ୱାକ୍ଫ ହିଂସା : ମୁର୍ସିଦାବାଦ ପରେ ଦକ୍ଷିଣ ୨୪ ପ୍ରଗଣା ଭ୍ୟାନ୍ ଜାଳିଲେ, ପୁଲିସ୍କୁ ପିଟିଲେ

କୋଲକାତା :  ବିଏସ୍ଏଫ୍ ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ ପରେ ସାମାନ୍ୟ ଶାନ୍ତ ପଡ଼ିଛି ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା । କିନ୍ତୁ ଏହି ହିଂସାକାଣ୍ଡ ଏବେ ରାଜ୍ୟର ଅନ୍ୟ ଜିଲ୍ଲାକୁ ବ୍ୟାପିଛି । ଦକ୍ଷିଣ ୨୪ପ୍ରଗଣା ଜିଲ୍ଲାର ଭଙ୍ଗାର ଅଞ୍ଚଳରେ ପ୍ରଦର୍ଶନକାରୀମାନେ ଆଜି କେତେକ ପୁଲିସ ଗାଡ଼ିରେ ନିଅାଁ ଲଗାଇ ଦେଇଛନ୍ତି ।  ଶତାଧିକ ଇଣ୍ଡିଆନ୍ ସେକୁ୍ୟଲାର୍ ଫ୍ରଣ୍ଟ (ଆଇଏସ୍ଏଫ୍) ସଂଗଠନ ସଦସ୍ୟ ଆଜି ଏହି ହିଂସାକାଣ୍ଡ ଭିଆଇଛନ୍ତି । ସ୍ଥାନୀୟ ରାମଲୀଳା ମୈଦାନ ଠାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଭଙ୍ଗାର ବିଧାୟକ ନୌସାଦ ସିଦ୍ଦିକ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ଆଇନଶୃଙ୍ଖଳା ଦୃଷ୍ଟିରୁ ସେଠାରେ ପୂର୍ବରୁ ମାର୍ଚିଂ କରୁଥିବା ପୁଲିସ୍ ଟିମ୍ ବିଧାୟକଙ୍କ ସମେତ ଆଇଏସ୍ଏଫ୍ କର୍ମୀମାନଙ୍କୁ ବାସନ୍ତୀ ହାଇୱେ ସ୍ଥିତ ଭୋଜେର୍ ହାଟ ନିକଟରେ ଅଟକାଇ ଥିଲା । ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ଆଇଏସ୍ଏଫ୍ କର୍ମୀମାନେ ପୁଲିସ୍ ଉପରକୁ ପାଲଟା ଆକ୍ରମଣ କରି ବ୍ୟାରିକେଡ୍ ଭାଙ୍ଗାରୁଜା କରିଥିଲେ । ପରିସ୍ଥିତିକୁ ଆୟତ କରିବାକୁ ଯାଇ ପୁଲିସ୍ ଆନେ୍ଦାଳନକାରୀଙ୍କ ଉପରେ ଲାଠିଚାର୍ଜ କରିବାରୁ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ଫଳରେ ଉତ୍ତ୍ୟକ୍ତ କର୍ମୀମାନେ କେତେକ ପୁଲିସ୍ ଭ୍ୟାନ୍ରେ ନିଅାଁ ଲଗାଇ ଦେଇଥିବା ବେଳେ ଜନତା-ପୁଲିସ୍ ଧସ୍ତାଧସ୍ତିରେ ଅଧିକାଂଶ ପୁଲିସ୍ କର୍ମୀମାନେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଏ ଘଟଣାରେ ଆଜି ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକାଂଶ ଆକ୍ରମଣକାରୀ ଭଙ୍ଗାର, ମୀନାଖାନ୍ ଏବଂ ସନେ୍ଦଶଖାଲି ଅଞ୍ଚଳର ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । 
