ରାସନ୍ କାର୍ଡ ନଥିଲେ ବି ମିଳିବ ଆୟୁଷ୍ମାନ କାର୍ଡ : ସ୍ୱାସ୍ଥ୍ୟମନ୍ତ୍ରୀ

ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଆରମ୍ଭ ହେଇସାରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓଡ଼ିଶାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ତେବେ ଏହି ଯୋଜନା ଓଡ଼ିଶାରେ ଆରମ୍ଭ ହେବା ପରେ, ଏହାକୁ ନେଇ କିଛି ଦ୍ୱନ୍ଦ୍ୱ ମଧ୍ୟ ଦେଖାଦେଇଛି । କେଉଁ ଲୋକ ଏହି ଯୋଜନାର ସୁବିଧା ପାଇବେ? ଲୋକମାନେ କେମିତି କାର୍ଡ ପାଇବେ? ଆଉ ରାସନ୍ କାର୍ଡ ନଥିଲେ, ଜଣେ ଲୋକ ଏହି କାର୍ଡ ପାଇପାରିବେ କି ? । ଏହା ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଆୟୁଷ୍ମାନ ଯୋଜନାର ଲାଭ ପାଇବେ ।
ଏହାସହ ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏବେ ବି ଲାଭ ପାଉଛନ୍ତି, ସେମାନେ ଆୟୁଷ୍ମାନ ଯୋଜନାର ଲାଭ ଉଠାଇପାରିବେ । ତେବେ ରାସନ୍ ନଥିବା ୨ ଲକ୍ଷ ପରିବାର ବି ଆୟୁଷ୍ମାନ ଯୋଜନାର ସୁବିଧା ପାଇବେ ବୋଲି ବଡ଼ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମିଳିଥିବା ସୂଚନା ମୁତାବକ, ୭୦ ବର୍ଷରୁ ଅଧିକ ବୟସ୍କ ଲୋକ ଇନକମ୍ ଟାକ୍ସ ଦେଉଥିଲେ ବି, ଏହି ଯୋଜନାର ସୁବିଧା ପାଇପାରିବେ । ଆୟୁଷ୍ମାନ କାର୍ଡରେ, ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟସେବା ଯୋଗେଇ ଦିଆଯିବ । ଏହାସହ ପରିବାରରେ ୭୦ ବର୍ଷରୁ ଅଧିକ ବର୍ଷର ଲୋକ ଥିଲେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଅତିରିକ୍ତ ୫ ଲକ୍ଷର ସୁବିଧା ଯୋଗେଇ ଦେବେ ସରକାର । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାସନ କାର୍ଡ ନଥିବା ୨ ଲକ୍ଷ ପରିବାର ବି ଏହି ଯୋଜନାରୁ ସୁବିଧା ପାଇବେ । ଏହାସହ ଯୋଜନାର ପରିସରଭୁକ୍ତ ହୋଇ କାର୍ଡ ନଥିଲେ ବି ଆଧାର ନମ୍ବର ଦେଲେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।