ଲେବର କାର୍ଡ ହିତାଧିକାରୀଙ୍କୁ ସୁବିଧା ମିଳୁନି


ବିଭିନ୍ନ ନିର୍ମାଣ କାର୍ଯ୍ୟର ମୂଳ ବିନ୍ଦୁ ହେଉଛନ୍ତି ନିର୍ମାଣ ଶ୍ରମିକ । ସହର ଗଢ଼ି ଉଠିବାରେ ନିର୍ମାଣ ଶ୍ରମିକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଏସବୁକୁ ଦୃଷ୍ଟିରେ ରଖି ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ନେଇ ପୂର୍ବ ରାଜ୍ୟ ସରକାର ବହୁ ଯୋଜନା କରିଥିଲେ । ମାତ୍ର ସେ ସବୁ ଯୋଜନାରେ କେବଳ ସୀମିତ ରହିଯାଉଛି ବୋଲି ଅଭିଯୋଗ ହୋଇଛି । ଉକ୍ତ ଶ୍ରମିକଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକ ବସ୍ତିରେ ବାସ କରୁଥିବାବେଳେ ୨୦ ପ୍ରତିଶତ ଫୁଟପାଥରେ ଜୀବନଯାପନ କରୁଛନ୍ତି । ସେହିପରି ଆଉକିଛି ଶ୍ରମିକମାନେ ରାଜଧାନୀ ଉପକଣ୍ଠ ଗାଁରୁ ଆସୁଛନ୍ତି । ଖାଲି ସେତିକି ନୁହେଁ ବିିଭିନ୍ନ ରାଜ୍ୟରୁ ମଧ୍ୟ ଶ୍ରମିକମାନେ ରାଜଧାନୀକୁ ଆସି କାମ କରୁଥିବା ଦେଖାଯାଉଛି । ସେମାନଙ୍କ ମଧ୍ୟରେ ବହୁ ଶ୍ରମିକଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପରିଚୟପ୍ରତ ମଧ୍ୟ ନାହିଁ । ଆଉ ଯେଉଁମାନେ ପରିଚୟପତ୍ର ପାଇଥିଲେ ସେମାନେ ନବୀକରଣ କରି ନପାରିବାରୁ କାର୍ଡ଼ କଟି ଯାଇଛି । ଫଳରେ ଉପଲବ୍ଧ ଥିବା ସୁବିଧା ସୁଯୋଗକୁ ସେମାନେ ବଞ୍ଚôତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ନିର୍ମାଣ ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ ସେମାନେ ହେଉଛନ୍ତି ଦିନ ମଜୁରିଆ । ପ୍ରତ୍ୟେକ ଦିନ ଖଟିଲେ ତାଙ୍କ ପରିବାର ଚଳୁଛି । ଏପରି ସ୍ଥିତିରେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ନାହିଁ କି ସେମାନେ କେଉଁଠି ଅନଲାଇନ ଆବେଦନ କିପରି କରିବାକୁ ହୁଏ ଜାଣି ନାହାନ୍ତି । କାମ ବନ୍ଦ କରି ଦିନେ ଦୁଇଦିନ ଏଠି ସେଠି ଦଉଡିବା ପରେ ନିରାଶ ହୋଇ ଫେରୁଛନ୍ତି । ତେଣୁ ଲେବର କାର୍ଡ଼ ଆବେଦନ ପାଇଁ ପୂର୍ବପରି ଅଫଲାଇନ ସହ ଅନଲାଇନ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