ସେପଟେ ରବିବାର ମୁର୍ସିଦାବାଦରେ ଘଟିଥିବା ହିଂସାକାଣ୍ଡରେ ଭୟଭୀତ ହୋଇ ୪୦୦ରୁ ଊଦ୍ଧ୍ୱର୍ ଲୋକ ଗୃହ ପରିତ୍ୟାଗ କରି ରାତାରାତି ଡଙ୍ଗା ଯୋଗେ ମାଲଦା ଚାଲି ଯାଇଥିଲେ । ଆଜି ପ୍ରଶାସନର ଅନୁରୋଧ କ୍ରମେ ପ୍ରାୟ ୩୬ ଘଣ୍ଟା ପରେ  ସେମାନଙ୍କ ମଧ୍ୟରୁ ୧୯ ପରିବାର ନିଜ ବାସସ୍ଥାନକୁ ଫେରିଛନ୍ତି ବୋଲି ଏଡିଜି ଜାଭେଦ ଶମିମ ସୂଚନା ଦେଇଛନ୍ତି । ପ୍ରତିଟି ମୂହୁର୍ତ୍ତ ଉପରେ କଡ଼ା ନଜର ରଖାଯାଇଛି ଏବଂ ଧିରେ ଧିରେ ମୁର୍ସିଦାବାଦରେ ସ୍ଥିତି ସ୍ୱାଭାବିକ ହେଉଛି ବୋଲି ଏଡିଜି ସୂଚନା ଦେଇଛନ୍ତି । ଅପରପକ୍ଷେ ମୁର୍ସିଦାବାଦ ହିଂସାକାଣ୍ଡକୁ ନେଇ ଆଜି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ରୁଜୁ ହୋଇଛି । ଶଶାଙ୍କ ଶେଖର ଝା’ ନାମକ ଜଣେ ଓକିଲ  ଏହି ପିଆଇଏଲ୍ ଦାଖଲ କରିଛନ୍ତି । ଏଥିରେ ମୁର୍ଶିଦାବାଦ ହିଂସାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଏସଆଇଟି ଗଠନ କରିବାକୁ ଦାବି କରାଯାଇଛି । ଏହା ବ୍ୟତୀତ, ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାରେ ବିଫଳତା ପାଇଁ ମଧ୍ୟ ଆବେଦନରେ ସ୍ପଷ୍ଟୀକରଣ ଦାବି କରାଯାଇଛି ।  ସୂଚନାଯୋଗ୍ୟ ଶନିବାର ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଜାଙ୍ଗିପୁରରୁ ହିଁ ସଂଶୋଧିତ ୱାକ୍ଫ ଆଇନକୁ ନେଇ ପ୍ରଥମେ ପ୍ରତିବାଦର ସ୍ୱର ଉତ୍ତୋଳନ ହୋଇଥିଲା । ଲୋକେ ୱାକ୍ଫ ଆଇନକୁ ତୀବ୍ର ବିରୋଧ କରି ଭଙ୍ଗାରୁଜା କରିବା ସହ ଜଳାପୋଡ଼ା କରିଥିଲେ । ପରେ ରବିବାର ଏହି ହିଂସାକାଣ୍ଡ ଭୟଙ୍କର ରୂପ ନେଇଥିଲା । ରବିବାର ଗୋଟିଏ ଘର ଉପରେ ମରଣାନ୍ତକ ଆକ୍ରମଣ କରି ବାପପୁଅଙ୍କୁ ହତ୍ୟା କରାଯାଇଥିବା ବେଳେ ଗୁଳିକାଣ୍ଡରେ ଅନ୍ୟଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିଲା । ୩ଜଣଙ୍କ ମୃତୁ୍ୟ ସମେତ ଏଯାବତ ପ୍ରାୟ ୨୧୦ଜଣଙ୍କୁ ଗିରଫ କରାଯାଇଥିବା ଆଇନ ଶୃଙ୍ଖଳା ଅତିରିକ୍ତ ନିଦେ୍ର୍ଦଶକ ଜାୱେଦ ସାମିମ ସୂଚନା ଦେଇଛନ୍ତି । ସେହିପରି ପାଖାପାଖି ୪୦୦ ଲୋକ ଘର ଛାଡ଼ିଥିବା ବେଳେ ଆଜି ୧୯ ପରିବାର ଫେରି ଆସିଥିବା ଜାଭେଦ ସୂଚନା ଦେଇଛନ୍ତି ।