୍ୟ ଅର୍ଜନ କର । ଯାହାର ପୁଣ୍ୟ ଅଧିକ ହେବ, ସେ ହେବ, ଗଣପତି, ଗଣେଶ୍ୱର ବା ଯୁବରାଜ । ମାତାଙ୍କ ଠାରୁ ଏପରି ପ୍ରସ୍ତାବ ଶୁଣି, କାର୍ତ୍ତିକେୟ ତତ୍କ୍ଷଣାତ ତାଙ୍କ ମୟୂର ବାହନରେ ସକଳ ତୀର୍ଥ ଭ୍ରମଣ କରିବାକୁ ବାହାରିଲେ । କିନ୍ତୁ ଗଜାନନ ବିଚାର କଲେ, ମୋର ମାତା ପାର୍ବତୀ ହେଲେ ଆଦିମାତା, ସକଳ ଶକ୍ତିର ଅଧିକାରୀଣୀ, ସାରା ଜଗତର ମାତା । ତାଙ୍କ ଠାରୁ ଅଧିକ କଣ ତୀର୍ଥ ଧାମ । ମୋର ପିତା, ଦେବ ଦେବ ମହାଦେବ, ତିନି ଭୁବନର ଈଶ୍ୱର, ଅନ୍ତର୍ଯ୍ୟାମୀ,  ସର୍ବଜ୍ଞ .. .. ତାଙ୍କ ଠାରୁ ତୀର୍ଥ ଭ୍ରମଣ କଣ ଅଧିକ ପୁଣ୍ୟ ? ଗଜାନନ ତାଙ୍କ ପିତାମାତାଙ୍କର ପାଦଛୁଇଁ ପ୍ରଣିପାତ କଲେ, ଓ ତାଙ୍କ ଚାରିପାଶ୍ୱର୍ରେ ପ୍ରଦକ୍ଷିଣ କରିବାକୁ ଲାଗିଲେ ଗଜାନନ କହିଲେ, ପିତାମାତାଙ୍କ ଠାରୁ ଅଧିକ ପୁଣ୍ୟ ସଂସାରରେ କୌଣସି ତୀର୍ଥ ନୁହେଁ । ଗଜାନନଙ୍କର ଏ ପ୍ରକାର କାର୍ଯ୍ୟକଳାପ ଦେଖି ହରପାର୍ବତୀ ଅତ୍ୟନ୍ତ ଖୁସି ହୋଇଗଲେ । ତାଙ୍କର ପିତୃମାତୃ ଭକ୍ତି ହୃଦୟରେ ଥିବା ପିତାମାତାଙ୍କ ପ୍ରତି ସ୍ନେହମମତା ଦେଖି କୃତ୍ୟ କୃତ୍ୟ ହୋଇଗଲେ ପିତା ମାତା । ଉତ୍ତମ ବୁଦ୍ଧିର ପରିଚୟ ଦେଇ ପିତାମାତାଙ୍କର ହୃଦୟକୁ ଜୟ କଲେ ଗଜାନନ । ପିତା କହିଲେ, ଏହା ସମ୍ପୁର୍ଣ୍ଣ ସତ୍ୟ । କୌଣସି ତୀର୍ଥ ଭ୍ରମଣ ପିତାମାତାଙ୍କ ଠାରୁ ଅଧିକ ପୁଣ୍ୟ ନୁହେଁ । ପିତାମାତାଙ୍କ ସେବା ହିଁ ସବୁଠାରୁ ଅଧିକ ପୁଣ୍ୟ ।
ପ୍ରଭୁ ତାଙ୍କ ଦୂତ ବୀରଭଦ୍ରଙ୍କୁ ଆଦେଶ ଦେଲେ ଅଭିଷେକ ଉତ୍ସବ ଆୟୋଜନ କରିବା ପାଇଁ ପତ୍ନୀପାର୍ବତୀଙ୍ୁ ତ୍ରିପୁରାରୀ କହିଲେ, ଗଜାନନ ହିଁ ଯୁବରାଜ ପଦ ପାଇଁ ଉପଯୁକ୍ତ । ସେ ହିଁ ଆଜିଠାରୁ ଗଣପତି, ଗଣେଶ, ନାମରେ ପୂଜା ପାଇବ । ସେ ହିଁ ବୁଦ୍ଧିର ଗନ୍ତାଘର । ତାଙ୍କୁ ଯେ ପୂଜା କରିବ ସେ ଉତ୍ତମ ବୁଦ୍ଧି ଓ ଜ୍ଞାନ ପ୍ରାପ୍ତ ହେବେ ଏବଂ ତାର ସମସ୍ତ ବାଧାବିଘ୍ନ ନାଶ ହେବ । ତେଣୁ ଗଜାନନ ହେଲେ ବିଘ୍ନ ବିନାଶକ । ତାଙ୍କର ଅଭିଷେକ ଉତ୍ସବ ଆରମ୍ଭ ହେଲା, ବିଭିନ୍ନ ଅଳଙ୍କାରରେ ମଣ୍ଡିତ ହେଲେ ଗଣେଷ । ସ୍ୱର୍ଗରୁ ଦୁନ୍ଦୁଭି ବାଦ୍ୟ ବାଜି ଉଠିଲା । ଦେବତାମାନେ ପୁଷ୍ପବୃଷ୍ଟି କଲେ । ଅପସରା ଗଣ ନୃତ୍ୟ ଆରମ୍ଭ କଲେ । ପାରିଜାତ ପୁଷ୍ପ, ରକ୍ତଚନ୍ଦନ, କର୍ଣ୍ଣରେ କୁଣ୍ଡଳ, କଣ୍ଠରେ ହାର ରତ୍ନକଙ୍କଣ, ମୁଦ୍ରିକା ଆଦି ଗଣେଶଙ୍କ ଦେହରେ ଶୋଭା ପାଇଲା । ଥରେ ଗଣେଶ ତପସ୍ୟାରତ ଥିବାବେଳେ ଜନ୍ତୁପତି ଯମରାଜ ତାଙ୍କର ଏଭଳି ବିଚିତ୍ର ଶରୀର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ବେକରେ କାଳଫାଶ ପକାଇ ତାଙ୍କୁ ଯମଲୋକକୁ ନେବାକୁ ଚେଷ୍ଟା କଲେ । କିନ୍ତୁ ଗଣେଶ ଏତେ ଶକ୍ତିଶାଳୀ ଥିଲେ ଯେ, କାଳଫାଶକୁ ନିଜ ବେକରୁ କାଢି ଯମବେକରେ ପକାଇ ଟାଣିବାକୁ ଲାଗିଲେ । ସେ ଫାଶରୁ ଆଉ ଫିଟିପାରିଲେନି ଯମରାଜ । ଭୟରେ ଏକ ମୂଷିକ ହୋଇଗଲେ ଯମ, ତାଙ୍କୁ ନତମସ୍ତକ କଲେ । ସେହିଦିନ ଠାରୁ ମୁଷିକ ଗଜାନନଙ୍କର ବାହନ ହୋଇ ରହିଲେ । ମେରୁଗିରିଙ୍କ ଦୁଇ କନ୍ୟା ମୋହିନୀ ଓ କୁନ୍ତଳା ଗଣେଶଙ୍କ ପତ୍ନୀ ଥିଲେ । ବାରଟି ପୁତ୍ର ସନ୍ତାଙ୍କର ଜନକ ଥିଲେ ଗଜାନନ ।
ଭୁବନେଶ୍ୱର
ମୋ- ୯୮୬୧୮୩୯୦୨୫