ଅପରପକ୍ଷରେ ଲେବରକାର୍ଡ଼ରୁ ସୁବିଧା ସୁଯୋଗ ହାତେଇବାକୁ ଅଣ ହିତାଧିକାରୀମାନେ ମଧ୍ୟ କାର୍ଡ଼ କରିଛନ୍ତି । ସାରା ରାଜ୍ୟରେ ୪୦ ଲକ୍ଷ ପଞ୍ଜୀକୃତ ଶ୍ରମିକ ଥିବାବେଳେ ରାଜଧାନୀରେ ଦେଢ଼ ଲକ୍ଷରୁ ଅଧିକ ଶ୍ରମିକ ରହିଥିବା ସୂଚନା ମିଳିଛି । ତେବେ ଏହି ଲେବରକାର୍ଡ଼ର ଯଦି ଉପଯୁକ୍ତ ଯାଞ୍ଚ କରାଯିବ ଏଥିରୁ କାର୍ଡ଼ ପାଇଥିବା ଅନେକ ଲୋକ ବାଦ ପଡ଼ିଯିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଶ୍ରମିକ କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରକାରଙ୍କ ଏକ ଟଙ୍କା ଅବଦାନ ନଥିବାବେଳେ ଏହାକୁ ସେ ନିଜ ନିୟନ୍ତ୍ରଣରେ ରଖିବାରୁ ହିତାଧିକାରୀମାନେ ସୁବିଧା ପାଇବାରୁ ବଞ୍ଚôତ ହେଉଛନ୍ତି । ଉଦାହରଣ ସ୍ୱରୂପ କୁହାଯାଇପାରେ ଯେ ଉଚ୍ଚଶିକ୍ଷା ଲାଗି ଜଣେ ନିର୍ମାଣ ଶ୍ରମିକ ପିଲାକୁ ବାର୍ଷିକ ୪୦ ହଜାର ଟଙ୍କା ସହାୟତା ଯୋଗାଇଦେବାକୁ ପ୍ରାବଧାନ ରହିଛି । ମାତ୍ର ଯଦି ଉକ୍ତ ପିଲାଟି ଏସସି/ଏସଟି ବର୍ଗରେ ଷ୍ଟାଇପେଣ୍ଡ ପାଉଥାଏ ତେବେ ସେହି କ୍ଷେତ୍ରରେ ଲେବରକାର୍ଡ଼ରୁ ମିଳୁଥିବା ସହାୟତା ତାଙ୍କୁ ଦିଆଯାଉନାହିଁ । ଏହିପରି ଆହୁରି ଅନେକ ସୁବିଧା ସୁଯୋଗକୁ ଲେବର କାର୍ଡ଼ରେ ମିଳୁନାହିଁ ।
ସୂଚନାଯୋଗ୍ୟ ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କୁ ଦୁର୍ଘଟଣା ଜନିତ ମୃତୁ୍ୟ ଘଟିଲେ ୫ଲକ୍ଷ ଟଙ୍କା, ସ୍ୱାଭାବିକ ମୃତୁ୍ୟ ଘଟିଲେ ୨ଲକ୍ଷ ଟଙ୍କା, ଶବଦାହ ଲାଗି ୧୦ ହଜାର, ଘର ତିଆରି କରିବାକୁ ଦେଢ଼ ଲକ୍ଷ ଟଙ୍କା, ପ୍ରସୂତୀକାଳୀନ ସହାୟତା ୧୦ ହଜାର, ଡାକ୍ତରୀ ଚିକିତ୍ସା ପାଇଁ ୩ଲକ୍ଷ ଟଙ୍କାର ବୀମା ସୁବିଧା କରିଛନ୍ତି । ସେହିପରି ଶ୍ରମିକଙ୍କୁ ୬୦ ବର୍ଷ ହୋଇଗଲେ ୫୦୦ ଟଙ୍କା ଭତ୍ତା, ଷଷ୍ଠ, ସପ୍ତମ ବାଳିକାଙ୍କ ପାଇଁ ବାର୍ଷିକ ୨ ହଜାର, ଅଷ୍ଟମ ଓ ଦଶମ ଶ୍ରେଣୀ ପାଇଁ ୮ ହଜାର, ଉଚ୍ଚଶିକ୍ଷା ଲାଗି ୪୦ ହଜାର ଟଙ୍କା, ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କା ସହାୟତା ଦିଆଯାଉଥିବା କୁହାଯାଉଛି । ମାତ୍ର ଅଧିକାଂଶ ଶ୍ରମିକ ଏହିସବୁ ସୁବିଧା ପାଇବାରୁ ବଞ୍ଚôତ ହେଉଛନ୍ତି । କାରର ଅନେକ ଲୋକଙ୍କର କାର୍ଡ଼ ନଥିବାବେଳେ ଆଉ କେତେକ ଅନଲାଇନ ସମସ୍ୟା କାରଣରୁ କାର୍ଡ଼ ନବୀକରଣ କରିପାରୁନାହାଁନ୍ତି । ତେଣୁ ଉଭୟ ଅନଲାଇନ ଓ ଅଫ ଲାଇନ ସୁବିଧା କରିବାକୁ ସବୁ ମହଲରୁ ଦାବି ହେଉଛି । 
 ଡ.ତପନ କୁମାର ପାଳ,କଟକ